“ଯୋଗୀ ହେବା ଭାରି କଷ୍ଟ!” – ଏ କଥା ସମସ୍ତେ କହୁଛନ୍ତି ଆମକୁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭଳି ଜଣେ ଶାସକ ଦରକାର। କିନ୍ତୁ ପ୍ରଶ୍ନ ଉଠୁଛି, ସବୁ ରାଜନେତା କ’ଣ ଯୋଗୀ ହୋଇପାରିବେ? କ୍ଷମତାର ଚୌକିରେ ବସି ନିର୍ଭୀକ ଭାବେ କଠୋର ନିଷ୍ପତ୍ତି ନେବା ପାଇଁ ଯେଉଁ ଇଚ୍ଛାଶକ୍ତି ଦରକାର, ତାହା କ’ଣ ସମସ୍ତଙ୍କ ପାଖରେ ଥାଏ? ରାଜନୀତିରେ ‘ଯୋଗୀ’ ବେଶଧାରୀ ନେତା ମିଳିବା ସହଜ ହୋଇପାରେ, କିନ୍ତୁ ଯୋଗୀଙ୍କ ପରି କର୍ତ୍ତବ୍ୟନିଷ୍ଠ ଏବଂ ଶାସନ କ୍ଷେତ୍ରରେ କଠୋର ମୁଖ୍ୟମନ୍ତ୍ରୀ ମିଳିବା ପ୍ରକୃତରେ ଭାରି କଷ୍ଟ। କଟକର ଏସସିବି ମେଡିକାଲରେ ଘଟିଥିବା ସାମ୍ପ୍ରତିକ ଅଗ୍ନିକାଣ୍ଡ ଏହି ପ୍ରସଙ୍ଗକୁ ଆଉଥରେ ପ୍ରମାଣିତ କରିଛି।
ଓଡ଼ିଶାର ସ୍ୱାସ୍ଥ୍ୟସେବାର ପ୍ରାଣକେନ୍ଦ୍ର କୁହାଯାଉଥିବା କଟକ ବଡ଼ ଡାକ୍ତରଖାନା ବା ଏସସିବି ମେଡିକାଲରେ ମାର୍ଚ୍ଚ ୧୬ ତାରିଖରେ ଯେଉଁ ଭୟଙ୍କର ଅଗ୍ନିକାଣ୍ଡ ଘଟିଲା, ତାହା କେବଳ ଏକ ସାଧାରଣ ‘ଦୁର୍ଘଟଣା’ ନୁହେଁ। ଏହା ହେଉଛି ପ୍ରଶାସନିକ ଶିଥିଳତା ଏବଂ ବ୍ୟବସ୍ଥାର ଚରମ ବିଫଳତା । ଯେଉଁଠାରେ ହଜାର ହଜାର ରୋଗୀ ନୂଆ ଜୀବନ ପାଇବା ଆଶାରେ ଆସନ୍ତି, ସେଇଠି ସରକାରୀ ବ୍ୟବସ୍ଥାର ତ୍ରୁଟି ଯୋଗୁଁ ଅଗ୍ନିର କରାଳ ରୂପରେ ଜୀବନ ଚାଲିଯିବା ଗଣତନ୍ତ୍ର ପାଇଁ ଏକ ବଡ଼ କଳଙ୍କ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାସ୍ଥଳକୁ ଯାଇଛନ୍ତି, ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏବଂ କିଛି ତଳସ୍ତରର କର୍ମଚାରୀଙ୍କୁ ସସପେଣ୍ଡ କରିଛନ୍ତି। କିନ୍ତୁ ପ୍ରଶ୍ନ ଉଠୁଛି—ଏତିକି କାର୍ଯ୍ୟାନୁଷ୍ଠାନ କ’ଣ ଯଥେଷ୍ଟ? କିମ୍ବା ଏହା କେବଳ ଜନ ଅସନ୍ତୋଷକୁ ପ୍ରଶମିତ କରିବାର ଏକ ସାମୟିକ ‘ଆଖିବୁଜା’ ପ୍ରୟାସ?
ଏସସିବି ଘଟଣା ପରେ ରାଜ୍ୟ ରାଜନୀତିରେ ହଟ୍ଟଗୋଳ ଜାରି ରହିଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କଠାରୁ ଆରମ୍ଭ କରି ପିସିସି ସଭାପତିଙ୍କ ପର୍ଯ୍ୟନ୍ତ ସମସ୍ତେ ସରକାରଙ୍କୁ ଘେରିବାରେ ଲାଗିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ହେଉଛି। ନିଶ୍ଚିତ ଭାବେ ବିରୋଧୀ ଦଳ ଭାବେ ଏହା ସେମାନଙ୍କର ସାମ୍ବିଧାନିକ ଦାୟିତ୍ୱ। କିନ୍ତୁ ଏହି ସଂବେଦନଶୀଳ ପ୍ରସଙ୍ଗକୁ କେବଳ ରାଜନୈତିକ ବୟାନବାଜି ଭିତରେ ସୀମିତ ରଖିଲେ ମୂଳ ସମସ୍ୟାର ସମାଧାନ ହେବ ନାହିଁ। ଏଭଳି ଘଟଣାର ପୁନରାବୃତ୍ତି ରୋକିବା ପାଇଁ ଅନ୍ୟ ରାଜ୍ୟର ସରକାରମାନେ କିଭଳି ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେଇଛନ୍ତି ଏବଂ ଓଡ଼ିଶା ସେଥିରୁ କ’ଣ ଶିକ୍ଷା ପାଇଛି।
ନିକଟରେ ଉତ୍ତରପ୍ରଦେଶର ଝାନ୍ସି ମେଡିକାଲ କଲେଜରେ ୧୨ ଜଣ ଶିଶୁଙ୍କ ମୃତ୍ୟୁ ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯେଉଁ ପଦକ୍ଷେପ ନେଲେ, ତାହା ପ୍ରତିଟି ଶାସକଙ୍କ ପାଇଁ ଏକ ପାଠ୍ୟପୁସ୍ତକ ସଦୃଶ। ଘଟଣାର ମାତ୍ର ୧୨ ଘଣ୍ଟା ଭିତରେ ରିପୋର୍ଟ ମଗାଇ ସେ ସିଧାସଳଖ ମେଡିକାଲ କଲେଜ ପ୍ରିନ୍ସିପାଲ ଓ ଚିଫ୍ ମେଡିକାଲ ସୁପରିଟେଣ୍ଡେଣ୍ଟଙ୍କୁ ନିଲମ୍ବିତ କରିଥିଲେ।
ଦାୟିତ୍ୱବୋଧର ସୀମା କେଉଁଠି, ତାହା ସେ ପ୍ରମାଣ କରିଥିଲେ।
ଅଥଚ ଓଡ଼ିଶା ସରକାର ଏସସିବି ଘଟଣାରେ କେବଳ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବଳି ପକାଇ ବଡ଼ ଅଧିକାରୀଙ୍କୁ କାହିଁକି ସୁରକ୍ଷା କବଚ ଦେଉଛନ୍ତି, ତାହା ଏବେ ସବୁଠାରୁ ବଡ଼ ପ୍ରଶ୍ନବାଚୀ। ବଡ଼ ପଦବୀରେ ବସିଥିବା ଅଧିକାରୀମାନଙ୍କୁ ସୁରକ୍ଷା ଦେବା କ’ଣ ସୁଶାସନର ଲକ୍ଷଣ?
ଝାନ୍ସି ଘଟଣା ପରେ ଯୋଗୀ ସରକାର ଏକ ‘ତ୍ରିସ୍ତରୀୟ ତଦନ୍ତ’ ନିର୍ଦ୍ଦେଶ ଦେଇଥିଲେ। କେବଳ ଏତିକି ନୁହେଁ, ସାରା ରାଜ୍ୟର ସରକାରୀ ହସ୍ପିଟାଲରେ ଅଗ୍ନି ନିର୍ବାପନ ବ୍ୟବସ୍ଥାର କଡ଼ା ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।
ଓଡ଼ିଶାରେ ଏସସିବି ହେଉ କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଅନେକ ସ୍ଥାନରେ ଅଗ୍ନି ନିର୍ବାପକ ସାର୍ଟିଫିକେଟ୍ ନ ଥିବା ଅଭିଯୋଗ ହେଉଛି। ଯଦି ଏକ ସରକାରୀ ପ୍ରତିଷ୍ଠାନ ନିଜେ ନିୟମ ପାଳନ କରିବାରେ ବିଫଳ ହୁଏ, ତେବେ ସାଧାରଣ ଜନସାଧାରଣଙ୍କ ସୁରକ୍ଷାର ଗ୍ୟାରେଣ୍ଟି କିଏ ଦେବ? ନିୟମ କେବଳ ସାଧାରଣ ଲୋକଙ୍କ ପାଇଁ ନା ସରକାରୀ ବାବୁମାନଙ୍କ ପାଇଁ ମଧ୍ୟ?
୨୦୧୧ ମସିହାରେ କଲକାତାର ଆମ୍ରି (AMRI) ହସ୍ପିଟାଲରେ ଯେତେବେଳେ ଅଗ୍ନିକାଣ୍ଡ ଘଟି ୯୦ରୁ ଅଧିକ ଲୋକଙ୍କ ଜୀବନ ଯାଇଥିଲା, ସେତେବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେବଳ ୱାର୍ଡ ବଏ ବା ନର୍ସଙ୍କୁ ଦଣ୍ଡ ଦେଇନଥିଲେ। ସେ ସେହି ପ୍ରତିଷ୍ଠିତ ହସ୍ପିଟାଲର ୬ ଜଣ ବୋର୍ଡ ନିର୍ଦ୍ଦେଶକଙ୍କୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସରକାରଙ୍କ ଏହି କଠୋର ଆଭିମୁଖ୍ୟକୁ ସ୍ୱର୍ଗତ ରତନ ଟାଟାଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ୟ ପ୍ରଶଂସା କରିଥିଲେ। ଏହାର କାରଣ ହେଉଛି—ଦାୟିତ୍ୱବୋଧ ସବୁବେଳେ ଶୀର୍ଷରୁ ହିଁ ଆରମ୍ଭ ହେବା ଉଚିତ।
ଓଡ଼ିଶାବାସୀ ଏକ ବଡ଼ ‘ପରିବର୍ତ୍ତନ’ ଆଶାରେ ନୂଆ ସରକାରଙ୍କୁ କ୍ଷମତା ଦେଇଛନ୍ତି। ଏସସିବି ଘଟଣାରେ ସରକାରଙ୍କ ଆଭିମୁଖ୍ୟ ହିଁ ପ୍ରମାଣ କରିବ ଯେ ସେମାନେ ଉତ୍ତରପ୍ରଦେଶ କିମ୍ବା ପଶ୍ଚିମବଙ୍ଗ ଭଳି କଠୋର ପ୍ରଶାସନିକ ସଂସ୍କାର ଚାହୁଁଛନ୍ତି କି ନାହିଁ। କେବଳ ତଦନ୍ତ କମିଟି ଗଠନ କରି ଘଟଣାକୁ ଥଣ୍ଡା ପକାଇ ଦେବା ପରିବର୍ତ୍ତେ, ଦୋଷୀ ଯେତେ ବଡ଼ ଅଧିକାରୀ ହୁଅନ୍ତୁ ନା କାହିଁକି, ସେମାନଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ।
ଏହି ସଂବେଦନଶୀଳ ଘଟଣାରେ ଯଦି ଆଜି ଦୋଷୀ ଦଣ୍ଡ ନ ପାଆନ୍ତି, ତେବେ ଭବିଷ୍ୟତରେ ଏଭଳି ଅଗ୍ନିକାଣ୍ଡରେ ପୁଣି କେହି ନିରୀହ ଗରିବ ଲୋକର ପ୍ରାଣହାନି ଘଟିବ। ମୁଖ୍ୟମନ୍ତ୍ରୀଙ୍କୁ ଏବେ ନିଜର ‘କଠୋର ଶାସକ’ର ପରିଚୟ ଦେବାକୁ ପଡ଼ିବ। ରାଜନୈତିକ ସମୀକରଣ କିମ୍ବା ଭୋଟ୍ ବ୍ୟାଙ୍କ ରାଜନୀତି ନୁହେଁ, ବରଂ ଜନସାଧାରଣଙ୍କ ଜୀବନ ଓ ସୁରକ୍ଷା ହିଁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ହେବା ଆବଶ୍ୟକ। ଯୋଗୀ ହେବା କଷ୍ଟସାଧ୍ୟ ହୋଇପାରେ, କିନ୍ତୁ ଓଡ଼ିଆ ଜାତିର ସ୍ୱାର୍ଥ ରକ୍ଷା ପାଇଁ ଆଜି ଜଣେ ‘ଯୋଗୀ’ଙ୍କ ଭଳି ନିର୍ଭୀକ ମୁଖ୍ୟମନ୍ତ୍ରୀଙ୍କର ଅତ୍ୟନ୍ତ ଆବଶ୍ୟକତା ରହିଛି।
AlsoRead; https://purvapaksa.com/varun-gandhis-surprise-entry/
ବରୁଣ ଗାନ୍ଧୀଙ୍କ ‘ସରପ୍ରାଇଜ୍ ଏଣ୍ଟ୍ରି’ || Varun Gandhi’s ‘surprise entry’


