ଓଡ଼ିଶା ବିଜେପିର ଟାଣୁଆ ନେତା ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଯୋଗୁ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହୋଇପାରୁନାହିଁ ବୋଲି ଗୋଟିଏ ନ୍ୟାରେଟିଭ୍ ଏବେ ରାଜ୍ୟରେ ଖେଳିବୁଲୁଛି। ରାଜ୍ୟରେ ପ୍ରଥମଥର ପାଇଁ ସରକାର ଗଢ଼ିଥିବା ରାଜନୈତିକ ଦଳ ବିଜେପିର ନା ଦଳର ତୃଣମୂଳର ନେତା ନା ବରିଷ୍ଠ ନା କେନ୍ଦ୍ର ନେତା ଏହି ପ୍ରକାର ପରିସ୍ଥିତିକୁ କେମିତି ନିୟନ୍ତ୍ରଣ କରାଯିବ ତାହା କେହି ସ୍ଥିର କରିପାରୁ ନାହାନ୍ତି। ଫଳରେ ମନ୍ତ୍ରିମଣ୍ଡଳରେ ଇନ୍-ଆଉଟ୍ ହେବ ବୋଲି ଗଲା ୧୫ ମାସ ହେଲା ଚର୍ଚ୍ଚା ସିନା ହେଉଛି କିନ୍ତୁ ତାହା ଫଳପ୍ରଦ ହେଉନାହିଁ। ଅପରପକ୍ଷେ ଯେଉଁ କିଛି ନେତାଙ୍କ ଯୋଗୁ ବିଜେପି ନିର୍ବାଚନ ସମୟରେ ଅକସ୍ମାତ ବାଜି ପଲଟାଇ ନବୀନ- ପାଣ୍ଡିଆନ୍ଙ୍କୁ କ୍ରିଜ୍ରୁ ଆଉଟ କରିଦେଲା ସେମାନେ ନା ତାଙ୍କ ପ୍ରାପ୍ୟ ପାଉଛନ୍ତି ନା ଉପଯୁକ୍ତ ସମ୍ମାନ। ଫଳରେ ରାଜ୍ୟ ବିଜେପିରେ ଖାଲି ଅସନ୍ତୋଷ ହିଁ ପାଦେ ପାଦେ ଫୁଟୁଥିବା ସ୍ପଷ୍ଟ ହେଉଛି।
ପ୍ରଦୀପଙ୍କ ଗତିବିଧି ଉପରେ ରୋକ୍
ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କଠାରୁ ଆରମ୍ଭ କରି ବିଜେଡିରୁ ଆମଦାନୀ ହୋଇଥିବା ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ, ସୀମାରାଣୀ ନାଏକ, ସମୀର ଦାଶଙ୍କ ନାଁ ବିଜେପିର ଅସନ୍ତୁଷ୍ଟଙ୍କ ତାଲିକାରେ ରହିଛି। ଦକ୍ଷିଣ ଓଡ଼ିଶାରେ ଯଦି ବିଜେପି, ବିଜେଡିକୁ ଧୂଳି ଚଟାଇଛି ତେବେ ତାହା କେବଳ ତାଙ୍କ ଯୋଗୁ ହିଁ ସମ୍ଭବ ହୋଇପାରିଛି। ଯେତିକି ନେତା ବିଜେଡିରୁ ବିଜେପିକୁ ଆସିଛନ୍ତି ତାଙ୍କ ଭିତରେ ଦଳକୁ ସବୁଠାରୁ ଅଧିକ ଫାଇଦା ପ୍ରଦୀପ ପାଣିଗ୍ରାହୀ ଦେଇଥିଲେ ମଧ୍ୟ ଆଜି ତାଙ୍କୁ ତାଙ୍କ ନିର୍ବାଚନମଣ୍ଡଳିରେ ଦେଖିବାକୁ ମିଳୁ ନାହିଁ। କାରଣ ଧର୍ମେନ୍ଦ୍ର ପ୍ରଧାନ ନିଜର ଅନୁଗତମାନଙ୍କୁ ସୁରକ୍ଷା ଦେବା ପାଇଁ ପ୍ରଦୀପଙ୍କ ଗତିବିଧି ଉପରେ ଦଳୀୟ ନେତାଙ୍କ ମାଧ୍ୟମରେ ରୋକ୍ ଲଗାଇଥିବା ଅଭିଯୋଗ ହେଉଛି। ଅବଶ୍ୟ ବିଜେପି ଦଳ ବାହାରୁ ଆସିଥିବା ନେତାଙ୍କୁ ଆଉ ଗୁରୁତ୍ୱ ଦେଉନାହିଁ। ଏହି ପ୍ରକ୍ରିୟା ଜାରି ରହିଲେ ଓଡ଼ିଶା ରାଜନୀତିରେ ବିଜେପି ଆଗକୁ ବଢ଼ିବା ଓ ଆଗକୁ ଥିବା ନିର୍ବାଚନରେ ଜିତି କ୍ଷମତା ହାସଲ କରିବା ଅସମ୍ଭବ ବି ହୋଇପାରେ ବୋଲି ରାଜନୀତିକ ମହଲରେ ଆଲୋଚନା ହେଉଛି।
ସମୀରଙ୍କ ତୁମ୍ବିତୋଫାନ
ଇମ୍ପୋର୍ଟେଡ୍ ନେତାଙ୍କ ଭିତରେ ପୁରୀ ଜିଲ୍ଲା ଓ ଜଗତସିଂପୁର ଲୋକସଭା ଆସନରେ ବିଜେପିକୁ ଫାଇଦା ଦେଇଛନ୍ତି ପୂର୍ବତନ ମନ୍ତ୍ରୀ ସମୀର ଦାଶ। ତାଙ୍କରି ଯୋଗୁ ପ୍ରଭାତୀ ପରିଡ଼ା ନିର୍ବାଚନ ଜିତି ଉପମୁଖ୍ୟମନ୍ତ୍ରୀ ହୋଇଥିବା ସେ ଖୋଦ ସ୍ୱୀକାର ବି କରିଛନ୍ତି। ଏପରିକି ଜଗତସିଂହପୁର ଲୋକସଭା ଆସନ ଜିତିବାରେ ବିଜେପିକୁ ସହଜ ହୋଇଥିଲା। କିନ୍ତୁ ଆଜିଯାଏ ସମୀରଙ୍କୁ ଏହି ପ୍ରତିଦାନର ପୁରସ୍କାର ନ ମିଳିବାରୁ ସେ ତୁମ୍ବୀ ତୋଫାନ କରୁଛନ୍ତି। ନିଜ ଭିତରେ ଥିବା ତାଙ୍କର ଆତ୍ମବିଶ୍ୱାସ ପ୍ରଭାତୀଙ୍କୁ ନେତା ଭାବେ ସ୍ୱୀକାର କରିବାକୁ ମନା କରୁଥାଇପାରେ। ହେଲେ ଏହାକୁ ପ୍ରଶମିତ କରିବା ପାଇଁ ତାଙ୍କୁ ଥଇଥାନ କରିବା ଲାଗି ବିଜେପି କର୍ତ୍ତୃପକ୍ଷ ତିଳେମାତ୍ର ଧ୍ୟାନ ଦେଉନାହାନ୍ତି। ତେଣୁ ଆଗାମୀ ଦିନରେ ପୁରୀ ଜିଲ୍ଲା ଓ ଜଗତସିଂପୁର ଲୋକସଭା ଆସନରେ ଥିବା ଅନେକ ଅସନ୍ତୋଷକୁ ପ୍ରସ୍ଫୁଟିତ କରିବ ବୋଲି କୁହାଯାଉଛି।
ଜୟ ନାରାୟଣଙ୍କ ସମର୍ଥନରେ ବିଧାୟକ
ଏବେ ବିଜେପିରେ ଜୟନାରାୟଣଙ୍କ ଅସନ୍ତୋଷ କଥା। ନିକଟରେ ଗଣମାଧ୍ୟମରେ ମଧ୍ୟ ସେ ଏହି ଅସନ୍ତୋଷକୁ ପରୋକ୍ଷରେ ଜାହିର କରିଛନ୍ତି। ରାଜନୀତିରେ ଅଭିଜ୍ଞତା, ନିଷ୍ଠାର କୌଣସି ମୂଲ୍ୟ ନ ଥାଏ ବୋଲି ସେ କହିଛନ୍ତି। ହେଲେ ତାଙ୍କ ଭଳି ନେତାଙ୍କ ଲାଗି ବିଜେପି ସରକାରକୁ ଆସିଛି ବୋଲି ଅନେକ ଆଲୋଚନା କରୁଥିବା କହି ସେ ସୂଚାଇ ଦେବାକୁ ଚାହାନ୍ତି ଯେ ତାଙ୍କୁ ଉଚିତ ପ୍ରାପ୍ୟ ମିଳି ନାହିଁ।
ସମ୍ବଲପୁର ବିଧାୟକଙ୍କ ସହ କେନ୍ଦ୍ରମନ୍ତ୍ରୀଙ୍କ ସମ୍ପର୍କକୁ ନେଇ ଅନେକ ଆଲୋଚନା ଗଣମାଧ୍ୟମରେ ଅତୀତରେ ହୋଇଛି। ଏପରିକି ନିର୍ବାଚନ ସମୟରେ ଜୟନାରାୟଣ ମିଶ୍ରଙ୍କ ଟିକେଟ କାଟିବା ଓ ନିର୍ବାଚନରେ ତାଙ୍କୁ ହରାଇବା ଯାଏ ବି ଚର୍ଚ୍ଚା ହେଉଥିଲା। ହେଲେ ଶ୍ରୀ ମିଶ୍ର ଅସୁସ୍ଥତା ସତ୍ତ୍ୱେ ସମ୍ବଲପୁରବାସୀଙ୍କ ହୃଦୟ ଜିତି ପୁଣିଥରେ ବିଧାୟକ ହୋଇପାରିଛନ୍ତି। ପଶ୍ଚିମାଞ୍ଚଳର ଟାଣୁଆ ନେତା ଭାବେ ଶ୍ରୀ ମିଶ୍ରଙ୍କ ଆତ୍ମବିଶ୍ୱାସ ଆଗରେ କୌଣସି ବିଜେପି ନେତା ସରି ହେବ ନାହିଁ ବୋଲି ବି ଚର୍ଚ୍ଚା ହୁଏ। ଦଳ ପାଇଁ ଜେଲ ଯିବାଠାରୁ ଆରମ୍ଭ କରି ବିଧାନସଭାରେ ପୂର୍ବ ବିଜେଡିର ନବୀନ ପଟ୍ଟନାୟକଙ୍କ ମନ୍ତ୍ରିମଣ୍ଡଳକୁ ସମାଲୋଚନା କରିବାରେ ଧୂରନ୍ଧର ଥିଲେ ଜୟ ନାରାୟଣ। ହେଲେ ବର୍ତ୍ତମାନର ମନ୍ତ୍ରିମଣ୍ଡଳରେ ତାଙ୍କୁ ସ୍ଥାନୀତ କରାନଯିବା, ଏପରିକି ମନ୍ତ୍ରିପରିଷଦର ଶପଥ ଗ୍ରହଣ ଉତ୍ସବକୁ ଯିବା ପାଇଁ ତାଙ୍କୁ ସଠିକ୍ ଢଙ୍ଗରେ ନ ଡାକିବା ଦଳ ଭିତରେ ଗୋଷ୍ଠୀବାଦକୁ ତ୍ୱରାନ୍ୱିତ କରୁଛି। ଏବେ ତ ତାଙ୍କ ସପକ୍ଷରେ କିଛି ବିଧାୟକ ପଦାକୁ ଆସି ଲବି କରିବା ମଧ୍ୟ ଗଣମାଧ୍ୟମରେ ଦେଖିବାକୁ ମିଳିଛି।
ଅନୁସୂଚିତ ଜନଜାତିକୁ ନେଇ ବିଜେପିର ଭ୍ରାନ୍ତ ଧାରଣା
ପୁଣି ସବୁ ଅନୁସୂଚିତ ଜନଜାତି ଗୋଟିଏ ପ୍ରକାରର ବୋଲି ଦଳର ରଣନୀତିକାରଙ୍କ ମନରେ ଥିବା ଭ୍ରାନ୍ତ ଧାରଣା ଯୋଗୁ କେନ୍ଦୁଝର, ମୟୁରଭଞ୍ଜର ସାନ୍ତାଳ ସମ୍ପ୍ରଦାୟ ଅଧିକ ଫାଇଦା ପାଉଛନ୍ତି। ଏବେକାର ରାଜ୍ୟ ମନ୍ତ୍ରିମଣ୍ଡଳକୁ ଦେଖିଲେ ସାନ୍ତାଳ, ଗଣ୍ଡ, କୋହ୍ଲ ପ୍ରତିନିଧି ସାମିଲ ରହିଛନ୍ତି। ପୁଣି ସର୍ବାଧିକ ପ୍ରତିନିଧି ସାନ୍ତାଳ ସମ୍ପ୍ରଦାୟରୁ ହୋଇଥିବାବେଳେ ଅଞ୍ଚଳ ଭିତ୍ତିରେ ତାଙ୍କୁ ପଦପଦବୀ ମିଳୁ ବୋଲି ସେମାନେ ପରୋକ୍ଷରେ ଲବି କରୁଛନ୍ତି। ଏହି ତାଲିକାରେ ପ୍ରକାଶ ସୋରେନ୍ଙ୍କ ନାଁକୁ ଅଣାଯାଇପାରେ। ଯଦିଓ ପ୍ରକାଶ ସୋରେନ୍ ମନ୍ତ୍ରୀ ହେବା ପାଇଁ ଆଶାୟୀ କିନ୍ତୁ ମୁଖ୍ୟମନ୍ତ୍ରୀ ସାନ୍ତାଳ ସମ୍ପ୍ରଦାୟରୁ ଥିବାରୁ ଆଉ ଜଣେ ସାନ୍ତାଳଙ୍କୁ ମନ୍ତ୍ରିମଣ୍ଡଳକୁ ଆଣିଲେ ତାହା ଅନ୍ୟ ଅନୁସୂଚିତ ଜନଜାତି ସମ୍ପ୍ରଦାୟ ଭିତରେ ଅସନ୍ତୋଷର ମଞ୍ଜି ବୁଣିପାରେ ବୋଲି ଦଳୀୟ ସଂଗଠନ ଆଶଙ୍କା କରୁଛି।
ଅନୁସୂଚିତ ଜନଜାତିଙ୍କ ଭିତରେ ଭାରସାମ୍ୟ ରକ୍ଷା କରିବାରେ ବିଜେପି ବିଫଳ
ଅପରପକ୍ଷେ ରାଜ୍ୟରେ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ କନ୍ଧ, ଓରାମ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ ମିଳି ନାହିଁ। କିନ୍ତୁ ବିଜେଡି ଶାସନ ସମୟରେ ସୁବିଧା ହାସଲ କରିଥିବା କନ୍ଧ, ଓରାମ ସମ୍ପ୍ରଦାୟ ଏବେ ସାମାନ୍ୟ ପଛୁଆ ପଡ଼ିଥିବା ଅଭିଯୋଗ ହେଉଛି। ରାଜ୍ୟରେ ପଛୁଆ ଥିବା ମାକିଡିଆ ଜାତି ପରି ଅନେକ ଅନୁସୂଚିତ ଜନଜାତିଙ୍କୁ ଦୀର୍ଘ ଦିନ ହେଲା ଉପେକ୍ଷା କରାଯାଉଥିଲେ ମଧ୍ୟ ବିଜେପି ସରକାର ତାଙ୍କୁ ବି ଗୁରୁତ୍ୱ ଦେବା କଥା ଭୁଲି ଯାଇଛି। ରାଜ୍ୟରେ ଅନୁସୂଚିତ ଜନଜାତି ମୁଖ୍ୟମନ୍ତ୍ରୀ ହୋଇଥିଲେ ବି ଅନୁସୂଚିତ ଜନଜାତିଙ୍କ ସମାଜ ଭିତରେ ରାଜନୀତିକ ଭାରସାମ୍ୟ ରକ୍ଷା କରିବାରେ ବିଫଳ ହେଉଥିବା ଅଭିଯୋଗ ହେଉଛି। ଏହାଦ୍ୱାରା ସମାଜର ସାମଗ୍ରିକ ଉନ୍ନତି ବଦଳରେ ସାଧାରଣ ବର୍ଗ ପରି କିଛି ନେତା ଓ ବର୍ଗ ଅନ୍ୟ ଉପରେ ପ୍ରଭାବ ବିସ୍ତାର କରୁଛନ୍ତି। କାରଣ ମୁଖ୍ୟମନ୍ତ୍ରୀ ନରମ ସ୍ୱଭାବର ହୋଇଥିବାରୁ ଏହାକୁ ତାଙ୍କର ଦୁର୍ବଳତା ବୋଲି ମନ୍ତ୍ରୀ ଓ ଦଳୀୟ ନେତାମାନେ ବିଚାର କରି ତାଙ୍କୁ ଅମାନ୍ୟ କରିବାର ଦୁଃସାହାସ କରିବାରେ ଲାଗିଛନ୍ତି।
ସୀମାରାଣୀ ନାଏକଙ୍କ ଯୋଗୁ ଢେଙ୍କାନାଳରେ ବିଜେଡି ସଫା
ସେହିପରି ଢେଙ୍କାନଳ ଜିଲ୍ଲାରେ ବିଜେଡିର ପୂର୍ବତନ ବିଧାୟିକା ସୀମାରାଣୀ ନାଏକ ଦଳ ଛାଡ଼ି ନିର୍ବାଚନବେଳେ ବିଜେପିକୁ ଆସିଥିଲେ। ସେ ହିନ୍ଦୋଳ ବିଧାନସଭା ଆସନରୁ ଜିତିବା ପରେ ଢେଙ୍କାନାଳ ଜିଲ୍ଲାରେ ବିଜେଡି ସଫା ହୋଇଯାଇଛି। ସୀମାରାଣୀ ନାଏକ ତିନି ଥରର ବିଧାୟକ ହୋଇଥିଲେ ମଧ୍ୟ ଦଳ ତାଙ୍କ ପ୍ରତି ଅବିଚାର କରୁଛି ବୋଲି ତାଙ୍କ ସମର୍ଥକମାନେ କହୁଛନ୍ତି।
ବିବାଦ କେନ୍ଦ୍ରବିନ୍ଦୁରେ ଧର୍ମେନ୍ଦ୍ର
ଏସବୁ ବିବାଦର କେନ୍ଦ୍ରବିନ୍ଦୁରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହିଁ ରହିଥିବା ଚର୍ଚ୍ଚା ହେଉଛି। ଏହି ଚର୍ଚ୍ଚା ଅନୁସାରେ ଆଶାୟୀ ନେତାମାନେ ଧର୍ମେନ୍ଦ୍ରଙ୍କ ପକ୍ଷଭୁକ୍ତ ହୋଇ ରାଜ୍ୟ ନେତୃତ୍ୱଙ୍କ ଉପରେ ଚାପ ପକାଉଛନ୍ତି। ଏହାଦ୍ୱାରା ମନ୍ତ୍ରିମଣ୍ତଳର ସମ୍ପ୍ରସାରଣ ଆଉ ମୁଖ୍ୟମନ୍ତ୍ରୀଙ୍କ ପକ୍ଷଭୁକ୍ତ ହୋଇ ରହିପାରିନାହିଁ। ପୁଣି ଏ ଅସନ୍ତୋଷର ପରିମାଣ ବ୍ୟାପକ ହୋଇଥିବାରୁ ଏବେ ଏହି ପରିଧିରେ ଅନେକ ହସ୍ତକ୍ଷେପ ସୃଷ୍ଟି ହୋଇଛି। କେତେବେଳେ କେନ୍ଦ୍ରୀୟ ନେତା ତ କେତେବେଳେ କେନ୍ଦ୍ରମନ୍ତ୍ରୀ, କେତେବେଳେ ନିଜ କୁର୍ସି ତ କେତେବେଳେ ଅନ୍ୟର କୁର୍ସି ବଞ୍ଚାଇବାର ଅଭିଯାନ ସବୁ କିଛିକୁ ବିଳମ୍ବିତ କରୁଛି। ମନ୍ତ୍ରୀମାନଙ୍କୁ ଦାୟିତ୍ୱବାନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦକ୍ଷତା ପରିମାପକ ଯୋଜନା ବି ଏଥିରେ ଫେଲ ମାରିଛି।
ଏ ପରିସ୍ଥିତି ଭିତରେ ମୁଖ୍ୟମନ୍ତ୍ରୀ ଭରସା କରିଛନ୍ତି ସଂଗଠନ ଓ ତାଙ୍କୁ ମୁଖ୍ୟମନ୍ତ୍ରୀ ଆସନରେ ବସାଇଥିବା କେନ୍ଦ୍ରୀୟ ନେତାଙ୍କ ଉପରେ। ସେଥିଲାଗି ବାରମ୍ବାର ଦିଲ୍ଲୀ ଗସ୍ତକୁ ସେ ଭରସା କରୁଥିବା ଚର୍ଚ୍ଚା ହେଉଛି। ଏଥର ବି ସେଇ ଚର୍ଚ୍ଚା ଚାଲିଛି। ଏଭଳି ଯଦି ଆଉ ଅଧିକ ଦିନ ଚାଲିବ ତେବେ ତାଙ୍କ ନାଁରେ ଦୁର୍ବଳ ମୁଖ୍ୟମନ୍ତ୍ରୀ ଟ୍ୟାଗଟି ଲାଗିବା ସ୍ୱାଭାବିକ ହୋଇପାରେ।
Also readhttps://purvapaksa.com/china-shows-missiles-capable-of-hitting-america/
China Military Parade।। ବିଜୟ ଦିବସରେ ଆମେରିକାକୁ ଶେଷକରିବାର ଅସ୍ତ୍ର ଦେଖାଇଲା ଚୀନ !
