ରାଜ୍ୟ ରାଜନୀତିରେ ଏବେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି ବିଜୁ ଜନତା ଦଳ (ବିଜେଡି) ର ଭବିଷ୍ୟତ ଏବଂ ଦଳ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନୂଆ ରଣନୀତି। ନିକଟରେ ଶେଷ ହୋଇଥିବା ରାଜ୍ୟସଭା ନିର୍ବାଚନ ଏବଂ କ୍ରସ୍ ଭୋଟିଂ ଘଟଣା ପରେ ବିଜେଡି ଶିବିରରେ କମ୍ପନ ଦେଖାଦେଇଛି। ବିଶେଷ କରି ବାଲେଶ୍ୱର ଜିଲ୍ଲାରେ ଦଳ ଯେଉଁ ସଙ୍କଟ ଦେଇ ଗତି କରୁଛି, ତାହା କେବଳ ଗୋଟିଏ ଜିଲ୍ଲାର ସମସ୍ୟା ନୁହେଁ ବରଂ ସମଗ୍ର ଓଡ଼ିଶାରେ ଥିବା ବିଜେଡି ସଙ୍ଗଠନ ପାଇଁ ଏକ ସତର୍କ ଘଣ୍ଟି।
• ତେବେ ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ କଣ କରୁଛନ୍ତି ନବୀନ ପଟ୍ଟନାୟକ?
• କଣ ତାଙ୍କର କିଛି ‘ସିକ୍ରେଟ୍ ପ୍ଲାନ୍’ ବା ଗୁପ୍ତ ରଣନୀତି ପ୍ରସ୍ତୁତ ହେଉଛି?
• ଦଳ ଛାଡିଥିବା ପୁରୁଣା ଓ ଅଭିଜ୍ଞ ନେତାମାନେ କଣ ପୁଣି ଥରେ ଶଙ୍ଖ ଧରିବେ?
ଏଭଳି ଅନେକ ପ୍ରଶ୍ନ ଏବେ ରାଜନୈତିକ ମହଲରେ ଘୁରି ବୁଲୁଛି।
ସବୁଠାରୁ ବଡ଼ ଖବର ଆସୁଛି ଉତ୍ତର ଓଡ଼ିଶାର ପ୍ରାଣକେନ୍ଦ୍ର ବାଲେଶ୍ୱରରୁ। ଏକଦା ବାଲେଶ୍ୱର ରାଜନୀତିରେ ‘ଅପ୍ରତିଦ୍ୱନ୍ଦ୍ୱୀ’ ନେତା ଭାବେ ପରିଚିତ ଥିବା ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କୁ ନେଇ ଏବେ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଛି। ଆପଣମାନେ ଜାଣିଥିବେ, ଗୋଟିଏ ସମୟରେ ରଘୁନାଥ ମହାନ୍ତି ବିଜେଡିର ଏକ ଶକ୍ତ ସ୍ତମ୍ଭ ଥିଲେ। କିନ୍ତୁ ପାରିବାରିକ ବିବାଦ ଏବଂ ଅନ୍ୟାନ୍ୟ କାରଣରୁ ତାଙ୍କୁ ମନ୍ତ୍ରୀପଦ ହରାଇବାକୁ ପଡ଼ିଥିଲା। ଏହାପରେ ଦୀର୍ଘ ବର୍ଷ ଧରି ସେ ରାଜନୀତିରୁ ଏକପ୍ରକାର ଉଭେଇ ଯାଇଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ।
କିନ୍ତୁ ଏବେ ହଠାତ୍ ତାଙ୍କ ନାଁକୁ ନେଇ ପୁଣିଥରେ ରାଜନୈତିକ ପାଣିପାଗ ଗରମ ହୋଇଛି। ଗୁଜବ ହେଉଛି ଯେ ରଘୁନାଥ ମହାନ୍ତି ଏବଂ ତାଙ୍କ ସହ ବାଲେଶ୍ୱରର ଆଉ ଜଣେ ବରିଷ୍ଠ ନେତା ଜୀବନ ପ୍ରଦୀପ ଦାସ ବିଜେଡିକୁ ଫେରିଛନ୍ତି। ଜୀବନ ପ୍ରଦୀପ ଦାସ ନିକଟରେ ବିଜେପି ସହ ନିଜର ସମସ୍ତ ସମ୍ପର୍କ ଛିନ୍ନ କରିଥିଲେ। ଏହି ଦୁଇ ଟାଣୁଆ ନେତା ନିଜ ସମର୍ଥକଙ୍କ ସହ ବିଜେଡିକୁ ଫେରଛନ୍ତି, ତେଣୁ ଉଭୟ ନେତା ଏବଂ ଦଳ ପାଇଁ ଏହା ଏକ ‘ଜୀବନଦାନ’ ବା Win-Win ସିଚୁଏସନ୍ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଉଛନ୍ତି।
କିନ୍ତୁ ପ୍ରଶ୍ନ ଉଠୁଛି, ହଠାତ୍ ଏମିତି କଣ ପରିସ୍ଥିତି ସୃଷ୍ଟି ହେଲା ଯେ ବିଜେଡି ନିଜର ପୁରୁଣା ନେତାଙ୍କୁ ଖୋଜିବା ଆରମ୍ଭ କଲା? ଏହାର ମୂଳ କାରଣ ଲୁଚି ରହିଛି ନିକଟରେ ହୋଇଥିବା ରାଜ୍ୟସଭା ନିର୍ବାଚନରେ।
ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ବାଲେଶ୍ୱର ଅଞ୍ଚଳରେ କିଭଳି କ୍ରସ୍ ଭୋଟିଂ ହେଲା। ବସ୍ତା ବିଧାୟିକାଙ୍କ ସମେତ ଅନେକ ନେତା ଦଳୀୟ ହ୍ୱିପ୍ ବାହାରକୁ ଯାଇ ଭୋଟ୍ ଦେଲେ। କେବଳ ସେତିକି ନୁହେଁ, ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ଭଳି ବଡ଼ ନେତା ନିର୍ବାଚନ ପୂର୍ବରୁ ବିଜେପିରେ ଯୋଗ ଦେଇସାରିଛନ୍ତି। ଏସବୁ ଘଟଣା ବାଲେଶ୍ୱର ଜିଲ୍ଲାରେ ବିଜେଡିର ସାଙ୍ଗଠନିକ ଦୁର୍ବଳତାକୁ ପଦାରେ ପକାଇ ଦେଇଛି।
କେବଳ ଉପର ସ୍ତରରେ ନୁହେଁ, ଗ୍ରାସରୁଟ୍ ଲେଭେଲ୍ ବା ତୃଣମୂଳ ସ୍ତରରେ- ଯେପରିକି ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ଏବଂ ଲକ୍ଷ ଲକ୍ଷ କର୍ମୀ- ଏମାନଙ୍କ ମଧ୍ୟରେ ଏବେ ଦଳକୁ ନେଇ ଏକ ନିରାଶା ଭାବ ଦେଖାଦେଇଛି। ଅନେକ ସମର୍ଥକ ଶାସକ ଦଳ ଆଡ଼କୁ ମୁହାଁଉଥିବାର ଦେଖିବାକୁ ମିଳୁଛି। ତେଣୁ ଆଗାମୀ ପଞ୍ଚାୟତ ନିର୍ବାଚନ ପୂର୍ବରୁ ଦଳର ଏହି ଖାଲି ସ୍ଥାନକୁ ପୂରଣ କରିବା ପାଇଁ ବିଜେଡି ହାଇକମାଣ୍ଡ ଏବେ ପୁରୁଣା ଓ ବିଶ୍ୱସ୍ତ ନେତାଙ୍କୁ ଫେରାଇ ଆଣିବାର ଏକ ‘ସିକ୍ରେଟ୍ ପ୍ଲାନ୍’ କରୁଥିବା ଆଲୋଚନା ହେଉଛି।
ସମସ୍ୟାର ଚେର କେଉଁଠି? – ଶୀର୍ଷ ନେତୃତ୍ୱର ଆତ୍ମସମୀକ୍ଷା ଦରକାର
ବାଲେଶ୍ୱରର ସ୍ଥିତି କେବଳ ଗୋଟିଏ ଉଦାହରଣ ମାତ୍ର। ଓଡ଼ିଶାର ପ୍ରାୟ ସବୁ ଜିଲ୍ଲାରେ ବର୍ତ୍ତମାନ ବିଜେଡି ଭିତରେ କମ୍ ବେଶି ଏହିଭଳି ଅସନ୍ତୋଷ କୁହୁଳୁଛି। ତେବେ ଏହାର ସମାଧାନ କିଭଳି ହେବ? ଯେମିତି ଜଣେ ଡାକ୍ତର ରୋଗୀର ଚିକିତ୍ସା କରିବା ପୂର୍ବରୁ ରୋଗର ମୂଳ କାରଣ ଖୋଜନ୍ତି, ଠିକ୍ ସେମିତି ବିଜେଡିକୁ ଏବେ ନିଜ ସମସ୍ୟାର କାରଣ ଖୋଜିବାକୁ ପଡ଼ିବ।
ଯଦି ଆମେ ସମସ୍ୟାର ମୂଳକୁ ଯିବା, ତେବେ ଏଥିପାଇଁ ତୃଣମୂଳ ସ୍ତରର କର୍ମୀ ବା ନେତାମାନେ ଦାୟୀ ନୁହଁନ୍ତି। ସବୁବେଳେ ଦଳର ଶୀର୍ଷ ନେତୃତ୍ୱ ହିଁ ଗାର୍ଡିଆନ୍ ବା ଅଭିଭାବକ ଭାବେ କାମ କରିଥାଏ। ରାଜ୍ୟସଭା ନିର୍ବାଚନ ବେଳେ ଯେଉଁ ଅସନ୍ତୋଷ ଦେଖାଗଲା, ତାହା କେବଳ ଟଙ୍କା ପଇସାର ଖେଳ ନ ଥିଲା। ଏହା ଥିଲା ବର୍ଷ ବର୍ଷ ଧରି ଥିବା କ୍ଷୋଭର ପରିପ୍ରକାଶ।
ଯେତେବେଳେ ଶୀର୍ଷ ନେତୃତ୍ୱ ଦଳ ପାଇଁ ଝାଳନାଳ ବୁହାଉଥିବା, ବର୍ଷ ବର୍ଷ ଧରି ସାଙ୍ଗଠନିକ କାମ କରୁଥିବା ନେତାମାନଙ୍କୁ ଅଣଦେଖା କରନ୍ତି… ଯେତେବେଳେ ହଠାତ୍ ବାହାରୁ ଆସିଥିବା ନୂଆ ଲୋକଙ୍କୁ (ଯେଉଁମାନଙ୍କର ଦଳ ସହ କିଛି ସମ୍ପର୍କ ନଥାଏ) ସିଧାସଳଖ ରାଜ୍ୟସଭା ପ୍ରାର୍ଥୀ କିମ୍ବା ବଡ଼ ପଦବୀ ଦିଆଯାଏ, ସେତେବେଳେ ପୁରୁଣା ନେତା ଓ କର୍ମୀଙ୍କ ଆତ୍ମସମ୍ମାନରେ ଆଞ୍ଚ ଆସିବା ସ୍ୱାଭାବିକ। ନିଜ ନେତାଙ୍କୁ ସମାଲୋଚନା କରିବାକୁ ସୁଯୋଗ ନପାଇବା ଏବଂ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଜ କଥା ରଖି ନପାରିବା ଫଳରେ ଏହି ଅସନ୍ତୋଷ ଜନ୍ମ ନେଇଛି। ଏହି କାରଣରୁ ହିଁ ଅନେକ ନେତା ଦଳରେ ରହି ମଧ୍ୟ କ୍ରସ୍ ଭୋଟିଂ କରିବାକୁ ପଛାଇ ନାହାନ୍ତି।
ଏବେ ସମୟ ଆସିଛି ଆତ୍ମସମୀକ୍ଷାର। କେବଳ କୌଣସି ଜଣେ ବା ଦୁଇଜଣ ନେତାଙ୍କୁ ଦଳକୁ ଫେରାଇ ଆଣିଲେ କିମ୍ବା ବାଲେଶ୍ୱର ଭଳି ଗୋଟିଏ ଜିଲ୍ଲାରେ ତାଳିପକା କାମ କଲେ ସମସ୍ୟାର ସ୍ଥାୟୀ ସମାଧାନ ହେବ ନାହିଁ। ଆଜି ଯେଉଁ ସମସ୍ୟା ଗୋଟିଏ ଜାଗାରେ ଦେଖାଦେଇଛି, କାଲି ତାହା ଅନ୍ୟତ୍ର ଦେଖାଦେବ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କୁ ଏବେ ସବୁ ଦିଗରୁ ବିଚାର କରିବାକୁ ପଡ଼ିବ। ଗୋଷ୍ଠୀ କନ୍ଦଳ ଦୂର କରି, ପୁରୁଣା ତଥା ଅଭିଜ୍ଞ ନେତାମାନଙ୍କୁ ସମ୍ମାନର ସହ ଫେରାଇ ଆଣିବା ଏବଂ କର୍ମୀମାନଙ୍କ ମନୋବଳ ବଢ଼ାଇବା ପାଇଁ ତାଙ୍କୁ ସିଧାସଳଖ ହସ୍ତକ୍ଷେପ କରିବାକୁ ପଡ଼ିବ।
ବର୍ତ୍ତମାନ ବିଜେଡି ଆଗରେ ସବୁଠାରୁ ବଡ଼ ଆହ୍ୱାନ ହେଉଛି ଆଗାମୀ ପଞ୍ଚାୟତ ନିର୍ବାଚନ। ଯଦି ଦଳର ଶୀର୍ଷ ନେତୃତ୍ୱ ଏବେଠାରୁ ନିଜର ‘ଆତ୍ମସମୀକ୍ଷା’ ନକରନ୍ତି ଏବଂ ତୃଟିଗୁଡ଼ିକୁ ନସୁଧାରନ୍ତି, ତେବେ ଭବିଷ୍ୟତରେ ବିଜେଡିକୁ ଆହୁରି ବଡ଼ ମୂଲ୍ୟ ଦେବାକୁ ପଡ଼ିପାରେ।
ରାଜନୀତିରେ ପରିସ୍ଥିତି କେତେବେଳେ କେଉଁ ମୋଡ଼ ନେବ ତାହା କହିବା ମୁସ୍କିଲ। କିନ୍ତୁ ଗୋଟିଏ କଥା ସ୍ପଷ୍ଟ ଯେ, ବିଜୁ ଜନତା ଦଳ ଏବେ ଏକ ସନ୍ଧିକ୍ଷଣ ଦେଇ ଗତି କରୁଛି। ରଘୁନାଥ ମହାନ୍ତି କିମ୍ବା ଜୀବନ ପ୍ରଦୀପ ଦାସଙ୍କ ଭଳି ନେତାମାନେ ଯଦି ଦଳକୁ ଫେରନ୍ତି, ତାହା ଦଳ ପାଇଁ କେତେ ଲାଭଦାୟକ ହେବ, ଏବଂ ନବୀନଙ୍କ ଏହି ‘ସିକ୍ରେଟ୍ ପ୍ଲାନ୍’ କେତେ ସଫଳ ହେବ ତାହା ଆଗାମୀ ଦିନ ହିଁ କହିବ।
AlsoRead; https://purvapaksa.com/will-cross-voting-result-in-loss-of-membership/
କ୍ରସ ଭୋଟିଂ କଲେ କ’ଣ ସଭ୍ୟପଦ ଚାଲିଯିବ! || Will cross-voting result in loss of membership?


