ହିମାଳୟ କ୍ଷେତ୍ରରେ ଅର୍ଥାତ ପାଦ ଦେଶରେ ଥିବା ରାଜ୍ୟଗୁଡିକର ଅସ୍ତିତ୍ବ ଏବେ ସଙ୍କଟରେ ପଡ଼ିଛି ବୋଲି ସୁପ୍ରିମକୋର୍ଟ ହୃଦୟଙ୍ଗମ କରିଛନ୍ତି। ଏହି ରାଜ୍ୟଗୁଡିକରେ ପରିବେଶ ଜନିତ ସଂନ୍ତୁଳନ ନେଇ କୋର୍ଟ ବାରମ୍ବାର ଚିନ୍ତା ପ୍ରକଟ କରି ଆସିଛନ୍ତି। ହିମାଳୟ କ୍ଷେତ୍ରରେ ୧୩ଟି ରାଜ୍ୟ ଅବସ୍ଥାନ କରୁଛି । ଏଗୁଡିକ ହେଲା ଜମ୍ମୁ-କଶ୍ମୀର, ଲାଦାଖ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆସାମ ଓ ପଶ୍ଚିମବଙ୍ଗର କିଛି ଅଂଶ। ଏହି ରାଜ୍ୟଗୁଡିକର ମୋଟ୍ ସୀମା ୨୫୦୦ କିଲୋମିଟର। ଏହାକୁ ଭାରତର ‘ଜଳ ମୀନାର’ ବୋଲି କୁହାଯାଇଥାଏ । କାରଣ ଏହି ରାଜ୍ୟ ତଥା ହିମାଳୟ କ୍ଷେତ୍ରରୁ ବଡ଼ ବଡ଼ ନଦୀଗୁଡିକ ବାହାରିଥାଏ। ଚଳିତ ବର୍ଷ ଏହି କ୍ଷେତ୍ରରେ ୧୦୦ରୁ ଊର୍ଦ୍ଧ୍ବ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ଖାସ୍ କରି ଉତ୍ତରାଖଣ୍ଡ, ହିମାଚଳ, ଜମ୍ମୁ-କଶ୍ମୀରରେ ବହୁତ କ୍ଷୟକ୍ଷତି ହେବା ସହ ଧନଜୀବନ ହାନି ହୋଇଛି। ମୋଟ ଉପରେ ଏହି ଅଞ୍ଚଳରେ ଚଳିତବର୍ଷ ଏପର୍ଯ୍ୟନ୍ତ ୬୨୬ଜଣଙ୍କର ମୃତ୍ୟୁ ହୋଇଛି।
ଏଠାରେ ଦେଖାଦେଉଥିବା ବିଭିନ୍ନ ପାକୃତିକ ବିପର୍ଯ୍ୟୟ ପାଇଁ ସୁପ୍ରିମକୋର୍ଟ ଖାସ୍ କରି ହିମାଚଳ ପ୍ରଦେଶର ସରକାରଙ୍କୁ କେତୋଟି ପ୍ରଶ୍ନ ପଚାରିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ସଞ୍ଜୀବ ମେହେଟାଙ୍କ ଖଣ୍ଡପିଠି କହିଛନ୍ତି ଯେ, ଏଥର ମୌସୁମୀରେ ହିମାଚଳରେ ପ୍ରବଳ ବର୍ଷା ଓ ଭୂସ୍ଖଳନ କାରଣରୁ ଶହଶହ ଲୋକଙ୍କର ଜୀବନ ଯାଇଛି ଓ ହଜାର ହଜାର ଲୋକଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି। ହିମାଚଳର ପରିବେଶବହୁତ ନକରାତ୍ମକ ଭାବେ ପ୍ରଭାବିତ ହୋଇଛି ବୋଲି ଏହି ବିପର୍ଯ୍ୟୟରୁ ପ୍ରମାଣିତ ହୋଇଛି। ସମ୍ପୂର୍ଣ୍ଣ ହିମାଳୟ କ୍ଷେତ୍ର ଗମ୍ଭୀର ସଙ୍କଟରେ ରହିଛି। ଲଗାତର ଭାବେ ହେଉଥିବା ଭୂସ୍ଖଳନ, ଘର ଭୁଶୁଡିବା, ସଡ଼କ ଦବିବା ଭଳି ଘଟଣା ପାଇଁ ପ୍ରକୃତିକୁ ନୁହଁ ବରଂମଣିଷକୁ ଦାୟୀ କରାଯାଇଛି।
ବିଶେଷଜ୍ଞଙ୍କ ରିପୋର୍ଟର ଦୁହାଇ ଦେଇ କୋର୍ଟ ହିମାଚଳର ବିପର୍ଯ୍ୟୟ ପାଇଁ ଜଳବିଦ୍ୟୁତ ପ୍ରକଳ୍ପ, ଫୋରଲେନ୍ ସଡ଼କ, ଜଙ୍ଗଲ କାଟିବା ଓ ବହୁତଳ ବିଶିଷ୍ଟ କୋଠା ଯଥା ହୋଟେଲ, ଗେଷ୍ଟ ହାଉସ୍ ଓ ଶିଳ୍ପ ପ୍ରତିଷ୍ଠାନ ନିର୍ମାଣକୁ ଦାୟୀ କରିଛନ୍ତି । ଏହି କାରଣଗୁଡିକ ନେଇ କୋର୍ଟ ରାଜ୍ୟ ସରକାରଙ୍କୁ ବିଭିନ୍ନ ପରିସଂଖ୍ୟାନ ଭିତ୍ତିକ ପ୍ରଶ୍ନ ପଚାରିଛନ୍ତି । ଅକ୍ଟୋବର ୨୮ ପର୍ଯ୍ୟନ୍ତ ସରକାରଙ୍କୁ ଏ ନେଇ ଉତ୍ତର ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହିମାଚଳରେ ଏବେ ୧୭ ହଜାର ୧୨୦ ଭୂସ୍ଖଳନ ପ୍ରବଣ କ୍ଷେତ୍ର ରହିଛି। ଏଥୁମଧ୍ୟରୁ ୬୭୫ଟି କ୍ଷେତ୍ର ଜନବସତି ନିକଟରେ ରହିଛି। ହିମାଚଳର ଚମ୍ବା, ମଣ୍ଡି, କାଂଗ୍ରା, ଲାହଉଲ ଓ ସ୍କିଟି, ଉନା, କୁଲୁ, ଶିମଳା, ସୋଲାନ, ବିଳାଶପୁର, ସରମରପୁର ଓ କିନ୍ନାଉରର ବହୁ ଅଞ୍ଚଳ ହାଇରିସ୍କ ଜୋନ୍ ଅର୍ଥାତ ବିପଜ୍ଜନକ ବିବେଚିତ ହେଉଛି।
ତେବେ ପର୍ଯ୍ୟଟନ ହେଉଛି ହିମାଚଳର ଆୟର ସବୁଠାରୁ ବଡ଼ ଉତ୍ସ ବୋଲି କୋର୍ଟ ସ୍ବୀକାର କରିଛନ୍ତି। କିନ୍ତୁ ଅନିୟନ୍ତ୍ରିତ ପର୍ଯ୍ୟଟନ ଓ ବିକାଶ କାରଣରୁ ବିପର୍ଯ୍ୟୟ ସୃଷ୍ଟି ହେଉଛି ବୋଲି ଆମକୁ ଗ୍ରହଣ କରିବାକୁ ହେବ। ରାଜ୍ୟର ପର୍ଯ୍ୟଟନ ଓ ପର୍ଯ୍ୟାବରଣ ମଧ୍ଯରେ ସନ୍ତୁଳନ ରହିବା ଆବଶ୍ୟକ । ପୂର୍ବରୁ ମଧ୍ୟ କୋର୍ଟ ଏ ନେଇ ଚେତାବନୀ ଦେଇଥିଲେ ଓ ହିମାଚଳ ଦେଶର ମାନଚିତ୍ରରୁ ଗାଏବ ହୋଇଯିବ ବୋଲି କହିଥିଲେ। ତେଣୁ ବେଳ ଥାଉଥାଉ ଗଠନମୂଳକ ପଦକ୍ଷେପ ନିଆଯିବା ଉପରେ କୋର୍ଟ ଗୁରୁତ୍ବ ଦେଇଛନ୍ତି। ତେବେ ଦେଖାଯାଉ ରାଜ୍ୟ ଆଉ କେନ୍ଦ୍ର ସରକାର ଏନେଇ କି ଉପାୟ କରୁଛନ୍ତି ଆଉ କୋର୍ଟଙ୍କୁ କି ଉତ୍ତର ଦେଉଛନ୍ତି।
Also Read https://purvapaksa.com/how-did-the-3-idiots-real-life-hero-become-a-villain-for-the-modi-govt/


