ମହାରାଷ୍ଟ୍ରର ଗଢ଼ଚିରୋଲୀ ଜିଲ୍ଲାରେ ଆଜି ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏକ ବଡ଼ ଏନକାଉଣ୍ଟର ଘଟିଛି । ଏହି ଭୟଙ୍କର ଗୁଳିଚାଳନାରେ ୩ ଜଣ ମାଓବାଦୀ ନିହତ ହୋଇଥିବାବେଳେ ମହାରାଷ୍ଟ୍ର ପୋଲିସର ବିଶେଷ C-୬୦ କମାଣ୍ଡୋ ଫୋର୍ସର ଜଣେ ସଦସ୍ୟ ସହିଦ ହୋଇଛନ୍ତି । ଏହା ସହ ଗୁଳିଚାଳନାରେ ଜଣେ କମାଣ୍ଡୋ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି ।

ଏହି ଏନକାଉଣ୍ଟର ମହାରାଷ୍ଟ୍ରର ଗଢ଼ଚିରୋଲୀ ଓ ସୀମାବର୍ତ୍ତୀ ଛତିଶଗଡ଼ ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ମାଓବାଦୀ ପ୍ରଭାବିତ ଏହି ଅଞ୍ଚଳରେ ଦୀର୍ଘଦିନ ଧରି ନକ୍ସଲ କାର୍ଯ୍ୟକଳାପ ସକ୍ରିୟ ରହିଥିବାବେଳେ ପୋଲିସ ପକ୍ଷରୁ ଲଗାତାର ଆଣ୍ଟି-ନକ୍ସଲ ଅପରେସନ୍ ଚାଲିଛି । ସୂଚନାନୁଯାୟୀ, ମାଓବାଦୀ କମ୍ପାନୀ ନମ୍ବର ୧୦ର କିଛି ଅବଶିଷ୍ଟ ସଦସ୍ୟ ଓ ଛତିଶଗଡ଼ର ଏକ ଅଜ୍ଞାତ ମାଓ ସ୍କ୍ୱାଡ଼ ଏହି ଅଞ୍ଚଳରେ ଲୁଚିଥିବା ସୂଚନା ପୋଲିସ ପାଇଥିଲା। ଏହି ଗୁପ୍ତ ସୂଚନା ଆଧାରରେ ଭାମରାଗଡ଼ ସବ-ଡିଭିଜନାଲ୍ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ C-୬୦ କମାଣ୍ଡୋ ଫୋର୍ସ ନାରାୟଣପୁର–ଗଢ଼ଚିରୋଲୀ ଜିଲ୍ଲା ସୀମାରେ ଥିବା ଫୋଡେୱାଡା ଅଞ୍ଚଳ ନିକଟରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଥିଲେ।
ଅନ୍ଧାର ରାତିରେ ସୁରକ୍ଷାବାହିନୀ ସର୍ଚ୍ଚ ଅପରେସନ୍ ଚାଲାଉଥିବା ସମୟରେ ମାଓବାଦୀମାନେ ହଠାତ୍ ପୋଲିସ ଦଳ ଉପରେ ଗୁଳିଚାଳନା କରିଥିଲେ। ଏହା ପରେ C-୬୦ କମାଣ୍ଡୋମାନେ ମଧ୍ୟ ସାହସିକ ଭାବେ ଗୁଳିର କଡ଼ା ଜବାବ୍ ଦେଇଥିଲେ। ଦୁଇପକ୍ଷ ମଧ୍ୟରେ ଘଣ୍ଟାଧିକ ସମୟ ଧରି ତୀବ୍ର ଗୁଳିଚାଳନା ଚାଲିଥିଲା।
ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିବା ଏହି ଏନକାଉଣ୍ଟରରେ ୩ ଜଣ ମାଓବାଦୀ ନିହତ ହୋଇଥିବା ପୋଲିସ ସୂଚନା ଦେଇଛି। ଅନ୍ୟପଟେ ଗୁଳି ଆଘାତରେ ଜଣେ C-୬୦ କମାଣ୍ଡୋ ସହିଦ ହୋଇଥିବାବେଳେ ଆଉ ଜଣେ କମାଣ୍ଡୋ ଆହତ ହୋଇଛନ୍ତି। ଆହତ ସୈନିକଙ୍କୁ ସୁରକ୍ଷିତ ଭାବେ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି।ଘଟଣା ପରେ ସମଗ୍ର ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ା କରାଯାଇଛି ଏବଂ ଅନ୍ୟ କୌଣସି ମାଓବାଦୀ ଲୁଚିଥିବା ଆଶଙ୍କାରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ସହିଦ କମାଣ୍ଡୋଙ୍କ ବଳିଦାନକୁ ନେଇ ପୋଲିସ ଓ ପ୍ରଶାସନ ପକ୍ଷରୁ ଗଭୀର ଶୋକ ପ୍ରକାଶ କରାଯାଇଛି।
also read https://purvapaksa.com/gun-attack/


