Maoist: ବୋକାରୋର ଲୁଗୁ ପାହାଡ ଅଞ୍ଚଳରେ ସିଆରପିଏଫ, ଝାଡ଼ଖଣ୍ଡ ପୁଲିସର ମିଳିତ ଅପରେସନ। ୧ କୋଟି ପୁରସ୍କାର ଥିବା କେନ୍ଦ୍ରୀୟ କମିଟି ସଦସ୍ୟ ବିବେକଙ୍କ ବି ସଫା।
ଛତିଶଗଡ଼ ପରେ ଏବେ ସୁରକ୍ଷାବହିନୀଙ୍କ ଟାର୍ଗେଟରେ ଝାଡ଼ଖଣ୍ଡ। ଦେଶରୁ ନକ୍ସଲବାଦ ହଟାଇବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନେଇଥିବା ପଦକ୍ଷପ ସ୍ୱରୂପ ଝାଡ଼ଖଣ୍ଡର ବୋକାରୋ ଜିଲ୍ଲାର ଲୁଗୁ ପାହାଡ଼ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ସିପିଆଇ (ମାଓବାଦୀ)ର କେନ୍ଦ୍ରୀୟ କମିଟି ସଦସ୍ୟ ବିବେକଙ୍କ ସମେତ ଅନ୍ୟୂନ ୮ ଜଣ ମାଓବାଦୀ ନିହତ ହୋଇଛନ୍ତି। ବିବେକଙ୍କ ମୁଣ୍ଡରେ ୧ କୋଟି ଟଙ୍କାର ପୁରସ୍କାର ରାଶି ଥିଲା। ଗୁଳି ବିନିମୟରେ ଏତେ ପରିମାଣର ପୁରସ୍କାର ଥିବା ମାଓବାଦୀଙ୍କ ମୃତ୍ୟୁ ହେବା ଏହା ପ୍ରଥମ ଘଟଣା ବୋଲି ଅଧିକାରୀମାନେ କହିଛନ୍ତି।
ଝାଡ଼ଖଣ୍ଡ ପୁଲିସ ଓ ସିଆରପିଏଫର କମାଣ୍ଡୋ ବାଟାଲିୟନ ଫର ରିଜୋଲୁଟ୍ ଆକ୍ସନ (କୋବ୍ରା)ର ମିଳିତ ଅପରେସନ ସମୟରେ ଏହି ଅଞ୍ଚଳରେ ମାଓ ଗତିବିଧି ସମ୍ପର୍କରେ ଗୁଇନ୍ଦା ସୂଚନା ମିଳିବା ପରେ ଏହି ଏନକାଉଣ୍ଟର ହୋଇଥିଲା। ପୁଲିସ ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ସାଢ଼େ ୫ଟା ବେଳେ ମାଓବାଦୀମାନେ ସେନା ଉପରକୁ ଗୁଳି ଚଳାଇବାରୁ ଏହାର ଦୃଢ ଜବାବ ଦିଆଯାଇଥିଲା।
ସମସ୍ତ ୮ ମୃତକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ପୁଲିସ ଘଟଣାସ୍ଥଳରୁ ଗୋଟିଏ ଏକେ ସିରିଜ୍ ରାଇଫଲ, ଗୋଟିଏ ଏସଏଲଆର, ୩ଟି ଇନସାସ ରାଇଫଲ, ଗୋଟିଏ ପିସ୍ତଲ ଓ ୮ଟି ଦେଶୀ ରାଇଫଲ ସମେତ ଅନେକ ଅସ୍ତ୍ରଶସ୍ତ୍ର ଜବତ କରିଛି। ଏଥିରେ ସୁରକ୍ଷାବାହିନୀ ପକ୍ଷରୁ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି।
ମୃତକଙ୍କ ମଧ୍ୟରେ ବରିଷ୍ଠ ମାଓନେତା ଅରବିନ୍ଦ ଯାଦବ (୨୫ ଲକ୍ଷ ଟଙ୍କା) ଓ ସାହେବ ରାମ ମାଝୀ (୧୦ ଲକ୍ଷ ଟଙ୍କାର ପୁରସ୍କାର ରାଶି) ଅଛନ୍ତି। ଅଧିକାରୀମାନେ କହିଛନ୍ତି ଯେ ଏହି ଘଟଣା ଝୁମରା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତିକୁ ଗୁରୁତର ଭାବରେ ପ୍ରଭାବିତ କରିଛି, ଯେଉଁଠାରେ ଏହି ଗୋଷ୍ଠୀ ସକ୍ରିୟ ଥିଲା ଏବଂ ଏହି ଅଞ୍ଚଳରେ ସମସ୍ତ ବିଦ୍ରୋହୀ କାର୍ଯ୍ୟକଳାପ ପ୍ରାୟ ବନ୍ଦ ହୋଇଯାଇଥିଲା।
ଏନକାଉଣ୍ଟର ସମୟରେ ଫେରାର ହୋଇଯାଇଥିବା ଅନ୍ୟମାନଙ୍କୁ ଖୋଜିବା ପାଇଁ ଆଖପାଖ ଜଙ୍ଗଲ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ପୁଲିସ କହିଛି ଯେ ବିବେକଙ୍କ ପତ୍ନୀ ଜୟା ଙ୍କୁ ଗତବର୍ଷ ଗିରଫ କରାଯାଇଥିଲା, କିନ୍ତୁ ପରେ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ଘଟିଥିଲା।
Also read: https://purvapaksa.com/odisha-cm-holds-public-grievance-hearing-for-the-first-time-in-sambalpur/
