ଜଷ୍ଟିସ ଭୂଷଣ ରାମକୃଷ୍ଣ ଗଭାଇ ବୁଧବାର ଦେଶର ୫୨ତମ ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି। ସେ ବର୍ତ୍ତମାନର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହା ଭାରତୀୟ ନ୍ୟାୟବ୍ୟବସ୍ଥା ପାଇଁ ଏକ ଐତିହାସିକ ମୁହୂର୍ତ୍ତ, କାରଣ ଜଷ୍ଟିସ୍ ଗଭଇ ହେଉଛନ୍ତି ଦଳିତ ମାନ୍ୟତାରୁ ଆସୁଥିବା ଦ୍ୱିତୀୟ ବ୍ୟକ୍ତି ଯିଏ ଏହି ଉଚ୍ଚ ପଦରେ ବସିଛନ୍ତି। ସେ ଆସନ୍ତା ନଭେମ୍ବର ୨୩ ତାରିଖ ପର୍ଯ୍ୟନ୍ତ ଏହି ପଦବୀରେ ରହିବେ। ଅର୍ଥାତ୍ ତାଙ୍କ କାର୍ଯ୍ୟକାଳ ୬ ମାସ ରହିବ। ତାଙ୍କ ପୂର୍ବରୁ ଏହି ପଦରେ ବସିଥିବା ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କ କାର୍ଯ୍ୟକାଳ ମଧ୍ୟ ୬ ମାସ ରହିଥିଲା।ସୁପ୍ରିମକୋର୍ଟ ପ୍ରତିଷ୍ଠା ହେବାର ୭୫ ବର୍ଷ ହୋଇଗଲାଣି।
କିନ୍ତୁ ଆଜି ପର୍ଯ୍ୟନ୍ତ ପ୍ରଧାନ ବିଚାରପତି ପଦରେ ଜଣେ ହେଲେ ମହିଳା ବସିପାରି ନାହାନ୍ତି। ସେହିପରି ଏତେବର୍ଷ ମଧ୍ୟରେ କେବଳ ୧୧ ଜଣ ମହିଳା ସୁପ୍ରିମକୋର୍ଟର ବିଚାରପତି ହୋଇଛନ୍ତି। ୧୯୮୯ରେ ଜଷ୍ଟିସ ଫାତିମା ବିବି ରଚିଥିଲେ ଇତିହାସ। ସେ ବନିଥିଲେ ସୁପ୍ରମିକୋର୍ଟର ପ୍ରଥମ ମହିଳା ବିଚାରପତି। ତେବେ ସେ ମାତ୍ର ଅଢ଼େଇ ବର୍ଷ ପାଇଁ ସୁପ୍ରିମକୋର୍ଟର ବିଚାରପତି ଭାବେ କାର୍ଯ୍ୟ କରିଥିଲେ।
ପ୍ରଧାନ ବିଚାରପତି ଚୟନରେ ଏକ ଅଲିଖିତ ନିୟମକୁ ଅନୁସରଣ କରାଯାଏ। ସାଧାରଣତଃ ବରିଷ୍ଠତା ଭିତ୍ତିରେ ପ୍ରଧାନ ବିଚାରପତିଙ୍କୁ ନିଯୁକ୍ତି ଦିଆଯାଇଥାଏ। ଅର୍ଥାତ୍ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ମଧ୍ୟରୁ ଯାହାଙ୍କ ବୟସ ସବୁଠୁ ଅଧିକ ହୋଇଥାଏ, ତାଙ୍କୁ ପ୍ରଧାନ ବିଚାରପତି ପଦରେ ନିଯୁକ୍ତି ଦିଆଯାଇଥାଏ। ଫଳରେ ସେହି ଅନୁସାରେ ତାଙ୍କ କାର୍ଯ୍ୟକାଳ ମଧ୍ୟ ସ୍ଥିର ହୋଇଯାଏ ଓ ସେ ଅବସର ନିଅନ୍ତି।
ଯଦି ଏହି ବରିଷ୍ଠତା ନିୟମକୁ ହିସାବକୁ ନିଆଯାଏ, ତା’ହେଲେ ୨୦୨୭ ମସିହାରେ ଭାରତ ତା’ର ପ୍ରଥମ ମହିଳା ପ୍ରଧାନ ବିଚାରପତି ପାଇପାରେ। ଆଉ ଏହି ଗୌରବ ହାସଲ କରିବେ ଜଷ୍ଟିସ ବିଭି ନାଗରତ୍ନା। ସେ ହେବେ ଦେଶର ୫୪ତମ ପ୍ରଧାନ ବିଚାରପତି। ଜଷ୍ଟିସ ବିଭି ନାଗରତ୍ନା ଏବେ ସୁପ୍ରିମକୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ଯଦି ସେ ଭାରତର ପ୍ରଥମ ମହିଳା ପ୍ରଧାନ ବିଚାରପତି ହୁଅନ୍ତି, ତା’ହେଲେ ମାତ୍ର ୩୬ ଦିନ ପାଇଁ ଏହି ପଦରେ କାର୍ଯ୍ୟ କରିବେ।
୨୦୨୪ରେ ଜଷ୍ଟିସ ହିମା କୋହଲି ଅବସର ନେବା ପରେ ସୁପ୍ରିମକୋର୍ଟରେ ମହିଳା ବିଚାରପତିଙ୍କ ସଂଖ୍ୟା ୨କୁ ଖସି ଯାଇଛି। ସୁପ୍ରିମକୋର୍ଟରେ ୩୪ ଜଣ ବିଚାରପତିଙ୍କ ମଧ୍ୟରେ କେବଳ ୨ ଜଣ ମହିଳା ବିଚାରପତି ଅଛନ୍ତି। ଜଷ୍ଟିସ ବିଭି ନାଗରତ୍ନାଙ୍କ ବ୍ୟତୀତ ଜଷ୍ଟିସ ବେଲା ଏମ୍ ତ୍ରିବେଦୀ ଦେଶର ସର୍ବୋଚ୍ଚ କୋର୍ଟରେ ବିଚାରପତି ଭାବେ କାର୍ଯ୍ୟ କରୁଛନ୍ତି। ତେବେ ଜଷ୍ଟିସ ବେଲା ଏମ୍ ତ୍ରିବେଦୀଙ୍କ କାର୍ଯ୍ୟକାଳ ମଧ୍ୟ ଶେଷ ହୋଇଆସୁଛି। ସେ ଆସନ୍ତା ଜୁନ୍ ୯ ତାରିଖରେ ଅବସର ନେବେ।
Also read https://purvapaksa.com/pakistan-is-being-beaten-hard/