ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ମାମଲାରେ ପୁରୀର ପ୍ରିୟଙ୍କା ସେନାପତିଙ୍କ ନାମ ଆସିବା ପରେ ଏହି ପ୍ରଶ୍ନ ଉଠିଲାଣି। ଜାତୀୟ ଗଣମାଧ୍ୟମଗୁଡ଼ିକ ମଧ୍ୟ ଇଣ୍ଟେଲିଜେନ୍ସ ବ୍ୟୁରୋର ସୂତ୍ର ଉଧାର କରି ପ୍ରିୟଙ୍କାଙ୍କ କଥା ଉଠାଇଲେଣି। ପ୍ରିୟଙ୍କାଙ୍କୁ ସ୍ଥାନୀୟ ପୋଲିସ ସହିତ ଆଇବି ଜେରା କରିଛି ବୋଲି ରିପୋର୍ଟ ଆସୁଛି। ଏହା ଭିତରେ ପ୍ରଶ୍ନ ଉଠୁଛି ପ୍ରିୟଙ୍କା କ’ଣ ଜ୍ୟୋତିଙ୍କ ସ୍ପାଏ ମୋଡ୍ୟୁଲରେ ସାମିଲ ଥିଲେ କି?
ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି,ଜ୍ୟୋତି ୨୦୨୪ ସେପ୍ଟେମ୍ବର ମାସରେ ପୁରୀ ଆସିଥିଲେ। ସେତେବେଳେ ଜ୍ୟୋତିଙ୍କର ଲୋକାଲ ହୋଷ୍ଟ୍ ଥିଲେ ପ୍ରିୟଙ୍କା ସେନାପତୀ। ଜ୍ୟୋତିଙ୍କୁ ପ୍ରିୟଙ୍କା ପୁରୀ ବୁଲାଇଥିଲେ। ସମୁଦ୍ରକୂଳରେ ଜ୍ୟୋତି ଫଟୋ ଉଠାଇଥିଲେ। ବଡ଼ ଦେଉଳକୁ ଯାଇଥିଲେ। ବଡ଼ ଦେଉଳ ବାହାରୁ ଫଟୋ ଉଠାଇଥିଲେ। ସେତେବେଳେ ପାକିସ୍ତାନର ଏହି ଆଇଏସଆଇ ଏଜେଣ୍ଟ ପୁରା ଭକ୍ତିରେ ଡୁବି ଯାଇଥିଲା।
ଏବେ ଗୁଇନ୍ଦା ଏଜେନ୍ସିଙ୍କ ଆଶଙ୍କା ଯେ, ଜ୍ୟୋତି ପୁରୀ ଶ୍ରୀମନ୍ଦିର ବାବଦରେ ଗୁପ୍ତ ତଥ୍ୟ ଆଇଏସଆଇକୁ ଦେଇଥାଇ ପାରନ୍ତି। ପ୍ରିୟଙ୍କାଙ୍କୁ ନେଇ ଆଶଙ୍କା ସୃଷ୍ଟି ହେବାର ଆଉ ଗୋଟିଏ କାରଣ ହେଉଛି ଏଜେଣ୍ଟ ଜ୍ୟୋତିଙ୍କ ଭଳି ସେ ମଧ୍ୟ ୟୁଟ୍ୟୁବର। ଠିକ୍ ଶୁଣିଲେ ପ୍ରିୟଙ୍କା ବି ଭିଡିଓ ବ୍ଲଗିଂ କରନ୍ତି । ଆଉ ସବୁଠାରୁ ବଡ଼ କଥା ହେଲା ସେ ପାକିସ୍ତାନ ଯାଇଥିଲେ।
ପାକିସ୍ତାନ ଯାଇଥିଲେ ପ୍ରିୟଙ୍କା
ଜ୍ୟୋତିଙ୍କ ବାପାଙ୍କ ଅନୁସାରେ ପ୍ରିୟଙ୍କା ପାକିସ୍ତାନ ଯାଇଥିଲେ । ସେ ଦିନିକିଆ ଭିସାରେ ପାକିସ୍ତାନ ସ୍ଥିତ କରତାରପୁର ଯାଇଥିଲେ ବୋଲି କହିଛନ୍ତି। ସୂଚନାଯୋଗ୍ୟ ଯେ, କରତାରପୁର ଶିଖମାନଙ୍କ ଧାର୍ମିକ ସ୍ଥଳି। ପ୍ରିୟଙ୍କା ଗୋଟିଏ ଦିନ ପାଇଁ ପାକିସ୍ତାନ ଯାଇ ଫେରି ଆସିଥିଲେ ବୋଲି ତାଙ୍କ ବାପା କହିଛନ୍ତି ।
ଜ୍ୟୋତିଙ୍କ ସହ ୯ ମାସର ସମ୍ପର୍କ
ଅନ୍ୟପକ୍ଷରେ ଜ୍ୟୋତିଙ୍କ ପିତା ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍କାରରେ କହିଛନ୍ତି ଯେ, ଜ୍ୟୋତି ତାଙ୍କ ଘରକୁ ଆସିଥିଲେ। ପୁରୀ ବୁଲିବାରେ ତାଙ୍କ ଝିଅ ପ୍ରିୟଙ୍କା ଜ୍ୟୋତିକୁ ସାହାଯ୍ୟ କରିଥିଲେ। ସେତେବେଳେ ତାଙ୍କ ମନରେ କୌଣସି ସନ୍ଦେହ ହୋଇନଥିଲା। ଗତ ୮ରୁ ୯ ମାସ ହେଲା ଜ୍ୟୋତିଙ୍କ ସମ୍ପର୍କରେ ପ୍ରିୟଙ୍କା ଥିଲେ ବୋଲି ତାଙ୍କ ବାପା କହିଛନ୍ତି। ଏବେ ପ୍ରଶ୍ନ ଉଠୁଛି ଯଦି ପ୍ରିୟଙ୍କାଙ୍କୁ ନେଇ ଆଶଙ୍କା ସତ ହୋଇଥାଏ ତେବେ ସେ ଓଡ଼ିଶା ବାବଦରେ ମଧ୍ୟ ସୂଚନା ଆଇଏସଆଇକୁ ସିଧାସଳଖ କିମ୍ବା ଜ୍ୟୋତିଙ୍କ ଜରିଆରେ ଦେଇଥାଇ ପାରନ୍ତି। ସାମରିକ ଦୃଷ୍ଟିକୋଣରୁ ଓଡ଼ିଶାର ଗୁରୁତ୍ୱ ଢେର ଅଧିକ। ଏହାର ଉପକୂଳରେ ବାଂଲାଦେଶୀ ସକ୍ରୀୟ .ଅଛନ୍ତି। ସେହିଭଳି ଓଡ଼ିଶାରେ ପାରଦୀପ ଭଳି ବନ୍ଦର ରହିଛି। ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟି ମଧ୍ୟ ଅଛି। ଏବେ ଜାଣିବାର କଥା ଯେ, ଜ୍ୟୋତିଙ୍କ ସହିତ ସମ୍ପର୍କରେ ଆସିବା ପରେ ପ୍ରିୟଙ୍କା କ’ଣ ଏହି ସବୁ ସମ୍ବେଦନଶୀଳ ଅଞ୍ଚଳକୁ ଯାଇଛନ୍ତି କି? ପୋଲିସ ଯେତେଶୀଘ୍ର ପ୍ରିୟଙ୍କାଙ୍କ ଫୁଟପ୍ରିଣ୍ଟ୍ କେଉଁଠି କେଉଁଠି ପଡ଼ିଛି ତାହା ଆବିଷ୍କାର କରିବ ସେତେ ଭଲ।
Also readhttps://purvapaksa.com/odisha-will-join-bangladesh/


