Cyber Fraud: ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି।
ଗୃହରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୨୦୨୪ରେ ମୋଟ ୪୩,୭୪୦ ଟି ଆର୍ଥିକ ଠକେଇ ମାମଲା ସାମ୍ନାକୁ ଆସିଥିବା ବେଳେ ୨୦୨୩ରେ ଏହା ୧୮,୦୮୧ ଟି ମାମଲା ସାମ୍ନାକୁ ଆସିଛି । ୨୦୨୩ ତୁଳନାରେ ୨୦୨୪ରେ ମିଳିଥିବା ଆର୍ଥିକ ଠକେଇ ଅଭିଯୋଗ ସଂଖ୍ୟା ୧୪୨ ପ୍ରତିଶତ ବୃଦ୍ଧି ପାଇଛି। ପରିସଂଖ୍ୟାନ ଦର୍ଶାଉଛି ଯେ ୨୦୨୪ରେ ଏହି ଠକେଇର ଆର୍ଥିକ ମୂଲ୍ୟ ୪୧୫.୯୦ କୋଟି ଟଙ୍କାରୁ ଅଧିକ ଥିଲା, ଯାହା କି ୨୦୨୩ରେ ରେକର୍ଡ କରାଯାଇଥିବା ୭୯.୬୬ କୋଟି ଟଙ୍କା ତୁଳନାରେ ୪୦୦ ପ୍ରତିଶତ ରୁ ଅଧିକ।
ହେଲ୍ପ ଲାଇନ ନମ୍ବର ୧୯୩୦ ସମେତ ନ୍ୟାସନାଲ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲ (ଏନସିଆରପି)ରେ ଆସିଥିବା ୪୧୫ କୋଟି ଟଙ୍କାର ଠକେଇ ଅଭିଯୋଗ ମଧ୍ୟରୁ ପୁଲିସ ୩୯.୪୨ ଲକ୍ଷ ଟଙ୍କା ଅଭିଯୋଗକାରୀଙ୍କୁ ଫେରାଇବାରେ ସଫଳ ହୋଇଛି। ଅଭିଯୋଗ ପରେ ଆର୍ଥିକ ଅନୁଷ୍ଠାନଗୁଡ଼ିକ ପ୍ରାୟ ସାଢ଼େ ୩ କୋଟି ଟଙ୍କାକୁ ସ୍ଥଗିତ ରଖିଛନ୍ତି ଏବଂ ଟଙ୍କା ପାଇବାଉପରେ ପ୍ରତିବନ୍ଧକ ଲଗାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ବିଧାନସଭାରେ କହିଛନ୍ତି।
ଚଳିତ ଜାନୁଆରି ମାସରେ ସମୁଦାୟ ୪୧.୮୬ କୋଟି ଟଙ୍କା ଚୋରି ହୋଇଥିବା ନେଇ ୪,୩୧୪ଟି ଅଭିଯୋଗ ରେକର୍ଡ କରାଯାଇଛି, ଯାହା ସାରା ରାଜ୍ୟରେ ସାଇବର ଅପରାଧରେ ଉଦବେଜନକ ଧାରାକୁ ସୂଚାଉଛି। ପୁଲିସ ୨୦୨୪ରେ ଆର୍ଥିକ ଠକେଇ ସମ୍ପର୍କିତ ୧୫୫୩ଟି ସାଇବର ଅପରାଧ ମାମଲା ରୁଜୁ କରିବା ସହ ୨ ଜଣ ମହିଳାଙ୍କ ସମେତ ୧୯୧ ଜଣଙ୍କୁ ଗିରଫ କରିଛି। ୨୦୨୩ରେ ପୁଲିସ ୧୩୬୨ଟି ମାମଲା ରୁଜୁ କରି ୮ ଜଣ ମହିଳାଙ୍କ ସମେତ ୧୬୩ ଜଣଙ୍କୁ ଗିରଫ କରିଥିଲା।
ସାଇବର ଅପରାଧ ଓ ଡିଜିଟାଲ ଆର୍ଥିକ ଠକେଇକୁ ରୋକିବା ଏବଂ ସମାଧାନ ପାଇଁ ସରକାର ଅନେକ ପଦକ୍ଷେପ ନେଇଛନ୍ତି ବୋଲି ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗତ ମାସରେ ଓଡ଼ିଶାର ସାଇବର କ୍ରାଇମ ୟୁନିଟରୁ ୭ ଜଣ ଙ୍କୁ ଜାତୀୟସ୍ତରୀୟ ଆଇ୪ସି (ଭାରତୀୟ ସାଇବର କ୍ରାଇମ ସମନ୍ୱୟ କେନ୍ଦ୍ର) ତାଲିମ ପାଇଁ ଚୟନ କରାଯାଇଥିଲା। ଗତ ବର୍ଷ ସରକାର ସାଇବର ଏକ୍ସ-ରେ, ମୋବାଇଲ ଫରେନସିକ୍, ଇମେଲ ଆନାଲାଇଜର, ଡିଭିଆର ପରୀକ୍ଷକ, କ୍ରାଇମ ଓଏସ ଓ ଆଇକ୍ୟୁଟି (ସାଇବର କ୍ରାଇମ ଇଣ୍ଟେଲିଜେନ୍ସ) ଭଳି ଅନେକ ସାଇବର ଫରେନସିକ୍ ଓ ସାଇବର ସିକ୍ୟୁରିଟି ଟୁଲ କିଣିଥିବା ବେଳେ ଅଧିକ ସାଇବର ଫରେନସିକ୍ ଉପକରଣ କିଣିବାକୁ ପ୍ରସ୍ତାବ ରହିଛି ବୋଲି ଶ୍ରୀ ମାଝୀ କହିଛନ୍ତି।
Previous article:https://purvapaksa.com/odisha-village-after-violent-clash-leaves-7-critical/
