ସ୍ଵାଧୀନତା ପ୍ରାପ୍ତି ବେଳକୁ ମହତାବଙ୍କ ଅଧୀନରେ ଗଠିତ ସରକାରଙ୍କ ପକ୍ଷରୁ ଓଡ଼ିଶାର ଜନସାଧାରଣଙ୍କ ମାନ ବୃଦ୍ଧି ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଯେକେହି କଳ୍ପନା କରିପାରିବେ ୧୯୪୭ ସମୟରେ ଓଡ଼ିଆମାନଙ୍କର ସାମାଜିକ ଓ ଆର୍ଥିକ ଅବସ୍ଥା କ’ଣ ଥିବ। ଲୋକଙ୍କ ହିତ ପାଇଁ ଯେଉଁ ସ୍ୱପ୍ନ ଓ ସଂକଳ୍ପ କରାଯାଇଥିଲା ସେଗୁଡ଼ିକୁ ପୂରଣ କରିବା ଏକ କଠିନ କାର୍ଯ୍ୟ ଥିଲା। ଜନସାଧାରଣଙ୍କ ଭିତରେ ଆଶା ପ୍ରବଳ ଥିଲା।
ପ୍ରତ୍ୟେକ ସାମାଜିକ ଗୋଷ୍ଠୀର ନିଜ ନିଜ ସ୍ୱାର୍ଥ ହାସଲ କରିବା ପାଇଁ ଉଦ୍ୟମରତ ଥିଲେ। ବିଭିନ୍ନ ବର୍ଗର ସ୍ୱାର୍ଥ ଏବଂ ଆକାଂକ୍ଷା ପରସ୍ପର ମଧ୍ୟରେ ଯେପରି ସଂଘର୍ଷ ନହୁଏ ସ୍ଥାନୀୟ ପ୍ରତିନିଧିମାନଙ୍କ ଦ୍ୱାରା ପରିଚାଳିତ ସରକାରକୁ ସେ ନେଇ ସତର୍କ ହେବାକୁ ପଡ଼ୁଥିଲା । ଜାତିବାଦ ଏବଂ ସାମନ୍ତବାଦୀ ମାନସିକତା ଦ୍ୱାରା ପରିଚାଳିତ ତୀବ୍ର ଅସମାନତାର ଏକ ସମାଜ ପାଇଁ ଏକ ସାର୍ବଜନୀନ କାର୍ଯ୍ୟକ୍ରମ ଚୟନ କରିବାକୁ ପଡ଼ିଥିଲା ଯାହା ଦ୍ୱାରା ପ୍ରତ୍ୟେକ ଗୋଷ୍ଠୀ ଏହାର ଲାଭ ପାଇପାରିବେ । ମହତାବଙ୍କ ପ୍ରଧାନମନ୍ତ୍ରୀତ୍ୱ ସମୟରେ ଅନେକ ଦୃଢ଼ ଓଜନସ୍ୱାର୍ଥମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା।
ବିଗତ ଦଶନ୍ଧିର ଅଭିଜ୍ଞତା ପୃଷ୍ଠଭୂମିରେ କଂଗ୍ରେସର ନେତୃବର୍ଗ ବିରୋଧୀ ଦଳର ନେତା, ବିଧାନସଭାର ସଦସ୍ୟମାନଙ୍କୁ ଦାରିଦ୍ର୍ୟ, ସ୍ୱାସ୍ଥ୍ୟ, ଭୂମି ସଂସ୍କାର, ଅସ୍ପୃଶ୍ୟତା, ଶିକ୍ଷା ଇତ୍ୟାଦି ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଆରମ୍ଭ କରିବାରେ ସାହାଯ୍ୟ କରିଥିଲା। ଜାତୀୟ ଆନ୍ଦୋଳନ ବି ସଂସ୍କାରର ଚିନ୍ତାଧାରାକୁ ତୀକ୍ଷ୍ଣ କରିଥିଲା। ଆଶ୍ଚର୍ଯ୍ୟ ଲାଗିପାରେ ଯେ ଏହି ସମସ୍ତ ଆଭିମୁଖ୍ୟ ମହତାବଙ୍କ ସମୟରେ ୧୯୪୭ ରୁ ୧୯୫୦ ମଧ୍ୟରେ ଆରମ୍ଭ କରାଯାଇଥିଲା । ନିଜେ ମହତାବ ଓ ତାଙ୍କ ସରକାର ଲୋକମାନଙ୍କୁ ନିରକ୍ଷରତାରୁ ମୁକ୍ତ କରିବା ପାଇଁ ବହୁତ ଗୁରୁତ୍ୱ ଦେଇଥିଲେ। ମୌଳିକ ଶିକ୍ଷା ଲାଗୁ କରିବା ପାଇଁ ଆଇନ ପ୍ରଣୟନ କରାଯାଇଥିଲା।
ତେବେ ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଥିଲା ଦଳିତ ବା ହରିଜନଙ୍କ ମନ୍ଦିର ପ୍ରବେଶ । ଏହି ଉଦ୍ଦେଶ୍ୟରେ ଅଣାଯାଇଥିବା ଓଡ଼ିଶା ମନ୍ଦିର ପ୍ରବେଶ ପ୍ରାଧିକରଣ ବିଲ୍ ୫ ମାର୍ଚ୍ଚ ୧୯୪୮ରେ ପାରିତ ହୋଇଥିଲା। ଏହି ବିଲର ମୁଖ୍ୟ ଉଦ୍ଦେଶ୍ୟ ଥିଲା ନିର୍ଦ୍ଦିଷ୍ଟ ବର୍ଗର ହିନ୍ଦୁ ଏବଂ ଅସ୍ପୃଶ୍ୟମାନଙ୍କୁ ଓଡ଼ିଶା ପ୍ରଦେଶରେ ଥିବା ହିନ୍ଦୁ ମନ୍ଦିରରେ ପ୍ରବେଶ ପାଇଁ ଅନୁମତି ଦେବା। ପବିତ୍ର ପୁଷ୍କରିଣୀ, କୂଅ ଆଦିରେ ଗାଧୋଇବା ପାଇଁ ମଧ୍ୟ ସେମାନଙ୍କର ସମାନ ଅଧିକାର ରହିବ ଏହା ମଧ୍ୟ ଉକ୍ତ ବିଲର ଉଦ୍ଦେଶ୍ୟ ଥିଲା।। ଅନ୍ୟ ଶ୍ରେଣୀର ହିନ୍ଦୁମାନଙ୍କ ଭଳି ସେମାନଙ୍କର ମଧ୍ୟ ଯେକୌଣସି ପବିତ୍ର ସ୍ଥାନ ଅତିକ୍ରମ କରିବାର ଅଧିକାର ରହିବ ବୋଲି ମଧ୍ୟ ଏହି ବିଲରେ ବ୍ୟବସ୍ଥା ଥିଲା। ବଞ୍ଚିତ ଶ୍ରେଣୀର କୌଣସି ସଦସ୍ୟଙ୍କୁ ତାଙ୍କ ଅଧିକାର ପ୍ରୟୋଗ କରିବାରେ ବାଧା ଦେଊଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବା ପାଇଁ ଏହି ବିଲରେ ବ୍ୟବସ୍ଥା କରାଯାଇଥିଲା।
ଐତିହାସିକ ଦୃଷ୍ଟିକୋଣରୁ ଦେଖିଲେ, ୧୯୩୪ ମସିହା ମେ ୫ ତାରିଖରୁ ମହାତ୍ମା ଗାନ୍ଧୀ ଓଡ଼ିଶାରେ ହରିଜନ ପଦଯାତ୍ରା ଆରମ୍ଭ କରିଥିଲେ । ତାଙ୍କର ଏହି ଗସ୍ତ ସମୟରେ ଗାନ୍ଧୀ ପୁରୀ ଆସିଥିଲେ। ହରିଜନମାନଙ୍କୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରାଇବାରେ କିନ୍ତୁ ସେ ସକ୍ଷମ ହୋଇନଥିଲେ। ମେ ୨୯ ତାରିଖରେ କେନ୍ଦ୍ରପଡାରେ ଏକ ସାକ୍ଷାତକାରରେ ସେ ଆଶା ବ୍ୟକ୍ତ କରିଥିଲେ ଯେ ଭବିଷ୍ୟତରେ ଏହା ସମ୍ଭବ ହୋଇପାରେ। କିନ୍ତୁ ସିଧାସଳଖ ସଂଘର୍ଷକୁ ସେ ଏଡ଼ାଇ ଯାଇଥିଲେ। ଏହି ଅଭିଯାନର ନେତୃତ୍ୱ ନେବା ପାଇଁ ପ୍ରାଦେଶିକ ହରିଜନ ସେବକ ସଂଘ ପଣ୍ଡିତ ନୀଳକଣ୍ଠ ଦାଶଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିଲା, ଯଦିଓ ସ୍ଥାନୀୟ ବୁଦ୍ଧିଜୀବୀ ଏବଂ ରକ୍ଷଣଶୀଳ ଲୋକେ ସାମାଜିକ ଅସ୍ଥିରତା ଏବଂ ପୋଲିସ୍ ହସ୍ତକ୍ଷେପର ଭୟ ହେତୁ ଏହାକୁ ବିରୋଧ କରିଥିଲେ।
୧୯୪୭ ମସିହା ଏପ୍ରିଲ ମାସରେ ମହତାବଙ୍କ ପ୍ରାଦେଶିକ ସରକାର ଓଡ଼ିଶା ମନ୍ଦିର ପ୍ରବେଶ ପ୍ରାଧିକରଣ ଏବଂ କ୍ଷତିପୂରଣ ଆଇନକୁ ପ୍ରଣୟନ କରିଥିଲେ। କିନ୍ତୁ ଦେଖିବାକୁ ମିଳିଲା ଯେ ଏହାର ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ମାଡ୍ରାସ କେନ୍ଦ୍ରୀୟ ପ୍ରଦେଶ, ବେରାର ଏବଂ ବମ୍ବେ ଅଧିନିୟମ ସରକାରଙ୍କ ଦ୍ଵାରା ଅଣାଯାଇଥିବା ବିଲର ଧାରା ଅନୁଯାୟୀ ଏହି ଅଧିନିୟମ ପ୍ରଣୟନ କରାଯାଇଥିଲା। ମହତାବ ନିଜେ ଏହି ବିଲ୍ ଆଗତ କରିଥିଲେ। ପୁରୀ ଜଗନ୍ନାଥଙ୍କ ମନ୍ଦିର ମଧ୍ୟ ନିର୍ଯାତିତ ହିନ୍ଦୁମାନଙ୍କ ପାଇଁ ଖୋଲାଯାଇଥିଲା। କେନ୍ଦ୍ରାପଡ଼ାସ୍ଥିତ ବଳଦେବ ଜୀଉ ମନ୍ଦିରକୁ ଅସ୍ପୃଶ୍ୟମାନଙ୍କ ପାଇଁ ଖୋଲି ଦିଆଯାଇଥିଲା। ଦୀନବନ୍ଧୁ ସାହୁ ଏହି ବିଷୟ ଉଲ୍ଲେଖ କରି କହିଥିଲେ ଯେ, “ମୁଁ ଦେଖିଲି ସମଗ୍ର ଜନମତ ହରିଜନମାନଙ୍କ ପ୍ରବେଶ ସପକ୍ଷରେ ଥିଲା”
କିନ୍ତୁ ପୁରୀରେ ଏନେଇ ଗଣ୍ଡଗୋଳ ଦେଖାଗଲା। ସରକାରଙ୍କ ତରଫରୁ ଏହା ସ୍ଥିର ହୋଇଥିଲା ଯେ ମହାତ୍ମା ଗାନ୍ଧୀଙ୍କ ଚିତାଭସ୍ମ ବିସର୍ଜନ ଦିନ (୧୨ ଫେବୃଆରୀ ୧୯୪୮) ଅସ୍ପୃଶ୍ୟମାନେ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବେ।ଏହି ଖବର ପ୍ରଚାରିତ ହେବ ପରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡ଼ିଲା । ବରିଷ୍ଠ ମନ୍ତ୍ରୀ ନିତ୍ୟାନନ୍ଦ କାନୁନଗୋଙ୍କୁ ମନ୍ଦିରର ପୂଜାରୀଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ମହତାବ ପ୍ରସ୍ତାବ ଦେଲେ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ କାନୁନଗୋ ପୁରୀ ରାଜାଙ୍କୁ ମଧ୍ୟ ଭେଟିଲେ।
ଅସ୍ପୃଶ୍ୟମାନଙ୍କୁ ମନ୍ଦିରରେ ପ୍ରବେଶ କରିବାକୁ ପୁରୀର କଂଗ୍ରେସ ନେତା ଓ କର୍ମୀମାନେ ଉତ୍ସାହିତ କରିଥିଲେ। କିନ୍ତୁ ପୁରୀ ପଣ୍ଡା , ଦଇତାପତି ଓ ବ୍ରାହ୍ମଣମାନେ ଗୁଣ୍ଡାମାନଙ୍କୁ ବ୍ୟବହାର କରି ରାତି ସାରା ଏକ ପ୍ରକାର ଅସ୍ଥିର ପରିସ୍ଥିତି ସୃଷ୍ଟି କରିଥିଲେ। ଯେଉଁ ଅସ୍ପୃଶ୍ୟମାନେ ମନ୍ଦିର ପରିସରରେ ପ୍ରବେଶ କଲେ ସେମାନଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ବୋଲି ଧମକ ଦେଇଥିଲେ। ଏହି ଗୁଜବ ମଧ୍ୟ ପ୍ରସାରିତ କରାଗଲା ଯେ ଯଦି ଅସ୍ପୃଶ୍ୟମାନେ ମନ୍ଦିରରେ ପ୍ରବେଶ କରନ୍ତି ତେବେ ପ୍ରସିଦ୍ଧ ରଥ ଯାତ୍ରା ବନ୍ଦ କରି ଦିଆଯିବ ।
ଏ କଥା ଜାଣିବା ପରେ ହରେକୃଷ୍ଣ ମହତାବ କଂଗ୍ରେସର ଜଣେ ଜଣାଶୁଣା ଦଳିତ ନେତା ମୋହନ ନାୟକଙ୍କୁ ବ୍ରହ୍ମପୁରରୁ ଡକେଇ ପଠେଇଲେ। ନିଜ ସହଯୋଗୀ ଓ ସ୍ୱେଚ୍ଛାସେବୀମାନଙ୍କ ସହ ମନ୍ଦିରରେ ପ୍ରବେଶ କରିବାକୁ ମୋହନ ନାୟକଙ୍କୁ ମହତାବ କହିଲେ। ବ୍ରହ୍ମପୁରର ଧନମେରା ସାହିର ୩୨ଜଣ ଶ୍ରମିକ ଓ ଦଳିତ ସ୍ଵେଚ୍ଛାସେବୀ ପୁରୀ ଆସିଲେ ଏବଂ ୧୯୪୮ ଫେବୃଆରୀ ୧୧ତାରିଖ ରାତିରେ ଏକ ବିଦ୍ୟାଳୟରେ ରହିଲେ। ଫେବୃଆରୀ ୧୨ ତାରିଖରେ ଗାନ୍ଧୀଙ୍କ ଚିତାଭସ୍ମ ଟ୍ରେନରେ ପୁରୀ ପହଞ୍ଚିଲା। ରାଜ୍ୟପାଳ କୈଳାଶ ଚନ୍ଦ୍ର କାଟଜୁଙ୍କ ଦ୍ୱାରା ଆନୁଷ୍ଠାନିକ ଭାବରେ ଏହାର ବିସର୍ଜନ ପରେ, ଅସ୍ପୃଶ୍ୟମାନେ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବାକୁ ଯାତ୍ରା ଆରମ୍ଭ କଲେ। ଯେଉଁ ମନ୍ଦିର ଏପର୍ଯ୍ୟନ୍ତ ସେମାନଙ୍କ ପାଇଁ ଖୋଲା ନଥିଲା, ତାହା ଏବେ ଖୋଲା ହେବ ପାଇଁ ପରିସ୍ଥିତି ସୃଷ୍ଟି ହେଲା।
ସେଦିନ ସନ୍ଧ୍ୟା ୪ଟା ସୁଦ୍ଧା ଯେତେବେଳେ ସ୍ୱେଚ୍ଛାସେବୀମାନେ ମନ୍ଦିରରେ ପ୍ରବେଶ କରିବାକୁ ଚେଷ୍ଟା କଲେ, ଶ୍ରୀମନ୍ଦିର ନିଯୋଗ ଏବଂ ସହିତ ସମ୍ପୃକ୍ତ ବ୍ୟକ୍ତି ଗୁଣ୍ଡାମାନଙ୍କ ସହାୟତାରେ ଏହାର ବିରୋଧ କରିଥିଲେ। ମନ୍ଦିର ପ୍ରବେଶ ପାଇଁ ଉଦ୍ୟମରତ ସ୍ୱେଚ୍ଛାସେବୀମାନଙ୍କୁ ଗାଳିଗୁଲଜ କରିବା ସହ ଲାଠିରେ ଆକ୍ରମଣ କରିଥିଲେ। ଗାନ୍ଧୀଜୀଙ୍କ ଚିତ ଭସ୍ମ ଯେଉଁ କଳଶରେ ଆସିଥିଲା ସେହି ଭାଙ୍ଗି ଯାଇଥିବା ପାତ୍ର ଏବଂ ଚିତାଭସ୍ମକୁ ଫିଙ୍ଗି ଦେଇଥିଲେ।
ମୋହନ ନାୟକ ତ ସ୍ୱେଚ୍ଛାସେବୀମାନଙ୍କ ନେତୃତ୍ୱ ନେଉଥିଲେ। ପଣ୍ଡାଙ୍କ ପ୍ରତିରୋଧ ସତ୍ତ୍ୱେ ସ୍ୱେଚ୍ଛାସେବୀମାନେ ମନ୍ଦିରର ମୁଖ୍ୟ ଫାଟକରେ ପହଞ୍ଚି ପାରିଥିଲେ। ସେମାନଙ୍କ ମଧ୍ୟରୁ ଅନେକେ ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ପରଦିନ ପ୍ରଶାସନ ହସ୍ତକ୍ଷେପ କରିଥିଲା ଏବଂ ଶେଷରେ ସ୍ୱେଚ୍ଛାସେବୀମାନେ ମନ୍ଦିରରେ ପ୍ରବେଶ କରିଥିଲେ। ଏହି ଘଟଣାକୁ ଯେ ସମସ୍ତେ ବିରୋଧ କରୁଥିଲେ ତାହା ନୁହଁ । ପୁରୀର ପ୍ରଗତିଶୀଳ ସମାଜ ଓ ଏହାର ସଦସ୍ୟମାନେ ପ୍ରକୃତରେ ଦଳିତ ସ୍ୱେଚ୍ଛାସେବୀମାନଙ୍କୁ ସ୍ୱାଗତ କରିଥିଲେ। ସାମାଜିକ ଦୃଷ୍ଟିକୋଣରୁ ସେତେବେଳେ ଏହା ଏକ ବିରାଟ ତଥା ଐତିହାସିକ ସଫଳତା ଥିଲା। ସେହି ଘଟଣାର ୭୫ ବର୍ଷ ପରେ ଆଜି ବି ଓଡିଶାର ଅନେକ ଅଞ୍ଚଳରେ ଦଳିତଙ୍କ ପାଇଁ ହିନ୍ଦୁ ମନ୍ଦିର ପ୍ରବେଶ ମନ। ହୋଇ ରହିଛି।
also read https://purvapaksa.com/prashant-kishores-name-appears-in-two-voter-lists-from-two-states/


