Troubled History of South Korean Presidents:ୟୁନ୍ ସୁକ୍ ୟୁଲ୍ଙ୍କ ଦ୍ୱାରା ମାର୍ଶାଲ ଲ’ ଘୋଷଣାର ସୁଦୂରପ୍ରସାରୀ ପ୍ରଭାବ ପଡ଼ିଛି। ବିରୋଧୀମାନେ ତାଙ୍କ ବିରୋଧରେ ମହାଭିଯୋଗ ଆଣିବାକୁ ଜିଦ୍ ଧରିଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଯେ ଦକ୍ଷିଣ କୋରିଆ କୌଣସି ନେତାଙ୍କୁ ଏଭଳି ସ୍ଥିତିରେ ଦେଖିଛି। ଦେଶର ରାଷ୍ଟ୍ରପତିଙ୍କ ଇତିହାସ ବହୁ ଅସୁବିଧାରେ ଭରି ଯାଇଛି।
ହତ୍ୟା, ଜେଲଦଣ୍ଡ, ମହାଭିଯୋଗ ଓ ଦୁର୍ନୀତି ଭଳି ଅଭିଯୋଗ ଦକ୍ଷିଣ କୋରିଆର ଅନେକ ରାଷ୍ଟ୍ରପତିଙ୍କ ନାଁରେ ରହିଛି। ନିକଟରେ ରାଷ୍ଟ୍ରପତି ୟୁନ ସୁକ ୟୋଲ ଦେଶରେ ମାର୍ଶାଲ ଲ’ ଲାଗୁ କରିବାର ଛଅ ଘଣ୍ଟା ପରେ ଏହା ଉଠାଇବା ପାଇଁ ଘୋଷଣା କରିଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ବିରୋଧୀ ତାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିଛନ୍ତି। ଦକ୍ଷିଣ କୋରିଆରେ କୌଣସି ନେତାଙ୍କ ବିରୋଧରେ ଏହା ପ୍ରଥମ ଘଟଣା ନୁହେଁ। ଇତିହାସକୁ ଦେଖିଲେ ଏହି ଦେଶର ରାଷ୍ଟ୍ରପତି ପଦ ଅଭିଶପ୍ତ ବୋଲି କହିଲେ ଭୁଲ ହେବନି।
ରାଷ୍ଟ୍ରପତି ୟୁନ୍ ସୁକ୍ ୟେଲଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ଦକ୍ଷିଣ କୋରିଆର ବିରୋଧୀ ଦଳଗୁଡ଼ିକ ଏକ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି। ମୁଖ୍ୟ ବିରୋଧୀ ଦଳ ଡେମୋକ୍ରାଟିକ୍ ପାର୍ଟି ଓ ପାଞ୍ଚଟି କ୍ଷୁଦ୍ର ବିରୋଧୀ ଦଳ ମିଳିତଭାବେ ଦାଖଲ କରିଥିବା ଏହି ପ୍ରସ୍ତାବ ଉପରେ ଶନିବାର ସୁଦ୍ଧା ମତଦାନ ହୋଇପାରେ। ୟୁନଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ସଂସଦର ଦୁଇ ତୃତୀୟାଂଶ କିମ୍ବା ଏହାର ୩୦୦ ସଦସ୍ୟଙ୍କ ମଧ୍ୟରୁ ୨୦୦ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ ହେବ। ସାମରିକ ଆଇନକୁ ଉଚ୍ଛେଦ କରିବାର କିଛି ଘଣ୍ଟା ପରେ ତାଙ୍କ ଉପରେ ପଦ ଛାଡ଼ିବାକୁ ଚାପ ପକାଯାଉଛି। ୟୁନଙ୍କ ବିରୋଧରେ ମହାଭିଯୋଗ ଆଣିବା ପାଇଁ ସଂସଦର ଦୁଇତୃତୀୟାଂଶ ସଦସ୍ୟଙ୍କ ସମର୍ଥନ ଏବଂ ପରେ ୬ ଜଣ ସାମ୍ବିଧାନିକ ଅଦାଲତ ବିଚାରପତିଙ୍କ ସମର୍ଥନ ଆବଶ୍ୟକ ହେବ। ରାଷ୍ଟ୍ରପତି ୟୁନ୍ ‘ରାଷ୍ଟ୍ରବିରୋଧୀ’ ଶକ୍ତିକୁ ନିପାତ କରିବାକୁ ପ୍ରତିଶ୍ରୁତି ଦେଇ ଜରୁରୀକାଳୀନ ମାର୍ଶଲ ଲ’ ଲାଗୁ କରିଥିଲେ । ଜାଣନ୍ତୁ ସେହିଭଳି କିଛି ବିବାଦୀୟ ରାଷ୍ଟ୍ରପତିଙ୍କ ଉପରେ।
ପାର୍କ ଗ୍ୟୁନ୍ ହୋ
ଦକ୍ଷିଣ କୋରିଆର ପ୍ରଥମ ମହିଳା ରାଷ୍ଟ୍ରପତିଙ୍କ ବିରୋଧରେ ୨୦୧୬ରେ ସଂସଦରେ ମହାଭିଯୋଗ ପ୍ରସ୍ତାବ ଆସିଥିଲା। ପରେ ତାଙ୍କୁ ଜେଲଦଣ୍ଡ ଭୋଗିବାକୁ ପଡ଼ିଥିଲା। ପୂର୍ବତନ ମହିଳା ରାଷ୍ଟ୍ରପତି ପାର୍କଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା। ସାମସଙ୍ଗ ସମେତ ଅନେକ ଇଲେକ୍ଟ୍ରୋନିକ କମ୍ପାନୀଠାରୁ କୋଟି କୋଟି ଡଲାର ଟଙ୍କା ପାର୍କ ଲାଞ୍ଚ ମାଗିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା। ମାର୍ଚ୍ଚ ୨୦୧୭ରେ ସୁପ୍ରିମକୋର୍ଟ ପାର୍କଙ୍କ ବିରୋଧରେ ମହାଭିଯୋଗ ଆଣିଥିଲେ। ୨୦୨୧ରେ ପାର୍କଙ୍କୁ ୨୦ ବର୍ଷ ସଜା ଶୁଣାଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। କିନ୍ତୁ ସେହି ବର୍ଷ ରାଷ୍ଟ୍ରପତି ମୁନ ଜେ-ଇନ ତାଙ୍କୁ କ୍ଷମା ଦେଇଥିଲେ। ପାର୍କଙ୍କୁ ଜେଲ୍ ପଠାଇବାରେ ବର୍ତ୍ତମାନର ରାଷ୍ଟ୍ରପତି ତଥା ସେତେବେଳର ଆଇନଜୀବୀ ୟୁନ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।
ଲି ମ୍ୟୁଙ୍ଗ ବକ୍
ପାର୍କଙ୍କ ପୂର୍ବରୁ ଲି ୨୦୦୮ରୁ ୨୦୧୩ ପର୍ଯ୍ୟନ୍ତ ରାଷ୍ଟ୍ରପତି ଭାର ସମ୍ଭାଳିଥିଲେ। ୨୦୧୮ରେ ଦୁର୍ନୀତି ଅଭିଯୋଗରେ ଲିଙ୍କୁ ୧୫ ବର୍ଷ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଥିଲା। ସାମସଙ୍ଗଠାରୁ ପାଖାପାଖି ୧୦ ମିଲିନ ଡଲାର ଲାଞ୍ଚ ନେବା ଅଭିଯୋଗରେ ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ୨୦୨୨ରେ ରାଷ୍ଟ୍ରପତି ୟୁନ ତାଙ୍କୁ କ୍ଷମା କରିଦେବା ସହ ଜେଲ ଦଣ୍ଡ କମାଇ ଦେଇଥିଲେ।
ରୋହ ମୁ ହ୍ୟୁନ
୨୦୦୩ରୁ ୨୦୦୮ ପର୍ଯ୍ୟନ୍ତ ରାଷ୍ଟ୍ରପତି ରହିଥିବା ରୋହ ଉତ୍ତର କୋରିଆର ସମର୍ଥକ ରହିଥିଲେ। ୨୦୦୯ରେ ଆତ୍ମହତ୍ୟା କରିଥିଲେ ରୋହ। ସେ ପାହଡ଼ରୁ ଡେଇଁ ଆତ୍ମହତ୍ୟା କରିଥିଲେ। ଜଣେ ଜୋତା ନିର୍ମାତାଙ୍କଠାରୁ ୬ ମିଲିଅନ ଡଲାର ସେ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଥିଲା।
ଚୁନ ଡୁ ହ୍ୱାନ
ଦକ୍ଷିଣ କୋରିଆର ପଞ୍ଚମ ରାଷ୍ଟ୍ରପତି ଥିଲେ ଆର୍ମି ଜେନେରାଲ ଚୁନ ଡୁ ହ୍ୱାନ। ତାଙ୍କ ବିରୋଧରେ ବିଦ୍ରୋହ ଆରମ୍ଭ ହେବାମାତ୍ରେ ସେ ରୋହ ତାଏ ବୁଙ୍କୁ ଶାସନ ଭାର ହସ୍ତାନ୍ତର କରିଥିଲେ। ଚୁନ୍ଙ୍କୁ ୧୯୮୦ରେ ବିଦ୍ରୋହ ଓ ଅନ୍ୟ ଅପରାଧିକ ମାମଲାରେ ମୃତ୍ୟୁଦଣ୍ଡ ସଜା ଶୁଣାଯାଇଥିଲା। କିନ୍ତୁ ପରେ ଏହାକୁ ଆଜୀବନ ଜେଲଦଣ୍ଡରେ ପରିବର୍ତ୍ତନ କରାଗଲା। ଏହା ସହ ରୋହଙ୍କୁ ମଧ୍ୟ ସାଢ଼େ ୨୨ ବର୍ଷ ଜେଲ ଦଣ୍ଡ ସଜା ମିଳିଥିଲା। ଏହାପରେ ଉଭୟ ଦୁଇ ବର୍ଷ ସଜା କାଟିବା ପରେ ତାଙ୍କୁ କ୍ଷମା କରିଦିଆଯାଇଥିଲା। .
ପାର୍କ ଚୁଙ୍ଗ ହି
୨୬ ଅକ୍ଟୋବର ୧୯୭୯ରେ ପାର୍କ ଚୁଙ୍ଗଙ୍କୁ ତାଙ୍କ ଗୁଇନ୍ଦା ମୁଖ୍ୟଙ୍କ ଦ୍ୱାରା ହତ୍ୟା କରାଯାଇଥିଲା। ରାତ୍ରିଭୋଜନ ସମୟରେ ତାଙ୍କୁ ହତ୍ୟା କରାଯାଇଥିଲା। ତାଙ୍କ ମୃତ୍ୟୁ ପରେ ସେନା ଜେନେରାଲ ଚୁନ ଡୁ ହ୍ୱାନ ଓ ରୋହ ତାଏ ବୁ କ୍ଷମତା ଦଖଲ କରିବାକୁ ଉଦ୍ୟମ କରିଥିଲେ। ସେତେବେଳେ ଏହି ଘଟଣା ଦକ୍ଷିଣ କୋରିଆର ଚର୍ଚ୍ଚାର ବିଷୟ ପାଲଟିଥିଲା।
ୟୁନ ପୋ ସନ
୧୯୬୧ରେ ରାଷ୍ଟ୍ରପତି ୟୁନଙ୍କୁ ସେନା ଅଧିକାରୀ ପାର୍କ ଚୁଙ୍ଗ ହି ସାମରିକ ବିଦ୍ରୋହ ଦ୍ୱାରା କ୍ଷମତାଚ୍ୟୁତ କରିଥିଲେ। ୟୁନ ଯଦିଓ ପଦରେ ରହିଥିଲେ କିନ୍ତୁ ସରକାରକୁ ପ୍ରକୃତରେ ପାର୍କ ନିୟନ୍ତ୍ରଣ କରୁଥିଲେ। ଏହାପରେ ୧୯୬୩ରେ ନିର୍ବାଚନ ଜିତି ୟୁନଙ୍କ ସ୍ଥାନରେ ରାଷ୍ଟ୍ରପତି ହୋଇଥିଲେ ପାର୍କ।
ସିଙ୍ଗମନ୍ ରି
ଦକ୍ଷିଣ କୋରିଆର ପ୍ରଥମ ରାଷ୍ଟ୍ରପତି ସିଙ୍ଗମନ ୧୯୪୮ରେ ନିର୍ବାଚିତ ହୋଇଥିଲେ। ୧୯୬୦ରେ ଛାତ୍ର ସଙ୍ଗଠନର ବିଦ୍ରୋହରେ ପଦ ଛାଡ଼ିବାକୁ ବାଧ୍ୟ ହୋଇଥିଲେ ସିଙ୍ଗମନ୍। ଅତିଷ୍ଠ ହୋଇ ଇସ୍ତଫା ଦେଇଥିଲେ ସିଙ୍ଗମନ। ଇସ୍ତଫା ପରେ ରିଙ୍କୁ ହୱାଇ ଦ୍ୱୀପରୁ ନିର୍ବାସିତ କରାଗଲା। ୧୯୬୫ରେ ରିଙ୍କ ମୃତ୍ୟୁ ହୋଇଥିଲା।