ଝାରସୁଗୁଡ଼ା ବିମାନ ବନ୍ଦରରେ ଏନସିସି କ୍ୟାଡେଟଙ୍କ ପାଇଁ ଏକ ବିମାନ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ସୋମବାର ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି।
ସୋମବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ଏନସିସି ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଗୁରବୀରପାଲ ସିଂହଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
ଝାରସୁଗୁଡ଼ା ବିମାନ ବନ୍ଦରରେ ବିମାନ ପ୍ରଶିକ୍ଷଣ ପ୍ରତିଷ୍ଠାନ ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଦେଢ଼ କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ଏହାବ୍ୟତୀତ ରାଜ୍ୟର ଏନସିସି କ୍ୟାଡେଟଙ୍କ ପାଇଁ ୩ଟି ଦକ୍ଷତା ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି। କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ଏହି ପ୍ରଶିକ୍ଷଣ କେନ୍ଦ୍ର ଖୋଲାଯିବ। ଏଥିପାଇଁ କଟକ ଓ ବ୍ରହ୍ମପୁରରେ ୫ ଏକର ଜମି ଚିହ୍ନଟ ହୋଇସାରିଥିବା ବେଳେ ସମ୍ବଲପୁରରେ ୧୦ ଏକର ଜମି ଆବଣ୍ଟନ କରାଯିବ।
ବୈଠକରେ ଓଡ଼ିଶାରେ ଏନସିସି କ୍ୟାଡେଟଙ୍କ ସଂଖ୍ୟା ୬୦ ହଜାର ଥିବା ବେଳେ ଏହାକୁ ୯୦ ହଜାରକୁ ବୃଦ୍ଧି କରାଯିବ ବୋଲି ସୂଚନା ମିଳିଛି। ଏଥିପାଇଁ ରାଜ୍ୟର କେନ୍ଦ୍ରୀୟ ବିଦ୍ୟାଳୟ, ନବୋଦୟ ବିଦ୍ୟାଳୟ ଓ ଅନ୍ୟାନ୍ୟ ବିଦ୍ୟାଳୟରେ ଏନସିସି ୟୁନିଟ୍ ପ୍ରତିଷ୍ଠା କରାଯିବ।ଏହାବ୍ୟତୀତ କୋରାପୁଟରେ ଏନସିସି ଗ୍ରୁପ୍ ମୁଖ୍ୟାଳୟ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ଅଧିକାରୀ ଓ କର୍ମଚାରୀ ଯୋଗାଇଦେବେ।
ଓଡ଼ିଶାର ସମସ୍ତ ବ୍ଲକରେ ବିଶ୍ୱସ୍ତରୀୟ କ୍ରୀଡ଼ା ଭିତ୍ତିଭୂମି ନିର୍ମାଣ ପାଇଁ ୪୧୨୪ କୋଟି ଟଙ୍କା ଖର୍ଚ୍ଚ ହେବ: ମନ୍ତ୍ରୀ