ଇତିହାସ ରଚିଲେ ଭାରତୀୟ ବଂଶୋଦ୍ଭବ ଜୋହରାନ ମମ୍ଦାନୀ। ନ୍ୟୁୟର୍କ ମେୟର ପଦ ପାଇଁ ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ି ବିଜୟ ହେଲେ ଜୋହରାନ୍। ଏହି ବିଜୟ ସହିତ ଜୋହରାନ ନ୍ୟୁୟର୍କର ପ୍ରଥମ ଭାରତୀୟ-ଆମେରିକୀୟ ମୁସଲିମ ମେୟର ହୋଇଛନ୍ତି। ୩୪ବର୍ଷୀୟ ଜୋହରାନ ପୂର୍ବତନ ରାଜ୍ୟପାଳ ଆଣ୍ଡ୍ରିୟୁ କୁଓମୋଙ୍କୁ ପରାସ୍ତ କରିଥିଲେ, ଯିଏ ସ୍ୱାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଜୋହରାନ ୭ବର୍ଷ ବୟସରେ ନ୍ୟୁୟର୍କ ସହରରେ ରହିବା ଆରମ୍ଭ କରିଥିଲେ। ତାଙ୍କ ପିତା, ମହମୁଦ ମମଦାନୀ ଜଣେ ପ୍ରସିଦ୍ଧ ଉଗାଣ୍ଡା ଲେଖକ ଏବଂ ତାଙ୍କ ମାଆ ମୀରା ନାୟାର, ଜଣେ ପୁରସ୍କାରପ୍ରାପ୍ତ ଭାରତୀୟ-ଆମେରିକୀୟ ଚଳଚ୍ଚିତ୍ର ନିର୍ମାତା ଯିଏ “ମନସୁନ ୱେଡିଂ” ଏବଂ “ଦି ନେମସେକ୍” ଭଳି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

ମମ୍ଦାନୀ ପୂର୍ବତନ ରାଜ୍ୟପାଳ ଆଣ୍ଡ୍ରିୟୁ କୁଓମୋ ଏବଂ ରିପବ୍ଲିକାନ୍ ପାର୍ଟିର କର୍ଟିସ୍ ସ୍ଲିୱାଙ୍କୁ ପରାସ୍ତ କରିଛନ୍ତି। ଏବେ, ମମ୍ଦାନୀଙ୍କୁ ଆମେରିକାର ସବୁଠାରୁ ବଡ଼ ସହରବାସୀଙ୍କ ଦାବି ପୂରଣ କରିବାକୁ ପଡିବ ଏବଂ ପ୍ରଚାର ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ପଡ଼ିବ। ଏହି ବିଜୟ ସହିତ ମମ୍ଦାନୀ ସହରର ପ୍ରଥମ ମୁସଲିମ୍ ମେୟର, ଦକ୍ଷିଣ ଏସୀୟ ବଂଶୋଦ୍ଭବ ଭାବେ ପ୍ରଥମ ବ୍ୟକ୍ତି ଏବଂ ଏହି ପଦବୀରେ ଥିବା ପ୍ରଥମ ଆଫ୍ରିକୀୟ-ଆମେରିକୀୟ ଭାବରେ ଇତିହାସ ସୃଷ୍ଟି କରିଛନ୍ତି। ମମ୍ଦାନୀ ଜାନୁଆରି ୧ ତାରିଖରେ କାର୍ଯ୍ୟଭାର ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସେ ଏହି ଶତାବ୍ଦୀର ସବୁଠାରୁ କମ ବୟସ୍କ ମେୟର ହେବେ ବୋଲି କୁହାଯାଉଛି।
ଜୋହରନ୍ ସୁନ୍ଦରଗଡ଼ର ପୂର୍ବତନ ଜିଲ୍ଲାପାଳ ଅମୃତଲାଲ ନାୟାରଙ୍କ ନାତି। ୧୯୫୮ରେ ଅମୃତଲାଲ ସୁନ୍ଦରଗଡ଼ ଜିଲ୍ଲାପାଳ ଥିଲେ। ଜଣେ ବିଚାରବନ୍ତ, ଦୂରଦୃଷ୍ଟିସମ୍ପନ୍ନ ଜିଲ୍ଲାପାଳ ଭାବେ ସୁନ୍ଦରଗଡ଼ରେ ଲୋକପ୍ରିୟ ଥିବା ଶ୍ରୀ ନାୟାର ନିଜ ଉଦ୍ୟମରେ ଗଣଚାନ୍ଦାରେ ସୁନ୍ଦରଗଡ଼ରେ ଉଚ୍ଚଶିକ୍ଷା ପାଇଁ ପ୍ରତିଷ୍ଠା କରିଥିଲେ ମହାବିଦ୍ୟାଳୟ, ଯାହା ଆଜି ବିଶେଷ ରୂପେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଉଚ୍ଚଶିକ୍ଷା କ୍ଷେତ୍ରରେ ଏକ ମାଇଲ୍ଖୁଣ୍ଟ ହୋଇରହିଛି। ଗୁଜରାଟର ମୂଳବାସିନ୍ଦା ଅମୃତଲାଲ ଜିଲ୍ଲାପାଳ ଥିବା ସମୟରେ ରାଉରକେଲାରେ ଜନ୍ମ ହୋଇଥିଲେ ତାଙ୍କ ଝିଅ ପ୍ରସିଦ୍ଧ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ମୀରା ନାୟାର। ‘ସଲାମ ବମ୍ବେ’ ଭଳି ଚର୍ଚ୍ଚିତ ଚଳଚ୍ଚିତ୍ର ତିଆରି କରି ପଦ୍ମଭୂଷଣ ସମ୍ମାନ ପାଇଥିବା ମୀରାଙ୍କ ଏକମାତ୍ର ପୁଅ ଜୋହରନ୍ ଉଗାଣ୍ଡା ରାଷ୍ଟ୍ରର କମ୍ପାଲା ସହରରେ ୧୯୯୧ ଅକ୍ଟୋବର ୧୮ରେ ଜନ୍ମଗ୍ରହଣ କରିଥିଲେ।
also read https://purvapaksa.com/soon-after-paradise-greenfield-airport-odisha-chief-minister/


