ଏବେ ତହସିଲ ଅଫିସ ଆଉ ଦୌଡିବାକୁ ପଡିବ ନାହିଁ, ଘରେ ବସି ମିଳିବ ରାଜସ୍ବ ବିଭାଗର ପ୍ରମାଣପତ୍ର। ମୋବାଇଲ୍ ଆପରେ ମିଳିବ ୧୮ ପ୍ରକାର ଜରୁରୀ ପ୍ରମାଣପତ୍ର। ଓଡ଼ିଶା ରାଜସ୍ୱ ବିଭାଗ ଏକ ମୋବାଇଲ୍ ଆପ୍ ଲଞ୍ଚ କରିବାକୁ ଯାଉଛି, ଯାହା ନାଗରିକମାନଙ୍କୁ ଘରୁ ବସି ସୁବିଧାରେ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ପାଇଁ ଆବେଦନ କରିବା ଏବଂ ପାଇବାରେ ସହାୟକ ଦେବ। ଏହି ଆପ୍ ମାଧ୍ୟମରେ ପ୍ରାୟ ୧୮ଟି ସେବା ଅନଲାଇନରେ ଉପଲବ୍ଧ ରହିବ, ଯାହା ବିଭିନ୍ନ ତହସିଲ ଅଫିସ ବା ରାଜସ୍ବ କାର୍ଯ୍ୟାଳୟ ଗୁଡିକରୁ ଲମ୍ବା ଧାଡ଼ି କମ କରିବା ବୋଲି ଆଶା କରାଯାଇଛି। ଦୁର୍ନୀତି ହ୍ରାସ କରିବା ଏବଂ ସେବା ପ୍ରଦାନ ଦକ୍ଷତା ଉନ୍ନତ କରିବାରେ ମଧ୍ୟ ସହାୟକ ହେବ ବୋଲି ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।
ସେ କହିଛନ୍ତି, ଏହା ଜନସାଧାରଣଙ୍କ ସୁବିଧା ବୃଦ୍ଧି କରିବା ପାଇଁ ଏକ ପ୍ରମୁଖ ଡିଜିଟାଲ୍ ପଦକ୍ଷେପ ହେବ। ବିଭାଗ ଖୁବ୍ ଶୀଘ୍ର ଏକ ମୋବାଇଲ୍ ଆପ୍ ଲଞ୍ଚ କରିବ ଯାହା ନାଗରିକମାନଙ୍କୁ ସରକାରୀ କାର୍ଯ୍ୟାଳୟକୁ ନଯାଇ ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ର ଘରେ ବସି ମୋବାଇଲରେ ପାଇବାକୁ ଅନୁମତି ଦେବ। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଆହୁରି କହିଛନ୍ତି ଯେ,ଏହି ଆପ୍ ପ୍ରସ୍ତୁତ ହୋଇସାରିଛି ଏବଂ ଖୁବ୍ ଶୀଘ୍ର ଆରମ୍ଭ ହେବ।
ପୂର୍ବ ସରକାର ସମୟରେ ଆବେଦନକାରୀଙ୍କ ସ୍ବାର୍ଥକୁ ଆଖିରେ ରଖି ସବୁ ତହସିଲ ଭିତରେ ଖୋଲିଥିଲା ସିଙ୍ଗିଲ ୱିଣ୍ଡୋ ସିଷ୍ଟମ୍। ହେଲେ ଏହାକୁ ଭୃକ୍ଷେପ କରୁନଥିଲେ ଅଧିକାରୀ । ଜାତିଗତ ପ୍ରମାଣପତ୍ର ହେଉ କିମ୍ବା ଇନକମ୍ ସାର୍ଟିଫିକେଟ୍ ଅବା ଲିଗାଲ୍ ହେୟାର ହେଉ ସବୁ କାମ ପାଇଁ ତହସିଲ୍ ଅଫିସକୁ ଦୌଡ଼ି ଦୌଡ଼ି ଲୋକେ ନୟାନ୍ତ ହେଉଥିଲେ । କିନ୍ତୁ ନୂଆ ବ୍ୟବସ୍ଥା ଦ୍ବାରା ସେ ସମସ୍ୟା ଆଉ ଭୋଗିବାକୁ ପଡ଼ିବନି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଏବେ ଗୋଟିଏ ଆପ୍ ଦ୍ବାରା ରାଜସ୍ବ ବିଭାଗର ୧୮ଟି ସେବା ହାତପାଆନ୍ତାରେ ପାଇପାରିବେ ଆବେଦନକାରୀ, ତା ପୁଣି ନିର୍ଦ୍ଦିଷ୍ଟ ସମୟ ସୀମା ଭିତରେ । ଯଦି ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସେବା ଯୋଗାଇ ନପାରିଲେ, ତେବେ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏପରିକି ସଂପୃକ୍ତ ଅଧିକାରୀଙ୍କ ଦରମାରୁ ଜୋରିମାନା ଟଙ୍କା କଟିବ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।
ମୋବାଇଲ୍ ଆପ୍ ୧୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରମାଣପତ୍ରର ପ୍ରବେଶ ପ୍ରଦାନ କରିବ, ଯେଉଁଥିରେ ଜାତି, ଆୟ, ଆଇନଗତ ଉତ୍ତରାଧିକାରୀ ଏବଂ ସଞ୍ଚୟତା ଡକ୍ୟୁମେଣ୍ଟ ଅନ୍ତର୍ଭୁକ୍ତ। ମୋବାଇଲ୍ ଆପ୍ ଦ୍ବାରା ଅଧିକାରୀମାନେ ନାଗରିକଙ୍କ ହାତରେ ସିଧାସଳଖ କ୍ଷମତା ଦେଇ ଏହି ବ୍ୟବଧାନଗୁଡ଼ିକୁ ପୂରଣ କରିବାକୁ ଆଶା କରଯାଉଛି। ତେବେ ବରିଷ୍ଠ ପ୍ରଶାସକମାନେ କହିଛନ୍ତି ଯେ, ଏହି ପଦକ୍ଷେପର ସଫଳତା କାର୍ଯ୍ୟାନ୍ୱୟନ ଉପରେ ନିର୍ଭର କରେ। ଅନଲାଇନ୍ ହେଉ କିମ୍ବା ଅଫଲାଇନ୍, ପ୍ରତ୍ୟେକ ଅନୁରୋଧ ଏପର୍ଯ୍ୟନ୍ତ ଜଣେ ଅଧିକାରୀଙ୍କ ଦ୍ୱାରା ପରିଚାଳିତ ହୁଏ ଯିଏ ବିଭିନ୍ନ କାରଣ ଦର୍ଶାଇ ସେବାରେ ବିଳମ୍ବ କରିପାରନ୍ତି। ତେବେ ସରକରଙ୍କ ପରି ସାଧାରଣ ଲୋକ ବି ଆଶାବାଦୀ ଯେ, ଏହି ଆପ୍ ସାଧାରଣ ନାଗରିକଙ୍କ ଉପରେ ବୋଝ ହ୍ରାସ କରିବ, ବିଶେଷକରି ଗ୍ରାମାଞ୍ଚଳ ଏବଂ ଉପାନ୍ତ ଅଞ୍ଚଳରେ, ଯେଉଁମାନେ ସାମନ୍ୟ କାଗଜପତ୍ର ପାଇଁ ମାଇଲ ମାଇଲ ଯାତ୍ରା କରୁଥିଲେ ବା ଜଙ୍ଗଲ, ପାହାଡ, ଘାଟି ପାର କରି ତହସିଲ ଅଫିସ ଆସୁଥିଲେ।
ତେବେ କିଛିଦିନ ତଳେ ରାଜସ୍ବ ମନ୍ତ୍ରୀ ଅନ୍ୟ ଏକ ବଡ ଘୋଷଣା କରିଥିଲେ। ସରକାର ଜମିଜମା ପ୍ରକ୍ରିୟାରେ ମୋହନ ସରକାର ବଡ ସଂଶୋଧନ କରିବା ସହ ପଟ୍ଟା ପରିବର୍ତ୍ତନ ପ୍ରକ୍ରିୟା ବିନା ଦେୟରେ ଏବଂ ସହଜରେ କରିବାକୁ ଘୋଷଣା କରିଥିଲେ। ଗାଁକୁ ଗାଁ ଯାଇ ରାଜସ୍ବ ନିରୀକ୍ଷକ ଏହି ସମସ୍ୟାର ସମାଧାନ କରିବେ ବୋଲି ବିଭାଗୀୟ ମନ୍ତ୍ରୀ ଘୋଷଣା କରିଥିଲେ।୧୯୮୩ ଆଇନର ସଂଶୋଧନ କରି ଭୂମିହୀନ ସଂଜ୍ଞାର ପରିବର୍ତ୍ତନ କରାଯିବ ବୋଲି ସରକାର ଘୋଷଣା କରିଛନ୍ତି। ୪ ଡିସିମିଲରୁ କମ ଜମି ଥିଲେ ସେ ଭୂମିହୀନ ଭାବେ ଗଣା ହେବେ, ନିଜ ନିଜ ଜିଲ୍ଲାରେ ୪ ଡିସିମିଲରୁ କମ ଥିବା ଲୋକଙ୍କୁ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର।
Also readhttps://purvapaksa.com/vishnu-hypersonic-missile-nightmare-for-pakistan-and-china/
1 Comment
Pingback: Subhanshu Shukla ଇତିହାସ ରଚିବେ ଭାରତୀୟ ଶୁଭାଂଶୁ ଶୁକ୍ଳା