- ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି, ଆଇଏନଏସ ବାଘଶୀରକୁ ଉତ୍ସର୍ଗ କଲେ ମୋଦି
- ସମଗ୍ର ବିଶ୍ୱରେ ଏକ ପ୍ରମୁଖ ନୌବାଣିଜ୍ୟ ଶକ୍ତି ଭାବେ ଉଭା ହୋଇଛି ଭାରତ
- ଜଳ, ସ୍ଥଳ, ଗଭୀର ସମୁଦ୍ର, ଆକାଶ ଓ ମହାକାଶରେ ଭାରତ ନିଜର ସ୍ଥିତିକୁ ମଜଭୁତ କରିଛି
ବୁଧବାର ଦିନ ଦେଶ ଉଦ୍ଦେଶ୍ୟରେ ଆଇଏନଏସ ସୁରଟ, ଆଇଏନଏସ ନୀଳଗିରି ଓ ଆଇଏନଏସ ବାଘଶୀର ଯୁଦ୍ଧପୋତକୁ ଉତ୍ସର୍ଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୁମ୍ବାଇର ନାଭାଲ ଡକୟାର୍ଡରେ ଏହି ଯୁଦ୍ଧପୋତ ସବୁ କାର୍ଯ୍ୟ।ରମ୍ଭ କରିଛନ୍ତି । ସମବେତ ଜନତାକୁ ଉଦବୋଧନ ଦେଇ ମୋଦି କହିଛନ୍ତି ଯେ, ୧୫ ଜାନୁୟାରିକୁ ସାରା ଦେଶ ସେନା ଦିବସ ଭାବେ ପାଳନ କରୁଛି । ଦେଶ ପାଇଁ ପ୍ରାଣବଳି ଦେଇଥିବା ସମସ୍ତ ବୀର ସୈନିକଙ୍କୁ ସେ ଏହି ଅବସରରେ ସାଲ୍ୟୁଟ କରିଛନ୍ତି ।
ଆଜିର ଦିନକୁ ଭାରତୀୟ ନୌବାଣିଜ୍ୟ ଇତିହାସରେ ଏକ ଗୌରବମୟ ଦିବସ ଭାବେ ଅଭିହିତ କରି ଉଭୟ ନୌସେନା ଓ ଆତ୍ମନିର୍ଭର ଭାରତ ଅଭିଯାନର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଛତ୍ରପତି ଶିବାଜୀ ମହାରାଜ ଭାରତୀୟ ନୌସେନାକୁ ଏକ ନୂଆ ଦିଶା ଦେଇଛନ୍ତି । ସେହି ଛତ୍ରପତିଙ୍କ ଭୂମିରେ ଆଜିର ଦିନରେ କେନ୍ଦ୍ର ସରକାର ଏକବିଂଶ ଶତାବ୍ଦୀର ଭାରତର ନୌସେନାକୁ ମଜଭୂତ କରିବା ପାଇଁ ପଦକ୍ଷେପ ନେଇଛନ୍ତି। ପ୍ରଥମଥର ପାଇଁ ତିନିଟି ବିଧ୍ୱଂସକାରୀ ଯୁଦ୍ଧପୋତ ବୁଡାଜାହାଜର ଶୁଭାରମ୍ଭ କରାଯାଇଛି । ଏହି ତିନିଟି ଅଗ୍ରଣୀ ପ୍ଲାଟଫର୍ମ ସ୍ୱଦେଶୀ ହୋଇଥିବାରୁ ଦେଶ ପାଇଁ ଏହା ଏକ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ସଫଳତା ପାଇଁ ଭାରତୀୟ ନୌସେନା, ଯୁଦ୍ଧପୋତ ନିର୍ମାଣର ସମସ୍ତ ଅଂଶୀଦାର ଓ ଭାରତୀୟ ନାଗରିକଙ୍କୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି ।
ଭବିଷ୍ୟତର ଆଶା ଆକାଂକ୍ଷା ସହ ଆମର ପୂର୍ବ ଐତିହ୍ୟକୁ ଏହା ଯୋଡୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସୁଦୂର ସାମୁଦ୍ରିକ ଜଳଯାତ୍ରା, ବାଣିଜ୍ୟ, ନୌସେନା ପ୍ରତିରକ୍ଷା, ଜାହାଜ ଶିଳ୍ପର ଏକ ଗୌରବାବହ ଅତୀତ ରହିଥିବା ମୋଦୀ କହିଛନ୍ତି । ଆଜିର ଦୁନିଆରେ ନୌବାଣିଜ୍ୟ କ୍ଷେତ୍ରରେ ସମଗ୍ର ବିଶ୍ୱରେ ଭାରତବର୍ଷ ଏକ ଶକ୍ତିଶାଳୀ ଦେଶ ଭାବେ ଉଭା ହେବାକୁ ଲାଗିଛି । ଇତିହାସର ଅବଲୋକନ କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଚୋଳ ବଂଶର ରାଜୁତି ସମୟର ନୌବାଣିଜ୍ୟ ପରମ୍ପରାର ଦ୍ୟୋତକ ହେଉଛି ଆଇଏନଏସ ନୀଳଗିରି । ପଶ୍ଚିମ ଏସିଆ ସହ ଗୁଜରାଟ ବନ୍ଦରର ବାଣିଜ୍ୟିକ ସମ୍ପର୍କର ଦ୍ୟୋତକ ହେଉଛି ଆଇଏନଏସ ସୁରଟ । କାଲଭାରୀ ବୁଡାଜାହାଜ ପରେ ପି୭୫ ଶ୍ରେଣୀର ଷଷ୍ଠ ସଂସ୍କରଣ ହେଉଛି ଭାଗଶୀର ବୁଡାଜାହାଜ । ଭାରତର ନିରାପତ୍ତା ଓ ପ୍ରଗତିକୁ ଏସବୁ ବୁଡାଜାହାଜ ଯୁଦ୍ଧପୋତ ସୂଚାଉଥିବା କହିଛନ୍ତି ମୋଦି ।
ଭାରତ ମହାସାଗର ଅଂଚଳରେ ଜାହଜ ପରିବହନର ନୂଆ କ୍ଷେତ୍ରରେ ପୁଞ୍ଜି ନିବେଶ କରିବାରେ ଆମ ଦେଶ ଅଗ୍ରଣୀ ଭୂମିକା ନେଉଥିବା ମୋଦି କହିଛନ୍ତି । ନିକଟ ଅତୀତରେ ଭାରତୀୟ ନୌସେନା ଶହ ଶହ ଜୀବନ ବଂଚାଇବା ସହ କୋଟି କୋଟି ଟଙ୍କାର ବହୁ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଗୋକୁ ସୁରକ୍ଷା ଦେଇଥିବାରୁ ବିଶ୍ୱ ସମୁଦାୟ ଆଗରେ ଭାରତ, ଭାରତୀୟ ନୌସେନା ଓ ତଟରକ୍ଷା ବାହିନୀର ସମ୍ମାନ ବଢିଛି । ଆସିୟାନ, ଅଷ୍ଟ୍ରେଲିଆ, ଗଲଫ ଦେଶ, ଆଫ୍ରିକୀୟ ଦେଶ ସହ ଭାରତର ଆର୍ଥନୀତିକ ସହଯୋଗ ବୃଦ୍ଧି ପାଇଥିବା କାରଣରୁ ଭାରତ ମହାସାଗର ଅଂଚଳରେ ଏହାର ଗୁରୁତ୍ୱ ବଢିଯାଇଛି । ଆଜିର କାର୍ଯ୍ୟକ୍ରମ ଉଭୟ ସାମରିକ ଓ ଅର୍ଥନୀତି ଦୃଷ୍ଟିକୋଣରୁ ଗୁରୁତ୍ୱବହନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।
ସଂକଟ ସମୟରେ ଅନ୍ୟ ଦେଶ ଉପରେ ଯେତେଦୂର ସମ୍ଭବ ନିର୍ଭରଶୀଳତା କମାଇ ଗତ କିଛି ଦଶନ୍ଧି ଭିତରେ ଭାରତୀୟ ସେନାର ଆତ୍ମ ନିର୍ଭରତା ବଢିଛି । ଭାରତୀୟ ସେନା ବ୍ୟବହାର କରୁଥିବା ପ୍ରାୟ ପାଂଚ ହଜାର ଅସ୍ତ୍ରଶସ୍ତ୍ରକୁ ଆଉ ଏବେ ବାହାରୁ ଆମଦାନୀ କରାଯିବ ନାହିଁ ବୋଲି ମୋଦି କହିଛନ୍ତି । ସ୍ୱଦେଶୀ ଅସ୍ତ୍ରଶସ୍ତ୍ର ବ୍ୟବହାର କରିବା ଦିଗରେ ଭାରତୀୟ ସେନାର ମନୋବଳ ବୃଦ୍ଧି ପାଇଛି । ଭାରତୀୟ ନୌସେନାରେ ଗତ କିଛି ଦଶନ୍ଧି ଭିତରେ ୩୩ଟି ଜାହାଜ, ୭ଟି ବୁଡାଜାହାଜ ସାମିଲ ହୋଇଥିବା ବେଳେ ଭାରତୀୟ ସିପୟାର୍ଡରେ ୪୦ଟି ସାମୁଦ୍ରିକ ପୋତ ଭିତରୁ ୩୯ଟି ନିର୍ମାଣ କରାଯାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଏହା ଭିତରେ ଆଇଏନଏସ ବିକ୍ରାନ୍ତ ଏୟାରକ୍ରାଫଟ କ୍ୟାରିୟର, ଆଇଏନଏସ ଅରିହନ୍ତ ଓ ଆଇଏନଏସ ଅରିଘଟ ପରି ଆଣବିକ ବୁଡାଜାହାଜ ରହିଛି । ମେକ ଇନ ଇଣ୍ଡିଆ କ୍ୟାମ୍ପେନରେ ସଫଳତା ଲାଗି ସଶସ୍ତ୍ର ସେନାକୁ ପ୍ରଧାନମନ୍ତ୍ରୀ ସାଧୁବାଦ ଜଣାଇଛନ୍ତି । ଆମ ଦେଶ ୧.୨୫ ଲକ୍ଷ କୋଟି ଟଙ୍କା ଉପରେ ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କରିପାରିବା ସହ ପାଖାପାଖି ଶହେଟି ଦେଶକୁ ପ୍ରତିରକ୍ଷା ସାମଗ୍ରୀ ରପ୍ତାନୀ କରିପାରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି ।
ମେକ ଇନ ଇଣ୍ଡିଆ ଅଭିଯାନ ଭାରତୀୟ ସଶସ୍ତ୍ର ବାହିନୀର କେବଳ ଦକ୍ଷତା ବୃଦ୍ଧି କରିପାରିନାହିଁ ବରଂ ଅର୍ଥନୀତି ଅଭିବୃଦ୍ଧି ଦିଗରେ ସହାୟକ ହୋଇପାରିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଦେଶରେ ଜାହାଜ ନିର୍ମାଣ ଦିଗରେ ଖର୍ଚ୍ଚ ହେଉଥିବା ପ୍ରତି ପଇସା ଏହି ଦେଶର ଅର୍ଥନୀତିକୁ ଦୁଇଗୁଣା କରୁଛି । ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କାର ୬୦ଟି ବଡ ଜାହାଜ ନିର୍ମାଣାଧୀନ ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୩ ଲକ୍ଷ କୋଟି ର୍ଥନୀତିକ କାରବାର ସହ ଛଅ ଦଫା ନିଯୁକ୍ତି ସୃଷ୍ଟି ଦିଗରେ ଏହା କାମ କରିବ ବୋଲି ସେ କହିଛନ୍ତି । ଅଧିକାଂଶ ଜାହାଜ ନିର୍ମାଣ ଯନ୍ତାଂଶ ଘରୋଇ ଏମଏସଏମଇ ସେକ୍ଟରରୁ ଆସୁଥିବା ବେଳେ ଗୋଟିଏ ଜାହାଜ ନିର୍ମାଣ ଲାଗି ଯଦି ଦୁଇ ହଜାର ଶ୍ରମିକ ନିଯୁକ୍ତ ହୁଅନ୍ତି ତେବେ ବାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ବୋଲି ମୋଦି କହିଛନ୍ତି ।
ମାନୁଫାକଚରିଂ ଓ ରପ୍ତାନୀ କ୍ଷମତା ବୃଦ୍ଧି ଦିଗରେ ଭାରତ ବିଶ୍ୱର ତୃତୀୟ ବୃହତମ ଅର୍ଥନୀତି ଭାବରେ ଅବତୀର୍ଣ୍ଣ ହେବାରେ ଲାଗିଛି । ବନ୍ଦର ବିକାଶ କାର୍ଯ୍ୟକ୍ରମରେ ଅଧିକା ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି । ସମୁଦ୍ର ତରୀ ସେକ୍ଟରରେ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାରେ ଅଧିକା ସମ୍ଭାବନା ରହିଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ୨୦୧୪ରେ ଏହାର ସଂଖ୍ୟା ଏକ ଲକ୍ଷ ୨୫ ହଜାର ରହିଥିବା ବେଳେ ଏବେ ଏହା ୩ ଲକ୍ଷକୁ ବୃଦ୍ଧି ପାଇଥିବା ସେ କହିଛନ୍ତି । ସମୁଦ୍ର ତରୀ ନିର୍ମାଣ କ୍ଷେତ୍ରରେ ସମଗ୍ର ବିଶ୍ୱର ପ୍ରମୁଖ ପାଂଚଟି ଦେଶ ଭିତରେ ଭାରତର ସ୍ଥାନ ରହିଛି ।
ଦେଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ତୃତୀୟ ପାଳିରେ ତାଙ୍କ ସରକାର ଅନେକ ଉନ୍ନୟନମୂଳକ ଯୋଜନା ହାତକୁ ନେଇଥିବା ସେ କହିଛନ୍ତି । ତୃତୀୟ ପାଳିରେ ମହାରାଷ୍ଟ୍ରର ବଧମାନ ବନ୍ଦର ନିର୍ମାଣ ପାଇଁ ତାଙ୍କ ସରକାର ଅନୁମୋଦନ କରିଛନ୍ତି । ପାଖାପାଖି ୭୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣାଧୀନ ଏହି ଆଧୁନିକ ବନ୍ଦର କାର୍ଯ୍ୟକ୍ଷମ ହେଲେ ହଜାର ହଜାର ନୂଆ ନିଯୁକ୍ତି ସୃଷ୍ଟି ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଛନ୍ତି ।
ଉପନିବେଶବାଦରୁ ଦେଶକୁ ମୁକ୍ତି ଦେବା ଲାଗି ଏକବିଂଶ ଶତାବ୍ଦୀର ଭାରତ କାମ କରୁଥିବା ସେ କହିଛନ୍ତି । ଏକ୍ଷେତ୍ରରେ ଭାରତୀୟ ନୌସେନା କାମ କରୁଥିବା ସେ ସ୍ପଷ୍ଟ କରିଛନ୍ତି । ଆଡମିରାଲ ରାଙ୍କରେ ପରିବର୍ତନ କରି ଛତ୍ରପତି ଶିବାଜୀଙ୍କ ଗରିମାମୟ ଐତିହ୍ୟ ସହ ନିଜର ଧ୍ୱଜାକୁ ଭାରତୀୟ ନୌସେନା ଯୋଡି ପାରିଥିବା ସେ କହିଛନ୍ତି । ଉପନିବେଶବାଦ ମାନସିକତାରୁ ମୁକୁଳାଇବା ଲାଗି ଦେଶର ମେକ ଇନ ଇଣ୍ଡିଆ ଅଭିଯାନ କାମ କରୁଥିବା ପ୍ରଧାନମନ୍ତ୍ରୀ କହିଛନ୍ତି । ଭାରତକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଚେଷ୍ଟା ଅବ୍ୟାହତ ରହିଥିବା ସେ କହିଛନ୍ତି। ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକ୍ରିଷ୍ଣନନ, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ, କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ, ମହାରାଷ୍ଟ୍ର ଉପ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାବାର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।
previous article:https://purvapaksa.com/advised-not-to-panic-over-hmpv/
