ଓଡ଼ିଶା ସଙ୍ଗୀତ ଜଗତ ପାଇଁ ଆଜି ଏକ ଦୁଃଖର ଦିନ । ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ ସମ୍ବାଦ ସମଗ୍ର ରାଜ୍ୟକୁ ଶୋକାକୁଳ କରିଦେଇଛି । ଶେଷ ଯାତ୍ରା ପୂର୍ବରୁ ତାଙ୍କ କଟକ ସ୍ଥିତ ବାସଭବନରେ ଶେଷ ଦର୍ଶନ ପାଇଁ ବହୁ ସଂଖ୍ୟକ ସଙ୍ଗୀତପ୍ରେମୀ ଏବଂ ବିଶିଷ୍ଟ ବ୍ୟକ୍ତିମାନେ ଭିଡ଼ ଲଗାଇଛନ୍ତି । ଆଜି ତାଙ୍କର ଅନ୍ତିମ ସଂସ୍କାର କଟକର ସତୀଚଉଁରାରେ ସମ୍ପନ୍ନ ହେବ। ସରକାର ପକ୍ଷରୁ ତାଙ୍କୁ ‘ଗାର୍ଡ ଅଫ୍ ଅନର’ ଦିଆଯିବାକୁ ଘୋଷଣା କରାଯାଇଛି ।

ଗତକାଲି କଟକର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଗୀତା ପଟ୍ଟନାୟକଙ୍କର ଦେହାନ୍ତ ଘଟିଥିଲା। ୧୯୫୪ ମସିହା ଡିସେମ୍ବର ୧୦ ତାରିଖରେ ତାଙ୍କର ଜନ୍ମ ହୋଇଥିଲା। ଛୋଟଦିନୁଠାରୁ ସଙ୍ଗୀତ ପ୍ରତି ତାଙ୍କର ଆସକ୍ତି ଥିଲା ଏବଂ ସେହି ଆସକ୍ତି ତାଙ୍କୁ ଓଡ଼ିଶାର ଏକ ପ୍ରମୁଖ କଣ୍ଠଶିଳ୍ପୀରେ ପରିଣତ କରିଥିଲା।
୧୯୭୧ ମସିହାରେ ସେ ଅଲ ଇଣ୍ଡିଆ ରେଡ଼ିଓର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ ଭାବେ ମାନ୍ୟତା ଲାଭ କରିଥିଲେ। ଏହା ତାଙ୍କ ସଙ୍ଗୀତ ଯାତ୍ରାର ଏକ ମୁଖ୍ୟ ମୋଡ଼ ଥିଲା । ତାପରେ ସେ ପଛକୁ ଚାହିଁ ଦେଖିନଥିଲେ । ଅନେକ ଓଡ଼ିଆ ଚଳଚ୍ଚିତ୍ରରେ ସେ ପ୍ରଚ୍ଛଦପଟ୍ଟ ଗାୟିକା ଭାବେ ନିଜ କଣ୍ଠ ଦାନ କରିଥିଲେ । ତାଙ୍କ ସ୍ୱରରେ ଏକ ଅଲଗା ମାଧୁର୍ଯ ଓ ଭାବବ୍ୟକ୍ତି ଥିଲା, ଯାହା ଶ୍ରୋତାଙ୍କ ହୃଦୟକୁ ସ୍ପର୍ଶ କରୁଥିଲା।
କେବଳ ଓଡ଼ିଆ ଭାଷାରେ ସୀମିତ ନ ରହି ସେ ହିନ୍ଦୀ, ଗୁଜରାଟି, ରାଜସ୍ଥାନୀ ଏବଂ ମରାଠୀ ଭାଷାରେ ମଧ୍ୟ ଗୀତ ଗାଇଥିଲେ। ଭଜନ, ଜଣାଣ, ପଲ୍ଲୀଗୀତ, ଛାନ୍ଦ, ଚମ୍ପୁ ଓ ଆଧୁନିକ ଗୀତରେ ତାଙ୍କ ଅପାର ଦକ୍ଷତା ଦେଖାଯାଇଥିଲା। ଧାର୍ମିକ ଗୀତରୁ ଆରମ୍ଭ କରି ଚଳଚ୍ଚିତ୍ର ସଙ୍ଗୀତ ପର୍ଯ୍ୟନ୍ତ ସବୁ ମାଧ୍ୟମରେ ସେ ନିଜ ଛାପ ଛାଡ଼ିଥିଲେ।
ଯାଯାବର ଚଳଚ୍ଚିତ୍ରର “ଫୁର୍ କିନା ଉଡ଼ିଗଲା ବଣି” ଓ ନାଗଫାସର “ନଦୀ ଫେରେ ସାଗରକୁ” ଭଳି ଗୀତ ତାଙ୍କୁ ଲୋକପ୍ରିୟତାର ଶୀର୍ଷକୁ ପହଞ୍ଚାଇଥିଲା। ଏହି ଗୀତଗୁଡ଼ିକ ଆଜିମଧ୍ୟ ସଙ୍ଗୀତପ୍ରେମୀମାନଙ୍କ ମନରେ ଅବିଚ୍ଛିନ୍ନ ସ୍ଥାନ ଦାବି କରିଛି। ତାଙ୍କ କଣ୍ଠର ମାଧୁର୍ୟ ଓ ଭାବନାର ଗଭୀରତା ଗୀତକୁ ଅମର କରିଦେଇଛି।
ସଙ୍ଗୀତ କ୍ଷେତ୍ରରେ ତାଙ୍କ ଅବଦାନ ପାଇଁ ସେ ଅନେକ ସମ୍ମାନ ଓ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ଦେଶ ବାହାରେ ମଧ୍ୟ ତାଙ୍କ ସ୍ୱରର ପ୍ରଶଂସା ହୋଇଥିଲା। ସେ କେବଳ ଏକ ଗାୟିକା ନୁହେଁ, ଓଡ଼ିଶାର ସଂସ୍କୃତି ଓ ସଙ୍ଗୀତର ଏକ ପରିଚୟ ଥିଲେ। ତାଙ୍କ ଦେହାନ୍ତ ସହ ଓଡ଼ିଆ ସଙ୍ଗୀତ ଜଗତରେ ଏକ ବଡ଼ ଶୂନ୍ୟତା ସୃଷ୍ଟି ହୋଇଛି। ସଙ୍ଗୀତପ୍ରେମୀମାନେ କହୁଛନ୍ତି, ତାଙ୍କ ସ୍ୱର ଚିରଅମର ରହିବ। ତାଙ୍କ ଗୀତ ଆଗାମୀ ପିଢ଼ୀକୁ ପ୍ରେରଣା ଦେଇଯିବ। ଶେଷ ଯାତ୍ରାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଅନେକେ କହିଛନ୍ତି— “ସ୍ୱର ଥମିଗଲା, କିନ୍ତୁ ସ୍ମୃତି ଅମର ରହିବ”।
also read https://purvapaksa.com/haroscope-23/
କାଲି ମହାଲକ୍ଷ୍ମୀ ରାଜଯୋଗ, ଏହି ତିନୋଟି ରାଶିରେ ଟଙ୍କାର ବର୍ଷା ।। Haroscope


