ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଧମକ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୀର୍ଘ ୭ ବର୍ଷ ପରେ ବେଜିଂ ଯାଇଥିଲେ। ଦ୍ୱିପାକ୍ଷିକ ସମ୍ବନ୍ଧକୁ ଅଧିକ ମଝବୁତ କରିବା ପାଇଁ ସାଂଘାଇ ସହଯୋଗ ସଂଗଠନ (ଏସ୍ସିଓ) ସମ୍ମିଳନୀ ପୂର୍ବରୁ ଟିଆନଜିନରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଥିଲେ । ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ୫୦ ମିନିଟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା। ଏହା ଦୁଇ ଦେଶର ସମ୍ବନ୍ଧକୁ ନୂଆ ଦିଗ ଦେବ ବୋଲି କୁହାଯାଉଛି। ଭାରତ ଏବଂ ଚୀନ୍ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ, କୈଳାସ ମାନସରୋବର ଯାତ୍ରା, ସୀମାପାର ବାଣିଜ୍ୟ କାରବାର ପୁଣିଥରେ ଆରମ୍ଭ କରିବା ପାଇଁ ସହମତି ପ୍ରକାଶ ପାଇଛି।
ମୋଦୀ ଦ୍ୱିପାକ୍ଷିକ, ଆଞ୍ଚଳିକ ଏବଂ ବୈଶ୍ୱିକ ସମସ୍ୟା ବିଷୟରେ ଆଲୋଚନା କରି ଆତଙ୍କବାଦର ପ୍ରସଙ୍ଗ ଉଠାଇ ଥିଲେ। ଏହାକୁ ବିଶ୍ୱ ସମସ୍ୟା କହିଥିଲେ। ଆତଙ୍କବାଦର ମୁକାବିଲା ପାଇଁ ସେ ଜିନପିଙ୍ଗଙ୍କୁ ସହଯୋଗ ମାଗିଥିଲେ। ଚୀନ୍ ରାଷ୍ଟ୍ରପତି ମଧ୍ୟ ସହଯୋଗ କରିବେ ବୋଲି କହିଥିଲେ। ୨୦୨୬ରେ ଭାରତରେ ଆୟୋଜିତ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀ ପାଇଁ ମଧ୍ୟ ମୋଦୀ ତାଙ୍କୁ ଆମନ୍ତ୍ରଣ କରିଛନ୍ତି। ମୋଦୀ କହିଥିଲେ ଯେ ଭାରତ ଏବଂ ଚୀନ୍ ସମ୍ବନ୍ଧ ୨.୮ ବିଲିୟନ ଲୋକଙ୍କ ହିତରେ। ଏହା କେବଳ ଦୁଇ ଦେଶ ନୁହେଁ; ବରଂ ମାନବତା ପାଇଁ ଉପଯୋଗୀ। ପାରସ୍ପରିକ ବିଶ୍ୱାସ, ସମ୍ମାନ ଏବଂ ସମ୍ବେଦନଶୀଳତା ଆଧାର କରି ଦ୍ୱିପାକ୍ଷିକ ସମ୍ବନ୍ଧକୁ ଅଧିକ ମଝବୁତ କରିବା ପାଇଁ ଆମେ ପ୍ରତିବଦ୍ଧ। ଏଥିପାଇଁ ସୀମାରେ ଶାନ୍ତି ଏବଂ ସ୍ଥିରତା ଜରୁରୀ। ଭାରତର ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଦୁଇ ଦେଶ ପାରସ୍ପରିକ ବିଶ୍ୱାସ ବୃଦ୍ଧି, ମତଭେଦକୁ ବିବାଦରେ ରୂପ ନ ଦେବାକୁ, ଆହ୍ୱାୟନର ମିଳିତ ମୁକାବିଲା କରିବାକୁ ସହମତି ପ୍ରକାଶ କରିଛନ୍ତି। ଉଭୟ ନେତା ସମସ୍ୟାର ସମାଧାନ ପାଇଁ ପ୍ରତିବଦ୍ଧ ଥିବା କହିଛନ୍ତି। ଏଥିରେ ମୋଦୀ ସାମରିକ ସ୍ୱାଧୀନତା ପ୍ରସଙ୍ଗ ଉଠାଇ ଥିଲେ। ଦୁଇ ଦେଶର ସମ୍ବନ୍ଧରେ କୌଣସି ତୃତୀୟ ପକ୍ଷର ଦୃଷ୍ଟିରେ ଦେଖିବା ଅନୁଚିତ ବୋଲି କହିଥିଲେ।
ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟି ଖୁସି ଲାଗୁଛି ବୋଲି ଜିନପିଙ୍ଗ କହିଥିଲେ। ଡ୍ରାଗନ (ଚୀନ୍) ଏବଂ ହାତୀ (ଭାରତ) ଏକାଠି ହେବା ଉଚିତ। ଦୁଇ ଦେଶ ପ୍ରତିଦ୍ୱନ୍ଦୀ ନୁହେଁ, ବରଂ ସହଯୋଗୀ। ଏବେ ବନ୍ଧୁତାର ସଠିକ ସମୟ ଆସିଯାଇଛି। ଉଭୟ ଦେଶ ଉତ୍ତମ ପଡୋଶୀ ହେବା ଗୁରୁତ୍ୱପୂର୍ଣ୍ଣ। ପରସ୍ପରର ସଫଳତାରେ ଉଭୟ ଦେଶ ଖୁସି ହେବା ଉଚିତ। ଦୀର୍ଘକାଳୀନ ଏବଂ ରଣନୈତିକ ଦୃଷ୍ଟିରୁ ସମ୍ପର୍କକୁ ମଝବୁତ କରିବାକୁ ହେବ। ସେ ଟ୍ରମ୍ପଙ୍କ ଏକପାଖିଆ ନୀତିକୁ ସମାଲୋଚନା କରିଥିଲେ। ବହୁକେନ୍ଦ୍ରିକ ବ୍ୟବସ୍ଥା, ଅନ୍ତର୍ଜାତୀୟ ସଂସ୍ଥାରେ ଗଣତନ୍ତ୍ରକୁ ସଦୃଢ଼ ରଖି ଏସିଆ ଏବଂ ସାରା ବିଶ୍ୱରେ ଶାନ୍ତି ଓ ସମୃଦ୍ଧି ପାଇଁ ଦୁଇ ଦେଶକୁ ଏକାଠି କାମ କରିବାକୁ ହେବ। ନିଜର ଐତିହାସିକ ଦାୟିତ୍ୱକୁ ନିର୍ବାହ କରିବାକୁ ପଡ଼ିବ ବୋଲି କହିଥିଲେ।
ରୁଷର କାଜାନ ପରେ ମୋଦୀଙ୍କ ଏହି ଗସ୍ତ ଦ୍ୱାରା ଦୁଇ ଦେଶର ସମ୍ପର୍କ ସ୍ୱାଭାବିକ ହୋଇପାରେ। ୨୦୨୦ର ଗଲୱାନ ସଂଘର୍ଷ ପରେ ପ୍ରଥମ ଥର ପାଇଁ ବାଣିଜ୍ୟକୁ ନେଇ ଅନେକ ନିଷ୍ପତ୍ତି ନେଇଛନ୍ତି। ତେବେ ସୀମା ବିବାଦ ଏବଂ ପାଣି ସମସ୍ୟା ଏବେ ବି ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି। ସୀମାରେ ୨୦୨୦ ଏପ୍ରିଲ ପୂର୍ବର ସ୍ଥିତିକୁ ଫେରିନାହିଁ। ଆର୍ଥିକ ଚାପ ଏବଂ ବୈଶ୍ୱିକ ସ୍ଥିତି ଦୁଇ ଦେଶକୁ ଏକାଠି ହେବାକୁ ବାଧ୍ୟ କରିଛି। କିନ୍ତୁ ସମ୍ପୂର୍ଣ୍ଣ ଭରସା ଫେରିବାକୁ କିଛି ସମୟ ଲାଗିପାରେ। ଚୀନ୍ ସାମ୍ବାଦିକ ଏବଂ ପର୍ଯ୍ୟଟକଙ୍କ ପାଇଁ ଭିସା ନିୟମକୁ କୋହଳ କରିବା ନିମନ୍ତେ ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି। ପୁଣି ଥରେ ବ୍ରହ୍ମପୂତ୍ର ନଦୀର ତଥ୍ୟ ସେୟାର କରିବାକୁ ସହମତି ପ୍ରକାଶ ପାଇଛି। ଏସ୍ସିଓ ଏବଂ ବ୍ରିକ୍ସ ଭଳି ସଂଗଠନରେ ଉଭୟେ ବହୁମୁଖୀ ବ୍ୟବସ୍ଥାକୁ ସମର୍ଥନ ଦେଉଛନ୍ତି। ତେବେ ଏଲଏସି ନିର୍ଦ୍ଧାରଣ ହୋଇ ନ ଥିବାରୁ ସମସ୍ୟା ରହିଛି। ଏ ପର୍ଯ୍ୟନ୍ତ ଏହାର ସ୍ଥାୟୀ ସମାଧାନ ହୋଇପାରି ନାହିଁ। ଚୀନ୍ ବ୍ରହ୍ମପୂତ୍ରରେ ବନ୍ଧ ନିର୍ମାଣ କରୁଥିବାବେଳେ ଭାରତ ଏହାକୁ ବିରୋଧ କରୁଛି। ପାକିସ୍ତାନ ସହ ଚୀନ୍ର ମଝବୁତ ସମ୍ବନ୍ଧ ଏହି କ୍ଷେତ୍ରରେ କିଛିଟା ସମସ୍ୟା ହୋଇପାରେ। ଅପରେସନ ସିନ୍ଦୂର ପରେ ମୋଦୀ ଏଠାରେ ପ୍ରଥମ ଥର ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କ ସହ ସାମ୍ନା ସାମନି ହୋଇଥିଲେ। ତେବେ ଶାହାବାଜଙ୍କୁ ସେ ଏଡ଼ାଇ ଚାଲିଥିଲେ। ତୁର୍କୀ ରାଷ୍ଟ୍ରପତି ରେସେପି ଏର୍ଦୋଗାନଙ୍କୁ ମଧ୍ୟ ମୋଦୀ ଅଣଦେଖା କରିଛନ୍ତି। କିନ୍ତୁ ନେପାଳ ପ୍ରଧାନମନ୍ତ୍ରୀ, ମାଳଦ୍ୱୀପ ରାଷ୍ଟ୍ରପତିଙ୍କ ସହ ସେ କଥା ହୋଇଥିଲେ।
ALSO READ https://purvapaksa.com/wp-content/uploads/2025/09/PTI09_02_2024_000040B.jpg
