ସୁସ୍ଥ ଜୀବନ ପାଇଁ ନିଦ ନିହାତି ଆବଶ୍ୟକ। ରାତିରେ ଭଲ ନିଦ ହେଲେ ଆମର ଦିନଟି ଭଲ ଭାବରେ କଟିଥାଏ । ହେଲେ ବର୍ତ୍ତମାନ ସମୟରେ ରାତିରେ ନିଦ ନଆସିବା ଏକ ସାଧାରଣ ସମସ୍ୟା ପାଲଟିଛି।
ଅଧିକାଂଶ ଯୁବପିଢ଼ିଙ୍କଠାରେ କାର୍ଯ୍ୟ ଚାପ ହେଉ ଅବା ଅନ୍ୟାନ୍ୟ କାରଣରୁ ନିଦ୍ରାହୀନତା ଏକ ପ୍ରମୁଖ ସମସ୍ୟା ଦେଖାଯାଇଛି । ଏହି ସମସ୍ୟା ପାଇଁ ଅନେକ ଲୋକ ବିଭିନ୍ନ ଔଷଧ ଖାଇଥାନ୍ତି । ଯାହା ଅନ୍ୟାନ୍ୟ ସ୍ଵାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ । ନିଦ୍ରାହୀନତାର ପ୍ରମୁଖ କାରଣ ହେଉଛି ଆମମାନଙ୍କର ପରିବର୍ତ୍ତିତ ଜୀବନଶୈଳୀ । ଏହି ସମସ୍ୟାକୁ ସାଧାରଣ ଭାବରେ ନେଲେ ପରବର୍ତ୍ତୀ ସମୟରେ ଏହା ଏକ ଗମ୍ଭୀର ସମସ୍ୟାର ରୂପ ଧାରଣ କରିପାରେ ।
ବିନା ଔଷଧରେ ଏହି ସମସ୍ୟାକୁ ଦୂର କରିବାର ଉପାୟ
- ସବୁବେଳେ ଆପଣ ବ୍ୟବହାର କରୁଥିବା ବେଡ଼୍ ଏବଂ ବେର୍ଡସିଟ୍କୁ ସଫା ରଖିନ୍ତୁ । ପ୍ରତ୍ୟେକ ସପ୍ତାହରେ ତକିଆ ଖୋଳକୁ ପରିଷ୍କାର କରିବା ସହ ଆବଶ୍ୟକସ୍ଥଳେ ବଦଳାଇ ନୂଆ ବ୍ୟବହାର କରନ୍ତୁ । ଏହାଦ୍ୱାରା ଆପଣଙ୍କୁ ସତେଜ ଅନୁଭବ ହେବ ।
- ସକାଳେ ଏବଂ ଶୋଇବା ପୂର୍ବରୁ କିଛି ସମୟ ବୁଲାବୁଲି କରନ୍ତୁ । ଏହାଦ୍ୱାରା ଆପଣ ଥକି ଯିବେ ଏବଂ ଆପଣଙ୍କୁ ନିଦ ଆସିବ।
- ଉଷୁମ ଗରମ ପାଣିରେ ଭଲଭାବେ ଗୋଡ଼ହାତ ଧୋଇବାଦ୍ୱାରା ଶିଘ୍ର ନିଦ ଆସିଥାଏ ।
- ଶୋଇବା ପୂର୍ବରୁ କିଛି ସମୟ ଈଶ୍ୱରଙ୍କୁ ପ୍ରାର୍ଥନା କରନ୍ତୁ, ସ୍ଲୋ ମ୍ୟୁଜିକ୍ ଶୁଣନ୍ତୁ, ଖୁସି ଦେଉଥିବା ପୁରୁଣା ସ୍ମୃତିଗୁଡିକୁ ମନେପକାନ୍ତୁ । ଏପରି କରିବାଦ୍ୱାରା ଆପଣଙ୍କ ମନ ହାଲୁକା ହୋଇଯିବା ସହ ଭଲ ନିଦ ଆସିଥାଏ ।
- ନିଦ ଆସିବା ପାଇଁ ମନ ପସନ୍ଦର ବହି ପଢ଼ିପାରିବେ । ଏହାଦ୍ୱାରା ମାଇଣ୍ଡ ରିଲାକ୍ସ ହୋଇଥାଏ ଏବଂ ନିଦ ଆସିଥାଏ ।
- ବିଳମ୍ବିତ ରାତ୍ରିଭୋଜନ କରିବାଦ୍ୱାରା ଖାଦ୍ୟ ସହଜରେ ହଜମ ହୋଇନଥାଏ । ଫଳରେ ନିଦ ଆସିବାରେ ସମସ୍ୟା ହୋଇଥାଏ । ସେଥିପାଇଁ ଶୀଘ୍ର ରାତ୍ରିଭୋଜନ ସାରିବା ଉଚିତ ।
- ଯେତେ ସମ୍ଭବ ଚା’, କଫି, ମଦ, ସିଗାରେଟ୍ ଇତ୍ୟାଦି ସେବନଠାରୁ ଦୂରେଇ ରୁହନ୍ତୁ । କାରଣ ଏହାସବୁ ନିଦ୍ରାହୀନତାର ପ୍ରମୁଖ କାରଣ ।
- ଶୋଇବା ପୂର୍ବରୁ ମୋବାଇଲ୍, ଟିଭି, ଲାପଟପ୍ ଆଦି ଇ-ଗ୍ୟାଜେଟ୍ସକୁ ସୁଇଚ୍ ଅଫ୍ କରନ୍ତୁ । କାରଣ ଏହାର ଲାଇଟ୍ ଏବଂ ରେଡିଏଶନ୍ ଆପଣଙ୍କ ନିଦରେ ପ୍ରଭାବ ପକାଇଥାଏ । ଲାଇଟ ବନ୍ଦ କରି ଶୋଇବାଦ୍ୱାରା ଜଲଦି ନିଦ ଆସିଥାଏ।
- ଭଲ ନିଦ ନ ହେଲେ ମନ ସ୍ଥିର ନ ରହିବା ସହ କାମରେ ମନ ଲାଗିଥାଏ । ସେଥିପାଇଁ ୬ରୁ ୮ ଘଣ୍ଟା ଶୋଇବା ନିହାତି ଆବଶ୍ୟକ ।

