ରାଜସ୍ଥାନରୁ ସାମ୍ନାକୁ ଆସିଛି ଏକ ଲୋମହର୍ଷଣକାରୀ ହତ୍ୟାକାଣ୍ଡ, ଯାହାକୁ ଏବେ ‘ହନିମୁନ୍ ମର୍ଡର ୨.୦’ ବୋଲି କୁହାଯାଉଛି । ସାତ ଜନ୍ମର ସାଥୀ ହେବାର ସପଥ ନେଇଥିବା ପତ୍ନୀ ହିଁ ନିଜ ସ୍ୱାମୀ ପାଇଁ ଯମ ସାଜିଥିଲେ। ବିବାହର ମାତ୍ର ୩ ମାସ ପରେ ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା ଏବଂ ପରେ ଏହାକୁ ହିଟ୍-ଆଣ୍ଡ୍-ରନ ଘଟଣାର ରୂପ ଦେବାକୁ ଚେଷ୍ଟା କରାଯାଇଥିଲା।

ମୃତକ ହେଉଛନ୍ତି ୨୭ ବର୍ଷୀୟ ଆଶିଷ କୁମାର। ତାଙ୍କର ବିବାହ ମାତ୍ର ୩ ମାସ ତଳେ ଅଞ୍ଜୁଙ୍କ ସହ ହୋଇଥିଲା। କିନ୍ତୁ ପୋଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅଞ୍ଜୁ ଏହି ବିବାହରେ ଖୁସି ନଥିଲେ। ସେ ନିଜ ପୂର୍ବ ପ୍ରେମିକ ସଞ୍ଜୟଙ୍କ ସହ ସମ୍ପର୍କ ଜାରି ରଖିଥିଲେ ଏବଂ ତାଙ୍କ ସହ ରହିବାକୁ ଚାହୁଁଥିଲେ। ଏହି କାରଣରୁ ଆଶିଷଙ୍କୁ ଜୀବନରୁ ହଟାଇବା ପାଇଁ ଏକ ଭୟଙ୍କର ଷଡ଼ଯନ୍ତ୍ର ରଚିଥିଲେ।
ପ୍ଲାନ୍ ଅନୁଯାୟୀ, ଘଟଣା ଦିନ ରାତିରେ ଖାଇସାରିବା ପରେ ଅଞ୍ଜୁ ନିଜ ସ୍ୱାମୀ ଆଶିଷଙ୍କୁ ବୁଲିବାକୁ କହି ଏକ ନିଛାଟିଆ ରାସ୍ତାକୁ ନେଇଥିଲେ। ସେଠାରେ ପୂର୍ବରୁ ଲୁଚି ରହିଥିବା ପ୍ରେମିକ ସଞ୍ଜୟ ଏବଂ ତାଙ୍କର ଦୁଇ ସହଯୋଗୀ ରୋହିତ ଓ ବାଦଲ ଆଶିଷଙ୍କୁ ଆକ୍ରମଣ କରିଥିଲେ। ପ୍ରଥମେ ବାଡ଼ିରେ ନିର୍ଦୟ ଭାବେ ପିଟିବା ପରେ ଏକ ମଫଲର ଦ୍ୱାରା ତାଙ୍କର ତଣ୍ଟି ଚିପି ହତ୍ୟା କରାଯାଇଥିଲା।
ହତ୍ୟା ପରେ ପୋଲିସକୁ ଭ୍ରମିତ କରିବା ପାଇଁ ମୃତଦେହକୁ ରାସ୍ତା ଉପରେ ଫିଙ୍ଗି ଦିଆଯାଇଥିଲା ଏବଂ ଏହାକୁ ଗାଡ଼ି ଧକ୍କାରେ ମୃତ୍ୟୁ ଘଟଣା, ଅର୍ଥାତ୍ ‘ହିଟ୍-ଆଣ୍ଡ୍-ରନ’ ମାମଲା ବୋଲି ପ୍ରଚାର କରିବାକୁ ଉଦ୍ୟମ ହୋଇଥିଲା। ଅଞ୍ଜୁ ନିଜେ ମଧ୍ୟ ରାସ୍ତାରେ ବେହୋସ ହୋଇ ପଡ଼ିଥିବା ନାଟକ କରିଥିଲେ ଏବଂ କହିଥିଲେ ଯେ କିଛି ଦୁର୍ବୃତ୍ତ ତାଙ୍କ ଗହଣା ଲୁଟିବା ସହ ତାଙ୍କ ସ୍ୱାମୀଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଛନ୍ତି।
କିନ୍ତୁ ପୋଲିସ ଏସଆଇ ଅମୃତା ଦୁହାନଙ୍କ ନେତୃତ୍ୱରେ ହୋଇଥିବା ତଦନ୍ତରେ ପ୍ରକୃତ ସହ ପଦାକୁ ଆସିଥିଲା । ଅଞ୍ଜୁଙ୍କ ବୟାନରେ ଅନେକ ତାଳମେଳ ନଥିବା ଦେଖାଯାଇଥିଲା। ଗାଡ଼ି ଧକ୍କା ଦାବି କରାଯାଇଥିଲେ ମଧ୍ୟ ତାଙ୍କ ଶରୀରରେ କୌଣସି ଆଘାତ ଚିହ୍ନ ନଥିଲା । ସବୁଠାରୁ ବଡ଼ ପ୍ରମାଣ ମିଳିଥିଲା କଲ୍ ରେକର୍ଡରୁ, ଯେଉଁଥିରେ ବିବାହ ପରେ ମଧ୍ୟ ଅଞ୍ଜୁ ଓ ସଞ୍ଜୟ ଲଗାତାର ଯୋଗାଯୋଗରେ ଥିବା ସ୍ପଷ୍ଟ ହୋଇଥିଲା।
ଶେଷରେ ପୋଲିସ ଅଞ୍ଜୁ, ତାଙ୍କ ପ୍ରେମିକ ସଞ୍ଜୟ ଏବଂ ହତ୍ୟାରେ ସହଯୋଗ କରିଥିବା ରୋହିତ ଓ ବାଦଲଙ୍କୁ ଗିରଫ କରିଛି । ଗତବର୍ଷ ମେଘାଳୟରେ ଘଟିଥିବା ରାଜ ରଘୁବଂଶୀ ହତ୍ୟାକାଣ୍ଡ ସହ ଏହି ଘଟଣାର ସାମ୍ୟ ଥିବାରୁ, ରାଜସ୍ଥାନର ଏହି ମାମଲାକୁ ଏବେ ସମଗ୍ର ଦେଶରେ ‘ହନିମୁନ୍ ମର୍ଡର ୨.୦’ ନାମରେ ଚର୍ଚ୍ଚା କରାଯାଉଛି।
also read https://purvapaksa.com/chinese-manja-ban/
Chinese Manja Ban ।। ଯୋଗୀଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ, ୟୁପିରେ ଚାଇନିଜ ମାଞ୍ଜା ବ୍ୟାନ୍


