ଓଡ଼ିଶାକୁ ଦେଶର ବିଜ୍ଞାନ, ଆଧୁନିକ ପ୍ରଯୁକ୍ତିବିଦ୍ୟା ଏବଂ ଗବେଷଣାର ଏକ ପ୍ରମୁଖ ପେଣ୍ଠସ୍ଥଳ ଭାବେ ଗଢ଼ିତୋଳିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏକ ବୃହତ୍ ଆକ୍ସନ ପ୍ଲାନ୍ ପ୍ରସ୍ତୁତ କରିଛନ୍ତି। ନୂଆଦିଲ୍ଲୀଠାରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ ଏବଂ ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ମଧ୍ୟରେ ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ରୋଡ୍ମ୍ୟାପ୍ ଚୂଡ଼ାନ୍ତ ହୋଇଛି। ବିଶେଷ କରି ‘ରେୟାର ଆର୍ଥ କରିଡର’ , ‘ମେରାଇନ୍ ବାୟୋଟେକ୍ନୋଲୋଜି’ ଏବଂ ‘ମହାକାଶ ପ୍ରଯୁକ୍ତିବିଦ୍ୟା’ କ୍ଷେତ୍ରରେ ଓଡ଼ିଶାର ପ୍ରଚୁର ସମ୍ଭାବନାକୁ ବ୍ୟବହାର କରି ରାଜ୍ୟରେ ଏକ ବିଜ୍ଞାନ-ଭିତ୍ତିକ ଅର୍ଥନୀତି ଗଠନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ଦେଶର ନୂଆ ‘ରେୟାର ଆର୍ଥ କରିଡର’ରେ ଓଡ଼ିଶାର ସାମିଲ
କେନ୍ଦ୍ରୀୟ ବଜେଟ୍ରେ ଘୋଷଣା କରାଯାଇଥିବା ଦେଶର ୪ଟି ପ୍ରମୁଖ ‘ରେୟାର ଆର୍ଥ କରିଡର’ ମଧ୍ୟରେ ଓଡ଼ିଶାକୁ ଅନ୍ତର୍ଭୁକ୍ତ କରାଯାଇଛି। ଓଡ଼ିଶା ସମେତ କେରଳ, ଆନ୍ଧ୍ରପ୍ରଦେଶ ଓ ତାମିଲନାଡ଼ୁରେ ଏହି ସ୍ୱତନ୍ତ୍ର କରିଡର ପ୍ରତିଷ୍ଠା ହେବ।
![]()
- ଖନନ ଓ ସଂସ୍କରଣ : ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ମିଳୁଥିବା ମୂଲ୍ୟବାନ ଖନିଜ ସମ୍ପଦ ଏବଂ ଗୁରୁତ୍ୱପୂର୍ଣ୍ଣ ଆଣବିକ ଧାତୁର ଖନନ, ସଂସ୍କରଣ, ଗବେଷଣା ଏବଂ ନୂତନ ଉତ୍ପାଦନ ପ୍ରକ୍ରିୟାକୁ ଏହାଦ୍ୱାରା ବ୍ୟାପକ କରାଯାଇପାରିବ।
- ଷ୍ଟ୍ରାଟେଜିକ୍ ଫାଇଦା : ଏହି କରିଡର ଦ୍ୱାରା ଦେଶର ପ୍ରତିରକ୍ଷା, ଇଲେକ୍ଟ୍ରୋନିକ୍ସ ଓ ଆଡ୍ଭାନ୍ସଡ୍ ମ୍ୟାଟେରିଆଲ୍ସ କ୍ଷେତ୍ରରେ ଓଡ଼ିଶା ନିଜର ଆଧିପତ୍ୟ ଜାହିର କରିପାରିବ।
ସାମୁଦ୍ରିକ ଜୈବପ୍ରଯୁକ୍ତିବିଦ୍ୟା (OMBRIC) ର ସମ୍ପ୍ରସାରଣ

ଓଡ଼ିଶାର ୪୮୦ କିଲୋମିଟର ଦୀର୍ଘ ଉପକୂଳ ଓ ସାମୁଦ୍ରିକ ଜୈବବିବିଧତାକୁ ବ୍ୟବହାର କରି ‘ଓଡ଼ିଶା ମେରାଇନ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ୍ ଇନୋଭେସନ୍ କରିଡର’ ର ପରିସରକୁ ଆହୁରି ବଢ଼ାଯିବ।
ଏହି ପ୍ରକଳ୍ପରେ ଆଇଆଇଟି ଭୁବନେଶ୍ୱର, ଏନ୍ଆଇଟି ରୋଲକେଲା, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ଆଇଆଇଏସ୍ଇଆର୍ ବ୍ରହ୍ମପୁର ଏବଂ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ ମିଳିତ ଭାବେ କାର୍ଯ୍ୟ କରୁଛନ୍ତି।
ଆଇଏଲ୍ଏସ୍ ପାଇଁ ୫୦ ଏକର ଜମି : ଆଇଏଲ୍ଏସ୍ ଭୁବନେଶ୍ୱରର ଭିତ୍ତିଭୂମି ବୃଦ୍ଧି ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଭାବେ ୫୦ ଏକର ଜମି ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି, ଯାହା ଦ୍ୱାରା ଲାଇଫ୍ ସାଇନ୍ସ ଓ ଜୈବ ସ୍ୱାସ୍ଥ୍ୟସେବା ଗବେଷଣା ଅଧିକ ସୁଦୃଢ଼ ହେବ।
ଓଡ଼ିଶାରେ ସ୍ପେସ୍ ରିସର୍ଚ୍ଚ ଓ ସାଇନ୍ସ ସିଟି ପ୍ରତିଷ୍ଠା
ମହାକାଶ ପ୍ରଯୁକ୍ତିବିଦ୍ୟାର ବିକାଶ ପାଇଁ ଇସ୍ରୋ ସହ ମିଳିତ ଭାବେ ଓଡ଼ିଶାରେ ଏକ ‘ସ୍ପେସ୍ ରିସର୍ଚ୍ଚ ଆଣ୍ଡ୍ ମାନୁଫାକ୍ଚରିଂ ସେଣ୍ଟର’ ପ୍ରତିଷ୍ଠା କରିବା ପାଇଁ ପିପିପି ମୋଡ୍ରେ ଯୋଜନା କରାଯାଉଛି। ଏହାଦ୍ୱାରା ମହାକାଶ ବିଜ୍ଞାନ, ରୋବୋଟିକ୍ସ ଏବଂ ମହାକାଶ ଯନ୍ତ୍ରାଂଶ ନିର୍ମାଣ କ୍ଷେତ୍ରରେ ରାଜ୍ୟର ଯୁବବର୍ଗଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହେବ।
ଏହାସହିତ, ପିଲାମାନଙ୍କ ମଧ୍ୟରେ ବୈଜ୍ଞାନିକ ମନୋଭାବ ବୃଦ୍ଧି କରିବା ପାଇଁ ଓଡ଼ିଶାରେ ଏକ ଅତ୍ୟାଧୁନିକ ‘ସାଇନ୍ସ ସିଟି’ ଗଢ଼ିତୋଳିବା ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଛି।

ଡିପ୍ ଓସନ୍ ମିଶନ୍ ଓ କର୍ମସଂସ୍ଥାନ ସୁଯୋଗ
କେନ୍ଦ୍ର ସରକାରଙ୍କ ‘ଡିପ୍ ଓସନ୍ ମିଶନ୍’ ଏବଂ ଓଡ଼ିଶାର ଗଭୀର ସମୁଦ୍ର ମତ୍ସ୍ୟଚାଷ ନୀତି (୨୦୨୬-୨୦୩୬) କୁ ଯୋଡ଼ି ସମୁଦ୍ରରୁ ନୂତନ ଜୈବସମ୍ପଦ ଓ ଆରୋଗ୍ୟକାରୀ ଔଷଧିୟ ଉପାଦାନ ଆବିଷ୍କାର କରିବାକୁ ଲକ୍ଷ୍ୟ ରଖାଯାଇଛି।
କେନ୍ଦ୍ର ଓ ରାଜ୍ୟର ଏହି ଯୁଗାନ୍ତକାରୀ ପଦକ୍ଷେପ ବଳରେ ଓଡ଼ିଶା କେବଳ ପାରମ୍ପରିକ ଖଣିଜ ଭିତ୍ତିକ ଶିଳ୍ପରେ ସୀମିତ ନ ରହି ବିଜ୍ଞାନ, ମହାକାଶ ଓ ଜୈବପ୍ରଯୁକ୍ତିବିଦ୍ୟା ଆଧାରିତ ଏକ ପ୍ରଗତିଶୀଳ ସ୍ମାର୍ଟ ରାଜ୍ୟ ଭାବେ ନିଜକୁ ଗଢ଼ିତୋଳିବ।


