Uttam mohanty: ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ବାହୁଡ଼ିଗଲେ ଓଡ଼ିଆ ସିନେମାର ବାଦଶାହ ଉତ୍ତମ ମହାନ୍ତି
ଓଡ଼ିଆ ସିନେମାର ବାଦଶାହ, ସୁପରଷ୍ଟାର, ଚିର ସବୁଜ, ଯାଦୁଗର ଉତ୍ତମ ମହାନ୍ତି ସବୁକିଛି ଛାଡ଼ି ଚାଲିଯାଇଛନ୍ତି ଅଫେରା ରାଇଜକୁ। ଯେଉଁଠିକି ଗଲେ ଆଉ ଫେରିବା ଅସମ୍ଭବ। ଉତ୍ତମ ମହାନ୍ତି ଏମିତି ଜଣେ ଅଭନେତା ଯିଏ ନିଜର ଅଭିନୟ ଯାଦୁରେ ସମସ୍ତ ଚରିତ୍ରକୁ ବେଶ୍ ଭଲଭାବେ ପରଦାରେ ଫୁଟାଇ ପାରୁଥିଲେ । ସେ ଥିଲେ ୯୦ ଦଶକର ବାଦଶାହ । ତାଙ୍କ ଅଭିନୀତ ଅନେକ ଫିଲ୍ମ ସୁପରହିଟ୍ ହୋଇଛି । ଅଭିନେତ୍ରୀ ଅପରାଜିତା ଓ ଉତ୍ତମଙ୍କ ଯୋଡିକୁ ଦେଖିବାକୁ ସିନେ ପ୍ରେମୀ ବେଶ୍ ପସନ୍ଦ କରୁଥିଲେ । ସେ ଅପରାଜିତାଙ୍କ ହାତ ଧରିବା ପରେ ଏହି ଯୋଡି ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରିକୁ ଆହୁରି ଅନେକ ସୁପରହିଟ ଫିଲ୍ମ ଭେଟିଦେଇଛନ୍ତି । ଯାହା ଆଜିବି ଓଡ଼ିଆ ଦର୍ଶକଙ୍କ ମନରେ ଜୀବନ୍ତ ହୋଇ ରହିଛି ।
ଜୀବନ ରଙ୍ଗମଞ୍ଚରେ ଅଭିନୟ ସାରି ଗୁରୁବାର ରାତିରେ ବାହୁଡ଼ିଗଲେ ଉତ୍ତମ। ଲିଭିଗଲା ଓଡ଼ିଆ ଚଳଚ୍ଚିତ୍ର ଜଗତର ଉଜ୍ଜ୍ୱଳ ତାରକା। ଅନେକ ସୁପରହିଟ୍ ଚଳଚ୍ଚିତ୍ରରେ ନିଖୁଣ ଅଭିନୟ କରି ଦର୍ଶକଙ୍କୁ ମନୋରଞ୍ଜନ କରୁଥିବା ଏହି ମହାନ୍ ନାୟକଙ୍କ ଜୀବନ ଦୀପ ଲିଭିଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ଉତ୍ତମଙ୍କ ଅବଦାନ ତାଙ୍କୁ ସବୁଦିନ ପାଇଁ ଅମର କରି ରଖିବ।
୧୯୭୭ ମସିହାରେ ବାରିପଦାରେ ପ୍ରସିଦ୍ଧ ଚିତ୍ର ନିର୍ଦ୍ଦେଶକ ସାଧୁ ମେହେର ‘ଅଭିମାନ’ ନାମକ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କରିବାକୁ ପ୍ରସ୍ତୁତି କରୁଥିଲେ। ଏଥିରେ ଉତ୍ତମ ମହାନ୍ତି ହିରୋ ଭାବେ ଅଭିନୟ କରିବାକୁ ମନୋନୀତ ହୋଇଥିଲେ। ସେତେବେଳେ ବକ୍ସ ଅଫିସରେ ସୁପର ଡୁପର ହିଟ୍ ହୋଇଥିଲା ଏହି ଫିଲ୍ମ। ଆଉ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଡେବ୍ୟୁ କରିଥିଲେ ଉତ୍ତମ। ବାସ୍ ତା’ପରେ ସେ ଆଉ ପଛକୁ ଫେରିନାହାନ୍ତି। ଗୋଟିଏ ପରେ ଗୋଟିଏ ହିଟ୍, ସୁପରହିଟ୍ ଫିଲ୍ମ ଭେଟି ଦେଇ ଚାଲିଲେ।
“ଅଭିମାନ, ରାମାୟଣ, ଫୁଲ ଚନ୍ଦନ, ଝିଅଟି ସୀତା ପରି, ଦଣ୍ଡା ବାଳୁଙ୍ଗା, ସହରୀ ବାଘ, ସମୟ ବଡ ବଳବାନ, ପୂଜାଫୁଲ, ତୁଣ୍ଡ ବାଇଦ, ସରପଂଚ ବାବୁ, ଭୀଷ୍ମ ପ୍ରତିଜ୍ଞା, କପାଳ ଲିଖନ, ପୁଅ ମୋର କଳାଠାକୁର, ଯଶୋଦା,ଲକ୍ଷ୍ଣଣ ରେଖା, ସୁହାଗ ସିନ୍ଦୁର ଓ ପୁଅ ମୋର ଭୋଳାଶଙ୍କର” ଭଳି ସୁପରହିଟ୍ ଫିଲ୍ମରେ ତାଙ୍କ ଅଭିନୟ ଦର୍ଶକଙ୍କ ମନ ଜିଣିଥିଲା। ପ୍ରାୟ ୧୫୦ଟି ଚଳଚ୍ଚିତ୍ରରେ ଅଭିନୟ କରି ନିଜ ପାଇଁ ଅଗଣିତ ଦର୍ଶକ ସୃଷ୍ଟି କରିଥିଲେ ଉତ୍ତମ। ଏଥିମଧ୍ୟରେ ୩୦ଟି ବଙ୍ଗଳା ଏବଂ ନୟା ଜହର ନାମକ ଏକ ହିନ୍ଦୀ ଚଳଚ୍ଚିତ୍ର ମଧ୍ୟ ରହିଛି।
ଗୁରୁବାର ରାତିରେ ଓଲିଉଡର ଲୋକପ୍ରିୟ ତଥା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ପରଲୋକ ଘଟିଛି। ଗୁରୁଗ୍ରାମର ମେଦାନ୍ତ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲିଭର ସିରୋସିସ୍ ରୋଗରେ ପୀଡିତ ଥିଲେ ଉତ୍ତମ। ଭୁବନେଶ୍ୱରରେ ଦୀର୍ଘ ଦିନ ଧରି ଚିକିତ୍ସା ପରେ ଗତ ୮ ତାରିଖରେ ତାଙ୍କୁ ମେଦାନ୍ତ ହସପିଟାଲ ନିଆଯାଇଥିଲା। ଅବସ୍ଥା ଗୁରୁତର ଥିବାରୁ ଏୟାରଲିଫ୍ଟ କରାଯାଇଥିଲା ଉତ୍ତମଙ୍କୁ।
୧୯୫୮ ମସିହା ଡିସେମ୍ବର ୨୩ ତାରିଖରେ ଭେଟେରାନ ଅଭିନେତା ଉତ୍ତମ ମହାନ୍ତି ବାରିପଦାରେ ଜନ୍ମଗ୍ରହଣ କରିଥିଲେ । ସେ ୧୩୫ରୁ ଅଧିକ ଓଡ଼ିଆ ସିନେମାରେ ଅଭିନୟ କରିସାରିଛନ୍ତି । ଓଡ଼ିଆ ସିନେମା ସହ ୩୦ରୁ ଅଧିକ ବେଙ୍ଗଲୀ ଚଳଚିତ୍ରରେ ଅଭିନୟ କରି ଦର୍ଶକଙ୍କ ହୃଦୟରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି।
previous article:https://purvapaksa.com/there-are-more-horses-than-humans-in-this-country-know-what-is-the-number/
ଏହି ଦେଶରେ ମଣିଷ ଅପେକ୍ଷା ଅଧିକ ଘୋଡା ରହିଛନ୍ତି, ଜାଣନ୍ତୁ କ’ଣ ରହିଛି ସଂଖ୍ୟା ?
O
