ବୁଧବାର ଦିନ ବିଧାନସଭାର ଅଧିବେଶନ ସମାପ୍ତ ହୋଇଛି। ଭୋର ପର୍ଯ୍ୟନ୍ତ ଚାଲିଥିବା ଏହି ଉଲ୍ଲେଖନୀୟ ଅଧିବେଶନରେ ଗୃହୀତ ହୋଇଥିବା ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୪ରେ ଅନେକ ନୂଆ କଥା ରହିଛି। ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ସିନେଟ୍ ପ୍ରତିଷ୍ଠା ଏବଂ କୁଳପତି (ଭିସି) ଓ ଅଧ୍ୟାପକ ନିଯୁକ୍ତିକ୍ଷେତ୍ରରେ ଉଚ୍ଚଶିକ୍ଷା ନୁଷ୍ଠାନଗୁଡ଼ିକ ପାଇଁ ସ୍ୱୟଂଶାସିତତା ବୃଦ୍ଧି ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରହିଛି। ପ୍ରସ୍ତାବିତ ଆଇନ ଅନୁଯାୟୀ, ସିନେଟ୍ ବିଶ୍ୱବିଦ୍ୟାଳୟର ପରିଚାଳନା ସଂସ୍ଥା ଭାବରେ କାର୍ଯ୍ୟ କରିବ, ଯେଉଁଥିରେ ଶିକ୍ଷାଗତ ବ୍ୟାପାର, ସମ୍ବଳ ଆବଣ୍ଟନ, ଆର୍ଥିକ ପରିଚାଳନା ଏବଂ ଗବେଷଣା ପଦକ୍ଷେପ ସମେତ ବିଭିନ୍ନ ଦିଗର ତଦାରଖ କରାଯିବ।
ଏହାବ୍ୟତୀତ ଚୟନ କମିଟିରେ ରାଜ୍ୟ ସରକାରଙ୍କ ମନୋନୀତ ବ୍ୟକ୍ତିଙ୍କ ସ୍ଥାନରେ ସିଣ୍ଡିକେଟ୍ ମନୋନୀତ ବ୍ୟକ୍ତିଙ୍କୁ ନିଯୁକ୍ତି ଦେବାକୁ ବିଲରେ ପରାମର୍ଶ ଦିଆଯାଇଛି। ଏହି କମିଟିରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଦ୍ୱାରା ନିଯୁକ୍ତ ଅନ୍ୟ ଦୁଇଜଣ ସଦସ୍ୟ ଏବଂ କୁଳପତିଙ୍କ ଦ୍ୱାରା ନିଯୁକ୍ତ ଅନ୍ୟଜଣେ ସଦସ୍ୟ ରହିବେ। ଏହାବ୍ୟତୀତ ବିଦାୟୀ କୁଳପତିଙ୍କୁ ସମାନ ପଦବୀ ପାଇଁ ପୁନର୍ବାର ଆବେଦନ କରିବାକୁ ଅନୁମତି ଦିଆଯାଇଛି।କିନ୍ତୁ ସିଣ୍ଡିକେଟ୍ ନୋମିନୀ ଚୟନରେ ସେ ଭାଗ ନେଇପାରିବେ ନାହିଁ। ବିଶ୍ୱବିଦ୍ୟାଳୟଗୁଡ଼ିକୁ ନେତୃତ୍ୱ ଦେବା ଭୂମିକା ନିର୍ବାହ ପାଇଁ ଅଧିକ ଅଭିଜ୍ଞ ଶିକ୍ଷାବିତଙ୍କୁ ଆକୃଷ୍ଟ କରିବା ଲକ୍ଷ୍ୟରେ କୁଳପତିମାନଙ୍କ ପାଇଁ ସର୍ବୋଚ୍ଚ ବୟସ ସୀମା ବର୍ତ୍ତମାନର ୬୭ ବର୍ଷରୁ ୭୦ ବର୍ଷକୁ ବୃଦ୍ଧି କରିବାକୁ ମଧ୍ୟ ବିଲରେ ପ୍ରସ୍ତାବ ଦିଆଯାଇଛି।
ଏହି ନୂଆ ଆଇନରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍ସି)କୁ ବିଶ୍ୱବିଦ୍ୟାଳୟରେ ଅଧ୍ୟାପକ ନିଯୁକ୍ତିରେ ଥିବା ଭୂମିକାରୁ ହଟାଇ ଦିଆଯାଇଛି। ବରଂ ଶିକ୍ଷାବିତଙ୍କୁ ନେଇ ଗଠିତ ଏକ କମିଟି ଏହି ନିଯୁକ୍ତି ପରିଚାଳନା କରିବ ବୋଲି ବିଲରେ ଦର୍ଶାଯାଇଛି। ଏହି କମିଟିରେ କୁଳପତି କିମ୍ବା ସେମାନଙ୍କ ପ୍ରତିନିଧି, କୁଳାଧିପତିଙ୍କ ଜଣେ ମନୋନୀତ ବ୍ୟକ୍ତି, କୁଳପତିଙ୍କ ଦ୍ୱାରା ଚୟନ କରାଯାଇଥିବା ତିନି ଜଣ ବିଷୟ ବିଶେଷଜ୍ଞ, ବିଭାଗୀୟ ମୁଖ୍ୟ ଏବଂ ଏସସି/ଏସଟି/ଓବିସି/ମହିଳା/ସଂଖ୍ୟାଲଘୁ/ପିଡବ୍ଲ୍ୟୁଡି ବର୍ଗକୁ ପ୍ରତିନିଧିତ୍ୱ କରୁଥିବା ଜଣେ ଶିକ୍ଷାବିତ୍ ମଧ୍ୟ ରହିବେ।
ଏହାବ୍ୟତୀତ ଉଚ୍ଚଶିକ୍ଷାରେ ମୋଟ୍ ନାମଲେଖା ଅନୁପାତ ବୃଦ୍ଧି କରିବା ଲକ୍ଷ୍ୟରେ ସମସ୍ତ ଯୋଗ୍ୟ ବିଶ୍ୱବିଦ୍ୟାଳୟରେ ଦୂରଶିକ୍ଷା ବ୍ୟବସ୍ଥା ପ୍ରତିଷ୍ଠା କରିବାକୁ ବିଲରେ ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ଏଭଳି ବ୍ୟବସ୍ଥା ନ ଥିବା ଅନୁଷ୍ଠାନରେ ଏହା ଲାଗୁ ହେବ। ରାଜ୍ୟପାଳଙ୍କ ମୋହର ବାଜିବା ପରେ ଏହି ଆଇନ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ଆଇନ ୨୦୨୪ ନାମରେ ପରିଚିତ ହେବ।
ମନେପକାଇ ଦିଆଯାଇପାରେ ଯେ ,୨୦୨୦ମସିହାରେ ପୂର୍ବତନ ବିଜେଡି ସରକାର ସିନେଟ୍ ଭାଙ୍ଗି ସରକାରୀ ବିଶ୍ୱବିଦ୍ୟାଳୟର ଦୁଇଟି ପ୍ରମୁଖ ନିଷ୍ପତ୍ତି ଗ୍ରହଣକାରୀ ସଂସ୍ଥା ସିଣ୍ଡିକେଟ୍ ପୁନର୍ଗଠନ କରିବା ସହ ଓଡ଼ିଶା ବିଶ୍ୱବିଦ୍ୟାଳୟ ଆଇନ ୧୯୮୯ରେ ସଂଶୋଧନ କରିଥିଲେ। ସିନେଟ୍ କେବଳ ଆଳଙ୍କାରିକ ହୋଇଗଲାଣି ଏବଂ ମୂଳ ବିଶ୍ୱବିଦ୍ୟାଳୟ ଆଇନର କେତେକ ବ୍ୟବସ୍ଥା ପୁରୁଣା ହୋଇଗଲାଣି ବୋଲି କହି ନବୀନ ସରକାର ଏହି ପରିବର୍ତ୍ତନଗୁଡ଼ିକୁ ଯୁକ୍ତି ଦର୍ଶାଇଥିଲେ।
ନୂଆ ଆଇନରେ ସେହି ବିଶ୍ୱବିଦ୍ୟାଳୟରେ କୌଣସି କୁଳପତିଙ୍କୁ ଦ୍ୱିତୀୟ ଥର ପାଇଁ ପୁନଃନିଯୁକ୍ତି ଦିଆଯାଇ ପାରିବ ନାହିଁ ବୋଲି ନିୟମ ପ୍ରଣୟନ କରାଯାଇଛି। ଏହାବ୍ୟତୀତ ୟୁଜିସି ଗାଇଡଲାଇନ ଅନୁଯାୟୀ ସିଣ୍ଡିକେଟ୍ ଚୟନ ହୋଇଥିବା ସଦସ୍ୟଙ୍କ ସ୍ଥାନରେ ଶିକ୍ଷାବିତ୍ ଭାବେ ମନୋନୀତ ହୋଇଥିବା ତିନିଜଣିଆ ଚୟନ କମିଟିର ପୁନର୍ଗଠନ କରାଯାଇଛି।
Also readhttps://purvapaksa.com/where-is-the-bejewelled-crown-of-the-last-mughal-emperor-bahadur-shah-zafar/
