Nagpur violence: ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହେବାରୁ ଅନେକ ଗାଡ଼ି ଜାଳିବା ସହ ଭଙ୍ଗାରୁଜା କରାଯାଇଛି । ବଡ଼ ସମାଗମ ଉପରେ କଟକଣା ଲଗାଇଛି ପ୍ରଶାସନ ।
କିପରି ମିଛ ଗୁଜବ ଭୟଙ୍କର ରୂପ ନେଇପାରେ ତାହା ନାଗପୁର ହିଂସାକୁ ଦେଖିଲେ ସ୍ପଷ୍ଟ ବାରି ହୋଇପଡ଼ୁଛି। ନାଗପୁରରେ ଔରଙ୍ଗଜେବଙ୍କ ସମାଧି ଉଚ୍ଛେଦ ଦାବିରେ ଦକ୍ଷିଣପନ୍ଥୀ ସଙ୍ଗଠନଗୁଡ଼ିକ ଦ୍ୱାରା ବିକ୍ଷୋଭ ସମୟରେ ଧାର୍ମିକ ବିଷୟବସ୍ତୁ ଜାଳିବାର ଗୁଜବ ହିଂସା ସୃଷ୍ଟି କରିଥିବା ଜଣାପଡିଛି। ନାଗପୁରରେ ଦୁଇ ସମ୍ପ୍ରଦାୟ ମୁହାଁମୁହିଁ ହେବାରୁ ଅନେକ ଗାଡିରେ ବ୍ୟାପକ ନିଆଁ ଲଗାଇବା ସହ ଭଙ୍ଗାରୁଜା କରିବାରୁ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ପୁଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିବା ସହ ଲାଠିଚାର୍ଜ କରିଥିଲା ।
ଚିଟନିସ ପାର୍କ ଓ ମହଲ ଅଞ୍ଚଳର ବାସିନ୍ଦାଙ୍କ ଘର ଉପରକୁ ମଧ୍ୟ ପଥର ମାଡ଼ କରାଯାଇଥିଲା। ଏହି ହିଂସାକାଣ୍ଡରେ ପାଖାପାଖି ୩୦ ଜଣ ପୁଲିସ କର୍ମଚାରୀ ଆହତ ହୋଇଥିବା ବେଳେ ପ୍ରଶାସନ ପକ୍ଷରୁ ବଡ଼ ସମାବେଶ ଉପରେ କଟକଣା ଜାରି କରାଯାଇଛି। ୬୦ରୁ ଅଧିକ ଦଙ୍ଗାକାରୀଙ୍କୁ ଅଟକ ରଖାଯାଇଛି ବୋଲି ପୁଲିସ କହିଛି।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ବିଧାନସଭାରେ କହିଛନ୍ତି ଯେ ହିଂସା ଯୋଜନାବଦ୍ଧ ଥିଲା। ଧାର୍ମିକ ବିଷୟବସ୍ତୁ ଥିବା ଜିନିଷ ପୋଡ଼ି ଦିଆଯାଇଥିବା ନେଇ ଗୁଜବ ପ୍ରଚାର ହୋଇଥିଲା। ଏହା ଏକ ସୁପରିକଳ୍ପିତ ଆକ୍ରମଣ ଭଳି ଲାଗୁଛି ବୋଲି ଫଡନାଭିସ କହିଛନ୍ତି।
ନାଗପୁରରେ କେମିତି ଘଟିଲା ହିଂସାକାଣ୍ଡ
ସୋମବାର ସକାଳ ୭ଟାରୁ ୯ଟା ମଧ୍ୟରେ ଶ୍ରଦ୍ଧାଳୁମାନେ ମହଲ ଅଞ୍ଚଳରେ ଥିବା ମରାଠା ମହାପୁରୁଷ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶିବ ଜୟନ୍ତୀ କାର୍ଯ୍ୟକ୍ରମ ଆୟୋଜନ କରିଥିଲେ।
ମଧ୍ୟାହ୍ନରେ ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରାୟ ୪୦ରୁ ୫୦ ଜଣ କର୍ମୀ ଔରଙ୍ଗଜେବଙ୍କ ସମାଧି ହଟାଇବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିକ୍ଷୋଭ ସମୟରେ ବିକ୍ଷୋଭକାରୀମାନେ ମୋଗଲ ସମ୍ରାଟଙ୍କ ପ୍ରତିମୂର୍ତ୍ତିକୁ ଚାଦରରେ ଢାଙ୍କି ନିଆଁ ଲଗାଇ ଦେଇଥିଲେ। ଏହା ମଧ୍ୟରେ ଧାର୍ମିକ ବିଷୟବସ୍ତୁ ଜାଳିବା ନେଇ ଗୁଜବ ପ୍ରଚାରିତ ହେବା ସହ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।
ଅପରାହ୍ନ ୫ଟାରୁ ସନ୍ଧ୍ୟା ୭ଟା ମଧ୍ୟରେ ମୁସଲମାନ ସମ୍ପ୍ରଦାୟର କିଛି ଯୁବକ ଏକତ୍ରିତ ହୋଇ ସ୍ଲୋଗାନ ଦେଇଥିଲେ। ଅଳ୍ପ ସମୟ ମଧ୍ୟରେ ହଜାର ହଜାର ଯୁବକ ରାସ୍ତାକୁ ଓହ୍ଲାଇ ପୁଲିସ ଉପରକୁ ପଥର ଫିଙ୍ଗିବା ଆରମ୍ଭ କରିଥିଲେ।ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ହିଂସା ବ୍ୟାପକ ଭାବରେ ବଢ଼ିଥିଲା। କାର୍ ଓ ବାଇକରେ ନିଆଁ ଲଗାଇ ଦେବା ସହ ଅଞ୍ଚଳର ଅନେକ ଘର ଉପରକୁ ପଥର ଫିଙ୍ଗି ଦିଆଯାଇଥିଲା। ଏକ କ୍ରେନ୍ରେ ମଧ୍ୟ ନିଆଁ ଲାଗିଯାଇଥିଲା। ପୁଲିସ ପ୍ରଥମେ ଲାଠିଚାଳନା କରିଥିଲା, କିନ୍ତୁ ପରିସ୍ଥିତି ଗମ୍ଭୀର ହେବାରୁ ସେମାନେ ଲୁହବୁହା ଗ୍ୟାସ୍ ସେଲ୍ ପ୍ରୟୋଗ କରିଥିଲେ।
ପ୍ରଥମେ ୨୫ରୁ ଅଧିକ ଦଙ୍ଗାକାରୀଙ୍କୁ ଅଟକ ରଖାଯାଇଥିଲା। ଏଥିରେ ପାଖାପାଖି ୫ରୁ ୬ ଜଣ ସାଧାରଣ ନାଗରିକ ଆହତ ହୋଇଛନ୍ତି। ମହାରାଷ୍ଟ୍ର ପୁଲିସର ସାଇବର ଶାଖା ୧୦୦ରୁ ଅଧିକ ସୋସିଆଲ ମିଡିଆ ଆକାଉଣ୍ଟର ତଦନ୍ତ ଆରମ୍ଭ କରିଛି । ପୁରୁଣା ଭିଡିଓ ଅନଲାଇନରେ ପ୍ରସାରିତ ହେଉଥିବାରୁ ଗୁଜବ ପ୍ରତି ଧ୍ୟାନ ନଦେବାକୁ କର୍ତ୍ତୃପକ୍ଷ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।
Previous article:https://purvapaksa.com/sunita-williams-butch-wilmore-depart-space-station/
