ଆଇନଜୀବୀ ଭାବେ ଲାଇସେନ୍ସ ହାସଲ କରିଥିବା କେତେକ ବ୍ୟକ୍ତି ବିଭିନ୍ନ କମ୍ପାନୀ, ବ୍ୟବସାୟ, ଠିକା କାମ, ସରକାରୀ ଚାକିରି ଓ ଅନ୍ୟ ପେଶାରେ ଯୋଗ ଦେଇ କାର୍ଯ୍ୟ କରୁଥିବା ଅଭିଯୋଗକୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ଗୁରୁତ୍ବର ସହିତ ଗ୍ରହଣ କରିଛି । ଏପରି ଘଟଣା ରୋକିବା ପାଇଁ ରାଜ୍ୟର ସମସ୍ତ ବାର୍ ଆସୋସିଏସନ୍ଗୁଡ଼ିକୁ ରାଜ୍ୟ ଆଇନଜୀବୀ ପରିଷଦ ନିର୍ଦ୍ଦେଶ ଦେଇଛି।
ଆଇନଜୀବୀ ପରିଷଦ ତରଫରୁ ଜାରି ପ୍ରେସ୍ ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି ଯେ ଆଡ଼ଭୋକେଟ୍ ଆକ୍ଟ, ୧୯୬୧ ଅନୁଯାୟୀ ଲାଇସେନ୍ସ ପାଇବା ପରେ ଜଣେ ଆଇନଜୀବୀ ଏହି ପେଶାରେ ପୂର୍ଣାଙ୍ଗ ରୂପେ କାର୍ଯ୍ୟ କରିବେ । ସରକାରୀ ଦସ୍ତରରେ ଚୁକ୍ତିଭିତ୍ତିକ ପୂର୍ଣ୍ଣ ସମୟ ଲାଗି କନସଲ୍ଟାଣ୍ଟ ଓ ରିସର୍ଚ୍ଚର ଭାବେ କାର୍ଯ୍ୟ କରିବା ପେଶାଗତ ନୈତିକତାର ବିରୁଦ୍ଧାଚରଣ କରୁଛି। ଏହି ଆଇନଜୀବୀମାନେ ସେମାନଙ୍କ ଲାଇସେନ୍ସ ରାଜ୍ୟ ଆଇନଜୀବୀ ପରିଷଦରେ ସରେଣ୍ଡର ବା ସସ୍ପେଶ କରିବା ନିୟମ ରହିଥିବା ବେଳେ ଏହି ନିୟମର ବ୍ୟାପକ ଉଲଂଘନ ହେଉଛି।
ଏଭଳି କରୁଥିବା ଆଇନଜୀବୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଲାଗି ଗତ ଏପ୍ରିଲ ୧୨ରେ ରାଜ୍ୟ ଆଇନଜୀବୀ ପରିଷଦର ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତ ନିଆଯାଇଥିଲା । ଏ ବାବଦରେ ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ରାଜ୍ୟର ସମସ୍ତ ବାର୍ ଆସୋସିଏସନକୁ ଚିଠି ଲେଖାଯାଇ ଏଭଳି ଆଇନଜୀବୀଙ୍କୁ । ସେମାନଙ୍କ ଲାଇସେନ୍ସ ସରେଣ୍ଡର କିମ୍ବା ସସ୍ପେଣ୍ଡ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଯେଉଁ ଆଇନଜୀବୀ ଏହି ନିୟମ ଉଲଂଘନ କରୁଛନ୍ତି ସେମାନଙ୍କ ବିରୋଧରେ ଫୌଜଦାରୀ ମାମଲା କରାଯିବା ସହିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନେଇ ବାର୍ ଆସୋସିଏସନଗୁଡ଼ିକୁ ଆଇନଜୀବୀ ପରିଷଦ ସଚିବ ଯଯାତି କେଶରୀ ସାମନ୍ତସିଂହାରଙ୍କ ତରଫରୁ ଅବଗତ କରାଯାଇଛି।
Also Read https://purvapaksa.com/trumps-eye-on-modi-jinpings-meeting-in-china/
