ରାଜ୍ୟରେ ବିମାନ ଚଳାଚଳ ଭିତ୍ତିଭୂମିକୁ ସୁଦୃଢ଼ କରିବା ଏବଂ ବିକ୍ସିତ୍ ଓଡ଼ିଶାର ଦୃଷ୍ଟିକୋଣ ସହ ତାଳମେଳ ରକ୍ଷା କରିବା ପାଇଁ ତୃତୀୟ ହାଇପାୱାର କମିଟି (ଏଚପିସି) ବୈଠକ ଅନୁଷ୍ଠିତ ହୋଇଯାଇଛି ।
ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ଏଚପିସି ବୈଠକରେ ପାରାଦୀପରେ ଗ୍ରୀନଫିଲ୍ଡ ବିମାନବନ୍ଦର ପାଇଁ ଯୋଜନା ପ୍ରସ୍ତୁତ ହୋଇଥିଲା। ଜମି ଚିହ୍ନଟ ଓ ସମ୍ଭାବ୍ୟତା ଅଧ୍ୟୟନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ନାମା ଜାରି କରାଯାଇଛି।
ପୁରୀସ୍ଥିତ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦରର ବିକାଶ ନେଇ ମଧ୍ୟ ଆଲୋଚନା ହୋଇଥିଲା। ଆଞ୍ଚଳିକ ଯୋଗାଯୋଗ ବୃଦ୍ଧି ପାଇଁ ଜୟପୁର, ଅମରଦା ରୋଡ୍ ଓ ଉତ୍କେଲା ସମେତ ପ୍ରମୁଖ ବିମାନବନ୍ଦରର ଉନ୍ନତିକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଜମି ଅଧିଗ୍ରହଣ ଓ ଜଙ୍ଗଲ ମଞ୍ଜୁରି ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ନୋଡାଲ ଏଜେନ୍ସି ଭାବରେ ଏହି କାର୍ଯ୍ୟକୁ ତ୍ୱରାନ୍ୱିତ କରିବାକୁ ପୂର୍ତ୍ତ ବିଭାଗକୁ ଦାୟିତ୍ୱ ଦିଆଯାଇଥିଲା ।
ଜୟପୁର, ମାଲକାନଗିରି ଏବଂ ଝାରସୁଗୁଡ଼ା ଭଳି ଦୁର୍ଗମ ଅଞ୍ଚଳ ମଧ୍ୟରେ ବିମାନ ଯୋଗାଯୋଗ ବୃଦ୍ଧି ପାଇଁ ସଂଶୋଧିତ କ୍ଷୁଦ୍ର ବିମାନ ଯୋଜନା (ଏସ୍ଏଏସ୍) ଉପରେ ମଧ୍ୟ ସେ ଆଲୋଚନା କରିଥିଲେ।
ବିମାନ ଚଳାଚଳ ନିର୍ଦ୍ଦେଶାଳୟର ପୁନର୍ଗଠନ ର ସମୀକ୍ଷା କରାଯାଇଥିଲା, ଯେଉଁଥିରେ ଆଧୁନିକ ଭିତ୍ତିଭୂମି ଏବଂ ରାଜ୍ୟର ବଢୁଥିବା ବିମାନ ଚଳାଚଳ କ୍ଷେତ୍ରକୁ ସମର୍ଥନ କରିବା ପାଇଁ ମାନବ ସମ୍ବଳ ବୃଦ୍ଧି ପାଇଁ ପ୍ରସ୍ତାବ ଦିଆଯାଇଥିଲା ।
ସଶକ୍ତ ଓଡ଼ିଶା ପାଇଁ ଅର୍ଥନୈତିକ ଅଭିବୃଦ୍ଧି, ପର୍ଯ୍ୟଟନ ଓ ଯୋଗାଯୋଗ କ୍ଷେତ୍ରରେ ବିମାନ ଚଳାଚଳର ଗୁରୁତ୍ବପୂର୍ଣ୍ଣ ଭୂମିକା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ। ବିଶ୍ୱସ୍ତରୀୟ ଭିତ୍ତିଭୂମି, ଉନ୍ନତ ବିମାନ ଯୋଗାଯୋଗ ଏବଂ ଆଗୁଆ ଚିନ୍ତାଧାରା ନୀତି ସହିତ ଓଡ଼ିଶା ଦ୍ରୁତ ଗତିରେ ଏକ ବିମାନ ଚଳାଚଳ କେନ୍ଦ୍ର ଭାବେ ଉଭା ହେଉଛି। ‘ବିକ୍ଷିତ ଓଡ଼ିଶା’ର ସ୍ୱପ୍ନକୁ ସାକାର କରିବାରେ ଏହି ବିକାଶ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି।
ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଉଷା ପାଢ଼ୀ ଓଡ଼ିଶାରୁ ଘରୋଇ ଓ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ପ୍ରୋତ୍ସାହିତ କରିବା ପାଇଁ ଇଣ୍ଡିଗୋ, ଆଲାଏନ୍ସ ଏୟାର ଏବଂ ଇଣ୍ଡିଆୱାନ ଏୟାର ଭଳି ବିମାନ ଅପରେଟରମାନଙ୍କ ପାଇଁ ଭୟାବିଲିଟି ଗ୍ୟାପ୍ ଫଣ୍ଡିଂ (ଭିଜିଏଫ୍) ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ ଉପରେ ଆଲୋଚନା କରିଥିଲେ।
ଚନ୍ଦକାଠାରେ ଏଭିଏସନ୍ ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ (ଏଏସଟିଆଇ) ପ୍ରତିଷ୍ଠା ମାଧ୍ୟମରେ ଦକ୍ଷ ବିମାନ ଚଳାଚଳ କର୍ମଚାରୀ ସୃଷ୍ଟି ଉପରେ ମଧ୍ୟ ସେ ଆଲୋକପାତ କରିଥିଲେ।
ବୈଠକରେ ଉନ୍ନୟନ କମିସନର-କମ-ଏସିଏସ୍, ଆଇନ, ଅର୍ଥ, ପୂର୍ତ୍ତ ବିଭାଗର ପ୍ରମୁଖ ସଚିବ, ପର୍ଯ୍ୟଟନ ବିଭାଗ କମିସନର-କମ-ସଚିବଙ୍କ ସମେତ ଏଚ୍ ଆଣ୍ଡ୍ ୟୁଡି, ସିଆଣ୍ଡଟି ବିଭାଗ, ଇଡକୋ ଓ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ମୁଖ୍ୟ ଖାଦ୍ୟ ମୂଲ୍ୟ ହ୍ରାସ ଯୋଗୁଁ ଜାନୁଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫ ମାସର ସର୍ବନିମ୍ନ ସ୍ତର ୪.୩୧% ରେ ପହଞ୍ଚିଛି