Forest Fire: ୨ ହଜାର ହେକ୍ଟର ଜମି ପ୍ରଭାବିତ, ସବୁ ସର୍କଲରେ ଅଗ୍ନିକାଣ୍ଡ ପଏଣ୍ଟ ଚିହ୍ନଟ ହୋଇଛି।
ଓଡ଼ିଶାର ଅଧାରୁ ଅଧିକ ଜଙ୍ଗଲକୁ ନିଆଁ ବ୍ୟାପିସାରିଲାଣି। କେଉଁଠି ୭ ଦିନ ହେଲା ଜଳୁଛି ତ ଆଉ କେଉଁଠି ୨୪ ଘଣ୍ଟା ଭିତରେ ନିଆଁ ଲାଗିଛି। ଯେଉଁଥିରେ ଏକର ଏକର ସବୁଜିମା ସାଙ୍ଗକୁ ବହୁ ଔଷଧୀୟ ବୃକ୍ଷ ମଧ୍ୟ ଜଳିପୋଡ଼ି ପାଉଁଶ ହେଉଛି। ଜଙ୍ଗଲ ନିଆଁରେ ଏ ପର୍ଯ୍ୟନ୍ତ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇ ନ ଥିବା ବନ ବିଭାଗ କହୁଥିଲେ ମଧ୍ୟ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ବହୁ ମାତ୍ରାରେ ପ୍ରଭାବିତ ହୋଇଛି। ଗ୍ରୀଷ୍ମର ପ୍ରକୋପ ଦିନକୁ ଦିନ ବଢ଼ୁଥିବାରୁ ନିୟନ୍ତ୍ରଣ କରା ନ ଗଲେ ଭବିଷ୍ୟତରେ ଅଧିକରୁ ଅଧିକ ଜଙ୍ଗଲ ପ୍ରଭାବିତ ହେବ ବୋଲି ବନ୍ୟପ୍ରାଣୀ ବିଶେଷଜ୍ଞମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଓଡ଼ିଶାର ୨୫୭ଟି ସ୍ଥାନରେ ଜଙ୍ଗଲ ଜଳୁଛି। କୋରାପୁଟ ସର୍କଲରେ ସର୍ବାଧିକ ନିଆଁ ଲାଗିବା ସହ ଅଧିକ ଅଞ୍ଚଳ ପ୍ରଭାବିତ ହୋଇଛି।
ଏହି ସର୍କଲରେ ୭୨ଟି ବନାଗ୍ନି ଚିହ୍ନଟ କରାଯାଇଛି। ଏହାବ୍ୟତୀତ ଭବାନୀପାଟଣା ସର୍କଲରେ ୬୬ଟି, ରାଉରକେଲା ସର୍କଲରେ ୪୭, ବ୍ରହ୍ମପୁର ସର୍କଲରେ ୨୭, ସମ୍ୱଲପୁର ସର୍କଲରେ ୨୬, ବାରିପଦା ସର୍କଲରେ ୧୩, ଅନୁଗୁଳ ସର୍କଲରେ ୯ ଓ ଭୁବନେଶ୍ୱର ସର୍କଲର ଗୋଟିଏ ସ୍ଥାନରେ ବନାଗ୍ନି ଦେଖାଦେଇଛି। ଉପକୂଳ ଓଡ଼ିଶାରେ ସେଭଳି ଜଙ୍ଗଲ ନିଆଁ ଦୃଷ୍ଟି ଗୋଚର ହୋଇ ନାହିଁ। ଯେତେବେଳେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଏବେ ବି ଜଙ୍ଗଲ ହୁ ହୁ ହୋଇ ଜଳୁଛି। ସଚେତନତା ସତ୍ତ୍ୱେ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଚଳିତବର୍ଷ ନୂଆ କୌଶଳର ସାହାରା ନେଇଛି ବନ ବିଭାଗ। ପ୍ରତି ସଂରକ୍ଷିତ ଜଙ୍ଗଲ ସହ ଏହା ସଂଲଗ୍ନ ଗାଁଗୁଡ଼ିକରେ ଅଗ୍ନି ନିରୋଧକ ମଞ୍ଚା ହୋଇଛି। ସଚେତନତା କାର୍ଯ୍ୟକ୍ରମ ହେଉଥିଲେ ମଧ୍ୟ ବନାଗ୍ନି ରୋକିବାରେ ତାହା କୌଣସି ପ୍ରକାର ସହାୟକ ହୋଇ ପାରୁନାହିଁ।
ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ) ତଥ୍ୟ ଅନୁଯାୟୀ କୋରାପୁଟ ସର୍କଲର ମାଲକାନ ଡିଭିଜନ୍ ସମେତ ନବରଙ୍ଗପୁର, ଜୟପୁର, କୋରାପୁଟ, ରାୟଗଡ଼ା, ରାଉରକେଲା ସର୍କଲର ସୁନ୍ଦରଗଡ଼, ରାଉରକେଲା, ଦେବଗଡ଼, ବଣାଇ, କେନ୍ଦୁଝର, ବାରିପଦା ସର୍କଲର କରଞ୍ଜିଆ ଓ ବାରିପଦା ଡିଭିଜନ୍ରେ ବନାଗ୍ନି ଚିହ୍ନଟ ହୋଇଛି। ବ୍ରହ୍ମପୁର ସର୍କଲର ବାଲିଗୁଡ଼ା, ବୈଦ୍ଧ, ପାରଳାଖେମୁଣ୍ଡି, ଫୁଲବାଣୀ, ଘୁମୁସର, ଭବାନୀପାଟଣା ସର୍କଲର ଖରିଆଳ, ସୁନବେଢ଼ା, କଳାହାଣ୍ଡି ଦକ୍ଷିଣ, ସୁବର୍ଣ୍ଣପୁର ଡିଭିଜନ୍ରେ ମଧ୍ୟାହ୍ନ ସୁଦ୍ଧା ନିଆଁ ରହିଛି। ଭୁବନେଶ୍ୱର ସର୍କଲର କେବଳ ନୟାଗଡ଼ ଡିଭିଜନ୍ର ମହିପୁର ରେଞ୍ଜରେ ବନାଗ୍ନି ସାମ୍ନାକୁ ଆସିଛି।
କୋରାପୁଟ ସର୍କଲରେ ନିଆଁ ରୋକିବାକୁ ଅଭିନବ ବ୍ୟବସ୍ଥା ହୋଇଛି। କୋରାପୁଟ ଓ ଜୟପୁର ବନଖଣ୍ଡ ଅଧୀନ କୋରାପୁଟ, ନାରାୟଣପାଟଣା, ବନ୍ଧୁଗାଁ, ଲକ୍ଷ୍ମୀପୁର, ସେମିଳିଗୁଡା, ପଟାଙ୍ଗୀ, ଲମତାପୁଟ, ନନ୍ଦପୁର, ଜୟପୁର, ବୈପାରିଗୁଡା, କୁନ୍ଦୁରା ଓ ବୋରିଗୁମ୍ମା ଅଞ୍ଚଳରେ ମଞ୍ଚା ବନ୍ଧା ଯାଇଛି। ବରଗଡ଼ ବନଖଣ୍ତ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବା ସହ ବନ ସୁରକ୍ଷା ସମିତିଗୁଡ଼ିକୁ ଏଲ୍ପିଜି ସଂଯୋଗ ଉପରେ ଗୁରୁତ୍ୱ ନିଆଯାଇଛି।
ଏହାଦ୍ୱାରା ଅଞ୍ଚଳବାସୀ ଜଙ୍ଗଲ କାଠ ଉପରେ ଅଧିକ ନିର୍ଭରଶୀଳ ନ ହୋଇ ଏପିଜି ବ୍ୟବହାର କରିବେ। ସପ୍ତାହକ ତଳେ ଖୋଦ୍ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶରାମ ସିଂଖୁଣ୍ଟିଆଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ କେନ୍ଦୁଝର ଜିଲ୍ଲାର ତେଲକୋଇ, ବାଂଶପାଳ ଅଞ୍ଚଳରେ ବନାଗ୍ନି ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏତେ କାର୍ଯ୍ୟକ୍ରମ ପରେ ମଧ୍ୟ ବନାଗ୍ନି ନିୟନ୍ତ୍ରଣ ହୋଇ ପାରୁନାହିଁ।
କେବଳ ଯେ ଓଡ଼ିଶାରେ ଜଙ୍ଗଲ ଜଳୁଛି ତାହା ନୁହେଁ; ଦେଶର ଅଧାରୁ ଅଧିକ ରାଜ୍ୟ ଓ କେନ୍ଦ୍ର ଶାସତ ଅଞ୍ଚଳର ଜଙ୍ଗଲ ବନାଗ୍ନି ଦ୍ବାରା ପ୍ରଭାବିତ ହୋଇଛି। ମାର୍ଚ୍ଚ ମାସରେ ଖରା ବଢ଼ିବା ସହ ଜଙ୍ଗଲ ନିଆଁ ମଧ୍ୟ ବ୍ୟାପିବାରେ ଲାଗିଛି। ଗତ ୭ ଦିନ ମଧ୍ୟରେ ତେଲେଙ୍ଗାନାର ୫,୨୨୫ଟି, ଓଡ଼ିଶାରେ ୨,୫୮୬, ଆନ୍ଧ୍ରପ୍ରଦେଶରେ ୨,୪୨୬ରେ ନିଆଁ ଲାଗିଛି। ଆଜି ଦିନରେ ଦେଶରେ ୨୧୭ଟି ବଡ଼ଧରଣ ବନାଗ୍ନି ସାମ୍ନାକୁ ଆସିଛି। ସେଥିମଧ୍ୟରୁ ମଧ୍ୟପ୍ରଦେଶରେ ୪୦, ମହାରାଷ୍ଟ୍ରରେ ୩୨, ଆନ୍ଧ୍ରପ୍ରଦେଶରେ ୩୧ ତେଲେଙ୍ଗାନାରେ ୨୨, ଓଡ଼ିଶା ଓ କର୍ଣ୍ଣାଟକରେ ୧୬ଟି ଲେଖାଏ ବଡ଼ଧରଣ ବନାଗ୍ନି ରହିଛି। ମାର୍ଚ୍ଚ ୧ରୁ ଆଜି ମଧ୍ୟରେ ଓଡ଼ିଶାରେ ୩୨୨ଟି ବଡ଼ଧରଣର ବନାଗ୍ନି ରେକର୍ଡ ହୋଇଛି।
ଫଳରେ ଓଡ଼ିଶା ଚଳିତ ସପ୍ତାହରେ ଦେଶର ଦ୍ୱିତୀୟ ସର୍ବାଧିକ ଜଙ୍ଗଲ ପ୍ରଭାବିତ ରାଜ୍ୟରେ ପରିଣତ ହୋଇଛି। ଜଙ୍ଗଲରେ ନିଆଁ ଲାଗିବାର ଋତୁ ଆରମ୍ଭ ହେବା ଦିନ ଜାନୁଆରି ପହିଲାରୁ ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରାୟ ୯୩୦୦ ଟି ଜଙ୍ଗଲରେ ନିଆଁ ଲାଗିଥିବା ବନ ବିଭାଗ ର ରିପୋର୍ଟରୁ ଜଣାପଡିଛି । ସେଥିମଧ୍ୟରୁ ଜଙ୍ଗଲ ସୀମା ଭିତରେ ୬୧୭୭ଟି ଓ ଜଙ୍ଗଲ ସୀମା ବାହାରେ ୩୧୨୩ଟି ଅଗ୍ନିଶମ କେନ୍ଦ୍ର ରହିଛି।
କୋରାପୁଟ ଓ ଭବାନୀପାଟଣା ସବୁଠାରୁ ଅଧିକ ସମ୍ବେଦନଶୀଳ ଥିବା ବେଳେ ସବୁ ସର୍କଲରେ ଅଗ୍ନିକାଣ୍ଡ ପଏଣ୍ଟ ଚିହ୍ନଟ ହୋଇଛି। କୋରାପୁଟ ସର୍କଲର ନବରଙ୍ଗପୁର ଡିଭିଜନର ପ୍ରାୟ ୫୮୦ ହେକ୍ଟର ଓ ଭବାନୀପାଟଣାର ଖରିଆର ଡିଭିଜନର ୪୦୧ ହେକ୍ଟର ଜମି ଚଳିତ ଋତୁରେ ଜଙ୍ଗଲ ନିଆଁ ଦ୍ୱାରା ପ୍ରଭାବିତ ହୋଇଛି। ଉଭୟ ଡିଭିଜନରେ ଏପର୍ଯ୍ୟନ୍ତ ୧୦୦୦ରୁ ଅଧିକ ଅଗ୍ନିକାଣ୍ଡ ଘଟିଛି।
ସେହିପରି ଭବାନୀପାଟଣା ସର୍କଲର ସୁନାବେଡା ବନ୍ୟପ୍ରାଣୀ ଡିଭିଜନରେ ବ୍ୟାଘ୍ର ସଂରକ୍ଷଣ ପ୍ରସ୍ତାବ ଦୀର୍ଘ ଦିନ ଧରି ବିଚାରାଧୀନ ଥିବା ବେଳେ ସଂରକ୍ଷିତ ଅଞ୍ଚଳର ପ୍ରାୟ ୧୫୯ ହେକ୍ଟର ଜମିକୁ ପ୍ରଭାବିତ କରିଥିବା ୫୦୦ରୁ ଅଧିକ ଅଗ୍ନିଶମ ପଏଣ୍ଟ ରେକର୍ଡ କରାଯାଇଛି। ଏଫଏସଆଇ ପରିସଂଖ୍ୟାନରୁ ଏହା ମଧ୍ୟ ଜଣାପଡିଛି ଯେ ପୂର୍ବରୁ ଗୋଟିଏ ସପ୍ତାହରେ ଜଙ୍ଗଲ ରେ ନିଆଁ ଲାଗିବାର ସଂଖ୍ୟା ଦୃଷ୍ଟିରୁ ଦେଶରେ ଚତୁର୍ଥ ସ୍ଥାନରେ ଥିବା ରାଜ୍ୟ ମାର୍ଚ୍ଚ ୨ ରୁ ଘଟଣା ବୃଦ୍ଧି ପାଉଥିବାରୁ ଏବେ ଦ୍ୱିତୀୟ ସ୍ଥାନକୁ ଉଠିଛି । ମାର୍ଚ୍ଚ ୨ରୁ ୮ ତାରିଖ ମଧ୍ୟରେ ରାଜ୍ୟରେ ୨୩୨୯ଟି ଜଙ୍ଗଲରେ ନିଆଁ ଲାଗିଥିବା ଏଫ୍ଏସ୍ଆଇ ତଥ୍ୟରୁ ଜଣାପଡ଼ିଛି।
ଅଗ୍ନିକାଣ୍ଡକୁ ଆଉ ସାଢ଼େ ତିନି ମାସ ବାକି ଥିବା ବେଳେ ତାପମାତ୍ରା ଚରମ ସୀମାରେ ପହଞ୍ଚି ନ ଥିବାରୁ ଏଭଳି ଘଟଣା ଜଙ୍ଗଲ ଓ ବନ୍ୟପ୍ରାଣୀ ଅଧିକାରୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। କୋରାପୁଟ ସର୍କଲର ଜଣେ ବରିଷ୍ଠ ବନ ଅଧିକାରୀ କହିଛନ୍ତି ଯେ ଏହି ଅଞ୍ଚଳରେ ଅଧିକାଂଶ ବଡ଼ ଧରଣର ଘଟଣା ଜଙ୍ଗଲ ସୀମା ବାହାରେ ଦେଖିବାକୁ ମିଳିଛି, ଯାହାର ମୁଖ୍ୟ କାରଣ ହେଉଛି ଫସଲ କ୍ଷେତରେ ନିଆଁ ଲାଗିବା। ଜଙ୍ଗଲରେ ନିଆଁ ଲାଗିବା ଘଟଣାରେ ପ୍ରତିକ୍ରିୟା ହାର ମଧ୍ୟ ୯୯.୮୮ ପ୍ରତିଶତ ରହିଛି ଏବଂ ଏହାର ପ୍ରଭାବଶାଳୀ ମୁକାବିଲା ପାଇଁ ବନ ବିଭାଗ କର୍ମଚାରୀମାନେ ପାଟ୍ରୋଲିଂ କୁ ଜୋରଦାର କରିଛନ୍ତି। ୨୦୨୪ମସିହାରେ ରାଜ୍ୟରେ ୧୭,୦୧୪ଟି ଜଙ୍ଗଲରେ ନିଆଁ ଲାଗିଥିବା ବେଳେ ସମୁଦାୟ ୪,୦୬୭ ହେକ୍ଟର ଜଙ୍ଗଲରେ ନିଆଁ ଲାଗିଥିଲା।
previous article:https://purvapaksa.com/kanakunda-canyon-in-sundargarh-sees-more-tourist-footfall/
