ଗତ କିଛି ଦିନ ହେବ ଓଡ଼ିଶାର ରାଜନୈତିକ ବାତାବରଣ ସରଗରମ ରହିଛି। ଗୋଟିଏ ପଟେ ରାଜ୍ୟର ଅର୍ଥନୀତି, ଆଉ ଅନ୍ୟପଟେ ଆମ ମାଟିର ମୂଲ୍ୟବାନ ଖଣି ସମ୍ପଦ। ପ୍ରଶ୍ନ ଉଠୁଛି—ଆଜି ଓଡ଼ିଶାର ଅର୍ଥନୀତି କାହା ହାତରେ ସୁରକ୍ଷିତ? ଆଉ ଏହି ପ୍ରଶ୍ନକୁ ଆହୁରି ଜୋର୍ଦାର କରିଛନ୍ତି ଖୋଦ୍ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ।
କିଛି ଦିନ ପୂର୍ବରୁ ନବୀନ ପଟ୍ଟନାୟକ ସାମାଜିକ ଗଣମାଧ୍ୟମରେ ଏକ ଭାବପ୍ରବଣ ଏବଂ କଡ଼ା ଭାଷାରେ ବାର୍ତ୍ତା ଗତ କାଲି ଅର୍ଥାତ୍ ୧୯ ଅଗଷ୍ଟରେ ରଖିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ୍ ହୋଇଥିବା ‘MMDR Amendment Bill’ (ଖଣି ଏବଂ ଖଣିଜ ସଂଶୋଧନ ବିଲ୍) ଯୋଗୁଁ ଓଡ଼ିଶା ତଥା ଓଡ଼ିଶାବାସୀଙ୍କର ଅପୂରଣୀୟ କ୍ଷତି ହେବାକୁ ଯାଉଛି। ରାଜ୍ୟର ଅର୍ଥନୀତି ପୁଣି ବିପଦରେ ପଡ଼ିବ ଏବଂ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହ୍ରାସ ପାଇବ ବୋଲି ସେ ଦାବି କରିଛନ୍ତି।
ଯେତେବେଳେ ନବୀନ ପଟ୍ଟନାୟକ ନିଜର ୨୪ ବର୍ଷର ଶାସନ କାଳର ସଫଳତା ଏବଂ ଆର୍ଥିକ ଅନୁଶାସନର କଥା କହୁଛନ୍ତି, ସେତେବେଳେ ଇତିହାସର ସେହି କଳା ଅଧ୍ୟାୟଗୁଡ଼ିକୁ କିଏ ଭୁଲିପାରିବ, ଯାହାକୁ ନେଇ ଦେଶବ୍ୟାପୀ ହଟଚମଟ ସୃଷ୍ଟି ହୋଇଥିଲା?
ନବୀନ ପଟ୍ଟନାୟକଙ୍କ ଅଭିଯୋଗ ଓ ଓଡ଼ିଶାର ଆର୍ଥିକ ଚିତ୍ର
ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବାର୍ତ୍ତାରେ ପ୍ରକୃତରେ କ’ଣ କହିଛନ୍ତି? ତାଙ୍କ ମତରେ, ୨୦୦୦ ମସିହାରେ ଯେତେବେଳେ ବିଜେଡି ସରକାର କ୍ଷମତାକୁ ଆସିଥିଲା, ସେତେବେଳେ ଓଡ଼ିଶାର ଅର୍ଥନୀତି ଅତ୍ୟନ୍ତ ଦୟନୀୟ ଥିଲା। ସେତେବେଳେ ରାଜ୍ୟକୁ ଚଲାଇବା ପାଇଁ ଓଭରଡ୍ରାଫ୍ଟ ଉପରେ ନିର୍ଭର କରିବାକୁ ପଡ଼ୁଥିଲା। କିନ୍ତୁ କ୍ରମାଗତ ଆର୍ଥିକ ପରିଚାଳନା ଏବଂ ଖଣି ଟିକସର ସଠିକ୍ ଆଦାୟ ଯୋଗୁଁ ରାଜ୍ୟ ଅର୍ଥନୀତି ସୁଦୃଢ଼ ହୋଇଥିଲା। ୨୦୨୪ରେ ଯେତେବେଳେ ସରକାର ପରିବର୍ତ୍ତନ ହେଲା, ସେତେବେଳେ ସେମାନେ ୫୦ ହଜାର କୋଟି ଟଙ୍କାର ବଳକା ରାଜସ୍ୱ ଛାଡ଼ି ଯାଇଥିଲେ ବୋଲି ସେ ଦାବି କରିଛନ୍ତି।
ନବୀନ ପଟ୍ଟନାୟକଙ୍କ ଯୁକ୍ତି ଥିଲା ଯେ, ଓଡ଼ିଶାର କ୍ରୋମାଇଟ୍, ବକ୍ସାଇଟ୍, ଲୁହାପଥର, କୋଇଲା ଏବଂ ମାଙ୍ଗାନିଜ୍ ଭଳି ମୂଲ୍ୟବାନ ଖଣିଜ ପଦାର୍ଥ ଉପରେ ଏବେ ଯେଉଁ ନୂତନ କେନ୍ଦ୍ରୀୟ ଆଇନ ଆସିଛି, ତାହା ରାଜ୍ୟର ଅଧିକାରକୁ କ୍ଷୁର୍ଣ୍ଣ କରୁଛି। ତାଙ୍କ ଭାଷାରେ କହିବାକୁ ଗଲେ—
“ଆମ ଲୋକ ଧୂଳି-ଧୂଆଁ ସହିବେ, ଅଥଚ ଦିଲ୍ଲୀ ଦରବାର ଆମ ସମ୍ପଦରେ ସମୃଦ୍ଧ ହେବ—ଏହାକୁ ଆମେ କେବେ ବି ସହ୍ୟ କରିବୁ ନାହିଁ।”
ସେ ବିଜେପି ସରକାର ଏବଂ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ୨୦ ଜଣ ଲୋକସଭା ସାଂସଦଙ୍କୁ ମଧ୍ୟ କଟାକ୍ଷ କରିଛନ୍ତି ଯେ, ସେମାନେ ମାଟିର ସ୍ୱାର୍ଥ ପାଇଁ ପାଟି ଖୋଲୁନାହାନ୍ତି। ଏପରିକି ଏହି ବିଲ୍ ବିରୋଧରେ ଏକ ସର୍ବଦଳୀୟ ବୈଠକ ଏବଂ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।
ଅନ୍ୟପକ୍ଷର ଚିତ୍ର – ଓଡ଼ିଶାର ଖଣି ଦୁର୍ନୀତି ଏବଂ ଶାହା କମିଶନ ରିପୋର୍ଟ
କିନ୍ତୁ, ଗୋଟିଏ ପଟେ ଯେତେବେଳେ ନବୀନ ପଟ୍ଟନାୟକ ରାଜ୍ୟର ସ୍ୱାର୍ଥ ଏବଂ ଖଣି ସମ୍ପଦର ଦ୍ୱାହି ଦେଉଛନ୍ତି, ସେତେବେଳେ ରାଜନୈତିକ ସମୀକ୍ଷକ ଏବଂ ବିରୋଧୀମାନେ ପଚାରୁଛନ୍ତି—ଏହି ୨୪ ବର୍ଷର ଦୀର୍ଘ ଶାସନ କାଳରେ ଖଣି କ୍ଷେତ୍ରରେ ପ୍ରକୃତରେ କ’ଣ ସବୁ ହୋଇଥିଲା? କାହା ସମୟରେ ଓଡ଼ିଶାର ମାଟିରୁ ସମ୍ପଦ ଲୁଟ୍ ହୋଇଥିଲା? ୨୦୧୪ ପରଠାରୁ ୨୦୨୫ ମଧ୍ୟରେ କେନ୍ଦ୍ର ସରକାର ୫ଥର ଏମଏମଡିଆର ଆଇନକୁ ସଂଶୋଧନ କରାଯାଇଛି। ସେତେବେଳେ ଅନେକ ଅଧିକାରକୁ କେନ୍ଦ୍ର ସରକାର ରାଜ୍ୟଠାରୁ ଛଡ଼ାଇ ନେଇଛନ୍ତି। ଏହି ସଂଶୋଧନରେ ପ୍ରସପେକ୍ଟିଂ ଲାଇସେନ୍ସ, ମାଇନିଂ ଲିଜ୍ ଓ ଲିଜ୍ ନବୀକରଣ ଅଧିକାର ରାଜ୍ୟଠାରୁ ପ୍ରତ୍ୟାହାର କରିନେଇଛନ୍ତି। ତେଣୁ ପ୍ରଶ୍ନ ଉଠୁଛି ସେତେବେଳ ନବୀନ ପଟ୍ଟନାୟକ କାହିଁକି ଓ କେଉଁ ଭୟରେ ଚୁପ୍ ରହିଥିଲେ। କାହାକୁ ବଞ୍ଚାଇବା ପାଇଁ ଏସବୁ କଥା ଏବେ ନବୀନ ପଟ୍ଟନାୟକ କହୁଛନ୍ତି?
ଆସନ୍ତୁ ଟିକେ ପଛକୁ ଫେରି ଇତିହାସର ପୃଷ୍ଠା ଓଲଟାଇ ଦେଖିବା:
• ଶାହା କମିଶନ ଆକଳନ: ୧୯୯୭ ମସିହା ପରଠାରୁ ରାଜ୍ୟରେ ଖଣି ଦୁର୍ନୀତି ହୋଇଥିବା କଥା ପ୍ରଥମେ ବିଜେପି ବିଧାୟକମାନେ ୨୦୦୯ ପରେ ବିଧାନସଭାରେ ଉଠାଇଥିଲେ। କିନ୍ତୁ ବିଜେଡି ସରକାର ଏହାକୁ ଅସ୍ୱୀକାର କରିବାରୁ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ନିଯୁକ୍ତ ଜଷ୍ଟିସ୍ ଏମ୍.ବି. ଶାହା କମିଶନ ଏକ ବ୍ୟାପକ ତଦନ୍ତ କରିଥିଲେ। ଏହି ତଦନ୍ତରେ ରାଜ୍ୟ ରାଜକୋଷକୁ ପ୍ରାୟ ୬୦,୦୦୦ କୋଟି ଟଙ୍କାର ମୋଟ କ୍ଷତି ହୋଇଥିବା ଆକଳନ କରାଯାଇଥିଲା। ଆଉ ଏହି ଦୁର୍ନୀତିରେ ରାଜ୍ୟ ଶାସନରେ ଥିବା ଶୀର୍ଷ ନେତୃତ୍ୱ ଓ ପ୍ରଭାବଶାଳୀ ଅଧିକାରୀମାନେ ସମ୍ପୃକ୍ତ ଅଛନ୍ତି, ତେଣୁ ସିବିଆଇ ତଦନ୍ତ କରିବାକୁ ଶାହ କମିଶନ ସୁପ୍ରିମକୋର୍ଟଙ୍କୁ ସୁପାରିଶ କରିଥିଲେ। ଏହି ସିବିଆଇ ତଦନ୍ତ ଭୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏମଏମଡିଆର ଆଇନ ସଂଶୋଧନବେଳେ ମୁହଁ ଖୋଲୁନଥିଲେ। ଏବେ ସେ ଯାହା କହୁଛନ୍ତି ତାହା ଛଳନା ବ୍ୟତୀତ ଅନ୍ୟକିଛି ନୁହେଁ। କାରଣ ୨୦୧୨ ମସିହା ନଭେମ୍ବର ମାସରେ ଯେତେବେଳେ ଶାହ କମିଶନ କୋଇଡ଼ା ଅଞ୍ଚଳରେ ବିଭିନ୍ନ ଖଣିରେ ସରଜମିନ ତଦନ୍ତ କରୁଥିଲେ ସେହି ସମୟରେ ରାଜ୍ୟ ସରକାର ୧୦୪ଟି ଖଣି ଉପରେ ୬୭,୯୦୦ କୋଟି ଟଙ୍କାର ଜରିମାନା ଲଗାଇ ନୋଟିସ୍ ଦେଇଥିଲେ। ତତ୍କାଳୀନ ନବୀନ ପଟ୍ଟନାୟକଙ୍କ ସରକାର ଆଶଙ୍କା କରି ନେଇଥିଲେ ଯେ ଶାହ କମିଶନ ସିବିଆଇ ତଦନ୍ତ ପାଇଁ ନିଶ୍ଚୟ ସୁପାରିଶ କରିବେ। ତେଣୁ ସିବିଆଇ ତଦନ୍ତରୁ ବର୍ତ୍ତିବା ପାଇଁ ନବୀନ ପଟ୍ଟନାୟକଙ୍କ ସରକାର ଖଣି ମାଲିକଙ୍କ ବିରୋଧରେ ବେଆଇନ ଖନନ ପାଇଁ ଜରିମାନା ଲଗାଇଥିଲେ। ପରେ ଏହି ଜରିମାନାକୁ ଆଳ କରି ନବୀନ ପଟ୍ଟନାୟକଙ୍କ ସରକାର ସିବିଆଇ ତଦନ୍ତକୁ ବିରୋଧ କରିଥିଲା, ଏ କଥା ଇତିହାସ ପୃଷ୍ଠାରେ ଲିପିବଦ୍ଧ ହୋଇ ରହିଛି। ବିଜେଡି ସରକାର ଯେଉଁ ଖଣି ମାଲିକଙ୍କ ବିରୋଧରେ ଜରିମାନା ଲଗାଇଥିଲା ତାହା ମଧ୍ୟରୁ ଅନେକ ଖଣି ମାଲିକ ଏ ପର୍ଯ୍ୟନ୍ତ ପୈଠ କରିନଥିବା କୁହାଯାଉଛି।
• ୨୦୧୫ ମସିହାର ଏମଏମଡିଆର ଆଇନ ସଂଶୋଧନ ପରେ ଖଣି ଅଞ୍ଚଳର ବିକାଶ ପାଇଁ ଯେଉଁ ଡିଏମଏଫ୍ ଗଠନ କରାଯାଇଛି, ବିଜେଡି ଶାସନ କାଳରେ ତାର କିପରି ଅପବ୍ୟବହାର କରାଯାଉଛି ସେ ସମ୍ପର୍କରେ କୌଣସି ରାଜନୈତିକ ଦଳ ନୁହେଁ ସିଏଜି ଅଡିଟ୍ ରିପୋର୍ଟରେ ଦର୍ଶଯାଇଛି। ଏ କଥାକୁ କ’ଣ ମିଛ ବୋଲି ନବୀନ ପଟ୍ଟନାୟକ କହିପାରିବେ କି?
• ଅନ୍ୟପକ୍ଷରେ, ବିଜେପି ଭଳି ରାଜନୈତିକ ଦଳଗୁଡ଼ିକ ଏହି ଅନିୟମିତତା ପରିମାଣ ୫୯,୦୦୦ କୋଟିରୁ ଆରମ୍ଭ କରି ୮ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ ବୋଲି ଦାବି କରିଥିଲେ। ଏହି ଅନ୍ୟ କେହି ନୁହେଁ, ବରଂ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯେତେବେଳ ବିରୋଧୀ ଦଳରେ ଥିଲେ ଦାବି କରିଥିଲେ।
• ପ୍ରଭାବିତ ଜିଲ୍ଲା ଓ ମାଲାମାଲ୍ ଖଣି ମାଫିଆ: କେନ୍ଦୁଝର, ସୁନ୍ଦରଗଡ଼ ଏବଂ ଯାଜପୁର ଭଳି ଖଣିଜ ସମୃଦ୍ଧ ଜିଲ୍ଲାଗୁଡ଼ିକରେ ବେଆଇନ ଉତ୍ତୋଳନର ମହାଦୁର୍ନୀତି ଦେଖିବାକୁ ମିଳିଥିଲା। ଖଣି ଲିଜଧାରୀମାନେ ପରିବେଶଗତ ଏବଂ ଆଇନଗତ ମଞ୍ଜୁରୀର ସୀମାକୁ ଲଙ୍ଘି ଅତ୍ୟଧିକ ପରିମାଣର ଖଣିଜ ପଦାର୍ଥ ଉତ୍ତୋଳନ କରିଥିଲେ। କେବଳ ସେତିକି ନୁହେଁ ଲିଜ୍ ପାଇଥିବା ଖଣି ଅଞ୍ଚଳ ବାହାରେ ମଧ୍ୟ ଖନନ କାମ ହେଉଥିଲା। ଅନେକ ଲୁହାପଥର ଚୋରା ଚାଲାଣକାରୀମାନେ ମଧ୍ୟ ଲିଜ୍ ନ ଥାଇ ସରକାରୀ ଓଏମସି ଖଣିରୁ ଲୁହାପଥର ଖୋଳି ବିକ୍ରି କରୁଥିଲେ, ଯାହାକୁ ନବୀନ ପଟ୍ଟନାୟକଙ୍କ ସରକାର ଦେଖି ନ ଦେଖିଲା ଭଳି ଅଭିନୟ କରୁଥିଲେ।
• ଜଙ୍ଗଲ ଆଇନର ଉଲ୍ଲଂଘନ: ମୋଟ ୯୫ଟି ଖଣି ମଧ୍ୟରୁ ପ୍ରାୟ ୪୭ଟି ଖଣି ଆବଶ୍ୟକୀୟ ଜଙ୍ଗଲ ମଞ୍ଜୁରୀ ବିନା ସିଧାସଳଖ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା। ଏହାଦ୍ୱାରା ସ୍ଥାନୀୟ ପରିବେଶ ଏବଂ ସେଠାକାର ଆଦିବାସୀମାନଙ୍କ ବାସସ୍ଥାନ ଗୁରୁତର ଭାବେ ନଷ୍ଟ ହୋଇଥିଲା। ସ୍ଥାନୀୟ ପ୍ରଶାସନ ଓ ଖଣି ବିଭାଗର ଅଧିକାରୀମାନେ ମଧ୍ୟ ଆଖି ବୁଜି ଦେଇଥିବା ଅଭିଯୋଗ ହୋଇଥିଲା।
• ଇଡି (ED) ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ଏହି ମାମଲାରେ ମନି ଲଣ୍ଡରିଂ ମାମଲା ପଞ୍ଜିକୃତ କରିଥିଲା। ଚମ୍ପୁଆର ଜଣେ ପୂର୍ବତନ ସ୍ୱାଧୀନ ବିଧାୟକଙ୍କ ସମେତ ଅନେକ ପ୍ରମୁଖ ଅପରାଧୀଙ୍କ କୋଟି କୋଟି ଟଙ୍କାର ସମ୍ପତ୍ତି ଆଟାଚ୍ କରାଯାଇଥିଲା। ବିଜେଡିର କିଛି ନେତା ଓ ବିଧାୟକ ମଧ୍ୟ ଏହି ତଦନ୍ତ ପରିସରକୁ ଆସିଥିଲେ। ଯାଜପୁରର ଚର୍ଚ୍ଚିତ ଡଙ୍କାରୀ ପାହାଡ଼ ଖଣି ଦୁର୍ନୀତି (ପ୍ରାୟ ୪,୦୦୦ କୋଟି ଟଙ୍କା) ମଧ୍ୟ ସ୍ଥାନୀୟ ବିଜେଡି ନେତୃତ୍ୱ ସହିତ ଜଡ଼ିତ ଥିବା ଅଭିଯୋଗ ହୋଇଥିଲା। ସୁପ୍ରିମକୋର୍ଟ ମଧ୍ୟ ବାକି ଥିବା ଅନାଦେୟ ବକେୟା ଆଦାୟରେ ବିଳମ୍ବ ଉପରେ ସରକାରଙ୍କୁ ପ୍ରଶ୍ନ କରିଥିଲେ।
ଏହି ଖଣି ମାମଲା ପରେ ଆଇନଗତ ପ୍ରକ୍ରିୟା ମଧ୍ୟ ଚାଲିଥିଲା
• ୨୦୧୭ରେ ସୁପ୍ରିମକୋର୍ଟ ୧୩୩ ଜଣ mining lease holderଙ୍କ ଉପରେ excess ଏବଂ illegal mining ସମ୍ପର୍କିତ ମୋଟ ₹୧୮,୫୨୬ କୋଟି penalty ନେଇ ଆଦେଶ ଦେଇଥିଲେ ବୋଲି ରିପୋର୍ଟ ରହିଛି।
• ୨୦୨୩ରେ ଓଡ଼ିଶା ସରକାରଙ୍କ ତଥ୍ୟ ଅନୁସାରେ ୧୦୭ lease holder ପ୍ରାୟ ₹୧୫,୫୬୧ କୋଟି ଦେଇଥିଲେ, ଯେତେବେଳେ ୨୬ ଜଣଙ୍କ ଠାରୁ ପ୍ରାୟ ₹୨,୯୬୫ କୋଟି ଆଦାୟ ବାକି ଥିଲା।
ତେଣୁ ଏଠାରେ ପ୍ରଶ୍ନ ଉଠେ—
• ଯଦି ଏତେ ବଡ଼ ଅନିୟମିତତା ଚିହ୍ନଟ ହୋଇଥିଲା, ତେବେ ନିରୀକ୍ଷଣ ବ୍ୟବସ୍ଥା କେଉଁଠି ଥିଲା?
• କେବଳ mining company ଦୋଷୀ ଥିଲା?
• ନା ପ୍ରଶାସନିକ ବ୍ୟବସ୍ଥାରେ ମଧ୍ୟ ତ୍ରୁଟି ଥିଲା?
• ଏହା ହେଉଛି ସେହି ପ୍ରଶ୍ନ ଯାହାର ଉତ୍ତର ଓଡ଼ିଶାବାସୀ ଆଜି ମଧ୍ୟ ଚାହାନ୍ତି।
ପ୍ରଶାସନିକ ପଦକ୍ଷେପ ଏବଂ ବର୍ତ୍ତମାନର ରାଜନୈତିକ ପରିସ୍ଥିତି
ତେବେ ଏହା ମଧ୍ୟ ସ୍ୱୀକାର କରିବାକୁ ପଡ଼ିବ ଯେ, ବିଜେଡି ସରକାର ସମୟରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ‘i3MS’ (ଇଲେକ୍ଟ୍ରୋନିକ୍ ଯାଞ୍ଚ ବ୍ୟବସ୍ଥା) କାର୍ଯ୍ୟକାରୀ କରାଯାଇଥିଲା ଏବଂ କିଛି ତ୍ରୁଟିପୂର୍ଣ୍ଣ କମ୍ପାନୀଙ୍କଠାରୁ ବିପୁଳ ଜରିମାନା ମଧ୍ୟ ଆଦାୟ କରାଯାଇଥିଲା ବୋଲି ସେମାନେ ଦାବି କରିଆସୁଛନ୍ତି।
କିନ୍ତୁ ୨୦୨୪ରେ ଓଡ଼ିଶାରେ ରାଜନୈତିକ ପରିବର୍ତ୍ତନ ହେଲା ଏବଂ ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିଲା। ନୂତନ ସରକାର ଆସିବା ପରେ ପୂର୍ବର ଖଣି ଦୁର୍ନୀତି ଏବଂ ବେଆଇନ କାରବାରକୁ ନେଇ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଛି। ବିଜେପି ସାଂସଦମାନେ ଲୋକସଭାରେ ନିୟମ ୩୭୭ ଅନୁଯାୟୀ ଏହି ପ୍ରସଙ୍ଗକୁ ବାରମ୍ବାର ଉଠାଇ ଖଣି ମାଫିଆଙ୍କୁ ସୁରକ୍ଷା ଦେଇଥିବା ରାଜନୈତିକ ଉଚ୍ଚବର୍ଗଙ୍କୁ ଦଣ୍ଡ ଦେବା ପାଇଁ ସିବିଆଇ ତଦନ୍ତ ଦାବି କରୁଛନ୍ତି।


