Britishers looted India: ଅକ୍ସଫାମ୍ ରିପୋର୍ଟରେ କୁହାଯାଇଛି ଯେ ଯେତେବେଳେ ଗୁଲାମ ଦେଶଗୁଡ଼ିକ ସ୍ୱାଧୀନତା ହାସଲ କଲେ, ସେତେବେଳେ କ୍ଷମତା ସେମାନଙ୍କର କିଛି ମନୋନୀତ ସମ୍ପ୍ରଦାୟର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ବର୍ଣ୍ଣ ବ୍ୟବସ୍ଥାକୁ ବ୍ରିଟିଶମାନେ ବୈଧତା ଦେଇଥିଲେ ଏବଂ ଏହାକୁ ଆହୁରି ବିକୃତ କରିଥିଲେ।
ଭାରତ ଉପରେ ବ୍ରିଟେନ ଶାସନ ବରଦାନ ଥିଲା। ବ୍ରିଟିଶ ଶାସନଦ୍ୱାରା ଭାରତର ବିକାଶ ହୋଇଥିଲା। ଏଭଳି ବ୍ୟାଖ୍ୟାନ ପ୍ରଚଳିତ କରିବାରେ ବ୍ରିଟିଶ ଓ ସେମାନଙ୍କ ସମର୍ଥକ ଢେର ଆଗରେ ଅଛନ୍ତି। କିନ୍ତୁ ନିକଟରେ ପ୍ରକାଶିତ ଏକ ଗବେଷଣାତ୍ମକ ରିପୋର୍ଟରେ ବ୍ରିଟିଶ ଔପନିବେଶକ ଶାସନର ଏହି ମିଛର ପର୍ଦ୍ଧାଫାଶ କରାଯାଇଛି।
ଇଂରେଜ ଭାରତରେ ନିଜ ଶାସନ କାଳରେ ଏତେ ଟଙ୍କା ଲୁଟିଥିଲେ ଯେ ଲଣ୍ଡନ ସହରର ରାସ୍ତାରେ ୫୦ ପାଉଣ୍ଡ ନୋଟକୁ ୪ ଥର ବିଛାଇଲେ ମଧ୍ୟ କିଛି ବଳିଯିବ। ବିଶ୍ୱର ଶ୍ରେଷ୍ଠ ୧୦ଟି ଦେଶର ଅର୍ଥନୀତିକୁ ମିଶାଇଲେ ଯେତିକି ହେବ, ୧୩୫ ବର୍ଷ ଭିତରେ ବ୍ରିଟିଶମାନେ ଭାରତରୁ ତାହାଠାରୁ ଟଙ୍କା ଲୁଟ୍ କରିଛନ୍ତି। ଲୁଟ୍ ଟଙ୍କାରୁ ଅଧିକାଂଶ ବ୍ରିଟେନର ଧନୀମାନଙ୍କ ପକେଟକୁ ଯାଇଥିଲା। ଇଂରେଜମାନେ ଭାରତର ଅର୍ଥନୀତିର ଏତେ ଦୋହନ କରିଥିଲେ ଯେ ୧୯୦୦ ମସିହାବେଳକୁ ଏହା ଏକରକମ ମୃତବତ୍ ହୋଇଯାଇଥିଲା।
ନିକଟରେ ଅକ୍ସଫାମ୍ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଭାରତ ଲୁଟ୍ର ଏଭଳି ତଥ୍ୟ ସାମ୍ନାକୁ ଆସିଛି। ଅକ୍ସଫାମ୍ ହେଉଛି ଏକ ଅନ୍ତର୍ଜାତୀୟ ସଂଗଠନ ଯାହା ସାରାବିଶ୍ୱରେ ଦାରିଦ୍ର୍ୟ ଏବଂ ଅନ୍ୟାୟ ବିରୋଧରେ କାମ କରୁଥିବା ଦାବି କରେ। ଏହା ସହ ଜଡ଼ିତ ରିପୋର୍ଟ ମଧ୍ୟ ସମୟ ସମୟରେ ପ୍ରକାଶ କରିଥାଏ। ଏହି ରିପୋର୍ଟ ‘ଟେକରର୍ସ, ନୋଟ୍ ମେକର୍ସ’ ଶୀର୍ଷକରେ ପ୍ରକାଶ ପାଇଛି। ଏହି ରିପୋର୍ଟରେ ଇତିହାସରେ ଉପନିବେଶବାଦର ଏବଂ ଗରିବ ଦେଶଗୁଡ଼ିକ ଉପରେ ବର୍ତ୍ତମାନ ସମାନ ପ୍ରୟାସର ପ୍ରଭାବ ବିଷୟରେ ଆଲୋଚନା କରାଯାଇଛି। ଏହି ରିପୋର୍ଟରେ ଅନେକ ଆଶ୍ଚର୍ଯ୍ୟଜନକ ତଥ୍ୟ କୁହାଯାଇଛି।
ଭାରତରୁ ୬୫ ଟ୍ରିଲିୟନ ଡଲାର ଲୁଟ୍
ରିପୋର୍ଟ ଅନୁଯାୟୀ, ୧୭୬୫ରୁ ୧୯୦୦ ମଧ୍ୟରେ ଭାରତରୁ ଇଂଲଣ୍ଡକୁ ୬୪.୮୨ ଟ୍ରିଲିୟନ ଡଲାର (ପାଖାପାଖି ୫୫୨୫ ଲକ୍ଷ କୋଟି ଟଙ୍କା) ଯାଇଥିଲା। ସେହି ରିପୋର୍ଟରେ କୁହାଯାଇଛି ଯେ ଏହି ୬୪.୮୨ ଟ୍ରିଲିୟନ ଡଲାର ମଧ୍ୟରୁ ୩୩.୮ ଟ୍ରିଲିୟନ ଡଲାର (ପ୍ରାୟ ୨୮୭୩ ଲକ୍ଷ କୋଟି ଟଙ୍କା) ସେତେବେଳେ ୧୦% ଧନୀକ ବ୍ରିଟିଶଙ୍କ ପାଖକୁ ଯାଇଥିଲା। ଏହି ଧନୀ ବ୍ରିଟିଶମାନେ ଭାରତରୁ ଲୁଟ୍ ହୋଇଥିବା ସମ୍ପତ୍ତିର ୫୨% ପାଇଥିଲେ।
୫୦ ପାଉଣ୍ଡର ୪ ଥାକିଆ କାର୍ପେଟ୍
ଅକ୍ସଫାମ୍ ଅନୁସାରେ ୧୩୫ ବର୍ଷ ମଧ୍ୟରେ ବ୍ରିଟେନ ଯେତିକି ଟଙ୍କା ଭାରତରୁ ଲୁଟ୍ କରିଥିଲା, ସେହି ଟଙ୍କାକୁ ଯଦି ଲଣ୍ଡନ ସହରରେ ୫୦ ପାଉଣ୍ଡର ନୋଟରେ ବିଛାଯାଏ ତେବେ ୪ ଥାକିଆ କାର୍ପେଟ୍ ସୃଷ୍ଟି ହେବ। ଲଣ୍ଡନର ଆୟତନ ୧୫୭୨ ବର୍ଗ କିଲୋମିଟର। ଧନୀଙ୍କ ବ୍ୟତୀତ ଇଂଲଣ୍ଡର ନବଗଠିତ ମଧ୍ୟବିତ୍ତ ବର୍ଗ ଲୁଟ୍ ସମ୍ପତ୍ତିର ୩୨% ପାଇଥିଲେ। ଏହି ସମସ୍ତଙ୍କ ବଂଶଧରମାନେ ଏବେ ମଧ୍ୟ ଏହି ଟଙ୍କାକୁ ଉପଭୋଗ କରୁଛନ୍ତି।
ସେହି ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ବ୍ରିଟିଶମାନେ ଭାରତରୁ ଏତେ ଟଙ୍କା ଲୁଟି ନେଇଥିଲେ ଯେ ବିଶ୍ୱର ଶିଳ୍ପ ଉତ୍ପାଦନ (ଜିଆଇପି)ରେ ଏହାର ଅଂଶ ୨୫%ରୁ ୨%କୁ ଖସି ଆସିଥିଲା। ରିପୋର୍ଟ ଅନୁଯାୟୀ, ୧୭୫୦ ମସିହାରେ ଭାରତୀୟ ଉପମହାଦେଶର ବିଶ୍ୱର ଜିଆଇପିରେ ପ୍ରାୟ ୨୫% ଅଂଶ ଥିଲା। ତେବେ ୧୯୦୦ ବେଳକୁ ଏହି ସଂଖ୍ୟା ମାତ୍ର ୨ ପ୍ରତିଶତକୁ ଖସି ଆସିଥିଲା।
ଲୁଟ୍ ଟଙ୍କା ବଳରେ କରୁଥିଲେ ଶାସନ
ଇଂରେଜମାନେ ନିଜ ଲୁଟ୍କୁ ଲୁଚାଇବା ପାଇଁ ନିଜ ଶାସନ କାଳରେ ଭାରତକୁ ବିକଶିତ କରିଥିଲେ ବୋଲି ଲଗାତାର ମିଥ୍ୟା ପ୍ରଚାର କରି ଆସୁଛନ୍ତି। ବ୍ରିଟିଶ ରାଜର ସମର୍ଥକମାନେ ଦାବି କରନ୍ତି ଯେ ସେ ଭାରତରେ ତାଙ୍କ ଶାସନ କାଳରେ ଟ୍ରେନ୍ ଲାଇନ୍, ସଡ଼କ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା କ୍ଷେତ୍ରରେ କାମ କରିଥିଲେ ଏବଂ ବିନିଯୋଗ କରିଥିଲେ । କିନ୍ତୁ ଏହାର ସତ୍ୟତା ମଧ୍ୟ ଅକ୍ସଫାମ୍ ରିପୋର୍ଟରେ ସାମ୍ନାକୁ ଆସିଛି।
ଏହି ରିପୋର୍ଟ ଅନୁଯାୟୀ, ଭାରତରେ ବ୍ରିଟିଶ ଶାସନ କେବଳ ନଗ୍ନ ସାମରିକ ଶକ୍ତିଦ୍ୱାରା ପ୍ରତିଷ୍ଠା ହୋଇପାରିଥିଲା। ଭାରତରେ ଇଷ୍ଟ ଇଣ୍ଡିଆ କମ୍ପାନୀର ଶାସନ କାଳରେ ସେନା ଉପରେ ଖର୍ଚ୍ଚ ମୋଟ ଖର୍ଚ୍ଚର ପ୍ରାୟ ୭୫% ଥିଲା। ରିପୋର୍ଟରେ ଦର୍ଶାଯାଇଛି ଯେ ଜନସାଧାରଣଙ୍କ ସମସ୍ୟାର ସମାଧାନ ପାଇଁ ସେତେବେଳର ବ୍ରିଟିଶ ସରକାର ମାତ୍ର ୩% ଖର୍ଚ୍ଚ କରୁଥିଲେ।
ଜଳସେଚନ ବ୍ୟବସ୍ଥାର ମରାମତି କରିବାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିଫଳ ହେବା ଫଳରେ ଚାଷରେ ସମସ୍ୟା ଦେଖାଦେଇଥିଲା ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏହି ସବୁ କାରଣରୁ ଭାରତରେ ଦୁର୍ଭିକ୍ଷ ଦେଖାଦେଇଥିଲା ଏବଂ ସମସ୍ୟା ଗମ୍ଭୀର ରୂପ ନେଇଥିଲା ବୋଲି ରିପୋର୍ଟରେ ଦାବି କରାଯାଇଛି।
ଅକ୍ସଫାମ୍ ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଯେତେବେଳେ ପରାଧିନ ଦେଶଗୁଡ଼ିକ ସ୍ୱାଧୀନତା ହାସଲ କଲେ, ସେତେବେଳେ କ୍ଷମତା ସେମାନଙ୍କର କିଛି ମନୋନୀତ ସମ୍ପ୍ରଦାୟର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି ଯେ ବର୍ଣ୍ଣ ବ୍ୟବସ୍ଥାକୁ ବ୍ରିଟିଶମାନେ ବୈଧତା ଦେଇଥିଲେ ଏବଂ ଏହାକୁ ଆହୁରି ବିକୃତ କରିଥିଲେ।
ନିର୍ମଳାଙ୍କ ବଜେଟ ପେଡ଼ିରେ ବିଦ୍ୟାର୍ଥୀଙ୍କ ପାଇଁ କ’ଣ ଅଛି? ଶିକ୍ଷାଋଣ ହେବକି ସହଜ?
