ଗତ ସପ୍ତାହର ଦୁଇଟି ରାଜନୈତିକ ଦୃଶ୍ୟପଟ୍ଟର ପ୍ରଭାବ ଜାତୀୟ ସ୍ତରରେ ନିଶ୍ଚୟ ଅନୁଭୂତ ହେବ। ଗୋଟିଏ ହେଲା ରାଜଧାନୀ ଦିଲ୍ଲୀରେ କ୍ଷମତା ପରିବର୍ତ୍ତନ ଓ ଅନ୍ୟଟି ମଣିପୁର ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହଙ୍କ ଇସ୍ତଫା। ଜାତିଗତ ଦଙ୍ଗାରୁ ସୃଷ୍ଟ ଅଘଟଣ ଓ ନରସଂହାର ସତ୍ତ୍ୱେ ମଣିପୁରରେ ନେତୃତ୍ୱ ପରିବର୍ତ୍ତନ ଦାବିକୁ କେନ୍ଦ୍ର ସରକାର ଦୁଇବର୍ଷ ଧରି ଏଡ଼ାଇ ଆସିଥିଲେ। ଏଥିନେଇ ସୃଷ୍ଟି ହୋଇଥିବା ପ୍ରତିକୂଳ ଜନମତ ଏବଂ ଦେଶର ବୁଦ୍ଧିଜୀବୀଙ୍କ ପ୍ରବଳ ଚାପର କୌଣସି ପ୍ରଭାବ ପଡ଼ି ନ ଥିଲା କେନ୍ଦ୍ର ସରକାରଙ୍କ ଉପରେ।
ଏଥିରୁ ସ୍ପଷ୍ଟ ଯେ ଯେତେ ଅଘଟନ ଓ ବିଘଟନ ତଥା ବିପର୍ଯ୍ୟୟ ଘଟିଲେ ମଧ୍ୟ କ୍ଷମତାକେନ୍ଦ୍ର କୌଣସି ଚାପ ନିକଟରେ ମୁଣ୍ଡ ନୋଇଁବେ ନାହିଁ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ଜନମତକୁ ସମ୍ମାନିତ ବା ସ୍ୱୀକାର ନ କରିବା ପଛରେ ଯେ କ୍ଷମତାର ଅହଙ୍କାର ନିହିତ ଅଛି, ତାହା ସ୍ପଷ୍ଟ ବାରି ହୋଇପଡ଼ୁଛି। ସେହିଭଳି ନିର୍ବାଚନ ରାଜନୀତିରେ ପ୍ରତିପକ୍ଷକୁ ସମାନ ସୁବିଧା ସୁଯୋଗ ନ ଦେଇ କ୍ଷମତା ହାସଲ କରିବା ଆଦର୍ଶ ଆଚରଣବିଧିର ଅଂଶବିଶେଷ ହୋଇଯାଇଛି। ଏହା କେବଳ ଦିଲ୍ଲୀ ବିଧାନସଭା ନିର୍ବାଚନ ନୁହେଁ, ଅନ୍ୟତ୍ର ମଧ୍ୟ ପରିଲକ୍ଷିତ ହୋଇଛି।
ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ନେତୃତ୍ୱ ଓ କ୍ଷମତା ପରିବର୍ତ୍ତନ ଗଣତାନ୍ତ୍ରିକ ବ୍ୟବସ୍ଥାର ଏକ ସ୍ୱତନ୍ତ୍ର ସୌନ୍ଦର୍ଯ୍ୟ। ଏହା ଅନ୍ତତଃ ସବୁସ୍ତରରେ ସବୁ କ୍ଷେତ୍ରରେ ଅନୁଭୂତ ହେବା ଜରୁରୀ। ସେ ଦୃଷ୍ଟିରୁ ୨୭ ବର୍ଷ ପରେ ଦିଲ୍ଲୀରେ ବିଜେପି କ୍ଷମତା ରାଜନୀତିକୁ ଫେରିବା ଏକ ସ୍ୱାଗତଯୋଗ୍ୟ ଜନାଦେଶ।
ଗତ ଦୁଇବର୍ଷ ଧରି ମୈତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ଘଟିଥିବା ନରସଂହାର, ନାରୀ ନିର୍ଯାତନା ଓ ଅନିୟନ୍ତ୍ରିତ ହିଂସା ସବୁ ସୀମା ଅତିକ୍ରମ କରିଥିଲା। ପରିସ୍ଥିତି ଏପରିହେଲା ଯେ ଘଟଣାରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ହସ୍ତକ୍ଷେପ କରି କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ବାଧ୍ୟ ହେଲେ। ସମଗ୍ର ଦେଶବାସୀ ଘୋର ଉଦବେଗ ଓ ପ୍ରବଳ ଚାପ ସତ୍ତ୍ୱେ ମଣିପୁରକୁ ଜଳିବା ପାଇଁ ଛାଡ଼ି ଦିଆଗଲା। ମୁଖ୍ୟମନ୍ତ୍ରୀ ବୀରେନ୍ ସିଂହ ନିଜେ ମୈତେଇ ସମ୍ପ୍ରଦାୟକୁ ପ୍ରତିନିଧିତ୍ୱ କରୁଥିବାରୁ ତାଙ୍କ ନେତୃତ୍ୱରେ କୁକି ଦମନ ଓ ସଂହାର ଜାରି ରହିଲା। ହିଂସା ନିୟନ୍ତ୍ରିତ ହେବା ପରିବର୍ତ୍ତେ ଦିନକୁ ଦିନ କାୟା ବିସ୍ତାର କଲା। ଏସବୁ ସତ୍ତ୍ୱେ ବୀରେନଙ୍କ ନେତୃତ୍ୱ ଅପରିବର୍ତ୍ତିତ ରହିଲା।

ମଣିପୁରର ରାଜନୈତିକ ଦୃଶ୍ୟପଟ୍ଟ କହେ ଯେ ମୈତେଇ ଏକ ସଂଖ୍ୟାଗରିଷ୍ଠ ଓ ପ୍ରଭାବଶାଳୀ ସମ୍ପ୍ରଦାୟ। ନିର୍ବାଚନ ରାଜନୀତି ଦୃଷ୍ଟିରୁ ଏହି ସମ୍ପ୍ରଦାୟର ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ପ୍ରବଳ ଚାପ ସତ୍ତ୍ୱେ ବୀରେନଙ୍କ ନେତୃତ୍ୱକୁ କ୍ଷମତାକେନ୍ଦ୍ର ବରଦାସ୍ତ କରି ଆସିଥିଲେ। ଏଠାରେ ଉଲ୍ଲେଖଯୋଗ୍ୟ କି ଗତ ଦୁଇବର୍ଷ ମଧ୍ୟରେ ଉପୁଜିଥିବା ହିଂସାକାଣ୍ଡ ୨୫୦ ଜଣଙ୍କ ଜୀବନ ନେଇଛି ଏବଂ ୬୦ ହଜାରରୁ ଊର୍ଦ୍ଧ୍ୱଙ୍କୁ ବାସଚ୍ୟୁତ କରିଛି।
ସ୍ଥିତି ଅସମ୍ଭାଳ ହେବାରୁ ସେଠାକୁ କେନ୍ଦ୍ର ସରକାର ଗୃହ ସଚିବ ପଦରୁ ଅବସର ନେଇଥିବା ଅଜୟ କୁମାର ଭଲ୍ଲାଙ୍କୁ ରାଜ୍ୟପାଳରୂପେ ଅବସ୍ଥାପିତ କରିଥିଲେ। ତାଙ୍କ ହସ୍ତକ୍ଷେପ ଫଳରେ ସ୍ଥିତିରେ କିଛିଟା ସୁଧାର ଆସିଥିଲା। ତେବେ ବୀରେନଙ୍କ ନେତୃତ୍ୱ ଆଗାମୀ ଦିନରେ ଦଳର ଭବିଷ୍ୟତ ପାଇଁ ବିପଦ ହେବାର ଆଶଙ୍କା ଥିବାରୁ ବିଧାୟକ ଦଳରେ ବିଦ୍ରୋହ ମୁଣ୍ଡ ଟେକିଲା। ବିଧାନସଭା ବୈଠକକୁ ସମ୍ମୁଖୀନ ହେବା ପୂର୍ବରୁ ବୀରେନ ଡାକିଥିବା ମେଣ୍ଟ ବିଧାୟକ ଦଳ ବୈଠକରେ ୪୬ଜଣ ସଦସ୍ୟଙ୍କ ମଧ୍ୟରୁ ୨୦ ଜଣଙ୍କ ଉପସ୍ଥିତିରୁ ସେ ବୁଝିଗଲେ ତାଙ୍କର ସ୍ଥିତି କ’ଣ।
କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ରାଜ୍ୟପାଳ ଭଲ୍ଲାଙ୍କ ସହ ସିଧାସଳଖ ଯୋଗାଯୋଗରେ ଥିବାରୁ ସେ ବୁଝିଗଲେ ବୀରେନ୍ଙ୍କ ସ୍ଥିତି କ’ଣ। ଦିଲ୍ଲୀରେ ଆଲୋଚନାବେଳେ ସେ ଇସ୍ତଫା ଦେବାକୁ ପରାମର୍ଶ ଦେଲେ ବୀରେନ୍ଙ୍କୁ।
ନିର୍ବାଚନ ପରେ ଦିଲ୍ଲୀରେ ଯେଉଁ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି ତାହାର ସୁଦୁରପ୍ରସାରୀ ପ୍ରଭାବ ଦେଶର ରାଜନୈତିକ ଦୃଶ୍ୟପଟ୍ଟ ଉପରେ ନିଶ୍ଚୟ ଅନୁଭୂତ ହେବ। ଏଠାରେ ଲକ୍ଷ୍ୟ କରିବାର କଥା ଯେ ଆନ୍ନାଙ୍କ ନେତୃତ୍ୱରେ ଚାଲିଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନ ଯେଉଁ ଜନମତ ସୃଷ୍ଟି କଲା, ସେଥିରେ ଗୁଜରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରରେ କ୍ଷମତାସୀନ ହୋଇ ଦେଶର ପ୍ରଧାନମନ୍ତ୍ରୀ ହେଲେ।
ଠିକ୍ ଏହି ଘଟଣା ପୂର୍ବରୁ ଅରବିନ୍ଦ କେଜ୍ରିୱାଲ ଏକ ବୈକଳ୍ପିକ ରାଜନୀତିର ଭିତ୍ତିଭୂମି ପ୍ରତିଷ୍ଠା କରି ଦିଲ୍ଲୀର କଂଗ୍ରେସ ଗଡ଼କୁ ଧ୍ୱସ୍ତ କରିଥିଲେ। କ୍ଷମତା ରାଜନୀତିରେ ଏହି ଯେଉଁ ପଟ୍ଟ ପରିବର୍ତ୍ତନ ଘଟିଲା, ସେଥିରେ ମୋଦୀ ଓ କେଜ୍ରିୱାଲଙ୍କ ନେତୃତ୍ୱ ପ୍ରତି ଅସମ୍ଭବ ଓ ଆସ୍ଥା ଓ ବିଶ୍ୱାସ ସୃଷ୍ଟି ହେଲା। ଜଣେ ଦିଲ୍ଲୀ ଓ ପଞ୍ଜାବରେ ସୀମିତ ରହିଗଲେ, ଅନ୍ୟ ଜଣେ ସାରାଦେଶକୁ ଶାସନ କଲେ। ଦୁଇନେତା ଗୋଟିଏ ଆନ୍ଦୋଳନରୁ ଜନ୍ମ ନେଇଥିଲେ ମଧ୍ୟ କ୍ଷମତା ସକାଶେ ସେମାନେ ପରସ୍ପରକୁ ପ୍ରତିଦ୍ୱନ୍ଦ୍ୱୀ ମନେକଲେ। ଏଥିରେ କିଛି ଅସ୍ୱାଭାବିକତା ନାହିଁ।

ଏଠାରେ ମନେରଖିବାକୁ ହେବ ଯେ ଆନ୍ନା ଆନ୍ଦୋଳନର ପୃଷ୍ଠଦେଶରେ ଯେଉଁ ଶକ୍ତିକେନ୍ଦ୍ର ଥିଲା ତାହାର ଆଶୀର୍ବାଦ ଦୁଇ ନେତାଙ୍କ ପ୍ରତି ଅଛି। ତେଣୁ ଆଗାମୀ ଦିନର ରାଜନୀତିକୁ ସେହି ଶକ୍ତିକେନ୍ଦ୍ର, ନିୟନ୍ତ୍ରଣ କରିବା କିଛି ଅସମ୍ଭବ ନୁହେଁ। ଦିଲ୍ଲୀ ବିଧାନସଭା ନିର୍ବାଚନରେ କେଜ୍ରିୱାଲ, ମନୀଷ ସିସୋଦିଆ ଓ ସୌରଭ ଭରଦ୍ୱାଜଙ୍କ ଭଳି ନେତା ପରାଜିତ ହେବା ପରେ ‘ଆପ୍’ ରାଜନୀତିର ଭବିଷ୍ୟତ ନେଇ ଯେ କେହି ସନ୍ଦୀହାନ ହେବା ସ୍ୱାଭାବିକ। ଆମକୁ ଏଠାରେ କହିବାକୁ ପଡୁଛି ଯେ ବୈକଳ୍ପିକ ରାଜନୀତିର ସ୍ୱପ୍ନ ଦେଖୁଥିବା ନାଗରିକ ସମାଜ ଓ ବୁଦ୍ଧିଜୀବୀଙ୍କୁ ଆଗାମୀ ଦିନରେ ଆହୁରି ବଡ଼ଧରଣର ହତାଶାର ସମ୍ମୁଖୀନ ହେବାକୁ ପଡ଼ିବ।
ଯେଉଁ ‘ଇଣ୍ଡି’ ମେଣ୍ଟ ଗତ ଲୋକସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟ ଓ ବ୍ୟବସ୍ଥାରେ ସ୍ଥାୟୀ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ନକ୍ସାକୁ ଧୂଳିସାତ କରିଥିଲା, ତାହାର ସ୍ଥିତି ଆଗାମୀ ଦିନରେ ସମ୍ମୁଖୀନ ହେବାକୁ ଯାଉଥିବା ରାଜନୀତି ବିପନ୍ନ କରିବାର ଆଶଙ୍କା ଅଧିକ। ଦିଲ୍ଲୀ ନିର୍ବାଚନ ରାଜନୀତିର ଦୃଶ୍ୟପଟ୍ଟରୁ ଏହା ସ୍ପଷ୍ଟ ହୋଇଛି। କେଜ୍ରିୱାଲ୍ ‘ଆପ୍’ର ପରାଜୟ ପାଇଁ ବିଜେପିକୁ ଯେତିକି ଦାୟୀ କରୁନାହାନ୍ତି, ତାହାଠାରୁ ଅଧିକ କଂଗ୍ରେସକୁ କରୁଛନ୍ତି। ତେଣୁ ଆଗାମୀ ଦିନରେ ‘ଇଣ୍ଡି’ରେ ବିଚିତ୍ର ବିଭ୍ରାଟ ଘଟିବା ଏକ ପ୍ରକାର ଥୟ।
ସମୟ ବଦଳିବା ସହ ଦେଶର ରାଜନୈତିକ ଦୃଶ୍ୟପଟ୍ଟରେ ତାହାର ପ୍ରଭାବୀ ଲକ୍ଷଣ ଆଗାମୀ ଦିନରେ ଦେଖିବାକୁ ମିଳିବ। ଗଣତାନ୍ତ୍ରିକ ବ୍ୟବସ୍ଥାରେ ବିରୋଧୀଙ୍କୁ ନିର୍ବାଚନ ରାଜନୀତିରେ ସମାନ ସୁବିଧା ସୁଯୋଗ ପ୍ରଦାନ ଆମ ବ୍ୟବସ୍ଥାର ମୁଖ୍ୟ ଅଙ୍ଗ।
କ୍ଷମତାକେନ୍ଦ୍ର ତା’ ଢଙ୍ଗରେ କାମକଲେ ମଧ୍ୟ ବିରୋଧୀଙ୍କ ପାଇଁ ସୁଯୋଗ ସଂକୁଚିତ ହେବା ଉଚିତ ନୁହେଁ। ଗତ ଦିନରେ ଏହା ବଳବତ୍ତର ରହିଥିବାରୁ ଜୟନାରାୟଣଙ୍କ ଭଳି ଜଣେ ନେତାଙ୍କଠାରୁ ଅଖଣ୍ଡ କ୍ଷମତାର ଅଧିକାରୀ ଇନ୍ଦିରା ଗାନ୍ଧୀଙ୍କୁ ନିର୍ବାଚନରେ ପରାଜୟ ବରଣ କରିବାକୁ ପଡ଼ିଥିଲା।
ତେଣୁ ଆଗାମୀ ଦିନର ରାଜନୀତି କେଉଁ ଆଡ଼କୁ ଗତିକରିବ, ତାହାର ଆକଳନ କରିବା ଏବେଠାରୁ ସମ୍ଭବ ନୁହେଁ। ପରିବର୍ତ୍ତନ ପ୍ରୟାସୀ ନିଶ୍ଚୟ କିଛି ଭଲ ଆଶା କରିବେ। ପ୍ରଚଳିତ ରାଜନୀତିର ଯେଉଁ ଦିଗ ପରିବର୍ତ୍ତନର ସୂଚନା ପରିଲକ୍ଷିତ ହେଉଛି, ତାହାର ସକାରାତ୍ମକ ଦିଗ ନେଇ ଆମେ ମଧ୍ୟ ଆଶାବାଦୀ।
Also readhttps://purvapaksa.com/bjds-fear-of-split-in-naveen/


