ପାକିସ୍ତାନ ଜନ୍ମରୁ ଭାରତ ସହିତ ଶତ୍ରୁତା ରକ୍ଷା କରି ଆସିଛି। ପଡ଼ୋଶୀ ହୋଇଥିଲେ ବି ବେଆଇନ ଭାବେ ଆମ ଦେଶରେ ପ୍ରବେଶ କରି ଆମ ଦେଶର ନାଗରିକଙ୍କୁ ହତ୍ୟା କରିବା ଏହାର ପ୍ରମୁଖ କାମରେ ପରିଣତ ହୋଇଛି। ଭାରତରେ ଅଶାନ୍ତି, ଉତ୍ତେଜନା ଓ ହିଂସା ପ୍ରସାରଣରେ ଏକ ପ୍ରମୁଖ ଭୂମିକା ନେବାକୁ ଚାହିଁଛି। ଏ ଭିତରେ ଭାରତ ସହ ୪ଥର ସାମ୍ନାସାମ୍ନି ଯୁଦ୍ଧ ଲଢ଼ି ସବୁଥିରେ ପାକିସ୍ତାନ ପରାଜିତ ହୋଇଛି। ପାକିସ୍ତାନ ତା’ର ହିଂସା ନୀତିକୁ ତ୍ୟାଗ କରିବା ତଥା ଯୁଦ୍ଧ ବଦଳରେ ଶାନ୍ତିକୁ ଗ୍ରହଣ କରି ବିକାଶ ରାସ୍ତାରେ ଚାଲିବାକୁ ଆଗ୍ରହ ପ୍ରକାଶ କରୁନାହିଁ। ଏହାସହ ଆତଙ୍କବାଦୀଙ୍କ ମାଧ୍ୟମରେ ଛାୟାଯୁଦ୍ଧ କରିଛି ପାକିସ୍ତାନ।
ଏବେ କାଶ୍ମୀରରେ ନିରୀହ ପର୍ଯ୍ୟଟକଙ୍କୁ ଧର୍ମ ଭିତ୍ତିରେ ଟାର୍ଗେଟ୍ କରି ୨୬ ଜଣଙ୍କୁ ମାରିବା ଏହି ଯୁଦ୍ଧରେ ଆଉ ଏକ ଅଧ୍ୟାୟ ଯୋଡ଼ିଛି, ତାହା ହେଲା ଭାରତରେ ହିନ୍ଦୁଙ୍କ ବିରୁଦ୍ଧରେ ଯୁଦ୍ଧ। ଆଉ ଏହାର ସୂତ୍ରଧର ହେଉଛନ୍ତି ପାକିସ୍ତାନ ସେନାଧ୍ୟକ୍ଷ ଜେନେରାଲ ଆସିମ୍ ମୁନୀର। ଭାରତ ଯଦିଓ ଏହି ଆକ୍ରମଣର ଉଚିତ ଜବାବ ଦିଆଯିବ ବୋଲି କହିଛି, କିନ୍ତୁ କେମିତି ଏ ଜବାବ ହେବ? ଏ ଯୁଦ୍ଧ ରକ୍ତାକ୍ତ ହେବ ନା ଅର୍ଥନୀତିକ ଓ କୂଟନୀତିକ ଯୁଦ୍ଧରେ ସୀମିତ ରହିବ? ଯଦି ଏହା ଗୁଳି ଓ ବାରୁଦର ଯୁଦ୍ଧ ହୁଏ ତେବେ ଏହାର ରୂପ କିପରି ହେବ? ଏ ଆଶଙ୍କା ଓ ପ୍ରଶ୍ନ ଭିତରେ କେବଳ ଭାରତ ବା ପାକିସ୍ତାନବାସୀ ନାହାନ୍ତି ବରଂ ସାରାବିଶ୍ୱ ଆତଙ୍କିତ ରହିଛି।
୧୯୪୭ରେ ଭାରତଠାରୁ ଅଲଗା ହୋଇ ମୁସ୍ଲିମ ଲିଗ୍ ଏକ ଦେଶ ଗଠନ କଲା ତାହାର ନାଁ ରହିଲା ପାକିସ୍ତାନ। ଧର୍ମ ଆଧାରରେ ଏହି ଦେଶ ଗଠନ ହୋଇଥିଲା। ଆଉ ଆଜି ୭୮ ବର୍ଷ ପରେ ସେଇ ଧର୍ମକୁ ଆଧାର କରି ଅବକ୍ଷୟମୁଖୀ ହୋଇ ଚାଲିଛି ପାକିସ୍ତାନ। ଏ ଭିତରେ ଭାରତ ସହ ୪ଟି ଯୁଦ୍ଧ ଲଢ଼ିଛି ପାକିସ୍ତାନ। ପ୍ରଥମ ଯୁଦ୍ଧ ଜାମ୍ମୁ କାଶ୍ମୀର ରାଜ୍ୟକୁ ନେଇ। ଦ୍ୱିତୀୟ ଯୁଦ୍ଧ ୧୯୬୫ରେ ସୀମାକୁ ନେଇ। ୧୯୭୧ରେ ବାଂଲାଦେଶ ମୁକ୍ତି ସଂଗ୍ରାମ ଏବଂ ଚତୁର୍ଥରେ ୧୯୯୯ କାର୍ଗିଲ୍ ଯୁଦ୍ଧ। ଏ ସବୁ ଯୁଦ୍ଧରେ ଗୋଟିଏ ଜିନିଷ ସ୍ପଷ୍ଟ। ତାହା ହେଲା, ପାକିସ୍ତାନର ପରାଜୟ। ତଥାପି ଆଉ ଏକ ଯୁଦ୍ଧର ଆଶଙ୍କା, ଏକ ନୂଆ ପ୍ରସଙ୍ଗକୁ ନେଇ। ଏଥର ସୀମାରେଖା ବା କାଶ୍ମୀର ମୂଳ ପ୍ରସଙ୍ଗ ନୁହେଁ, ଏଥର ପ୍ରସଙ୍ଗ ହିନ୍ଦୁଙ୍କୁ ମୁସଲମାନଙ୍କ ଶତ୍ରୁ ବୋଲି ବିଚାର କରିବା।
କିଛିଦିନ ତଳେ ଏପ୍ରିଲ ୧୬ ତାରିଖରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସୀମ ମୁନିର ଏକ ବୟାନ ଦେଇଥିଲେ। ଏଥିରେ ଦୁଇରାଷ୍ଟ୍ର ତତ୍ତ୍ୱକୁ ସେ ଉଲ୍ଲେଖ କରିଥିଲେ। କାହିଁକି ଭାରତ ଦୁଇଟି ରାଷ୍ଟ୍ରରେ ବିଭକ୍ତ ହେଲା ତାହା ହେଲା ଜିନ୍ନାଙ୍କ ଦୁଇରାଷ୍ଟ୍ର ତତ୍ତ୍ୱ। ଏହାକୁ ଉଲ୍ଲେଖ କରି ସେ କହିଛନ୍ତି ଯେ, ଆମ ପୂର୍ବପୁରୁଷ ଜାଣିଥିଲେ ଯେ ଆମେ ହିନ୍ଦୁଙ୍କଠାରୁ ଭିନ୍ନ। ଆମର ଜୀବନଶୈଳୀ ତାଙ୍କଠାରୁ ସବୁ କ୍ଷେତ୍ରରେ ଅଲଗା। ଆମ ଧର୍ମ ଅଲଗା। ଆମ ପରମ୍ପରା, ପ୍ରଥା ସବୁକିଛି ଅଲଗା। ଆଉ ଏହା ହେଉଛି ଦୁଇରାଷ୍ଟ୍ର ତତ୍ତ୍ୱର ମୂଳଆଧାର। ପାକିସ୍ତାନର ସେନାମୁଖ୍ୟମାନେ ଭାରତ ବିରୋଧୀ ମନ୍ତବ୍ୟ ରଖିବା କିଛି ନୂଆକଥା ନୁହେଁ, କିନ୍ତୁ ହିନ୍ଦୁ-ବିରୋଧୀ ମତ ରଖିବା ଏହି ଇତିହାସରେ ନୂଆ ଅଧ୍ୟାୟ ସୃଷ୍ଟି କରିଛି।
ଜେନେରାଲ ଆସୀମଙ୍କ ଏହି ହିନ୍ଦୁ ବିରୋଧୀ ବୟାନର ଏକ ସପ୍ତାହ ମଧ୍ୟରେ କାଶ୍ମୀରରେ ଧର୍ମ ପଚାରି ୨୬ ଜଣଙ୍କୁ ପର୍ଯ୍ୟଟକଙ୍କୁ ହତ୍ୟା କରାଗଲା। ଯାହା ପୂର୍ବରୁ କେବେ ହୋଇନଥିଲା। ଲସ୍କର-ଏ-ତୋଇବାର ଏକ ସଂଗଠନ ରେଜିଷ୍ଟାନ୍ସ ଫ୍ରଣ୍ଟ୍ ଏହି ଆକ୍ରମଣର କାରଣ ବୋଲି ଦାବି କରିଛି। କିନ୍ତୁ ପାକିସ୍ତାନ ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଛି।
ଯାହା ବି ହେଉ ଭାରତ ଏହି ଆତଙ୍କୀଙ୍କୁ ଚିହ୍ନଟ କରିବ, ସେମାନଙ୍କ ଗତିବିଧି ନିର୍ଦ୍ଧାରଣ କରିବ ଏବଂ ଦଣ୍ଡିତ କରିବ ବୋଲି ସ୍ପଷ୍ଟ କରିଛି। ପାତଳରେ ଥିଲେ ବି ଆତଙ୍କବାଦୀଙ୍କୁ ଏବଂ ସେମାନଙ୍କ ପୁଷ୍ଠପୋଷକଙ୍କୁ ଖୋଜି ବାହାର କରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛି। ଖାଲି ସେତିକି ନୁହେଁ ଭାରତର ପ୍ରତିଟି ପଦକ୍ଷେପକୁ ବିରୋଧୀ ଦଳ ସମର୍ଥନ କରିବ। ଏହା ଭାରତୀୟ ଗଣତନ୍ତ୍ରର ଏକ ସୁନ୍ଦର ପରିପାଟୀ ଯେ ବିପଦ ଓ ଯୁଦ୍ଧ ସମୟରେ ସବୁଦଳ ଏକାଠି ହୁଅନ୍ତି, ସବୁ ବର୍ଗ, ସବୁ ଧର୍ମ ସବୁ ଜନତା ଏକାଠି ହୁଅନ୍ତି ଓ ଶତ୍ରୁଙ୍କୁ ଜବାବ ଦିଅନ୍ତି। ଆଜି ତାହାର ଆଭାସ ଆଉଥରେ ଦେଖିବାକୁ ମିଳୁଛି।
ବିଶ୍ୱର ଏକମାତ୍ର ହିନ୍ଦୁ ବହୁଳ ଧର୍ମ ନିରପେକ୍ଷ ରାଷ୍ଟ୍ର ହେଉଛି ଭାରତ। ବିକାଶକୁ ରାଷ୍ଟ୍ରଗଠନର ମୂଳମନ୍ତ୍ରଭାବେ ଗ୍ରହଣ କରିଥିବା ଭାରତ ଆଜି ପାକିସ୍ତାନଠାରୁ ଅନେକ ଆଗରେ। ବିଜ୍ଞାନ, ଯୋଗାଯୋଗ, ଅର୍ଥନୀତି ହେଉ ଅବା ପ୍ରତିରକ୍ଷା ଅଥବା ମାନବ ସମ୍ବଳ ବିକାଶ ହାର- କୌଣସି କ୍ଷେତ୍ରରେ ଭାରତର ସମକକ୍ଷ ହେବାର ଯୋଗ୍ୟତା ରଖି ନାହିଁ ପାକିସ୍ତାନ। ତଥାପି ଭାରତ ବିରୁଦ୍ଧରେ ଯୁଦ୍ଧ ଉସକାଇବା ଏହାର ନେତୃତ୍ୱଙ୍କ ଚରିତ୍ରକୁ ସ୍ପଷ୍ଟ କରୁଛି। ଭାରତରୁ ପାଣି ନେଲେ ପାକିସ୍ତାନରେ ଚାଷ ହେବ ବୋଲି ଜାଣିଛି ପାକିସ୍ତାନ। ସେଥିପାଇଁ ଯେତେବଳେ କୂଟନୀତିକ ସ୍ତରରେ ଭାରତ ସିନ୍ଧୁ ନଦୀ ଚୁକ୍ତିକୁ ବାତିଲ କରୁଛି ସେତେବଳେ ଏହାକୁ ଯୁଦ୍ଧ ସହ ତୁଳନା କରୁଛି ପାକିସ୍ତାନ।
ଏହା ପ୍ରତ୍ୟକ୍ଷ ଯୁଦ୍ଧ ନୁହେଁ, କିନ୍ତୁ ଯେମିତି ବାଣିଜ୍ୟ ଓ ଯୋଗାଯୋଗ ବନ୍ଦ କରି ଭାରତ ପାକିସ୍ତାନ ସରକାର ଉପରେ ଚାପ ପ୍ରୟୋଗ କରିବାରେ ସଫଳ ହୋଇଛି ଠିକ୍ ସେମିତି ଅର୍ଥନୀତିକୁ ତଳିତଳାନ୍ତ କରିବାରେ ସିନ୍ଧୁ ଚୁକ୍ତି ପ୍ରତିପାଦିତ ହେବ। ଅପରପକ୍ଷେ ସିନ୍ଧୁ ନଦୀ ଉପରେ ବନ୍ଧ ନିର୍ମାଣ କରି କାଶ୍ମୀରର ଚାଷଜମିକୁ ଜଳସେଚନ କରି ଅଧିକ ଅମଳ କରିବା ସମ୍ଭବ ହେବ। ଏହା ଭାରତର ଅର୍ଥନୀତିକୁ ଆହୁରି ମଜଭୁତ କରିବ। ଭାରତର ତୃତୀୟ ବୃହତ୍ ଅର୍ଥ ବ୍ୟବସ୍ଥା ଆଡ଼କୁ ଯାତ୍ରା ସୁଗମ ହେବ।
ଏହାର ଜବାବରେ କେବେ ସିମଲା ଚୁକ୍ତି ରଦ୍ଦ ହୋଇନପାରେ। କାରଣ ସିମଲା ଚୁକ୍ତି ଦୁଇ ଦେଶ ଭିତରେ ଶାନ୍ତି ସ୍ଥାପନ ପାଇଁ ସୀମା ନିର୍ଦ୍ଧାରଣର ଏକ ରାଜିନାମା। ଏଥିରେ କୌଣସି ଦେଶ ସୀମା ଉଲ୍ଲଂଘନ ନ କରିବା, ସୀମାପାର କାରବାରରେ ହସ୍ତକ୍ଷେପ ନ କରିବା ପ୍ରଭୃତି ଉଲ୍ଲେଖ କରେ। କିନ୍ତୁ ପାକିସ୍ତାନର ଆଚରଣ ଓ ଉଚ୍ଚାରଣ ଦେଖିଲେ ଏ ଚୁକ୍ତି ଅନେକ ଦିନ ଧରି ପରୋକ୍ଷଭାବେ ଉଲ୍ଲଂଘନ ହୋଇ ଆସୁଛି। ଏ ବିଷୟରେ ଭାରତ ମଧ୍ୟ ପୂର୍ବରୁ ବୟାନ ରଖିଛି। ଏଣୁ ଏହି ଚୁକ୍ତି ବାତିଲ ଭାରତ ଉପରେ କିଛି ପ୍ରଭାବ ପକାଇବ ନାହିଁ। ବରଂ ପାକିସ୍ତାନର ଏଭଳି ଆଚରଣକୁ ଜବାବ ଦେବା ଲାଗି ଗୁଇନ୍ଦା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ଆବଶ୍ୟକ ହେବ। ଯେଉଁଭଳି ଭାବେ ଧାରା ୩୭୦ ଉଚ୍ଛେଦ ପରେ ଭାରତ ଜମ୍ମୁ କାଶ୍ମୀରରେ ସୁରକ୍ଷାକୁ କଡ଼ାକଡ଼ି କରିଥିଲା ତାହାକୁ ଆଉ କିଛିବର୍ଷ ରକ୍ଷା କରିବାକୁ ପଡ଼ିବ। ସେଠାର ଲୋକଙ୍କ ମନରେ ଲୋକତନ୍ତ୍ର ପ୍ରତି ଆସ୍ଥା ବୃଦ୍ଧି କରିବାକୁ ହେବ। ଏସବୁରେ ମୋଦୀ ସରକାର ଅତ୍ୟନ୍ତ ସତର୍କତାର ସହ କାର୍ଯ୍ୟ କରୁଛନ୍ତି।
ଅର୍ଥାତ୍ ଭାରତ ସୀମାନ୍ତରରେ ପ୍ରତ୍ୟକ୍ଷ ଯୁଦ୍ଧ କରି ସମୟ ଏବଂ ଅର୍ଥ ଖର୍ଚ୍ଚ କରିବାକୁ କେବେ ଚାହିଁବ ନାହିଁ। ବରଂ ଏକ ପରିପକ୍ୱ ଗଣତନ୍ତ୍ରଭାବେ ଭାରତ ନିଜର ଅର୍ଥନୀତିକ ଓ ସାମାଜିକ ବିକାଶକୁ ଦୃଷ୍ଟିରେ ରଖିବ। ପାକିସ୍ତାନକୁ ଅର୍ଥନୀତିକ ପଙ୍ଗୁ କରିବାକୁ ଚାହିଁବ ଭାରତ। ଅର୍ଥାତ୍ ଆଗକୁ ଏପରି ଅନେକ କାର୍ଯ୍ୟକ୍ରମ ଗ୍ରହଣ କରିବ ଯେଉଁଥିରେ ପାକିସ୍ତାନ ଏକଘରକିଆ ହେବାକୁ ବାଧ୍ୟ ହେବ।
କିଛିଦିନ ପୂର୍ବେ ପାକିସ୍ତାନ ଇସ୍ଲାମିକ ରାଷ୍ଟ୍ର ସମବାୟ ସଂଘ ବା ଓଆଇସିର ୪୮ତମ ବୈଠକ ଆୟୋଜନ କରିଥିଲା। ବିଶ୍ୱର ୫୭ଟି ଇସ୍ଲାମିକ ରାଷ୍ଟ୍ର ଏହି ସଂଘର ସଦସ୍ୟ। ଏହି ରାଷ୍ଟ୍ରସଂଘର ଦୟାରେ ଚାଲୁଥିବା ପାକିସ୍ତାନ ତାଙ୍କରି ବଳରେ ଭାରତକୁ ଧର୍ମଭିତ୍ତିକ ଯୁଦ୍ଧ ରାଜନୀତିର ମାୟାଜାଲକୁ ଟାଣିବାକୁ ଚାହୁଁଛି। ଭାରତର ଆନ୍ତର୍ଜାତିକ ସମ୍ପର୍କ ଏବଂ ଭାବମୂର୍ତ୍ତି ଏବଂ ପରିପକ୍ୱତା କେବେ ଏପରି ମାୟାଜାଲରେ ଛନ୍ଦିବାକୁ ଦେବ ନାହିଁ। ଅର୍ଥାତ୍ ଗୁଳି ବାରୁଦର ଲଢ଼େଇ ନୁହେଁ, ଏ ଯୁଦ୍ଧ ଅର୍ଥନୀତିକ ଅବରୋଧ, ସାମାଜିକ ବିକାଶ ଏବଂ ଭାବମୂର୍ତ୍ତିର ଲଢ଼େଇ ହୋଇପାରେ।
Also readhttps://purvapaksa.com/pahalgam-attack-indus-water-treaty-clear/