୨୦୨୪ରେ ଶକ୍ତି ପରିବର୍ତ୍ତନ ସହ ଓଡ଼ିଶାର ରାଜନୀତି ନୂଆ ଅଧ୍ୟାୟ ଆରମ୍ଭ କଲା। ନବୀନ ପଟ୍ଟନାୟକଙ୍କ ୨୪ ବର୍ଷର ଶାସନ ଶେଷ ହେଲା, ଏବଂ ଅକସ୍ମାତ ବହୁମତ ପାଇଥିବା ବିଜେପି ଆଦିବାସୀ ଚେହେରା ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ କରି ଏକ ନୂଆ ସମୀକରଣ ଗଢ଼ିଲା। ଏବେ ନୂଆପଡ଼ା ଉପନିର୍ବାଚନ ହେଉଛି ସେହି ସମୀକରଣର ପ୍ରଥମ ଲିଟମସ ଟେଷ୍ଟ– ଯେଉଁଠି ଲୋକପ୍ରିୟତାରେ କିଏ ଅଗ୍ରଣୀ ହେବେ, ସେହି ପ୍ରଶ୍ନର ଉତ୍ତର ଦେବ ଜନମତ। କ୍ଷମତା ଯିବା ପରେ ବିଜୁ ଜନତା ଦଳର ନେତାମାନେ ପ୍ରତି କଥାରେ କହୁଛନ୍ତି ନବୀନ ପଟ୍ଟନାୟକ ବାମ ହାତ ହଲେଇଲେ ପୁଣି ସେମାନେ ନିର୍ବାଚନ ଜିତି ପାରିବେ। ଅପରପକ୍ଷରେ ବିଜେପି ପକ୍ଷରୁ କୁହାଯାଉଛି ଯେ ନବୀନ ପଟ୍ଟନାୟକ ଅତୀତ ହୋଇସାରିଛନ୍ତି। ବିଜୁ ଜନତା ଦଳର ନେତାମାନେ ବହୁଧା ଗୋଷ୍ଠୀରେ ବିଭକ୍ତ ହୋଇସାରିଛନ୍ତି। ତେଣୁ ବିଜେଡି ଆଉ ଜିତିବା ସମ୍ଭ ନୁହେଁ। ଏପରି ଆରୋପପ୍ରତ୍ୟାରୋପ ଭିତରେ ନୂଆପଡ଼ା ଉପନିର୍ବାଚନ ହେଉଛି। ଏହି ଉପନିର୍ବାଚନ ଆଗାମୀ ୧୧ ତାରିଖରେ ପ୍ରମାଣିତ କରିବ କିଏ ସାତ, କିଏ ସତର।
ମହିଳା ଭୋଟ୍ର – ଜିତିବା ମନ୍ତ୍ର
ନୂଆପଡ଼ାର ୨.୫ ଲକ୍ଷରୁ ଅଧିକ ମତଦାତାଙ୍କ ମଧ୍ୟରେ ମହିଳା ଭୋଟ୍ର ସଂଖ୍ୟା ଅଧିକ। ଏହିପରି ସ୍ଥିତିରେ ମହିଳା ଭୋଟ୍ରମାନେ ଯେଉଁ ପଟକୁ ଢଳିବେ, ସେହି ଦଳ ବିଜୟ ମୁଦ୍ରା ଲଗାଇପାରେ।
ନବୀନ ପଟ୍ଟନାୟକ ମିଶନ ଶକ୍ତିକୁ ନେଇ ତାଙ୍କ ଦଳୀୟ ଅଭିଯାନ ଚାଲାଇଛନ୍ତି, ଯେଉଁଠି ସ୍ନେହାଙ୍ଗିନୀ ଛୁରିଆଙ୍କ ପ୍ରାର୍ଥୀତ୍ୱକୁ “ମହିଳା ସଶକ୍ତିକରଣର ପ୍ରତୀକ” ଭାବେ ଦେଖାଯାଉଛି।
ଅପରପକ୍ଷରେ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ “ସୁଭଦ୍ରା ଯୋଜନା” ଜରିଆରେ ମହିଳାମାନଙ୍କୁ ଆର୍ଥିକ ଭାବରେ ସହାୟତା କରିଥିବା କଥାକୁ ଆଗକୁ ଆଣିଛନ୍ତି।
ଏହି ଦୁଇ ଯୋଜନା — ମିଶନ ଶକ୍ତି ଓ ସୁଭଦ୍ରା ଶକ୍ତି — ଏବେ ଉପନିର୍ବାଚନର ଦୁଇ ପାର୍ଟିର ସେଣ୍ଟର ପଏଣ୍ଟ।

ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ବିଜେଡି ସୁପ୍ରିମୋ ନବୀନ ଗତ ଶୁକ୍ରବାର ଏକ ଟ୍ୱିଟ୍ କରିଥିଲେ। ଏଥିରେ ସେ ନୂଆପଡ଼ାରେ ସେବା ଓ ବିକାଶର ନୂଆଧାରା ଆରମ୍ଭ ହେବ ବୋଲି ଉଲ୍ଲେଖ କରିବା ସହ ଦଳୀୟ ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆଙ୍କର ପ୍ରଚାରର ଏକ ଭିଡ଼ିଓ ପୋଷ୍ଟ କରିଥିଲେ। କେଇଘଣ୍ଟା ମଧ୍ୟରେ ଏହା ଦଳୀୟ କର୍ମୀ ଓ ନେତାଙ୍କ ମଧ୍ୟରେ ଏହି ଟ୍ୱିଟ୍ ଟ୍ରେଣ୍ଡ କରିଥିଲା। ଆସନ୍ତା ୩ ତାରିଖରେ କୋମନାରେ ଏକ ସମାବେଶ ଓ ୭ ତାରିଖରେ ନୂଆପଡ଼ାରୁ ଖରିଆର ରୋଡ୍ ପର୍ଯ୍ୟନ୍ତ ନବୀନଙ୍କ ଶୋଭାଯାତ୍ରା ପୂର୍ବରୁ ତାଙ୍କର ଟ୍ୱିଟ୍ ଦଳୀୟ କର୍ମୀ ଓ କର୍ମକର୍ତ୍ତାଙ୍କୁ ପୂରା ଉତ୍ସାହିତ କରିଛି। ନବୀନଙ୍କ ଏହି ଗସ୍ତ ସବୁ ରାଜନୈତିକ ସମୀକରଣକୁ ବଦଳାଇ ଦେବ ବୋଲି ଦଳୀୟ ନେତା ଓ କର୍ମୀମାନେ ଚିନ୍ତା କରୁଛନ୍ତି।
ମହିଳା ଭୋଟ୍ରଙ୍କ ସଂଖ୍ୟା ଅଧିକ

ନୂଆପଡ଼ାରେ ମୋଟ ଭୋଟ୍ର୍ଙ୍କ ମଧ୍ୟରୁ ପୁରୁଷଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାର ୧୦୮ ହୋଇଥିବାବେଳେ ମହିଳା ଭୋଟ୍ରଙ୍କ ସଂଖ୍ୟା ୧ ଲକ୍ଷ ୨୯ ହଜାର ୪୯୫ ରହିଛି। ତେଣୁ ମହିଳା ଭୋଟ୍ରମାନେ ଯେଉଁ ପଟକୁ ଢଳିବେ, ସେହି ଦଳର ପ୍ରାର୍ଥୀ ବିଜୟୀ ହେବା ଏକପ୍ରକାର ନିଶ୍ଚିତ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଆଗାମୀ ସପ୍ତାହରେ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆଙ୍କ ସମର୍ଥନରେ ଭୋଟ୍ ନୂଆପଡ଼ା ଯିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ନିର୍ବାଚନ ସଭାରେ ମହିଳାଙ୍କ ଉପରେ ଫୋକସ ଅଧିକ ରହିବ ବୋଲି ଆଶା କରାଯାଉଛି।
ମିଶନ ଶକ୍ତି ବନାମ ସୁଭଦ୍ରା ଶକ୍ତି

ବିଜେଡି ମହିଳା ଭୋଟ୍ରଙ୍କ ନିକଟରେ ମିଶନ ଶକ୍ତି କାର୍ଡ ଖେଳିବା ସହ ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଥିବା କଥାକୁ ବାରମ୍ବାର ଦୋହରାଇବାରେ ଲାଗିଛି। କାରଣ ବିଜେଡି ସରକାର ଅମଳରେ ହିଁ ମିଶନ ଶକ୍ତି ଯୋଜନା ଆରମ୍ଭ ହୋଇଥିଲା ଓ ଏଥିରେ ଓଡ଼ିଶାର ମହିଳାମାନେ ସ୍ୱୟଂ ସହାୟିକା ଗୋଷ୍ଠୀ ଜରିଆରେ ଯୋଡ଼ି ହୋଇଥିଲେ।
ସରକାର ବଦଳିବା ସହିତ ମିଶନ ଶକ୍ତିର ନାଁ ସୁଭଦ୍ରା ଶକ୍ତି ହୋଇଛି। ସୁଭଦ୍ରା ଯୋଜନା ଜରିଆରେ ବିଜେପି ସରକାର ମହିଳାମାନଙ୍କୁ ବର୍ଷକୁ ଦୁଇଟି କିସ୍ତିରେ ସିଧାସଳଖ ୧୦ ହଜାର ଟଙ୍କା ପ୍ରଦାନ କରୁଛନ୍ତି। ତେଣୁ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନୀ ସଭାରେ ସୁଭଦ୍ରା ଯୋଜନା ଉପରେ ଅଧିକ ଫୋକସ ରହିଛି।
ଅବଶ୍ୟ ଏବେ ଜିଲ୍ଲାରେ ଡେରା ପକାଇଥିବା ଦୁଇ ଦଳର ନେତାମାନେ ପ୍ରଚାର ସମୟରେ ମିଶନ ଶକ୍ତି ଓ ସୁଭଦ୍ରା ଶକ୍ତିକୁ ନେଇ ଲୋକଙ୍କ ନିକଟକୁ ଯାଉଥିବାବେଳେ ଅସଲ ଲଢ଼େଇ ମୋହନ ଓ ନବୀନଙ୍କ ଗସ୍ତ ସମୟରେ ହିଁ ହେବ।
ତେଣୁ ଏହି ଦୁଇ ନେତାଙ୍କ ନିର୍ବାଚନୀ ସଭାକୁ ଯେଭଳି ଅଧିକରୁ ଅଧିକ ମହିଳା ଭୋଟ୍ର ଆସିବେ, ସେଥିନେଇ ଏବେଠାରୁ କସରତ ଆରମ୍ଭ ହୋଇଗଲାଣି। ମହିଳା ଭୋଟ୍ରଙ୍କୁ ମନାଇବା ପାଇଁ ବି ଦୁଇ ଦଳ ନିଜ ନିଜ ମହିଳା ବିଗ୍ରେଡଙ୍କୁ ମଧ୍ୟ ନୂଆପଡ଼ାରେ ରଖିଛନ୍ତି। ସେମାନେ ଘରକୁ ଘର ବୁଲି ମହିଳାଙ୍କୁ ବୁଝାଇବାରେ ଲାଗିଛନ୍ତି ।
ଆଦିବାସୀ ଭୋଟ୍ – ତୃତୀୟ ପ୍ରସଙ୍ଗ
![]()
ନୂଆପଡ଼ାର ୪୦% ଭୋଟ୍ ଆଦିବାସୀ ସମ୍ପ୍ରଦାୟର। ଏହି ସମୀକରଣକୁ ମନେ ରଖି କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ନିଜକୁ “ଆଦିବାସୀ ସ୍ୱର” ଭାବେ ପ୍ରସ୍ତୁତ କରୁଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ ଓ ଅନ୍ୟାନ୍ୟ ନେତାମାନେ ଆଦିବାସୀ ଗ୍ରାମରେ ସକ୍ରିୟ ଅଭିଯାନ କରୁଛନ୍ତି। ଏପରିକି ବିଜେପି ଓ ବିଜେଡି ମଧ୍ୟ ସେହି ଆଦିବାସୀ ବର୍ଗର ସ୍ଥାନୀୟ ନେତାଙ୍କୁ ମୁତୟନ କରି ଭୋଟ୍ବ୍ୟାଙ୍କ ସୁନିଶ୍ଚିତ କରିବାରେ ଲାଗିଛନ୍ତି।
ନୂଆପଡ଼ାରେ ଅନୁସୂଚିତ ଜନଜାତି ଭୋଟ୍ରଙ୍କ ସଂଖ୍ୟା ୯୫ ହଜାର ଥିବାବେଳେ ଅନୁସୂଚିତ ଜାତି ଭୋଟ୍ରଙ୍କ ସଂଖ୍ୟା ୩୫ ହଜାର ଓ ଓବିସି ଭୋଟ୍ରଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ରହିଛି। ତେଣୁ ତିନି ଦଳ ଏବେ ଜାତିଭିତ୍ତିକ ଭୋଟ୍ ହାତେଇବା ପାଇଁ ସେହିସବୁ ବର୍ଗର ନେତାଙ୍କୁ ମୁତୟନ କରିବାରେ ଲାଗିଛନ୍ତି। କିନ୍ତୁ ଅସଲ ବିଜୟ ମହିଳାଙ୍କ ଭୋଟ୍ରଙ୍କ ଉପରେ ନିର୍ଭର କରୁଥିବାରୁ ଏବେ ମୋହନ-ନବୀନ କେତେ ପରିମାଣରେ ସେମାନଙ୍କୁ ପ୍ରଭାବିତ କରିବେ, ତାହା ଉପରେ ସମସ୍ତଙ୍କ ନଜର।
କୋମନା – ଯେଉଁଠି ଭୋଟ୍ ଗଣିତ ଜଟିଳ
କୋମନା ବ୍ଲକ ନୂଆପଡ଼ା ନିର୍ବାଚନମଣ୍ଡଳୀର ହୃଦୟ। ପୂର୍ବରୁ ଏଠାରେ ବିଜେଡି ଓ ରାଜେନ୍ଦ୍ର ଢୋଲକିଆଙ୍କ ଦ୍ୱିତୀୟ ନାମ ହୋଇ ଯାଇଥିଲା। କିନ୍ତୁ ଏବେ ରାଜେନ୍ଦ୍ରଙ୍କ ଫୁଅ ଜୟ ଢୋଲକିଆ ବିଜେପିର ପ୍ରାର୍ଥୀ ହୋଇଛନ୍ତି। ଏହା ବିଜେଡି ପାଇଁ ମୁଖ୍ୟ ସଂକଟ। ଗୋଟିଏ ପଟେ ନବୀନଙ୍କ ବ୍ୟକ୍ତିଗତ ଇମେଜ ଓ ଅନ୍ୟପଟେ ଜୟଙ୍କ ପରିବାରିକ ପ୍ରଭାବ- ଭୋଟ୍ରମାନେ ଦ୍ୱନ୍ଦ୍ୱରେ। ଏହି ଜଟିଳ ଗଣିତ ହିଁ ଏବେ ଉପନିର୍ବାଚନର ମୁଖ୍ୟ କଥା।
ନୂଆପଡ଼ା ନିର୍ବାଚନମଣ୍ଡଳୀରେ କୋମନା ବ୍ଲକ ଏକ ପ୍ରମୁଖ ଅଂଶ। ପୂର୍ବରୁ ହୋଇଥିବା ଅଧିକାଂଶ ନିର୍ବାଚନରେ ଏଠାରୁ ବିଜେଡି ଅଧିକ ଭୋଟ୍ ପାଇ ବିଜୟୀ ହୋଇଥିବା ଦେଖାଯାଇଛି। ବିଗତ ନିର୍ବାଚନଗୁଡିକରେ ରାଜେନ୍ଦ୍ର ଢୋଲକିଆ ବିଜେଡି ଟିକେଟ୍ରେ ୩ଥର ଏବଂ ସ୍ୱାଧୀନ ଭାବେ ଥରେ ବିଜୟୀ ହୋଇଥିବାବେଳେ କୋମନା ବ୍ଲକ ତାଙ୍କର ଭୋଟ୍ ବ୍ୟାଙ୍କ ଥିଲା। ଶଙ୍ଖ ଚିହ୍ନ, ନବୀନ ପଟ୍ଟନାୟକଙ୍କ ଚେହେରା ଓ ରାଜେନ୍ଦ୍ରଙ୍କ ଲୋକପ୍ରିୟତା ଯୋଗୁ କୋମନାବାସୀ ବିଜେଡିକୁ ଅଧିକ ଭୋଟ୍ ଦେଉଥିଲେ। ଏଣୁ କୋମନା ବ୍ଲକକୁ ନୂଆପଡ଼ା ନିର୍ବାଚନମଣ୍ଡଳୀର ଗଡ଼ କୁହାଯାଏ। ୨୦୨୪ ସାଧାରଣ ନିର୍ବାଚନରେ ରାଜେନ୍ଦ୍ର ୧୦,୮୮୧ ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିବାବେଳେ କେବଳ କୋମନା ବ୍ଲକରୁ ସେ ପ୍ରାୟ ୩ହଜାର ୪୭ ଭୋଟ୍ ଅଧିକ ପାଇଥିଲେ।
ଏହି ବ୍ଲକରେ ବିଜେଡି ଓ ରାଜେନ୍ଦ୍ରଙ୍କ ବେଶ୍ ପ୍ରଭାବ ରହିଥିଲା। ମାତ୍ର ଏବେ ସ୍ଥିତି ବଦଳିଯାଇଛି। ରାଜେନ୍ଦ୍ରଙ୍କ ପୁଅ ଜୟ ଢୋଲକିଆ ବିଜେଡି ଛାଡ଼ି ବିଜେପିରେ ଯୋଗଦେଇ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଏଠାକାର ମତଦାତା ଏବେ ଦ୍ଵନ୍ଦ୍ୱରେ ପଡ଼ିଯାଇଛନ୍ତି। ଜୟ ବିଜେପିରେ ଯୋଗଦେବା ପରେ ତାଙ୍କର କେତେଜଣ ସମର୍ଥକ ମଧ୍ୟ ବିଜେପିରେ ମିଶିଛନ୍ତି। ତେବେ ନବୀନଙ୍କ ବିଜେଡି ଓ ରାଜେନ୍ଦ୍ରଙ୍କୁ ଭଲ ପାଉଥିବା ଭୋଟ୍ର ଏବେ କାହାକୁ ସମର୍ଥନ କରିବେ ତାହା ସ୍ଥିର କରିପାରୁନାହାନ୍ତି।
ଗତ ନିର୍ବାଚନରେ ଏହି ବ୍ଲକରୁ ବିଜେଡିର ରାଜେନ୍ଦ୍ର ସର୍ବାଧିକ ୨୭,୬୩୭ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିର ଅଭିନନ୍ଦନ ପଣ୍ଡା ୧୮,୧୯୬ ଭୋଟ୍ ପାଇଥିଲେ। କଂଗ୍ରେସର ବିଦ୍ରୋହୀ ହୋଇ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଥିବା ବର୍ତ୍ତମାନର କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ୨୪,୫୯୦ ଭୋଟ୍ ପାଇ ଦ୍ଵିତୀୟ ସ୍ଥାନରେ ଥିଲେ। କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ସେତେବେଳର ପିସିସି ସଭାପତି ଶରତ ପଟ୍ଟନାୟକ ମାତ୍ର ୭,୭୪୦ ଭୋଟ୍ ପାଇଥିଲେ।
ଗ୍ରାସରୁଟ୍ ସ୍ତରରେ ମୁକାବିଲା
୩୨ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ ଥିବା କୋମନାରେ ପୂର୍ବରୁ ବିଜେଡିର ଦାଦାଗିରି ଥିଲା। କିନ୍ତୁ ବର୍ତ୍ତମାନ ଅଧାରୁ ଅଧିକ ସରପଞ୍ଚ ବିଜେପି ପକ୍ଷରେ ଅଛନ୍ତି। ସେପରି ଅନେକ ପୂର୍ବତନ ବିଜେଡି କର୍ମୀ ମଧ୍ୟ ଦଳ ପରିବର୍ତ୍ତନ କରିଛନ୍ତି। ଯେଉଁଠି ଗତ ନିର୍ବାଚନବେଳେ “ଶଙ୍ଖ ଚିହ୍ନ” ସୁନିଶ୍ଚିତ ବିଜୟ ଦେଉଥିଲା, ସେଠି ଏବେ “ପଦ୍ମ” ଓ “ହାତ” ମଧ୍ୟ ସମାନ ଆଶାରେ ମୈଦାନରେ ଅଛନ୍ତି।
ଏବେ କିନ୍ତୁ ଏହି ବ୍ଲକ୍ରେ ଚିତ୍ର ବଦଳିଛି। ଗତ ନିର୍ବାଚନରେ ଯିଏ ଯେଉଁ ଦଳକୁ ସମର୍ଥନ କରୁଥିଲେ ସେମାନଙ୍କ ମଧ୍ୟରୁ କେତେଜଣ ଦଳ ପରିବର୍ତ୍ତନ କରିଛନ୍ତି। ୩୨ ପଞ୍ଚାୟତ ଓ ୩ ଜିଲା ପରିଷଦ ଜୋନ ଥିବା ଏହି ବ୍ଲକର ଅଧିକାଂଶ ସରପଞ୍ଚ ଓ ସମିତିସଭ୍ୟ ସେତେବେଳେ ବିଜେଡିକୁ ସମର୍ଥନ କରୁଥିଲେ। ମାତ୍ର ଏବେ ଅଧାରୁ ଅଧିକ ବିଜେପିକୁ ସମର୍ଥନ କରୁଛନ୍ତି। ସମସ୍ତ ୩ ଜିଲା ପରିଷଦ ସଭ୍ୟ ବିଜେଡିର। ଜୋନ୍ ନଂ.୧ର ସଭ୍ୟ ମୁରଲୀଧର ଭୋଇ ଓ ଜୋନ୍ ୩ର ସଭ୍ୟ ତଥା ଜିଲା ପରିଷଦ ଉପଧ୍ୟକ୍ଷା ଦୀପାଞ୍ଜଳି ଦୀପ ଆଗରୁ ବିଜେଡିକୁ ସମର୍ଥନ ଦେଉଥିବାବେଳେ ଏବେ ବି ବିଜେଡି ପାଇଁ କାମ କରୁଛନ୍ତି।
ସେହିପରି ଜୋନ ନଂ.୨ର ସଭ୍ୟ ଅବନୀ ରଞ୍ଜନ ଜୋଷୀ ଏବେ ଜିଲା ବିଜେଡିର ସଭାପତି ରହିଛନ୍ତି। ସେ ଗତ ନିର୍ବାଚନରେ ବିଜେଡି ସହ ଥିବାବେଳେ ଏବେ ମଧ୍ୟ ବିଜେଡି ପାଇଁ କାମ କରୁଛନ୍ତି। ସେହିପରି ବିଜେଡି ଟିକେଟ ଆଶାୟୀ ଥିବା ମନୋଜ ମିଶ୍ର ଗତ ନିର୍ବାଚନରେ ବିଜେଡିରେ ଥିଲେ। ଏବେ ମଧ୍ୟ ସେ ବିଜେଡିରେ ଅଛନ୍ତି। ବ୍ଲକ ଅଧ୍ୟକ୍ଷା ଅନସୂୟା କୁମ୍ଭାର ଓ ଉପାଧ୍ୟକ୍ଷ ଜୟଦେବ ପ୍ରଧାନ ପୂର୍ବରୁ ବିଜେଡିରେ ଥିବାବେଳେ ଏବେ ବିଜେପିରେ ଯୋଗଦେଇ ପ୍ରଚାର କରୁଛନ୍ତି।
ଗତ ନିର୍ବାଚନରେ ବିଜେଡିକୁ ସମର୍ଥନ କରିଥିବା ବରିଷ୍ଠ ନେତା କ୍ଷମା ସିଂ ନିଆଲ ଓ ସିଲଟି ପଞ୍ଚାୟତର ସରପଞ୍ଚ କାଳିଆ ପ୍ରଧାନ ପୂର୍ବରୁ ବିଜେଡିରେ ଥିବାବେଳେ ଏବେ ବିଜେପିରେ ଅଛନ୍ତି। ସେହିପରି ଆଦିବାସୀ ନେତା ସୋମନାଥ ଖମାରୀ, ଗଣ୍ଡ ସମାଜର ଜିଲା ସଭାପତି ଦିବ୍ୟ ସିଂ ମାଝୀ ଓ ବ୍ଲକର ପୂର୍ବତନ ସରପଞ୍ଚ ଭକ୍ତ ଶବର ଗତ ନିର୍ବାଚନରେ ଘାସିରାମଙ୍କୁ ସମର୍ଥନ କରିଥିଲେ। ଏବେ ଏମାନେ ସମସ୍ତେ ପଦ୍ମ ପୋଖରୀକୁ ଲମ୍ଫ ଦେଇ ଜୟଙ୍କୁ ସମର୍ଥନ କରୁଛନ୍ତି। ଏହା ସହିତ ମୂଳରୁ ବିଜେପିରେ ଥିବା ଦଳର ନେତା ଓ କର୍ମୀଙ୍କ ମଧ୍ୟରୁ କେତେଜଣ ଜୟଙ୍କୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ।
ଅନ୍ତିମ ଯୁଦ୍ଧ – ମୋହନ ବନାମ ନବୀନ

ଏହି ଉପନିର୍ବାଚନ ସର୍ବେସର୍ବା ମୋହନ ବନାମ ନବୀନ ଯୁଦ୍ଧରେ ପରିଣତ ହୋଇଛି। ଗୋଟିଏ ପଟେ ଅଧିକାରର ଦେଶଜ ମୁଖ୍ୟମନ୍ତ୍ରୀ, ଅନ୍ୟପଟେ ଦୀର୍ଘ ଅନୁଭବ ଓ ନିଜସ୍ୱ ମାସ୍ ଇମେଜ। ନୂଆପଡ଼ା ନିର୍ଣ୍ଣୟ କରିବ- ଓଡ଼ିଶାର ମନ ଏବେ ମଧ୍ୟ ନବୀନଙ୍କ ପାଖରେ କି ମୋହନ ମାଝୀଙ୍କ ନୂଆ ଦିଗକୁ ଦର୍ଶାଉଛି।
୨୦୧୯ ରୁ ଏପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ରାଜ୍ୟରେ ୮ଟି ଉପ ନିର୍ବାଚନ ହୋଇସାରିଛି। ନବମ ଉପନିର୍ବାଚନ ଭାବେ ନୂଆପଡ଼ାରେ ପ୍ରଚାର ଜାରି ରହିଛି। ବିଗତ ୮ଟି ଉପନିର୍ବାଚନରେ ବିଜେଡି ୭ଟିରେ ଓ ବିଜେପି ଗୋଟିଏରେ ବିଜୟ ହାସଲ କରିଛି। ନୂଆପଡ଼ା ଉପନିର୍ବାଚନରେ କିଏ ବିଜୟୀ ହେବ ସେନେଇ ଅବଗଣନା ଆରମ୍ଭ ହୋଇଯାଇଛି। ଉପ ନିର୍ବାଚନ ଚିରାଚରିତ ଭାବେ ରାଜନୈତିକ ଦଳଗୁଡ଼ିକ ଦିବଂଗତ ନିର୍ବାଚିତ ପ୍ରତିନିଧିଙ୍କ ପରିବାର ସଦସ୍ୟଙ୍କ ଉପରେ ଅଧିକ ଭରସା କରିଆସୁଛନ୍ତି। ଅଧିକାଂଶ ସ୍ଥାନରେ ଅନୁକମ୍ପା ଭୋଟ୍ ବି କାମ କରିଛି ।
୧୧ ତାରିଖର ଭୋଟ୍ ମାତ୍ର ଜଣେ ପ୍ରାର୍ଥୀଙ୍କୁ ନୁହେଁ, ଓଡ଼ିଶା ରାଜନୀତିର ଭବିଷ୍ୟତ ଧାରାକୁ ମଧ୍ୟ ନିର୍ଣ୍ଣୟ କରିବ। ନୂଆପଡ଼ା ପ୍ରମାଣିତ କରିବ- କିଏ ଆଜିର ସତେଜ ଲୋକପ୍ରିୟତାର ପ୍ରତୀକ। ସ୍ୱର୍ଗତ ବିଜେଡି ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆଙ୍କ ପୁଅ ଜୟ ଢୋଲକିଆ ଶାସକ ଦଳ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି। ତେଣୁ ଅନୁକମ୍ପା ଭୋଟ୍ ବିଜେଡି ସପକ୍ଷରେ ନ ଥିବା ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।
ସେହିପରି ବିଜେଡି ଜିଲ୍ଲା ବାହାରୁ ସ୍ନେହାଙ୍ଗିନୀ ଛୁରିଆଙ୍କୁ ଆଣି ନୂଆପଡ଼ାରେ ପ୍ରାର୍ଥୀ କରିଛି। କଂଗ୍ରେସ ଆଦିବାସୀ ନେତା ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିଛି। ଉପନିର୍ବାଚନରେ ନୂଆପଡ଼ାବାସୀ କାହାକୁ ସମର୍ଥନ କରିବେ ତାହା ନଭେମ୍ବର ୧୪ରେ ଜଣାପଡ଼ିବ।
Also readhttps://purvapaksa.com/anti-corruption-week-and-the-real-situation-in-the-state/

