ଜେଲରେ ଅବସ୍ଥାନ କରୁଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ଚିନ୍ତା ବଢ଼ିବା ପରେ ବିଶ୍ୱର ୧୪ ଜଣ ପୂର୍ବତନ କ୍ରିକେଟ୍ ଅଧିନାୟକ ଏକାଠି ହୋଇ ପାକିସ୍ତାନ ସରକାରଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଇମ୍ରାନଙ୍କୁ ନିରପେକ୍ଷ ଓ ମାନବିକ ବ୍ୟବହାର କରିବା ସହ ତାଙ୍କ ସ୍ୱାସ୍ଥ୍ୟ ସୁବିଧା ସୁନିଶ୍ଚିତ କରିବାକୁ ଅପିଲ କରାଯାଇଛି।

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଇମ୍ରାନ ଖାନ ଜଣେ ବିଶ୍ୱସ୍ତରୀୟ ଖେଳାଳି ଓ ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନ ୧୯୯୨ ମସିହାରେ କ୍ରିକେଟ୍ ବିଶ୍ୱକପ୍ ଜିତିଥିଲା। ତେଣୁ ତାଙ୍କୁ ଯଥୋଚିତ ସମ୍ମାନ ଓ ଉଚିତ ଚିକିତ୍ସା ସୁବିଧା ଦେବା ଆବଶ୍ୟକ ବୋଲି ପୂର୍ବତନ ଅଧିନାୟକମାନେ ମତ ପ୍ରକାଶ କରିଛନ୍ତି। ତାଙ୍କ ପସନ୍ଦର ଡାକ୍ତରଙ୍କୁ ଚିକିତ୍ସା ପାଇଁ ନିଯୁକ୍ତ କରିବାକୁ ମଧ୍ୟ ଦାବି ହୋଇଛି।
ଏହି ଚିଠିରେ ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ଓ କପିଳ ଦେବଙ୍କ ସହ ଅଷ୍ଟ୍ରେଲିଆର ଗ୍ରେଗ୍ ଚାପେଲ୍, ଷ୍ଟିଭ୍ ୱା ଓ ଇୟାନ ଚାପେଲ, ଇଂଲଣ୍ଡର ନାସିର ହୁସୈନ ସହିତ ଅନ୍ୟାନ୍ୟ ଦେଶର ପୂର୍ବତନ କ୍ରିକେଟରମାନଙ୍କ ସ୍ୱାକ୍ଷର ରହିଛି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଏହି ତାଲିକାରେ ପାକିସ୍ତାନର କୌଣସି ପୂର୍ବତନ ଅଧିନାୟକଙ୍କ ନାମ ନାହିଁ।

ଅନ୍ୟପଟେ, ତୋଷଖାନା-୨ ଦୁର୍ନୀତି ମାମଲାରେ ଇମ୍ରାନ ଖାନ ଓ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରି ୧୭ ବର୍ଷର ଜେଲଦଣ୍ଡ ଦିଆଯାଇଛି। ଏହି ମାମଲା ୨୦୨୧ ମସିହାରେ ସାଉଦି ଆରବ ସରକାରଙ୍କଠାରୁ ମିଳିଥିବା ମହଙ୍ଗା ଉପହାର ସହିତ ସମ୍ପର୍କିତ ବୋଲି କୁହାଯାଉଛି। ଅଗଷ୍ଟ ୨୦୨୩ରୁ ଇମ୍ରାନ ଜେଲରେ ଅଛନ୍ତି ଓ ଗତ ଏକ ମାସ ଧରି ତାଙ୍କ ବ୍ୟକ୍ତିଗତ ସୂଚନା ଉପରେ ପ୍ରତିବନ୍ଧକ ଲାଗିଥିବା ଖବର ମିଳିଛି।
ଇମ୍ରାନଙ୍କ ସମର୍ଥନରେ ବିଶ୍ୱସ୍ତରର କ୍ରିକେଟରମାନଙ୍କ ଏପରି ପଦକ୍ଷେପ ଆନ୍ତର୍ଜାତୀୟ ମଞ୍ଚରେ ଚର୍ଚ୍ଚାର ସୃଷ୍ଟି କରିଛି। ଏହା ରାଜନୈତିକ ମାମଲା ହେଉଥିବା ସତ୍ତ୍ୱେ ମାନବିକ ଦୃଷ୍ଟିକୋଣରୁ ଇମ୍ରାନଙ୍କୁ ନ୍ୟାୟସଙ୍ଗତ ବ୍ୟବହାର ଦେବାକୁ ସମସ୍ତଙ୍କ ଦାବି ଜୋରଦାର ହେଉଛି।
also read https://purvapaksa.com/gold-rate-15/
ଧୀରେ ଧୀରେ ଖସୁଛି ସୁନା ଓ ରୁପା ଦର, ଜାଣନ୍ତୁ ଆଜିର ମୂଲ୍ୟ ।। gold rate


