ବଦଳୁଥିବା ବିଶ୍ୱ ଭୂ-ରାଜନୀତି ମଧ୍ୟରେ ଭାରତ ନିଜର ସାମରିକ ନେଟୱର୍କକୁ ଅଭୂତପୂର୍ବ ଭାବେ ସୁଦୃଢ଼ କରିବାରେ ଲାଗିଛି। ବର୍ତ୍ତମାନ ବିଶ୍ୱର ୧୦୦ରୁ ଅଧିକ ଦେଶରେ ଭାରତୀୟ ପ୍ରତିରକ୍ଷା ଅଧିକାରୀମାନେ ମିଲିଟାରୀ ଆଡଭାଇଜର ଏବଂ ଡିଫେନ୍ସ ଅତାଶେ (ପ୍ରତିରକ୍ଷା ଦୂତ) ଭାବେ କାର୍ଯ୍ୟ କରୁଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସେସେଲ୍ସ ଗସ୍ତ ପରେ ଏହି ସାମରିକ ରଣନୀତିକୁ ନେଇ ଚର୍ଚ୍ଚା ଆହୁରି ଜୋର ଧରିଛି। ଭାରତ ଏବେ ସେସେଲ୍ସକୁ ପୁଣିଥରେ ୪ ଜଣ ସାମରିକ ପରାମର୍ଶଦାତା ପଠାଇବାକୁ ନିଷ୍ପତ୍ତି ନେଇଛି, ଯାହା ହିନ୍ଦ ମହାସାଗର ଅଞ୍ଚଳରେ ଚୀନର ବିସ୍ତାରବାଦୀ ନୀତିକୁ ରୋକିବା ଦିଗରେ ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବିଦେଶରେ ନିଜର ସାମରିକ ପ୍ରଭାବ ବୃଦ୍ଧି କରିବା ପାଇଁ ଭାରତ ବିଶେଷ କରି ଆଫ୍ରିକୀୟ ଦେଶଗୁଡ଼ିକ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରୁଛି। ଏହା ସହିତ ୟୁରୋପ ଏବଂ ଏସିଆର କେତେକ ଚିହ୍ନିତ ଦେଶ ମଧ୍ୟ ଭାରତର ପ୍ରାଥମିକତା ସୂଚୀରେ ରହିଛନ୍ତି, ଯେଉଁଠାରେ ଭାରତର ସାମରିକ, ଆର୍ଥିକ ଏବଂ ଜାତୀୟ ସ୍ୱାର୍ଥ ଜଡ଼ିତ ରହିଛି।
୯୫ଠାରୁ ୧୦୦ରୁ ଅଧିକ ଦେଶକୁ ବ୍ୟାପିଲା ନେଟୱର୍କ
![]()
୨୦୧୮ ମସିହାର ଏକ ସରକାରୀ ରିପୋର୍ଟ ଅନୁଯାୟୀ, ସେତେବେଳେ ମାତ୍ର ୪୪ଟି ଦେଶରେ ଭାରତର ସ୍ଥାୟୀ ପ୍ରତିରକ୍ଷା ଅତାଶେ ମୁତୟନ ଥିଲେ ଏବଂ ସେମାନେ ଆଖପାଖର ଅନ୍ୟ ଦେଶଗୁଡ଼ିକୁ ମିଶାଇ ମୋଟ ୯୫ଟି ଦେଶର ଦାୟିତ୍ୱ ତୁଲାଉଥିଲେ। ମାତ୍ର ବର୍ତ୍ତମାନ ଏହି ସଂଖ୍ୟା ୧୦୦ ପାର୍ ହୋଇସାରିଛି। ଭୁଟାନ, ସେସେଲ୍ସ ଏବଂ ତାଜିକିସ୍ତାନ ଭଳି ରଣନୀତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଦେଶଗୁଡ଼ିକରେ ଭାରତୀୟ ସେନା ଅଧିକାରୀମାନେ ସମ୍ପୃକ୍ତ ଦେଶର ସୁରକ୍ଷା ଏବଂ ପ୍ରତିରକ୍ଷା ପ୍ରତିଷ୍ଠାନଗୁଡ଼ିକ ସହ ମିଶି କାର୍ଯ୍ୟ କରୁଛନ୍ତି।
‘ମେଡ୍ ଇନ୍ ଇଣ୍ଡିଆ’ ଅସ୍ତ୍ରଶସ୍ତ୍ର ରପ୍ତାନି ଉପରେ ନଜର
![]()
ରିପୋର୍ଟ ମୁତାବକ, ଭାରତର ଏହି ସାମରିକ କୂଟନୀତିର ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ଦେଶରେ ୧୦ଟି ସମ୍ପୂର୍ଣ୍ଣ ନୂତନ ‘ଡିଫେନ୍ସ ୱିଙ୍ଗ’ (ପ୍ରତିରକ୍ଷା ଶାଖା) ପ୍ରତିଷ୍ଠା କରାଯିବ। ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେହି ସବୁ ଦେଶଗୁଡ଼ିକ ଉପରେ ଗୁରୁତ୍ୱ ଦେବା, ଯେଉଁଠାରେ ଭାରତରେ ନିର୍ମିତ ସାମରିକ ଅସ୍ତ୍ରଶସ୍ତ୍ର ରପ୍ତାନି କରାଯାଇପାରିବ। ବର୍ତ୍ତମାନ ଭାରତ ପାଖରେ ତେଜସ ହାଲୁକା ଯୁଦ୍ଧ ବିମାନ (LCA Tejas), ପିନାକା ମଲ୍ଟି-ଲଞ୍ଚ ରକେଟ୍ ସିଷ୍ଟମ, ବ୍ରହ୍ମୋସ ସୁପରସୋନିକ କ୍ରୁଜ୍ ମିସାଇଲ୍ ଏବଂ ଆକାଶ ଏୟାର ଡିଫେନ୍ସ ମିସାଇଲ୍ ଭଳି ଆଧୁନିକ ସ୍ୱଦେଶୀ ପ୍ରତିରକ୍ଷା ପ୍ରଣାଳୀ ରହିଛି, ଯାହାର ବିଶ୍ୱ ବଜାରରେ ଚାହିଦା ବଢାଇବାକୁ ଭାରତ ଲକ୍ଷ୍ୟ ରଖିଛି।
ସେସେଲ୍ସ ଗସ୍ତରୁ ମିଳିଲା ବଡ଼ ସଫଳତା

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାମ୍ପ୍ରତିକ ସେସେଲ୍ସ ଗସ୍ତ କାଳରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଏବଂ ସାମୁଦ୍ରିକ ସୁରକ୍ଷା ସହିତ ମୋଟ ୧୯ଟି ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷର ହୋଇଛି। ଭାରତ ପକ୍ଷରୁ ସେସେଲ୍ସକୁ ଏକ ‘ମେଡ୍ ଇନ୍ ଇଣ୍ଡିଆ’ ଫାଷ୍ଟ ପାଟ୍ରୋଲ୍ ଭେସେଲ୍ , ଲେଜର ବୋଟ୍ ଏବଂ ସାମରିକ ଯାନ ଉପହାର ସ୍ୱରୂପ ପ୍ରଦାନ କରାଯାଇଛି। ସେସେଲ୍ସର ପ୍ରତିରକ୍ଷା ତାଲିମର ପ୍ରାୟ ୭୦% କାର୍ଯ୍ୟ ଭାରତ ଦ୍ୱାରା ପରିଚାଳିତ ହେଉଥିବାରୁ, ଏହି ଦ୍ୱୀପରାଷ୍ଟ୍ରର ସୁରକ୍ଷା କ୍ଷେତ୍ରରେ ଭାରତ ଏକ ପ୍ରମୁଖ ଓ ବିଶ୍ୱସନୀୟ ସହଯୋଗୀ ଭାବେ ନିଜର ସ୍ଥାନ ପକ୍କା କରିଛି।


