ଲୋକଙ୍କ ମୁଖ୍ୟମନ୍ତ୍ରୀଭାବେ ରାଜ୍ୟରେ ଭାବମୂର୍ତ୍ତି ଗଢ଼ିବାକୁ ବିଜେପି ମୋହନ ଚରଣ ମାଝୀଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଛି। ଏ ଭିତରେ ପ୍ରଧାନମନ୍ତ୍ରୀ ଯେତେଥର ବି ଓଡ଼ିଶା ଆସିଛନ୍ତି ମୋହନଙ୍କୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ କହି ସମ୍ବୋଧନ କରିଛନ୍ତି। ଏ ଭାବମୂର୍ତ୍ତିକୁ ନିରନ୍ତର ରଖିବା ଲାଗି ମୁଖ୍ୟମନ୍ତ୍ରୀ ହେବା ପରଠାରୁ ପ୍ରତି ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ସାଧାରଣ ଲୋକଙ୍କ ଅଭିଯେଗା ଶୁଣାଣି ପାଇଁ ଉନ୍ମୁକ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଏ ଭିତରେ ୩୧ ସୋମବାର ଭିତରୁ ମାତ୍ର ୭ଟିରେ ଲୋକଙ୍କ ଅଭିଯୋଗ ଶୁଣିବାକୁ ସମୟ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ପୁଣି ଏ ଅଭିଯୋଗ ଶୁଣାଣୀକୁ ଦିନକୁ ଦିନ ଅଧିକ କଠୋର କରାଯାଇଛି। ସାଧାରଣ ଲୋକଙ୍କ ବଦଳରେ ପଞ୍ଜିକୃତ ଅଭିଯୋଗକାରୀଙ୍କୁ ଏଥିଲାଗି ସୁଯୋଗ ମିଳୁଛି। ତାହା ପୁଣି ଇଣ୍ଟନେଟ୍ ଜାଣିଥିବା, ସଚେତନ ଅଭିଯୋଗକାରୀଙ୍କୁ ହିଁ ଉଦ୍ଦିଷ୍ଟ ହୋଇଛି। ଅର୍ଥାତ୍ ଜନସାଧାରଣଙ୍କ ମୁଖ୍ୟମନ୍ତ୍ରୀ ଟ୍ୟାଗ୍ ହାସଲ କରିବାକୁ ଚାହୁଁଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କ୍ରମଶଃ ସଚେତନ ନାଗରିକଙ୍କ ଦୁଃଖ ଶୁଣିବାରେ ହିଁ ନିଜକୁ ସୀମିତ କରିଛନ୍ତି।
ଭୁବନେଶ୍ୱରର ୟୁନିଟ୍ ୫ ଅଭିଯୋଗ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଅନ୍ୟ ମନ୍ତ୍ରୀ ଓ ଅଫିସରଙ୍କ ଉପସ୍ଥିତିରେ ଜୁଲାଇ ୧ ତାରିଖରୁ ପ୍ରତି ସୋମବାର ଅଭିଯୋଗ ଶୁଣିବେ ବୋଲି ପ୍ରକାଶ କରିଥିଲେ। କିନ୍ତୁ ଆଜିକୁ ହିସାବ କଲେ ଏହି ସଂଖ୍ୟା ମାତ୍ର ୭ରେ ସୀମିତ ରହିଛି। ଝାଡ଼ଖଣ୍ଡରେ ନିର୍ବାଚନ ହେଉ ବା ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀଗସ୍ତ ଅଥବା ପୁଣି ବିଧାନସଭା ଅଧିବେଶନ କିମ୍ବା ରାଜ୍ୟକୁ ଅତିଥିଙ୍କୁ ସ୍ୱାଗତ ଯାହା ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି ସେତେବେଳେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଗୌଣ ବୋଲି ଚିନ୍ତା କରୁଛନ୍ତି ପ୍ରଶାସନ।
ପୁଣି ଡିସେମ୍ବର ୧୬ରୁ କେବଳ ୧୦୦୦ ପୂର୍ବ ନିର୍ଦ୍ଧାରିତ ତଥା ପଞ୍ଜିକୃତ ଅଭିଯୋଗକାରୀଙ୍କୁ ହିଁ ମୁଖ୍ୟମନ୍ତ୍ରୀଙ୍କ ସହ ଦେଖା ହେବାକୁ ସୁଯୋଗ ମିଳୁଛି। ଏହା କିପରିଭାବେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ପ୍ରତିଚ୍ଛବିକୁ ରକ୍ଷା କରିବ ତାହାକୁ ନେଇ ପ୍ରଶ୍ନ ଉଠିଛି। ଏହା ବଦଳରେ ଏହା ଭିଆଇପି ଅତିଥି, ବା ଶିଳ୍ପପତି ଓ ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟମନ୍ତ୍ରୀ ଛବିକୁ ଆପଣାଇବାକୁ ଯାଉଛନ୍ତି ବୋଲି ବି ଚର୍ଚ୍ଚା ହେଲାଣି।
ଏହି ଚର୍ଚ୍ଚା ଭିତରେ ଆସନ୍ତା ସୋମବାର ଫେବୃୟାରୀ ୩ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଅଭିଯୋଗ ଶୁଣିବେ ବୋଲି ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ସୂଚନା ଦେଇଛି। ଏଥିଲାଗି ଆଗ୍ରହୀମାନେ ଜାନୁଆରୀ ୩୧ ତାରିଖ ଦିବା ୧୧ ଘଟିକାଠାରୁ ପଞ୍ଜିକରଣ କରିପାରିବେ। ସର୍ବାଧିକ ୧୦୦୦ ଜଣ ଅନ୍ଲାଇନ୍ ପ୍ଲାଟଫର୍ମରେ ପଞ୍ଜୀକରଣ କରିବାର ବ୍ୟବସ୍ଥା ହୋଇଛି। ଜନଶୁଣାଣି ପୋର୍ଟାଲ- https://janasunani.odisha.gov.in/ ଅଥବା ଜନଶୁଣାଣି ମୋବାଇଲ ଆପ୍ଲିକେଶନ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ୍ କରିବା ପାଇଁ ପଞ୍ଜୀକରଣ କରିପାରିବେ ବୋଲି ସୂଚନା ଓଇ ଲୋକସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି।
ଜନସାଧାରଣ ପଞ୍ଜୀକୃତ ପ୍ରାପ୍ତି ସ୍ଵୀକାର ପତ୍ର ଏବଂ ବ୍ୟକ୍ତିଗତ ପରିଚୟ ପତ୍ର ତଥା ନିଜର ଅଭିଯୋଗ ପତ୍ର ସହ ଦର୍ଶାଯାଇଥିବା ସ୍ଥାନରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହି ନିଜର ଅଭିଯୋଗ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇପାରିବେ।
