ରାଜସ୍ଥାନର କୋଟାରେ ଦୁଇଜଣ ନିଟ୍ ପରୀକ୍ଷାର୍ଥୀ ଏବଂ ପଞ୍ଜାବର ମୋହାଲିସ୍ଥିତ ଏକ ଘରୋଇ ବିଶ୍ୱବିଦ୍ୟାଳୟର ଫରେନସିକ୍ ସାଇନ୍ସ ଛାତ୍ରଙ୍କ ସମେତ ତିନିଜଣ ଯୁବ ଛାତ୍ରଙ୍କ ଦୁଃଖଦ ମୃତ୍ୟୁ ଏକ ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି। ଏହିଭଳି ଘଟଣାକୁ ଭାରତ ବିପଦ ତାଲିକାରେ ଗଣତି କରୁନାହିଁ ଓ ସମସ୍ତେ ଏହାକୁ ଅଣଦେଖା କରି ଚାଲିଛନ୍ତି।
କୋଟାରେ ଚଳିତ ବର୍ଷ ୧୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି
ନିଟ୍-ୟୁଜି ପରୀକ୍ଷା ପୂର୍ବରୁ ଜଣେ ଛାତ୍ରଙ୍କ ମୃତ୍ୟୁ ଘଟନା ଦର୍ଶାଉଛି ଯେ ନିରନ୍ତର ଶିକ୍ଷାଗତ ଚାପ, ମାନସିକ ସ୍ୱାସ୍ଥ୍ୟ ଅବହେଳା ଏବଂ ଅବାସ୍ତବ ଆଶା ଅନେକଙ୍କ ପାଇଁ ଏକ ମାରାତ୍ମକ ମିଶ୍ରଣ ସୃଷ୍ଟି କରିଛି। କୋଚିଂ ହବ୍ କୁହାଯାଉଥିବା କୋଟାରେ ଚଳିତ ବର୍ଷ ୧୪ ଜଣ ଛାତ୍ର ଆତ୍ମହତ୍ୟା କରିଛନ୍ତି। ବାରମ୍ବାର ଚେତାବନୀ ସତ୍ତ୍ୱେ ଉଚ୍ଚ ସ୍ତରୀୟ ପରୀକ୍ଷା, ବିଷାକ୍ତ ପ୍ରତିଯୋଗିତା, ଅନିୟନ୍ତ୍ରିତ ପ୍ରଶିକ୍ଷଣ ଅଭ୍ୟାସ ଏବଂ ‘ନିଶ୍ଚିତ ସଫଳତା’ର ବୋଝ ଭଳି ଢାଞ୍ଚାଗତ ଚାପର ସମାଧାନ ହୋଇପାରୁନାହିଁ।
ପ୍ରତିଶ୍ରୁତିର ବୁଢ଼ିଆଣୀ ଜାଲ
ନିକଟରେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ବିଭିନ୍ନ କୋଚିଂ ଅନୁଷ୍ଠାନକୁ ବିଭ୍ରାନ୍ତିକର ବିଜ୍ଞାପନ ଏବଂ ଅନ୍ୟାୟ ବାଣିଜ୍ୟ ଅଭ୍ୟାସ ପାଇଁ ନୋଟିସ୍ ଜାରି କରିଛି। ଅନେକ ସଂସ୍ଥା ସେମାନଙ୍କ ବିଜ୍ଞାପନ ଦାବିକୁ ପ୍ରମାଣିତ ନ କରି ଶୀର୍ଷ ମାନ୍ୟତା ପ୍ରତିଶ୍ରୁତି ଦେବା ସହ ଚୟନକୁ ନିଶ୍ଚିତ କରିବ ଘଟନା ଅତ୍ୟନ୍ତ ଲଜ୍ୟାକର।। ଅତ୍ୟଧିକ ଚାପ ସହିତ ଏହି ପ୍ରତିଶ୍ରୁତି ଅନେକ ସମୟରେ ଦୁର୍ବଳ ଛାତ୍ରଛାତ୍ରୀ ଏବଂ ଚିନ୍ତାଗ୍ରସ୍ତ ଅଭିଭାବକଙ୍କ ପାଇଁ ଏକ ବୁଢ଼ିଆଣୀ ଜାଲ ପାଲଟି ଯାଇଥାଏ।
ଗାଇଡଲାଇନକୁ ଅଣଦେଖା
ଏହି ପରିପ୍ରେକ୍ଷୀରେ ଦେଶର ଟପର୍ସ ସଂସ୍କୃତିକୁ କଠୋର ପୁନର୍ଗଠନ କରିବାର ଆବଶ୍ୟକତା ରହିଛି। କୋଚିଂ ଇନଷ୍ଟିଚ୍ୟୁଟ୍ (ନିୟନ୍ତ୍ରଣ ଓ ନିୟନ୍ତ୍ରଣ) ବିଲ୍ ପାଇଁ ରାଜସ୍ଥାନ ସରକାରଙ୍କ ପ୍ରସ୍ତାବ ଏକ ପାଦ ଆଗକୁ ବଢ଼ିଛି। ନାମଲେଖା ପୂର୍ବରୁ ବାଧ୍ୟତାମୂଳକ କାଉନସେଲିଂ ଏବଂ ଆପ୍ଟିଚ୍ୟୁଡ୍ ପରୀକ୍ଷା ସାହାଯ୍ୟ କରିପାରେ, କିନ୍ତୁ ଅସଲ ଚାବିକାଠି ହେଉଛି ଏହାର କାର୍ଯକାରିତା। ମାନସିକ ସହାୟତା ପ୍ରଦାନ ଏବଂ ଘରୋଇ ଅନୁଷ୍ଠାନଗୁଡ଼ିକୁ ନିୟନ୍ତ୍ରଣ କରିବା ଉଦ୍ଦେଶ୍ୟରେ ୨୦୧୮ ଗାଇଡଲାଇନକୁ ଅପ୍ରାସଙ୍ଗିକ କହି ତାହାକୁ ଅଣଦେଖା କରାଯାଉଥିବା ଜଣାପଡ଼ିଛି। କଠୋର ତଦାରଖ ବିନା ନୂଆ ଆଇନ ମଧ୍ୟ ପ୍ରତୀକାତ୍ମକ ହେବାର ଆଶଙ୍କା ରହିଛି।
ମନରେ ନିରାଶା ସୃଷ୍ଟି କରୁଛି ରାଙ୍କିଙ୍ଗ
ପିଲାଙ୍କ ଆତ୍ମହତ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବା ଘଟଣାରେ ଅଭିଭାବକମାନେ ମଧ୍ୟ ଆତ୍ମସମୀକ୍ଷା କରିବା ଦରକାର। ପିଲାମାନଙ୍କୁ ସେମାନଙ୍କ ଇଚ୍ଛା ବିରୁଦ୍ଧରେ ବାଧ୍ୟ କରିବା କିମ୍ବା ମାର୍କ ଏବଂ ରାଙ୍କିଙ୍ଗରେ ରହିବେ କି ନହିଁ ଏହି ଭୟ କୋମଳମତି ପିଲାଙ୍କ ମନରେ ନିରାଶା ସୃଷ୍ଟି କରେ। ଭରତ ତା’ର ଛାତ୍ରମାନଙ୍କୁ ରାଙ୍କ-ସାଧକ ଭାବରେ ବ୍ୟବହାର କରିବା ବନ୍ଦ କରିବା ଉଚିତ ଏବଂ ସେମାନେ ଅନନ୍ୟ ଶକ୍ତିର ଆଧାର ଏବଂ ଅନେକ ସମ୍ଭାବନା ଥିବା ବ୍ୟକ୍ତି ଭାବରେ ସ୍ୱୀକୃତି ଦେବା ଆରମ୍ଭ କରିବା ଦରକାର। ସରକାର ଏଭଳି ଏକ ଇକୋସିଷ୍ଟମ ସୃଷ୍ଟି କରିବା ଦରକାର ଯାହା ବିଭିନ୍ନ ବିଷୟରେ ଆଗ୍ରହ ରଖୁଥିବା ଯୁବକମାନଙ୍କ ପାଇଁ ପର୍ଯ୍ୟାପ୍ତ ନିଯୁକ୍ତି ସୃଷ୍ଟି କରିବ। ଏହା ଭୁଲିଯିବା ଉଚିତ ନୁହେଁ ଯେ କୌଣସି ପରୀକ୍ଷା ଜୀବନ ତୁଳନାରେ ଆଦୌ ମୂଲ୍ୟବାନ ନୁହେଁ।
Also readhttps://purvapaksa.com/election-commissions-new-initiative-for-electoral-rolls/

