ରାଜ୍ୟ ରାଜନୀତିରେ ବଡ଼ ହଲଚଲ,ରଥଯାତ୍ରା ପରେ ସରକାରରେ ବଡ଼ ପରିବର୍ତ୍ତନ ସଙ୍କେତ। ଓଡ଼ିଶାରେ ମୋହନ ମାଝୀଙ୍କ ନେତୃତ୍ୱାଧୀନ ବିଜେପି ସରକାର ପ୍ରଥମ ବର୍ଷ ପୂରଣ କରୁଥିବା ବେଳେ ରଥଯାତ୍ରା ପରେ ରାଜନୈତିକ ଏବଂ ପ୍ରଶାସନିକ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି। ରାଜ୍ୟ ସରକାର ଏବଂ ଦଳୀୟ ସଂଗଠନ ଶାସନ ଏବଂ ଦଳୀୟ ସମନ୍ୱୟକୁ ବୃଦ୍ଧି କରିବା ପାଇଁ ନିର୍ଣ୍ଣାୟକ ପଦକ୍ଷେପ ନେବାକୁ ପ୍ରସ୍ତୁତ ହେଉଛନ୍ତି। ସରକାର ଏବଂ ସଂଗଠନ ମଧ୍ୟରେ ପଡ଼ି ରହିଥିବା କାର୍ଯ୍ୟଗୁଡ଼ିକୁ ତ୍ୱରାନ୍ୱିତ କରିବାକୁ ଦଳ ପ୍ରସ୍ତୁତ ହେଉଥିବା କୁହାଯାଉଛି। ବିଜେପି ରାଜ୍ୟ ସଭାପତି ଚୟନ ମଧ୍ୟ ଏଥର ଚୂଡ଼ାନ୍ତ ହେବ ବୋଲି କୁହାଯାଉଛି।
ମୋହନ ସରକାର ଏହାର ପ୍ରଥମ ବର୍ଷରେ ବିକାଶମୂଳକ ପଦକ୍ଷେପ ଉପରେ ଅଧିକ ଧ୍ୟାନ ଦେଇଥିବା ବେଳେ, ପ୍ରମୁଖ ରାଜନୈତିକ ନିଷ୍ପତ୍ତିଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଏବେ ଆଲୋଚନା ତୀବ୍ର ହୋଇଛି। କ୍ୟାବିନେଟ ସମ୍ପ୍ରସାରଣ କରାଯିବା ସହ ଖାଲି ପଡ଼ିଥିବା ମନ୍ତ୍ରୀପଦ ପୂରଣ ହେବ ବୋଲି କୁହାଯାଉଛି। ବୋର୍ଡ ଏବଂ ନିଗମରେ ଖାଲି ପଡ଼ିଥିବା ପଦବୀରେ ନିଯୁକ୍ତି ମଧ୍ୟ କରିବା ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ଚର୍ଚ୍ଚା ହେଉଛି । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଗସ୍ତରେ ଆସି ରାଜ୍ୟ ସରକାରଙ୍କ ବିକାଶ କାର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ସମର୍ଥନ ଜଣାଇଥିଲେ। ଏହି ନେତୃତ୍ୱ ସହିତ, ଦଳ ଏବେ ସଂଗଠନକୁ ଆହୁରି ମଜବୁତ କରିବା ଏବଂ ସରକାରୀ କଳ ସହିତ ଉତ୍ତମ ସମନ୍ୱୟ ସୁନିଶ୍ଚିତ କରିବା ପାଇଁ ପ୍ରସ୍ତୁତ ହେଉଛି।
ସୂଚନାଯୋଗ୍ୟ ଯେ, ଗୋଟିଏ ବର୍ଷ ବିତିଯାଇଥିଲେ ମଧ୍ୟ, ୬ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି, ଯାହା ଶାସକ ବିଜେପି ଦଳ ପାଇଁ ଏକ ଆହ୍ବାନ ସୃଷ୍ଟି କରିଛି। ଏହି ମନ୍ତ୍ରୀପଦ ପାଇଁ ବିଜେପିରେ ଗୋଷ୍ଠୀ କନ୍ଦଳ ବଢୁଥିବା କଥା ମଧ୍ୟ ଆନେକ ସମୟରେ ଚର୍ଚ୍ଚା ହୋଇଛି। ଖାଲି ସେତିକି ନୁହେଁ ଏହି କାରଣରୁ ମୋହନ ସରକାରଙ୍କୁ ରିମୋଟ ସରକାର ବଦନାମ ମୁଣ୍ଡେଇବାକୁ ପଡ଼ିଛି। ସୂତ୍ର ଅନୁସାରେ କ୍ୟାବିନେଟ୍ ସମ୍ପ୍ରସାରଣର ପ୍ରଥମ ପର୍ଯ୍ୟାୟରେ ବିଭାଗ ପୁନର୍ଗଠନ ଏବଂ ନୂତନ ବିଧାୟକମାନଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇପାରେ। ଏନେଇ ନିଜେ ମୁଖ୍ୟମନ୍ତ୍ରୀ ସଙ୍କେତ ଦେଇଛନ୍ତି। ଏହାମଧ୍ୟ କୁହାଯାଉଛି ମୋଦୀ ଓଡ଼ିଶା ଗସ୍ତ ସମୟରେ ବିଜେପି ନେତା ବିଧାୟକଙ୍କୁ ଟ୍ୟୁସନ କରି ସଂଯମ ରଖିବାକୁ କହିଛନ୍ତି।
ତେବେ ନୂଆ ମନ୍ତ୍ରିମଣ୍ଡଳରେ ଜୟନାରାୟଣ ମିଶ୍ର, ବାବୁ ସିଂହ, ଇରାସିସ୍ ଆଚାର୍ଯ୍ୟ, ଅମର ନାୟକ, ସନାତନ ବିଜୁଲି ଏବଂ ଆଶ୍ରିତ ପଟ୍ଟନାୟକ ସାମିଲ ହେବା ନେଇ ଚର୍ଚ୍ଚା ହେଉଛି। ଏହାସହ କିଛି ଦଳ ଡିଆଁ ନେତାଙ୍କୁ ସୁଯୋଗ ମିଳିପାରେ ବୋଲି ମଧ୍ୟ କୁହାଯାଉଛି। ଏହାସହ ବିଭିନ୍ନ ବୋର୍ଡ ଏବଂ ନିଗମରେ ପ୍ରାୟ ୧୫୦ ଖାଲି ପଡ଼ିଥିବା ପଦବୀ ପୂରଣ ପାଇଁ ଏକ ବ୍ଲୁପ୍ରିଣ୍ଟ ମଧ୍ୟ ପ୍ରସ୍ତୁତ ସାରିଥିବା କୁହାଯାଉଛି। ଏଥିରେ ଅଭିଜ୍ଞ, ଦଳଡିଆଁ, ହାରୁ ନେତାଙ୍କୁ ଥଇଥାନ କରାଯିବ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ରଥଯାତ୍ରା ଏକ ଗୁରୁତ୍ୱପୂର୍ଣ୍ଣ ସମୟ ହୋଇଥିବାରୁ, ବିଜେପି ଏହି ବିଷୟଗୁଡ଼ିକ ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରିବ ବୋଲି ଆଶା କରାଯାଉଛି। ତେବେ ବିଜେପିର ଓଡ଼ିଶା ପ୍ରଭାରୀ ବିଜୟ ପାଲ ସିଂହ ତୋମର କହିଛନ୍ତି, ” ରାଜ୍ୟ ସଭାପତି ଖୁବ୍ ଶୀଘ୍ର ମନୋନୀତ କରାଯିବ। ଏଥି ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି, ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ଶେଷ ହେବା ପରେ ବାକି କାମ କରାଯିବ।” “ଦଳ ପ୍ରତି ସମର୍ପିତ ଲୋକଙ୍କୁ ଚୟନ କରାଯାଉଛି ଏବଂ ପ୍ରକ୍ରିୟା ପ୍ରାୟ ସମ୍ପୂର୍ଣ୍ଣ ହୋଇଛି। ଏବେ ଦେଖାଯାଉ ପଦ୍ମ ପୁଣି ଗହୁଁଛି ନାଁ ଫୁଲ ଦମ୍ ରେ ଖାଲି ପଦବୀ ପୂରଣ ହେଉଛି? ସମସ୍ତ ଅସନ୍ତୁଷ୍ଟ ଶାନ୍ତ ହେଉଛନ୍ତି ନାଁ ବିଜେପି ଢୋଲ ଭିତରେ ଆଉ କିଛି ମୂଷା ରହି ଯାଉଛନ୍ତି?
