ଆଜିର ବିଷୟ କେବଳ ମଧ୍ୟପ୍ରାଚ୍ୟ ନୁହେଁ, ବରଂ ସାରା ବିଶ୍ୱର ଅର୍ଥନୀତିକୁ ଦୋହଲାଇ ଦେବାକୁ ଯାଉଛି। ଗତ ୩୮-୪୦ ଦିନ ଧରି ଚାଲିଥିବା ଇସ୍ରାଏଲ-ଇରାନ ସଂଘର୍ଷ ମଧ୍ୟରେ ଇରାନ ହାତରେ ଏକ ଏମିତି ଘାତକ ଅସ୍ତ୍ର ଲାଗିଛି, ଯାହାକୁ ସେ ବର୍ତ୍ତମାନ ସାରା ଦୁନିଆକୁ ବ୍ଲାକମେଲ୍ କରିବା ପାଇଁ ବ୍ୟବହାର କରୁଛି। ଇରାନ ପାଖରେ ପୂର୍ବରୁ ପରମାଣୁ ଅସ୍ତ୍ରର ସ୍ୱପ୍ନ ଥିଲା, କିନ୍ତୁ ଏବେ ତା’ ପାଖରେ ଆଉ ଏକ ‘ବୋମା’ ଆସିଯାଇଛି। ଏହି ବୋମା କାହାକୁ ମାରେ ନାହିଁ, କିନ୍ତୁ କାହାକୁ ଶାନ୍ତିରେ ବଞ୍ଚିବାକୁ ମଧ୍ୟ ଦିଏ ନାହିଁ।
ଇରାନର ପରମାଣୁ ଅଭିସନ୍ଧି
ସର୍ବପ୍ରଥମେ ଆସନ୍ତୁ ବୁଝିବା ଇରାନର ପରମାଣୁ କାର୍ଯ୍ୟକ୍ରମ ବିଷୟରେ। ୨୦୧୫ ମସିହାରେ ଯେତେବେଳେ ବାରାକ ଓବାମା ଆମେରିକାର ରାଷ୍ଟ୍ରପତି ଥିଲେ, ସେତେବେଳେ ଇରାନ ସହ ଏକ ଚୁକ୍ତି ହୋଇଥିଲା। ଆମେରିକା ଇରାନକୁ ୧୫୦ ବିଲିୟନ ଡଲାରର ସାହାଯ୍ୟ ଦେଇଥିଲା ଏହି ସର୍ତ୍ତରେ କି ଇରାନ ତା’ର ୟୁରାନିୟମ ସମୃଦ୍ଧିକରଣକୁ କେବଳ ଶାନ୍ତିପୂର୍ଣ୍ଣ କାର୍ଯ୍ୟ ବା ଶକ୍ତି ଉତ୍ପାଦନ ପାଇଁ ବ୍ୟବହାର କରିବ।
କିନ୍ତୁ, ଶାନ୍ତିପୂର୍ଣ୍ଣ କାର୍ଯ୍ୟ ପାଇଁ ମାତ୍ର କିଛି ପ୍ରତିଶତ ୟୁରାନିୟମ ସମୃଦ୍ଧିକରଣ ଦରକାର। ହେଲେ ଇରାନ ଏବେ ୬୦%ରୁ ଅଧିକ ୟୁରାନିୟମ ସମୃଦ୍ଧିକରଣ କରିସାରିଛି। ପରମାଣୁ ବୋମା ତିଆରି ପାଇଁ ୯୦% ୟୁରାନିୟମ ସମୃଦ୍ଧିକରଣ ଦରକାର, ଯାହା ଇରାନ ଖୁବ୍ ଶୀଘ୍ର ହାସଲ କରିନେବ। ଯଦି ଇରାନ ପରମାଣୁ ଶକ୍ତି ସମ୍ପନ୍ନ ଦେଶ ପାଲଟିଯାଏ, ତେବେ ସେ ପୂରା ମଧ୍ୟପ୍ରାଚ୍ୟର ‘ଦାଦା’ ପାଲଟିଯିବ ଏବଂ ଏହା ସାରାବିଶ୍ୱ ପାଇଁ ସବୁଠାରୁ ବଡ଼ ମୁଣ୍ଡବିନ୍ଧାର କାରଣ ହେବ।
ଦ୍ୱିତୀୟ ଘାତକ ଅସ୍ତ୍ର: ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’
ଏହି ଯୁଦ୍ଧ ମଧ୍ୟରେ ଇରାନ ଆଉ ଏକ ରାସ୍ତା ଖୋଜି ପାଇଛି – ତାହା ହେଉଛି ‘ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍’। ଏହା ଏକ ଏମିତି ଜଳପଥ ଯେଉଁଠାରୁ ସାରାବିଶ୍ୱର ପ୍ରାୟ ୨୦% ଶକ୍ତି (ତେଲ ଏବଂ ଗ୍ୟାସ୍) ପରିବହନ ହୋଇଥାଏ। ଇରାନ ଏବେ ଏହାକୁ ଏକ ଅସ୍ତ୍ର ଭାବେ ବ୍ୟବହାର କରୁଛି।
ଇରାନ ଧମକ ଦେଉଛି କି ସେ ଏହି ଜଳପଥକୁ ବନ୍ଦ କରିଦେବ କିମ୍ବା ପ୍ରତି ଜାହାଜ ପିଛା ୨୦୦ ମିଲିୟନ ଡଲାର ‘ଟୋଲ୍ ଟାକ୍ସ’ ଆଦାୟ କରିବ। ଯାହାକି ଭାରତୀୟ ମୁଦ୍ରାରେ ୧୮୫୧ କୋଟି ଟଙ୍କା ହେବ। ଆନ୍ତର୍ଜାତୀକ ନିୟମ ଅନୁଯାୟୀ ଏହି ଜଳପଥ ସମସ୍ତଙ୍କ ପାଇଁ ମୁକ୍ତ। ଏଠାରେ କୌଣସି ଦେଶ ଟିକସ ଆଦାୟ କରିପାରିବେ ନାହିଁ। ଯଦି ଇରାନ ଏହା କରେ, ତେବେ ବିଶ୍ୱ ଅର୍ଥନୀତି ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବ। ଚୀନ୍, ୟୁରୋପ ଏବଂ ଭାରତ ଭଳି ଦେଶ ଯେଉଁମାନେ ଶକ୍ତି ପାଇଁ ଏହି ଜଳପଥ ଉପରେ ନିର୍ଭରଶୀଳ, ସେମାନେ ସବୁଠାରୁ ଅଧିକ ପ୍ରଭାବିତ ହେବେ।
ଛାୟା ଯୁଦ୍ଧ ଏବଂ ପ୍ରକ୍ସି ଆତଙ୍କବାଦ
ଇରାନ କେବଳ ନିଜେ ଲଢ଼େ ନାହିଁ, ସେ ନିଜର ଆତଙ୍କବାଦୀ ସଙ୍ଗଠନ ବା ‘ପ୍ରକ୍ସି’ମାନଙ୍କୁ ବ୍ୟବହାର କରେ। ହିଜବୁଲ୍ଲା, ହାମାସ, ହୁତି ବିଦ୍ରୋହୀ ଏବଂ ଇରାକର ସିଆ ମିଲିସିଆ – ଏମାନଙ୍କୁ ଇରାନ ପାଣ୍ଠି ଯୋଗାଏ ଏବଂ ତାଲିମ ଦିଏ।
ବର୍ତ୍ତମାନର ଯୁଦ୍ଧ ବିରତି ଆଲୋଚନାରେ ଇରାନ ଏକ ବିଚିତ୍ର ସର୍ତ୍ତ ରଖିଛି। ସେ କହୁଛି କି ତା’ର ପ୍ରକ୍ସି ଆତଙ୍କବାଦୀ ସଙ୍ଗଠନଗୁଡ଼ିକୁ ମଧ୍ୟ ସୁରକ୍ଷା ଦିଆଯାଉ। କିନ୍ତୁ ଆମେରିକା ଏବଂ ଇସ୍ରାଏଲ୍ ସ୍ପଷ୍ଟ କରିଛନ୍ତି କି ହିଜବୁଲ୍ଲା ବା ଲେବାନନ୍ ଏହି ଚୁକ୍ତିର ଅଂଶ ନୁହଁନ୍ତି। ଯେଉଁ ଇରାନୀ ଶାସନ ନିଜ ଦେଶର ଲକ୍ଷ ଲକ୍ଷ ଲୋକଙ୍କୁ ମାରିଦେଇଛି, ସେ ଶାନ୍ତି କଥା କହିବା କେତେଦୂର ଯଥାର୍ଥ?
ବିଶ୍ୱ ସମୁଦାୟ ପାଇଁ ଚ୍ୟାଲେଞ୍ଜ
ଏହି ସମସ୍ୟା ଏବେ କେବଳ ଇସ୍ରାଏଲ କିମ୍ବା ଆମେରିକାର ନୁହେଁ। ଏହା ସାରା ବିଶ୍ୱର ଅସ୍ତିତ୍ୱର ପ୍ରଶ୍ନ।
• ଯଦି ଇରାନ ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ବନ୍ଦ କରେ, ତେଲ ଦର ଆକାଶଛୁଆଁ ହେବ।
• ଭାରତର କାର୍ଗିଲ ଏବଂ କାଶ୍ମୀର ଅଞ୍ଚଳରେ ଇରାନର କିଛି ନକାରାତ୍ମକ ପ୍ରଭାବ ରହିଛି, ଯାହା ଆମ ପାଇଁ ଚିନ୍ତାର ବିଷୟ।
• ଇରାନ ଶକ୍ତିଶାଳୀ ହେବା ଅର୍ଥ ଚୀନ୍ ଅଧିକ ପ୍ରଭାବଶାଳୀ ହେବା।
ଇରାନ ଯେଉଁ ସର୍ତ୍ତ ରଖୁଛି, ସେଥିରେ ଯୁଦ୍ଧ ବିରତି ସମ୍ଭବ ନୁହେଁ। ସେ ଚାହୁଁଛି ପରମାଣୁ ବୋମା ତିଆରି କରିବାକୁ ଅନୁମତି ମିଳୁ ଏବଂ ସମୁଦ୍ର ପଥ ଉପରେ ତା’ର କବ୍ଜା ରହୁ। ଯଦି ବିଶ୍ୱ ସମୁଦାୟ ଏବେ ଏକଜୁଟ ହୋଇ ଇରାନକୁ ନ ଅଟକାନ୍ତି, ତେବେ ଆଗାମୀ ଦିନରେ ଏକ ବଡ଼ ଆର୍ଥିକ ଏବଂ ସାମରିକ ବିପର୍ଯ୍ୟୟ ସୁନିଶ୍ଚିତ।
ସମୟ ଖୁବ୍ କମ୍। ଆମକୁ ସ୍ଥିର କରିବାକୁ ହେବ କି ଆମେ ଏକ ଆତଙ୍କବାଦୀ ଶାସନ ଆଗରେ ମୁଣ୍ଡ ନୁଆଁଇବା ନା ସମସ୍ତେ ମିଶି ଏହି ବିପଦର ମୁକାବିଲା କରିବା।
AlsoRead; https://purvapaksa.com/gang-of-apologetics/


