ରଥଯାତ୍ରା ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ଭକ୍ତଗଣ ନିଜେ ଦିବ୍ୟ ଏବଂ ଭବ୍ୟ ଅନୁଭୂତି ନେଇ ଫେରିବେ ବୋଲି ନିଜେ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ। ରଥଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ମନ୍ତ୍ରୀସ୍ତରୀୟ କମିଟି ମଧ୍ୟ ଗଠନ କରାଯାଇଥିଲା। ମାତ୍ର ରଥଯାତ୍ରା ଆରମ୍ଭରୁ ମୋଦକ ଚୋରିରୁ ବିଭ୍ରାଟ ଆରମ୍ଭ ହୋଇଥିବାବେଳେ ରବିବାର ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରବିବାର ପ୍ରତ୍ୟୁଷରେ ଦଳାଚକଟାରେ ୩ ଜଣଙ୍କ ଜୀବନ ଯାଇଛି।
ଶ୍ରୀଗୁଣ୍ଡିଚା ସମ୍ମୁଖରେ ଦଳାଚକଟାରେ ୩ ଜଣଙ୍କ ଜୀବନ ଯିବା ଇତିହାସରେ ପ୍ରଥମ ଘଟଣା ହୋଇଥିବା ବେଳେ ଏହା ଦେଶବ୍ୟାପୀ ଜଗନ୍ନାଥପ୍ରେମୀଙ୍କୁ ଗଭୀର ଆଘାତ ଦେଇଛି। ଏପରି ଅଭାବନୀୟ ଘଟଣା ପାଇଁ ପରିଚାଳନାଗତ ବିଭ୍ରାଟ, ସରକାରଙ୍କ ଭୂମିକା, ଅପାରଗତା ଏବଂ ହେୟଜ୍ଞାନ ମନୋବୃତ୍ତିକୁ ଦାୟୀ କରାଯାଉଥିବାବେଳେ ରାଜ୍ୟ ସରକାର ନିଜ ଉପରୁ ଦୋଷ ଝାଡ଼ିବାକୁ ପୂରା ଉଦ୍ୟମ ଚଳାଇଛନ୍ତି। ରଥଯାତ୍ରା ନିମନ୍ତେ ଗଠିତ ମନ୍ତ୍ରୀସ୍ତରୀୟ କମିଟି, ଆଇନମନ୍ତ୍ରୀ, ପ୍ରଶାସକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପରିବର୍ତ୍ତେ ଜିଲ୍ଲାପାଳ ଓ ଏସ୍ପିଙ୍କୁ କେବଳ ବଦଳି କରିଛନ୍ତି। କଠୋର କାର୍ଯ୍ୟାନୁଷ୍ଠାନ ଘୋଷଣା କରିଥିବା ସରକାରଙ୍କ ଏପରି ପଦକ୍ଷେପସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୀମାହୀନ ଅବ୍ୟବସ୍ଥା, ଚରମ ଅପାରଗତା ଓ ଅସୀମ ଉଦାସୀନତା ଯୋଗୁଁ ଇତିହାସରେ ଯାହା କେବେ ଘଟି ନ ଥିଲା; ଚଳିତ ବର୍ଷ ତାହା ଘଟିଛି। ରଥଯାତ୍ରାର ସୁପରିଚାଳନା ପାଇଁ ମନ୍ତ୍ରୀସ୍ତରୀୟ କମିଟିର ଭୂମିକା ଏଯାବତ୍ କ’ଣ ବୋଲି ଜଗନ୍ନାଥପ୍ରେମୀ ପ୍ରଶ୍ନ କରୁଛନ୍ତି। ଘୋଷଯାତ୍ରାବେଳେ ଏହି କମିଟିରେ ସଦସ୍ୟ ଥିବା ମନ୍ତ୍ରୀମାନେ କେବଳ ସମର୍ଥକଙ୍କୁ ପାସ୍ ବାଣ୍ଟିବା ଛଡ଼ା କୁଟାକୁ ଦି’ ଖଣ୍ଡ କରିନାହାନ୍ତି ବୋଲି ଅଭିଯୋଗ ହୋଇଛି।
ରଥଯାତ୍ରା ପୂର୍ବରୁ ଆଇନ ମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ଏକାଧିକ ମନ୍ତ୍ରୀ ତ୍ରୁଟିଶୂନ୍ୟ ଏବଂ ଶୃଙ୍ଖଳିତ ରଥଯାତ୍ରା ନେଇ ଦୃଢ଼ୋକ୍ତି ପ୍ରକାଶ କରି ଆସୁଥିଲେ। ମାତ୍ର ଗତ ୩ଦିନ ଧରି ଘଟଣାବଳୀ ରାଜ୍ୟ ସରକାରଙ୍କ ପାରିବାପଣିଆଙ୍କୁ ସାଧାରଣରେ ଉଜାଗର କରିଛି। ସରକାରର ମୁଖ୍ୟଭାବେ ମୁଖ୍ୟମନ୍ତ୍ରୀ ଏଥିପାଇଁ ଉତ୍ତରଦାୟୀ ଓ ଏଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ମାତ୍ର ମୁଖ୍ୟମନ୍ତ୍ରୀ ନିଜର ସହଯୋଗୀ ତଥା ରଥଯାତ୍ରା ପରିଚାଳନା ନିମନ୍ତେ ଗଠିତ ମନ୍ତ୍ରୀସ୍ତରୀୟ କମିଟିର ଅଧକ୍ଷ ଉପମୁଖ୍ୟମନ୍ତ୍ରୀ ଓ ଆଇନମନ୍ତ୍ରୀଙ୍କୁ ସୁରକ୍ଷା ଦେବାକୁ ଜିଲ୍ଲାପାଳ ଓ ଏସ୍ପିଙ୍କୁ ବଦଳି କରିଥିବା କୁହାଯାଉଛି।
Also read https://purvapaksa.com/why-is-the-law-minister-reluctant-to-issue-an-apology/
