America: ଧର୍ମାନ୍ତରଣ ସବୁ ଦେଶରେ ଧିରେ ଧିରେ ବଡ଼ ପ୍ରସଙ୍ଗ ପାଲଟିବାରେ ଲାଗିଛି । କାରଠଣ ଗୋଟିଏ ଦେଶର ଧର୍ମୀୟ ଜନସଂଖ୍ୟାର ଅନୁପାତ କମିବା ସହିତ ସେହି ଦେଶରେ ଅନେକ ପରିବର୍ତ୍ତନ ଆସିଥାଏ । ପରିବର୍ତ୍ତନ କେବଳ ରାଜନୈତିକ ନହୋଇ ସାଂସ୍କୃତିକ ଭୌଗଳିକ ମଧ୍ୟ ହୋଇପାରେ ।
ଭାରତୀୟ ଉପମହାଦେଶର ମ୍ୟାପ୍ ଏହାର ସବୁଠାରୁ ବଡ଼ ଉଦାହରଣ । ତେଣୁ କୁହାଯାଏ ଜଣେ ବ୍ୟକ୍ତିର ଧର୍ମ ପରିବର୍ତ୍ତନ ସହିତ ଗୋଟିଏ ଦେଶର ମ୍ୟାପ୍ ମଧ୍ୟ ବଦଳିଯାଏ । ଜିନ୍ନାଙ୍କ ଜେଜବାପା ଯଦି ହିନ୍ଦୁ ଧର୍ମ ତ୍ୟାଗ କରି ମୁସଲମାନ ହୋଇନଥାନ୍ତେ ତେବେ ପାକିସ୍ତାନର ଜନ୍ମ ସମ୍ଭବତଃ ହୋଇନଥାନ୍ତା । କିମ୍ବା ଆଲମା ଇକବାଲଙ୍କ ଜେଜେ ଯଦି ହିନ୍ଦୁର ମୁସଲମାନ ହୋଇନଥାନ୍ତେ ତେବେ ପାକିସ୍ତାନକୁ ବୈଚାରିକା ପ୍ଲାଟଫର୍ମ ମିଳିନଥାନ୍ତା ।
ଧର୍ମ ବଦଳିବା ସହିତ ଭୁଗୋଳ କେମିତି ବଦଳେ ତାହାର ବଡ଼ ଉଦାହରଣ ହେଉଛନ୍ତି ଆଫଗାନିସ୍ତାନ,ପାକିସ୍ତାନ ଓ ବାଂଲାଦେଶ । ଗୋଟିଏ ସମୟରେ ଏହି ତିନି ଦେଶର ସଂଖ୍ୟାଧିକ ଥିଲେ ହିନ୍ଦୁ କିମ୍ବା ବୌଦ୍ଧ । କିନ୍ତୁ ଇସଲାମର ପ୍ରବେଶ ଓ ପ୍ରସାର ସହିତ ଏହି ତିନିଦେଶ ହିନ୍ଦୁ ଶୁନ୍ୟ ହୋଇ ଇସଲାମିକ ହୋଇଥିଲା ଓ ଶେଷରେ ତିନୋଟି ନୂଆ ଦେଶ ଜନ୍ମ ନେଇଥିଲେ । ଇତିହାସରେ ଯାହା ଘଟିଛି ଏବେ ମଧ୍ୟ ସେମିତି ଘଟୁଛି । ଯାହାର ସଦ୍ୟତମ ଉଦାହରଣ ହେଉଛି ପିଉ ରିସର୍ଚ୍ଚ ରିପୋର୍ଟ ।
ପିଉ ରିସର୍ଚ୍ଚ ରିପୋର୍ଟ କ’ଣ କହୁଛି ?
ପିଉ ରିସର୍ଚ ସେନ୍ଟରର ଏକ ବିସ୍ତୃତ ଓ ବିରାଟ ସର୍ଭେରୁ ଜଣାପଡ଼ିଛି ଯେ ଧର୍ମାନ୍ତରଣ ବର୍ତ୍ତମାନ ଏକ ବିଶ୍ୱବ୍ୟାପୀ ପ୍ରସଙ୍ଗ ହୋଇଛି। 36 ଦେଶରେ 80,000ରୁ ଅଧିକ ଲୋକଙ୍କ ସର୍ଭେରୁ ଜଣାପଡ଼ିଛି ଯେ ବିଶେଷ କରି ଖ୍ରୀଷ୍ଟିଆନ ଓ ବୌଦ୍ଧ ଧର୍ମରେ ଧର୍ମାନ୍ତରଣ ଅଧିକ । ଅନେକ ଦେଶରେ ଅଧିକରୁ ଅଧିକ ଖ୍ରୀଷ୍ଟିଆନ ଓ ବୌଦ୍ଧ ନିଜ ଧର୍ମ ଛାଡ଼ି ଅନ୍ୟ ଧର୍ମ ଗ୍ରହଣ କରୁଛନ୍ତି ।
ଖ୍ରୀଷ୍ଟିଆନ ଓ ବୌଦ୍ଧ ଧର୍ମରେ ସବୁଠୁ ଅଧିକ ଧର୍ମାନ୍ତରଣ
ସର୍ଭେ ଅନୁସାରେ, ଖ୍ରୀଷ୍ଟିଆନ ଧର୍ମରେ ଧର୍ମାନ୍ତରଣ ସବୁଠୁ ଅଧିକ। ସ୍ପେନରେ 36% ଖ୍ରୀଷ୍ଟିଆନ ଯୁବବୟସରେ ଧର୍ମ ତ୍ୟାଗ କରିଛନ୍ତି, ଅମେରିକାରେ 22%, ବ୍ରିଟେନ ଓ ଫ୍ରାନ୍ସରେ 28%, ଏବଂ ଜର୍ମାନୀ, ନେଦରଲ୍ୟାଣ୍ଡ ଓ ସ୍ୱୀଡେନରେ ପାଖାପାଖି 30% ଲୋକ ଧର୍ମ ଛାଡ଼ିଛନ୍ତି। ଏମାନଙ୍କ ଅଧିକାଂଶ ନିଜକୁ ନାସ୍ତିକ ବା ଧାର୍ମିକ ଭାବେ ଅନିଶ୍ଚିତ ବୋଲି ମାନୁଛନ୍ତି। ବୌଦ୍ଧ ଧର୍ମରେ ମଧ୍ୟ ଏହି ପ୍ରବୃତ୍ତି ଦେଖାଯାଉଛି। ଦକ୍ଷିଣ କୋରିଆରେ 50% ଲୋକ ଯୁବବସ୍ଥା ପରେ ବୌଦ୍ଧ ଧର୍ମ ସହିତ ନିଜ ଆସ୍ଥାକୁ ତୁଟାଉଛନ୍ତି । ଆଉ ଜାପାନରେ ଧାର୍ମିକ ଆସ୍ଥା ଓ ସକ୍ରିୟତା ଉଭୟରେ ହ୍ରାସ ପରିଲକ୍ଷିତ ହେଉଛି । ଏହା ନୂଆ ପିଢ଼ିରେ ଆଧ୍ୟାତ୍ମିକତାର ପ୍ରଭାବ ଦୁର୍ବଳ ହେବାର ସଙ୍କେତ।
ଅମେରିକାରେ 18% ଓ ଶ୍ରୀଲଙ୍କାରେ 11% ହିନ୍ଦୁଙ୍କ ଧର୍ମାନ୍ତରଣ
ଅମେରିକାରେ ହିନ୍ଦୁଙ୍କ ଧର୍ମାନ୍ତରଣ: 18%
ଯେଉଁଠି ଭାରତରେ ହିନ୍ଦୁଙ୍କ ଧର୍ମାନ୍ତରଣ ହାର ନଗଣ୍ୟ, ସେହିଠାରେ ଅମେରିକାରେ ପ୍ରବାସୀ ହିନ୍ଦୁଙ୍କ ମଧ୍ୟରେ 18% ଲୋକ ନିଜ ଜନ୍ମଜାତ ଧର୍ମ ଛାଡ଼ିଛନ୍ତି। ଏମାନଙ୍କ ଅଧିକାଂଶ ନାସ୍ତିକ ହୋଇଛନ୍ତି ବା ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି। ଶ୍ରୀଲଙ୍କାରେ ଏହି ସଂଖ୍ୟା 11%, ଯେଉଁଠାରେ କିଛି ହିନ୍ଦୁ ସମୁଦାୟ ଖ୍ରୀଷ୍ଟିଆନ ଧର୍ମରେ ଯୋଗ ଦେଇଛନ୍ତି। ତେବେ, ଏହି ସଂଖ୍ୟା ଖ୍ରୀଷ୍ଟିଆନ ଓ ବୌଦ୍ଧ ସମୁଦାୟର ତୁଳନାରେ ବହୁତ କମ। ଏହା ପ୍ରବାସୀ ସମୁଦାୟରେ ସାଂସ୍କୃତିକ ଏବଂ ଧାର୍ମିକ ପରିଚୟର ପରିବର୍ତ୍ତନକୁ ସୂଚାଇଥାଏ।
ଭାରତ ଓ ବାଂଲାଦେଶ: ଧାର୍ମିକ ସ୍ଥିରତାର କେନ୍ଦ୍ର
ଭାରତ ଓ ବାଂଲାଦେଶ ଧର୍ମାନ୍ତରଣ କମ। ଏହି ଦୁଇଦେଶରେ 99% ହିନ୍ଦୁ ଓ ମୁସଲମାନ ନିଜ ଜନ୍ମଜାତ ଧର୍ମରେ ସ୍ଥିର ରହିଛନ୍ତି। ଏହା ଏକ ଗଭୀର ଧାର୍ମିକ ସଂସ୍କୃତି, ପାରିବାରିକ ମୂଲ୍ୟ ଓ ସାମାଜିକ ଢାଞ୍ଚାର ପ୍ରମାଣ। ସର୍ଭେରୁ ଜଣାପଡ଼ିଛି ଯେ ଯେଉଁମାନେ ଧର୍ମ ଛାଡ଼ନ୍ତି, ସେମାନେ ସାଧାରଣତଃ ଯୁବକ, ଶିକ୍ଷିତ ଓ ପୁରୁଷ ଅଧିକ। ଏହା ସାମାଜିକ ଓ ଶିକ୍ଷାଗତ ପରିବର୍ତ୍ତନର ଏକ ସଙ୍କେତ।
ଧର୍ମାନ୍ତରଣ ଏକ ବିଶ୍ୱବ୍ୟାପୀ ପରିବର୍ତ୍ତନର ଚିତ୍ର ଉପସ୍ଥାପନ କରୁଛି। ଯେଉଁଠି ଖ୍ରୀଷ୍ଟିଆନ ଓ ବୌଦ୍ଧ ଧର୍ମ ଅଧିକ ଧର୍ମାନ୍ତରଣର ସମ୍ମୁଖୀନ ହେଉଛି, ସେହିଠାରେ ଭାରତ ଓ ବାଂଲାଦେଶ ଧାର୍ମିକ ସ୍ଥିରତାର ଉଦାହରଣ ପାଲଟିଛି। ଅମେରିକା ଓ ଶ୍ରୀଲଙ୍କାରେ ହିନ୍ଦୁଙ୍କ ଧର୍ମାନ୍ତରଣ ଆମକୁ ସାଂସ୍କୃତିକ ଓ ଧାର୍ମିକ ପରିଚୟର ଜଟିଳତା ବୁଝାଇଥାଏ। ଏହି ପରିବର୍ତ୍ତନ ଆମ ସମାଜ, ସଂସ୍କୃତି ଓ ଭବିଷ୍ୟତକୁ କିପରି ଗଢ଼ିବ, ତାହା ସମୟ ହିଁ କହିବ।

