ମହାତ୍ମାଙ୍କ ଦ୍ୱିତୀୟ ପୁତ୍ର ଜଣେ ମୁସଲମାନ ଝିଅକୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ବାପୁ ହୋଇନଥିଲେ ରାଜି
ମହାତ୍ମା ଗାନ୍ଧୀଙ୍କ ଦ୍ୱିତୀୟ ପୁତ୍ର ମଣିଲାଲ ଭାରତରେ ଜନ୍ମ ହୋଇଥିଲେ ହେଁ ତାଙ୍କ ଜୀବନ ଦକ୍ଷିଣ ଆଫ୍ରିକାରେ ହିଁ ବିତିଥିଲା। ସେ ସେଠାରେ ପିତାଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଫିନିକ୍ସ ସେଟଲମେଣ୍ଟ ଓ ଇଣ୍ଡିଆନ ଓପିନିୟନ ଖବରକାଗଜର ସମ୍ପାଦକ ଭାବେ ଭାରତୀୟ ସମୁଦାୟର ଅଧିକାର ପାଇଁ ବହୁତ କାମ କରିଥିଲେ । ଯେତେବେଳେ ମହାତ୍ମା ଗାନ୍ଧୀ ଭାରତକୁ ଫେରି ଆସିଥିଲେ, ମଣିଲାଲ ଦକ୍ଷିଣ ଆଫ୍ରିକାରେ ହିଁ ରହିଗଲେ ଓ ସେଠାରେ ଜଣେ ମୁସଲମାନ ଝିଅ ସହିତ ପ୍ରେମ ସମ୍ପର୍କ ଗଢ଼ି ଉଠିଲା । ସେ ଝିଅ ଥିଲେ ଗାନ୍ଧୀଜୀଙ୍କ ଜଣେ ମୁସଲମାନ ସହଯୋଗୀଙ୍କ ଝିଅ। ମଣିଲାଲ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଗାନ୍ଧି ଏହି ବିବାହରେ ରାଜି ନଥିଲେ ।
ମଣିଲାଲ ଗାନ୍ଧୀ ୧୯୧୭ ମସିହାରେ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକା ଗଲେ। ତା’ପରେ ସେ ସେଠାରେ ଦୀର୍ଘ ସମୟ ବିତାଇଥିଲେ। ସେ ତାଙ୍କ ପିତାଙ୍କ ଅନୁଗାମୀ ଥିଲେ। ସତ୍ୟାଗ୍ରହ ଆନ୍ଦୋଳନରେ ସେ ଅନେକ ଥର ଜେଲ ମଧ୍ୟ ଯାଇଥିଲେ। ଗାନ୍ଧି ପୁଅର ସମ୍ପର୍କକୁ ପ୍ରତ୍ୟାଖାନ କରିବାପରେ ୧୯୨୭ ମସିହାରେ ତାଙ୍କ ବିବାହ ଜଣେ ଭାରତୀୟ ଗୁଜରାଟୀ ଝିଅ ସହିତ ହୋଇଥିଲା। ମଣିଲାଲ ଗାନ୍ଧୀଙ୍କ ପରିବାର ଆଜି ମଧ୍ୟ ମୁଖ୍ୟତଃ ଦକ୍ଷିଣ ଆଫ୍ରିକାରେ ହିଁ ବସବାସ କରୁଛି। ତେବେ ଆସନ୍ତୁ ଜାଣିବା, ମଣିଲାଲ ଗାନ୍ଧୀଙ୍କର ସେହି ପ୍ରେମ କାହାଣୀ କ’ଣ ଥିଲା, ଯାହାକୁ ନେଇ ତାଙ୍କର ପିତା ମହାତ୍ମା ଗାନ୍ଧୀଙ୍କ ସହ ମତାନ୍ତର ହୋଇଥିଲା। ଗାନ୍ଧି ନିଜ ପୁଅଙ୍କୁ ଏପରି କ’ଣ କହିଥିଲେ ଯେ ପୁଅ ମଣିଲାଲ ହୃଦୟରେ ପଥର ରଖି ଏହି ସମ୍ପର୍କ ଭାଙ୍ଗି ଦେଇଥିଲେ ?
ମହାତ୍ମା ଗାନ୍ଧୀଙ୍କର ୪ ଜଣ ପୁତ୍ର ଥିଲେ, ଯେଉଁମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ବିବାହ ପରିବାର ଦ୍ୱାରା ଠିକ୍ ହୋଇଥିଲା । କିନ୍ତୁ ଦୁଇ ଜଣ ପ୍ରେମ ବିବାହ କରିଥିଲେ। ଏହି ପୁତ୍ରମାନେ ଥିଲେ ମଣିଲାଲ ଓ ଦେବଦାସ। ଯେତେବେଳେ ଗାନ୍ଧୀ ସ୍ୱାଧୀନତା ସଂଗ୍ରାମ ପାଇଁ ଭାରତକୁ ଫେରି ଆସିଥିଲେ, ମଣିଲାଲ ସେଠାରେ ହିଁ ରହିଗଲେ। ତାଙ୍କୁ ଦକ୍ଷିଣ ଆଫ୍ରିକାରେ ଯୁବାବସ୍ଥାରେ ଜଣେ ମୁସଲମାନ ଝିଅ ସହିତ ପ୍ରେମ ହୋଇଥିଲା। ସେ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। କିନ୍ତୁ ଗାନ୍ଧୀଜୀ ଏହାର ବିରୋଧୀ ଥିଲେ। ସେହିପରି ତାଙ୍କ ସବୁଠାରୁ ଛୋଟ ପୁତ୍ର ଦେବଦାସ ମଧ୍ୟ ପ୍ରେମରେ ପଡ଼ିଥିଲା, ପ୍ରାରମ୍ଭରେ ଗାନ୍ଧୀଜୀ ଏହାକୁ ପ୍ରାୟ ପ୍ରତ୍ୟାଖ୍ୟାନ କରିଥିଲେ, ପରେ ଏପରି କଡ଼ା ସର୍ତ୍ତ ରଖିଥିଲେ ଯେ ଦେବଦାସ ପ୍ରେମକୁ ଭୁଲି ଯିବେ ବୋଲି ଲାଗୁଥିଲା, କିନ୍ତୁ ଏପରି ହେଲା ନାହିଁ ଓ ଶେଷରେ ତାଙ୍କୁ ଦେବଦାସଙ୍କ ବିବାହ ସେହି ଝିଅ ସହିତ କରିବାକୁ ପଡ଼ିଥିଲା। ସେହି ଝିଅ ଥିଲେ ପ୍ରସିଦ୍ଧ ଗାନ୍ଧୀବାଦୀ ନେତା ଚକ୍ରବର୍ତୀ ଗୋପାଳଚାରୀଙ୍କ ଝିଅ।
ଗାନ୍ଧୀଜୀ ପ୍ରାରମ୍ଭିକ ସମୟରେ ଅନ୍ତର୍ଧାର୍ମିକ ତଥା ଅନ୍ତର୍ଜାତୀୟ ବିବାହର ବିରୋଧୀ ଥିଲେ। ତାଙ୍କର ମତ ଥିଲା ଯେ ଏହା ଉଚିତ ନୁହେଁ। ଏହା ଦ୍ୱାରା ସାମାଜିକ ସଂରଚନା ଓ ଧାର୍ମିକ ସଦ୍ଭାବନାକୁ ଆଘାତ ଲାଗିବ। ଯଦିଓ ୧୯୩୦ ଦଶକରେ ସେ ଏହି ଧାରଣା ବଦଳାଇ ଦେଇଥିଲେ। ମଣିଲାଲଙ୍କୁ ଗାନ୍ଧୀଜୀଙ୍କ ଦକ୍ଷିଣ ଆଫ୍ରିକାରେ ବିଶ୍ୱସ୍ତ ସହଯୋଗୀ ଯୁସୁଫ ଗୁଲଙ୍କ ଝିଅ ଫାତିମା ସହିତ ପ୍ରେମ ହୋଇଥିଲା। ସେମାନେ ବାଲ୍ୟକାଳରୁ ଏକାଠି ଥିଲେ। ବହୁତ ସମୟ ଏକାଠି ବିତାଉଥିଲେ, ଫଳରେ ସମୟ ସହିତ ନିକଟତର ହୋଇଥିଲେ। ଯେହେତୁ ବାଲ୍ୟକାଳରୁ ଗାନ୍ଧୀଜୀ ତାଙ୍କ ପୁତ୍ରମାନଙ୍କୁ ଶିଖାଇଥିଲେ ଯେ ସମସ୍ତ ଧର୍ମ ସମାନ, ଆମେ ମିଶି ରହିବା ଉଚିତ, ତେଣୁ ପିଲାମାନଙ୍କ ମନରେ କେବେ ଏହା ଆସିନଥିଲା ଯେ ଧର୍ମ ମଧ୍ୟ ଏକ ପ୍ରାଚୀର ହୋଇପାରେ।
ବର୍ମିଂହାମ ବିଶ୍ୱବିଦ୍ୟାଳୟରେ ଗବେଷଣା ବିଦ୍ୟାର୍ଥୀ ନିକୋଲ କ୍ରିଷ୍ଟି ନୋଲି ତାଙ୍କ ଗବେଷଣା ପତ୍ରରେ ଏହି ବିଷୟରେ ବିସ୍ତୃତ ଭାବେ ଲେଖିଛନ୍ତି। କେ.ଆର. ପ୍ରଭୁ ଓ ଯୁ.ଆର. ରାଓ ମହାତ୍ମା ଗାନ୍ଧୀଙ୍କ ବିଚାରଗୁଡ଼ିକର ଏକ ରେକର୍ଡିଂ “ଦ ମାଇଣ୍ଡ ଅଫ ମହାତ୍ମା ଗାନ୍ଧୀ” ନାମରେ କରିଥିଲେ। ସେଥିରେ ଗାନ୍ଧୀଜୀ କହିଛନ୍ତି, “ବିବାହ ଜୀବନର ଏକ ପ୍ରାକୃତିକ ତତ୍ତ୍ବ, ଯେଉଁଥିରେ ଯଦି ଆପଣ କୌଣସି ଭୁଲ ପଦକ୍ଷେପ ନିଅନ୍ତି, ତେବେ ଏହା ଖରାପ ପରିସ୍ଥିତିରେ ପହଞ୍ଚିବ।”
ଏହି କଥୋପକଥନରେ ସେ ଅନ୍ତର୍ଧାର୍ମିକ ବିବାହ ପ୍ରତି ନିଜର ଅସହମତି ମଧ୍ୟ ପ୍ରକାଶ କରିଥିଲେ। ଏହି ପୂରା ଘଟଣା ଉପରେ ଦକ୍ଷିଣ ଆଫ୍ରିକାର କେପ ବିଶ୍ୱବିଦ୍ୟାଳୟର ବରିଷ୍ଠ ଇତିହାସ ଅଧ୍ୟାପକ ଉମା ଧୂପେଲିଆ ମିସ୍ତ୍ରୀ (ଗାନ୍ଧୀଜୀଙ୍କ ଅଣ ନାତୁଣୀ) ବିସ୍ତୃତ ଭାବେ ଲେଖିଛନ୍ତି। ମଣିଲାଲଙ୍କୁ ବିଶ୍ୱାସ ଥିଲା ଯେ ସେ ଟିମ୍ମୀ (ଫାତିମା) ସହିତ ବିବାହ କରିବେ। ଯଦିଓ ସେ ଧୀରେ ଧୀରେ ଅନୁଭବ କରିଥିଲେ ଯେ ଏଥିରେ ଅନେକ ବାଧା ରହିଛି। କସ୍ତୁରବା ଅନ୍ୟ ଧର୍ମରେ ବିବାହର କଡ଼ା ବିରୋଧୀ ଥିଲେ। ଧର୍ମ କ’ଣ, ସେ ଅନ୍ୟ ଜାତିରେ ବିବାହର ପକ୍ଷପାତୀ ନଥିଲେ। ସେ ଏହା ମୋଟେ ହଜମ କରିପାରୁ ନଥିଲେ ଯେ ତାଙ୍କ ବୋହୂ ଅନ୍ୟ ଧର୍ମ ବା ଜାତିର ହେବ।
ମଣି ୧୯୧୫ ମସିହାରେ ଗାନ୍ଧୀଜୀଙ୍କ ସହ ଭାରତକୁ ମଧ୍ୟ ଆସିଥିଲେ, କିନ୍ତୁ ୧୯୧୭ରେ ପୁନର୍ବାର ଦକ୍ଷିଣ ଆଫ୍ରିକାକୁ ଫେରିଗଲେ ଫିନିକ୍ସ ଆଶ୍ରମର କାମ ଦେଖିବା ପାଇଁ। ସମ୍ଭବତଃ ଏହାର ମୁଖ୍ୟ କାରଣ ଥିଲା ଯେ ସେ ଫାତିମାଙ୍କ ବିୟୋଗ ସହିପାରୁ ନଥିଲେ। ଫାତିମା ସହିତ ତାଙ୍କର ବନ୍ଧୁତା ୧୯୧୪ରେ ଆରମ୍ଭ ହୋଇଥିଲା ଓ ୧୯୨୬ ପର୍ଯ୍ୟନ୍ତ ଚାଲିଥିଲା। ମଣିଲାଲ ୧୯୨୬ ମସିହାରେ ତାଙ୍କର ଛୋଟ ଭାଇ ରାମଦାସଙ୍କ ମାଧ୍ୟମରେ ପିତାଙ୍କୁ ସନ୍ଦେଶ ପଠାଇଥିଲେ ଯେ ସେ ଟିମ୍ମୀ ସହିତ ବିବାହ କରିବାକୁ ଚାହୁଁଛନ୍ତି। ଟିମ୍ମୀ ତଥା ତାଙ୍କ ଭାଇବୋହୂ ଓ ପରିବାରର ଗାନ୍ଧୀଜୀଙ୍କ ପରିବାର ସହିତ ଦକ୍ଷିଣ ଆଫ୍ରିକାରେ ରହିବା ସମୟରେ ବହୁତ ଆତ୍ମୀୟତାପୂର୍ଣ୍ଣ ସମ୍ପର୍କ ଥିଲା। ତେଣୁ ମଣିଲାଲଙ୍କୁ ଆଶା ଥିଲା ଯେ ପିତା ମାନିଯିବେ, କିନ୍ତୁ ପିତାଙ୍କ ଉତ୍ତର କୌଣସି ବିସ୍ଫୋରଣରୁ କମ ନଥିଲା। ଯଦିଓ ଗାନ୍ଧୀଜୀ କହିଥିଲେ ଯେ ସେ ମଣିଲାଲଙ୍କୁ ଏହି ଚିଠି ଜଣେ ବନ୍ଧୁ ଭାବେ ଲେଖୁଛନ୍ତି।
ମଣିଲାଲଙ୍କ ସ୍ୱପ୍ନ ଭାଙ୍ଗିଥିଲା ଗାନ୍ଧିଙ୍କ ପତ୍ର
“ତୁମେ ହିନ୍ଦୁ ଓ ଯଦି ଫାତିମା ତୁମକୁ ବିବାହ କରିବା ପରେ ମଧ୍ୟ ମୁସଲମାନ ହୋଇ ରହିବେ ତେବେ ଏହା ଗୋଟିଏ ମିଆଁନରେ ଦୁଇ ଖଣ୍ଡା ରହିବା ଭଳି ହେବ । ତୁମେ ବି ନିଜର ଆସ୍ଥା ହରାଇବ। ଏହା ମଧ୍ୟ ଚିନ୍ତା କର ଯେ ଏହି ବିବାହରୁ ଯେଉଁ ପିଲାମାନେ ଜନ୍ମ ହେବେ, ସେମାନେ କେଉଁ ଧର୍ମ ଓ ଆସ୍ଥାର ପ୍ରଭାବରେ ରହିବେ। ଏହା ଧର୍ମ ନୁହେଁ, ଅଧର୍ମ ହେବ’ ଆଗକୁ ସେ ଲେଖିଥିଲେ,
ଏହା ଧର୍ମ ନୁହେଁ, ଅଧର୍ମ ହେବ, ଯଦି ଫାତିମା କେବଳ ବିବାହ ପାଇଁ ନିଜ ଧର୍ମ ବଦଳାଇବାକୁ ଚାହୁଁଛନ୍ତି ତେବେ ମଧ୍ୟ ଏହା ଠିକ ହେବ ନାହିଁ। ଆସ୍ଥା କୌଣସି ପୋଷାକ ନୁହେଁ, ଯାହାକୁ ତୁମେ ପୋଷାକ ପରି ବଦଳାଇ ପାରିବ। ଯଦି କେହି ଏପରି କରେ ତେବେ ଧର୍ମ ଓ ଘରୁ ବହିଷ୍କୃତ ହେବ। ଏହା ମୋଟେ ଉଚିତ ନୁହେଁ। ଏହି ସମ୍ପର୍କ ସମାଜ ପାଇଁ ମଧ୍ୟ ହିତକର ନୁହେଁ। ଏହା ହିନ୍ଦୁ-ମୁସଲମାନଙ୍କ ଉପରେ ଭଲ ପ୍ରଭାବ ପକାଇବ ନାହିଁ। ଅନ୍ତର୍ଧାର୍ମିକ ବିବାହ କରିବା ପରେ ତୁମେ ଦେଶର ସେବା ପାଇଁ ଯୋଗ୍ୟ ରହିବ ନାହିଁ ଓ ନା ହିଁ ଫିନିକ୍ସ ଆଶ୍ରମରେ ରହି ଇଣ୍ଡିଆନ ଓପିନିୟନ ସାପ୍ତାହିକ ପ୍ରକାଶ କରିପାରିବ। ତୁମ ପାଇଁ ଭାରତକୁ ଆସିବା କଷ୍ଟକର ହେବ। ମୁଁ ବା’ଙ୍କୁ ଏ ବିଷୟରେ କହି ମଧ୍ୟ ପାରିବି ନାହିଁ, ସେ ଏହାର ଅନୁମତି ଦେବେ ନାହିଁ ।
ପ୍ରକୃତରେ ଗାନ୍ଧୀଜୀ ଭାରତରେ ଏହି ବିବାହର ପ୍ରତିକ୍ରିୟାକୁ ନେଇ ଚିନ୍ତିତ ଥିଲେ। ଚିଠିରେ ମଣିଲାଲଙ୍କୁ ସେ କଡ଼ା ଶବ୍ଦରେ ଲେଖିଥିଲେ ଯେ, ‘ତୁମେ କ୍ଷଣିକ ସୁଖ ପାଇଁ ହିଁ ଏପରି ବିବାହ ବିଷୟରେ ଚିନ୍ତା କରୁଛ, ଯେତେବେଳେ କି ପ୍ରକୃତ ସୁଖ କ’ଣ,ତାହା ତୁମକୁ ଜଣା ନାହିଁ” ଫଳସ୍ବରୂପ, ମଣିଲାଲ ବହୁତ ନିରାଶ ହୋଇଥିଲେ। ସେ ବୁଝିଗଲେ ଯେ ପିତାଙ୍କଠାରୁ ଏହାର ଅନୁମତି ମିଳିବ ନାହିଁ। ଆଜ୍ଞାକାରୀ ପୁତ୍ର ଭାବେ ସେ ଫାତିମାଙ୍କୁ ବିବାହ ପାଇଁ ମନା କରିଦେଲେ। କିନ୍ତୁ ଏହି ବ୍ୟବହାର ପାଇଁ ଗାନ୍ଧୀଙ୍କୁ ମଣିଲାଲ ଜୀବନ ସାରା କ୍ଷମା କରିପାରିଲେ ନାହିଁ, ବରଂ ଗାନ୍ଧୀଙ୍କ ଦୁଇ ନାତି-ନାତୁଣୀ ରାଜମୋହନ ଗାନ୍ଧୀ (“ମୋହନଦାସ: ଏ ଟ୍ରୁ ଷ୍ଟୋରୀ ଅଫ ଏ ମ୍ୟାନ, ହିଜ ପିପଲ, ଆଣ୍ଡ ଆନ ଏମ୍ପାୟାର”) ଓ ଉମା ଧୂପେଲିଆ (“ଗାନ୍ଧୀ’ସ ପ୍ରିଜନର?: ଦ ଲାଇଫ ଅଫ ଗାନ୍ଧୀ’ସ ସନ ମଣିଲାଲ’) ଏହି କାମ ପାଇଁ ତାଙ୍କର ସମାଲୋଚନା ମଧ୍ୟ କରିଛନ୍ତି। ମଣିଲାଲ ଫାତିମାଙ୍କୁ ବିବାହ କରିପାରିଲେ ନାହିଁ, କିନ୍ତୁ ଏହାର ଠିକ ଏକ ଦଶନ୍ଧି ପରେ ତାଙ୍କ ବଡ଼ ଭାଇ ହରିଲାଲ ମୁସଲମାନ ଧର୍ମ ଗ୍ରହଣ କରିଥିଲେ। ଯଦିଓ ଏକ ମାସ ପରେ ସେ ପୁନର୍ବାର ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମଣିଲାଲଙ୍କୁ ଚିଠି ପଠାଇବା ପରେ ଗାନ୍ଧୀଜୀ ତାଙ୍କ ବିଶ୍ବସ୍ତ ସହଯୋଗୀ ଜମନାଲାଲ ବଜାଜଙ୍କ ସହିତ ଏ ବିଷୟରେ ଆଲୋଚନା କରିଥିଲେ। ତୁରନ୍ତ ତାଙ୍କ ବିବାହ ମହାରାଷ୍ଟ୍ରର ଅକୋଲାରେ ରହୁଥିବା ଜଣେ ସମୃଦ୍ଧ ଗୁଜରାଟୀ ବଣିକ ବ୍ୟବସାୟୀଙ୍କ ୧୯ ବର୍ଷୀୟ ଝିଅ ସୁଶୀଳା ସହିତ କରାଗଲା।
ବିବାହ ପୂର୍ବରୁ ସୁଶୀଳା ଗୁଜରାଟର ମଶରୁଆଲା ସମୁଦାୟରୁ ଥିଲେ। ଏହି ବୈଶ୍ୟ ଗୁଜରାଟୀ ସମୁଦାୟ ସାଧାରଣତଃ ଗୁଜରାଟର ଶିକ୍ଷିତ ଓ ସମାଜସେବୀ, ସାହିତ୍ୟିକ ପୃଷ୍ଠଭୂମି ସହିତ ସମ୍ପର୍କ ରଖିଥାଏ। ବିବାହ ପୂର୍ବରୁ ଗାନ୍ଧୀଜୀ ତାଙ୍କ ପୁତ୍ରଙ୍କୁ ନିଜ ପୂର୍ବ ପ୍ରେମ ସମ୍ପର୍କ ବାବଦରେ ପତ୍ନୀଙ୍କୁ ସବୁ ସ୍ପଷ୍ଟ ଭାବେ କହିବାକୁ କହିଥିଲେ । ବିବାହ ପରେ ମଣିଲାଲ ଓ ସୁଶୀଳାଙ୍କର ତିନି ଜଣ ସନ୍ତାନ ହୋଇଥିଲେ – ଇଲା ଗାନ୍ଧୀ, ଅରୁଣ ଗାନ୍ଧୀ ଓ ସୁଷ୍ମା ଗାନ୍ଧୀ। ଇଲା ଦକ୍ଷିଣ ଆଫ୍ରିକାର ଜଣାଶୁଣା ମାନବାଧିକାର କାର୍ଯ୍ୟକର୍ତା। ନେଲସନ ମଣ୍ଡେଲାଙ୍କ ସମୟରେ ସେ ଦକ୍ଷିଣ ଆଫ୍ରିକାର ସଂସଦରେ ମଧ୍ୟ ରହିଥିଲେ। ଅରୁଣ ଗାନ୍ଧୀ ଓ ସୁଷ୍ମା ଗାନ୍ଧୀ ମଧ୍ୟ ସାମାଜିକ କାର୍ଯ୍ୟ କରିଛନ୍ତି। ଅରୁଣ ଗାନ୍ଧୀ ବହୁ ସମୟ ଯାଏଁ ଆମେରିକାରେ ମଧ୍ୟ ରହିଥିଲେ। ଏବେ ମହାତ୍ମା ଗାନ୍ଧୀଙ୍କ ପରିବାରର ପଞ୍ଚମ ପିଢ଼ି ମଧ୍ୟ ଆସିଗଲାଣି। ଏହି ପରିବାରର ଲୋକମାନେ ଅନ୍ୟ ଧର୍ମରେ ବିବାହ କରିଛନ୍ତି, କିନ୍ତୁ ଏପର୍ଯ୍ୟନ୍ତ କେହି ମୁସଲମାନ ଧର୍ମରେ ବିବାହ କରିନାହାନ୍ତି। ଗାନ୍ଧୀ ପରିବାରର ଲୋକମାନେ ଆମେରିକା, ବ୍ରିଟେନ, ଇଉରୋପ, ଦକ୍ଷିଣ ଆଫ୍ରିକା ଓ ଭାରତରେ ରହୁଛନ୍ତି।
ALSO READ https://purvapaksa.com/why-has-naveen-patnaik-deliberately-gone-disappeared/
Why has Naveen Patnaik deliberately gone disappeared? II ଜାଣି ଶୁଣି କାହିଁକି ହଜିଯାଇଛନ୍ତି ନବୀନ?
