୧୯୪୭ ବ୍ରିଟିଶ ଔପନିବେଶିକ ଶାସନରୁ ସ୍ୱାଧୀନ ହେବା ପରେ ଦୁଇଟି ରାଷ୍ଟ୍ରରେ ବିଭାଜିତ ହୋଇ ଏକ ପରିବର୍ତ୍ତନଶୀଳ ସମୟ ଦେଇ ଗତି କରିଥିଲେ ଭାରତ ଏବଂ ପାକିସ୍ତାନ । ମହାତ୍ମା ଗାନ୍ଧୀ, ଜବାହରଲାଲ ନେହେରୁ ଏବଂ ସୁଭାଷ ଚନ୍ଦ୍ର ବୋଷଙ୍କ ପରି ବ୍ୟକ୍ତିତ୍ୱଙ୍କ ନେତୃତ୍ୱରେ ଦୀର୍ଘ ବର୍ଷର ସଂଗ୍ରାମ ପରେ ଦୁଇ ଶତାବ୍ଦୀର ବ୍ରିଟିଶ ଶାସନରୁ ଭାରତ ମୁକ୍ତିଲାଭ କରିଥିଲା।
ବ୍ରିଟିଶ ସଂସଦ ଦ୍ୱାରା ଗୃହିତ ଭାରତୀୟ ସ୍ୱାଧୀନତା ଅଧିନିୟମ ଆନୁଷ୍ଠାନିକ ଭାବରେ ଏହି ଔପନିବେଶିକ ଶାସନକୁ ସମାପ୍ତ କରିଥିଲା ଏବଂ ଭାରତ ଏକ ସାର୍ବଭୌମ ରାଷ୍ଟ୍ରରେ ପରିଣତ ହୋଇଥିଲା। ଜବାହରଲାଲ ନେହେରୁ ପ୍ରଥମ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ଯେଉଁ ଅବିସ୍ମରଣୀୟ “ଟ୍ରାଇଷ୍ଟ ୱିଥ୍ ଡେଷ୍ଟିନି” ଭାଷଣ ଦେଇଥିଲେ ତାହା ବ୍ରିଟିଶ ଶାସନର ପରିସମାପ୍ତିକୁ ବଜ୍ର କଣ୍ଠରେ ଘୋଷଣା କରିଥିଲା।
ଏହି ମହାନ ସଂଗ୍ରାମରେ ବିଭିନ୍ନ ସାମାଜିକ ଗୋଷ୍ଠୀ ଅଂଶ ଗ୍ରହଣ କରିଥିଲେ। ଦେଶର ଶିକ୍ଷିତ ଓ ଅଭିଜାତ ଗୋଷ୍ଠୀ କିନ୍ତୁ ସେମାନଙ୍କ ନିଜ ନିଜ କଳ୍ପନା ଅନୁଯାୟୀ ଏହି ‘ସ୍ୱାଧୀନତା’କୁ ମୂଲ୍ୟାଙ୍କନ କରିଥିଲେ।ସ୍ୱାଧୀନତାକୁ ନେଇ ସଂଖ୍ୟାଲଘୁମାନେ ଅତ୍ୟନ୍ତ ଦ୍ୱନ୍ଦ୍ୱପୂର୍ଣ୍ଣ ସ୍ଥିତିରେ ଥିଲେ। ଅସଂଖ୍ୟ ଚାପ ଓ ସଂଖ୍ୟାଧିକ ଗୋଷ୍ଠୀରେ ବିଭକ୍ତ ହୋଇଥିବା ଭାରତ ଭଳି ଦେଶ ପାଇଁ ‘ସ୍ୱାଧୀନତା’ ର ଅର୍ଥ ଭିନ୍ନ ଭିନ୍ନ ଥିଲା । ସ୍ୱାଧୀନତାକୁ ବ୍ୟାଖ୍ୟା କରିବା ବାସ୍ତବରେ କଷ୍ଟକର ଥିଲା।
କମ୍ୟୁନିଷ୍ଟମାନେ ତ ଏହି ସ୍ୱାଧୀନତାକୁ ‘ଝୁଟି ଆଜାଦି’ (ମିଥ୍ୟା ସ୍ୱାଧୀନତା) ଭାବରେ ଘୋଷଣା କରିଥିଲେ! ସେମାନେ ବିଶ୍ୱାସ କରୁଥିଲେ ଯେ ବୁର୍ଜୁଆମାନଙ୍କ ଦ୍ୱାରା ପ୍ରାପ୍ତ ଏହି ସ୍ୱାଧୀନତା ସାମ୍ରାଜ୍ୟବାଦୀ ଉପନିବେଶବାଦୀମାନଙ୍କ ଠାରୁ ଭାରତୀୟ ପୁଞ୍ଜିବାଦୀ ଶ୍ରେଣୀକୁ କ୍ଷମତା ହସ୍ତାନ୍ତର ବ୍ୟତୀତ ଆଉ କିଛି ନୁହେଁ।
ଗାନ୍ଧୀବାଦୀମାନେ କିନ୍ତୁ ବିଶ୍ୱାସ କରୁଥିଲେ ଯେ ଏହା ଆଉ ଏକ ଯୁଦ୍ଧର ଆରମ୍ଭ ମାତ୍ର। ସେମାନଙ୍କର ହୃଦବୋଧ ହୋଇଥିଲା ଯେ ,ଅଧିକ ସ୍ୱାଧୀନତା ତଥା ଅଧିକ ବିକାଶ ମାର୍ଗରେ ନୂଆ ଯୁଦ୍ଧର ସୂତ୍ରପାତ କରିବ ଏହି ଦେଶମୁକ୍ତି । ସ୍ଵାଧୀନତା ପ୍ରାପ୍ତିରେ ଜନସାଧାରଣଙ୍କ ଆନନ୍ଦର ସୀମା ହିଁ ନଥିଲା। ସ୍ଵାଧୀନତା ପ୍ରାପ୍ତିରେ ରାଜା ଏବଂ ଜମିଦାରମାନେ କିନ୍ତୁ ସବୁଠାରୁ ଅଧିକ ଦୁଃଖରେ ଥିଲେ।
ତେବେ, ୧୯୪୭ ମସିହାରେ ଓଡ଼ିଶା କିଭଳି ଥିଲା?

ଷୋଡ଼ଶ ଶତାବ୍ଦୀର ଶେଷାର୍ଦ୍ଧରୁ ଶହ ଶହ ବର୍ଷ ଧରି ଓଡିଶା ଏକ ବିଖଣ୍ଡିତ ଇଲାକା ଥିଲା।ମୋଗଲ୍ ଏବଂ ବଙ୍ଗଳାର ନିଜାମ, ମରାଠା ଏବଂ ବ୍ରିଟିଶମାନଙ୍କ ଦ୍ୱାରା ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଗୋଟିଏ ପରେ ଗୋଟିଏ ଅଧିକୃତ ହୋଇ ଚାଲିଥିଲା। ଏକ ପ୍ରାଚୀନ ଜାତି ହଠାତ୍ ତାର ନିଜତ୍ଵ ହରାଇ ବସିଥିଲା। ଏକ ଉଜ୍ଜ୍ୱଳ ମଧ୍ୟଯୁଗୀୟ ରାଜନୈତିକ, ସାଂସ୍କୃତିକ ଏବଂ ସାମାଜିକ ବ୍ୟବସ୍ଥା ଦ୍ୱାରା ସୃଷ୍ଟି ହୋଇଥିବା ଓଡ଼ିଆ ପରିଚୟକୁ ଧୀରେ ଧୀରେ ବିସ୍ମୃତିକୁ ଠେଲି ଦିଆଯାଇଥିଲା ଏବଂ ଓଡିଆମାନେ ସୁପ୍ତ ହୋଇଯାଇଥିଲେ।
ଯଦି କେହି ମଧ୍ୟଯୁଗୀୟ ଓଡ଼ିଶାର ନବ ମୂଲ୍ୟାଙ୍କନ କରନ୍ତି, ଏହାର ସାମନ୍ତବାଦୀ ବ୍ୟବସ୍ଥା, ଶୋଷଣର ବ୍ୟାପକତା ଏବଂ ପଛୁଆପଣ ଦ୍ୱାରା ନିରାଶ ହୋଇପାରନ୍ତି। କିନ୍ତୁ ଏକ ଜନପ୍ରିୟ ଭାଷା ଏବଂ ଲୋକାଭିମୂଖୀ ସାହିତ୍ୟ ଯେଉଁଭଳି ସମୃଦ୍ଧ ଅବସ୍ଥାରେ ଥିଲା ଏବଂ ଯେଉଁ ସମୃଦ୍ଧ ସାଂସ୍କୃତିକ ସଫଳତା ସେହି ସମୟରେ ରାଜୁତି କରୁଥିଲା ତାହାକୁ ପ୍ରଶଂସା ନକରି ରହିପାରିବେ ନାହିଁ। ପୂର୍ବେ ବଳକା ରାଜସ୍ୱ ରାଜ୍ୟ ଭିତରେ ଖର୍ଚ ହେଊଥିଲା । ପରବର୍ତ୍ତୀ ସମୟରେ ବିଦେଶୀ ଶାସକମାନେ ଏହି ଅଞ୍ଚଳର ରାଜସ୍ୱ ସମ୍ପୂର୍ଣ୍ଣ ଲୁଟି ନେଇଯାଇଥିଲେ। ଫଳରେ ପରିସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଥିଲା।
ଭାରତର ସ୍ୱାଧୀନତା ସମୟରେ ଓଡ଼ିଶା ଏକ ଜଟିଳ ଐତିହାସିକ ଏବଂ ରାଜନୈତିକ ସମୟ ଦେଇ ଗତି କରୁଥିଲା। ବ୍ରିଟିଶ ଔପନିବେଶିକ ଶାସନ ଅଧୀନରେ ଥିଲା ବେଳେ ଓଡ଼ିଶାର କିଛି ଅଂଶ ସିଧାସଳଖ ବେଙ୍ଗଲ ପ୍ରେସିଡେନ୍ସିର ଅଂଶ ଭାବରେ ପରିଚାଳିତ ହୋଇଥିଲା ଏବଂ ପରେ ବିହାର ଏବଂ ଓଡ଼ିଶା ପ୍ରଦେଶ ସୃଷ୍ଟି ହେଲା। ଏହାବ୍ୟତୀତ, ଓଡ଼ିଶାରେ ମୟୂରଭଞ୍ଜ, କେନ୍ଦୁଝର ଏବଂ ଢେଙ୍କାନଳ ଭଳି ଦେଶୀୟ ରାଜ୍ୟ ବ୍ରିଟିଶ ଆଧିପତ୍ୟ ଅଧୀନରେ ସ୍ଥାନୀୟ ରାଜାମାନଙ୍କ ଦ୍ୱାରା ପରୋକ୍ଷ ଭାବେ ଶାସିତ ହେଉଥିଲା।
୧୯୩୬ମସିହା ଏପ୍ରିଲ ପହିଲାରେ ଓଡ଼ିଶା ଏକ ପୃଥକ ପ୍ରଦେଶ ଭାବେ ଗଠିତ ହୋଇଥିଲା। ମଧୁସୂଦନ ଦାସ, ଗୋପବନ୍ଧୁ ଦାସ ଏବଂ କୃଷ୍ଣ ଚନ୍ଦ୍ର ଗଜପତିଙ୍କ ଭଳି ଓଡ଼ିଆ ନେତାଙ୍କ ଉଦ୍ୟମ ଯୋଗୁଁ ଏହା ସମ୍ଭବ ହେଲା।। ଓଡ଼ିଆ ଭାଷାଭାଷୀଙ୍କ ସ୍ୱତନ୍ତ୍ର ଭାଷାଗତ ଏବଂ ସାଂସ୍କୃତିକ ପରିଚୟକୁ ସ୍ୱୀକୃତି ଦେବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଥିଲା।ତେବେ, କେତେକ ଓଡ଼ିଆ ଭାଷାଭାଷୀ ଅଞ୍ଚଳ ପ୍ରଦେଶ ବାହାରେ ରହି ହିଁ ଗଲା ।
୧୯୪୭ ବେଳକୁ ଓଡିଶା ମୁଖ୍ୟତଃ ଏକ କୃଷିଭିତ୍ତିକ ରାଜ୍ୟ ଥିଲା । ଅଧିକାଂଶ ଲୋକ କୃଷି ଏବଂ ଆନୁସଙ୍ଗିକ କାର୍ଯ୍ୟକଳାପରେ ନିୟୋଜିତ ଥିଲେ। ଶିଳ୍ପ ସୀମିତ ଥିଲା ଏବଂ ରାଜ୍ୟ ଅର୍ଥନୈତିକ ଭାବରେ ଅନୁନ୍ନତ ଥିଲା । ୧୮୬୬ ମସିହାର ବିନାଶକାରୀ ନ’ ଅଙ୍କ ଦୁର୍ଭିକ୍ଷ ଓଡିଶାର ଅର୍ଥବ୍ୟବସ୍ଥା ଏବଂ ଜନଜୀବନ ଉପରେ ଦୀର୍ଘସ୍ଥାୟୀ ପ୍ରଭାବ ପକାଇଥିଲା।
ଜାତି-ଆଧାରିତ ସାମାଜିକ ବ୍ୟବସ୍ଥାର ପ୍ରାବଲ୍ୟ ଏବଂ ଆଦିବାସୀ ସମ୍ପ୍ରଦାୟ ମୁଖ୍ୟସ୍ରୋତ ଠାରୁ ଦୂରେଇ ରହିବା ଫଳରେ ସମାଜ ଗଭୀର ଭାବେ ସ୍ତରୀଭୂତ ହୋଇଥିଲା। ବିଶେଷ କରି ଦେଶୀୟ ରାଜ୍ୟ ଏବଂ ପାର୍ବତ୍ୟାଞ୍ଚଳରେ ଏହା ସ୍ପଷ୍ଟ ଦେଖା ଯାଉଥିଲା । ଆଧୁନିକ ଶିକ୍ଷା ଓ ବିଦ୍ୟାଳୟର ନାଁ ଗନ୍ଧ ନଥିଲା ଏବଂ ଶିକ୍ଷାର ସ୍ତର କମ୍ ଥିଲା । ପରେ ଅବଶ୍ୟ ଶିକ୍ଷା ଓ ସମାଜ ସଂସ୍କାର ଆନ୍ଦୋଳନମାନ ଆରମ୍ଭ ହୋଇଥିଲା।
ଭାଷାଗତ ଏକତା ଏବଂ ଏକ ପୃଥକ ପ୍ରଦେଶ ସୃଷ୍ଟି ପାଇଁ ଉଦ୍ଦିଷ୍ଟ ୧୯୦୩ର ଓଡ଼ିଆ ଆନ୍ଦୋଳନ ବିପୁଳ ପ୍ରେରଣା ଯୋଗାଇଥିଲା। ଭାରତର ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା। ଗୋପବନ୍ଧୁ ଦାସ, ହରେକୃଷ୍ଣ ମହତାବ ଏବଂ ନବକୃଷ୍ଣ ଚୌଧୁରୀଙ୍କ ଭଳି ନେତାମାନେ ଭାରତୀୟ ଜାତୀୟ କଂଗ୍ରେସରେ ସକ୍ରିୟ ଥିଲେ ଏବଂ ଅସହଯୋଗ, ଆଇନ ଅମାନ୍ୟ ଏବଂ ଭାରତ ଛାଡ଼ ଆନ୍ଦୋଳନ ପାଇଁ ଲୋକଙ୍କୁ ଏକତ୍ରିତ କରିଥିଲେ।
୧୯୩୦ ମସିହାରେ ଇଞ୍ଚୁଡି ଲବଣ ସତ୍ୟାଗ୍ରହ ଓଡ଼ିଶାରେ ଏକ ଉଲ୍ଲେଖନୀୟ ଘଟଣା ଥିଲା। ଦେଶୀୟ ରାଜ୍ୟଗୁଡ଼ିକରେ ଆଦିବାସୀ ସମ୍ପ୍ରଦାୟ ଏବଂ କୃଷକ ଉଭୟ ବ୍ରିଟିଶ ଶାସନ ଏବଂ ସ୍ଥାନୀୟ ସାମନ୍ତବାଦୀ ଅତ୍ୟାଚାରକୁ ପ୍ରତିରୋଧ କରିଥିଲେ। ପ୍ରଜା ମଣ୍ଡଳ ଆନ୍ଦୋଳନ ଭଳି ଆନ୍ଦୋଳନ ଗଣତାନ୍ତ୍ରିକ ସଂସ୍କାର ଏବଂ ସ୍ୱାଧୀନ ଭାରତ ସହିତ ଏକୀକରଣର ଦାବି ଉଠାଇଥିଲେ।ସ୍ୱାଧୀନତା ପରେ ଓଡ଼ିଶାର ଦେଶୀୟ ରାଜ୍ୟଗୁଡ଼ିକ ଧୀରେ ଧୀରେ ଭାରତୀୟ ସଂଘରେ ସାମିଲ ହୋଇଥିଲେ। ପ୍ରଥମ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଭଳି ନେତାମାନଙ୍କ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ କାରଣରୁ ୧୯୪୮-୪୯ ବେଳକୁ ୨୬ ଟି ରାଜୁଡା ଶାସନ ମଧ୍ୟରୁ ଅଧିକାଂଶ ଓଡ଼ିଶା ସହିତ ମିଶ୍ରଣ ହୋଇଯାଇଥିଲେ।
ଆର୍ଥିକ ପଛୁଆପଣ, ବିଭିନ୍ନ ଅଞ୍ଚଳର ଏକୀକରଣ ଏବଂ ଆଦିବାସୀ ଜନସଂଖ୍ୟାର ଆବଶ୍ୟକତାକୁ ସମାଧାନ କରିବା ଭଳି ଆହ୍ୱାନର ସମ୍ମୁଖୀନ ହୋଇଥିଲା ସେତେବେଳର ନେତୃତ୍ଵ। ଆର୍ଥିକ ବିକାଶ, ଭୂମି ସଂସ୍କାର ଏବଂ ଶିକ୍ଷାକୁ ପ୍ରୋତ୍ସାହିତ କରିବା ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟ ପରି ଅନୁଷ୍ଠାନ ପ୍ରତିଷ୍ଠା ଉପରେ ଧ୍ୟାନ ଦିଆଯାଇଥିଲା।
ମୋଟାମୋଟି, ସ୍ୱାଧୀନତା ସମୟରେ ଓଡ଼ିଶା ଏକ ସନ୍ଧିକ୍ଷଣରେ ଛିଡ଼ା ହୋଇଥିଲା।ସମୟ କ୍ରମେ ଔପନିବେଶିକ ଏବଂ ସାମନ୍ତବାଦୀ ଢାଞ୍ଚାରୁ ଓହରି ଆସି ଭାରତୀୟ ସଂଘ ମଧ୍ୟରେ ମିଶିବା ସହ ଏକତା ଏବଂ ବିକାଶ ଉପରେ ଧ୍ୟାନ ଦିଆଗଲା। ସେହିଠାରୁ ହିଁ ଏକ ଆଧୁନିକ ରାଜ୍ୟରେ ପରିବର୍ତ୍ତିତ ହେବାକୁ ଆରମ୍ଭ କଲା ଓଡ଼ିଶା ।ଏହି ୭୮ ବର୍ଷ ଭିତରେ ଓଡ଼ିଶା ଢେର ପ୍ରଗତ କରିଥିଲେ ମଧ୍ୟ, ଆଜି ବି ଆମେ ନଗଡ଼ା କଥା କହୁଚେ, ଶିଶୁ କନ୍ୟା ବିକ୍ରି କଥା ଆଲୋଚନା କରୁଚେ!


