
ଭାସ୍କର ପରିଚ୍ଛା
ନୂଆ ସମ୍ବିଧାନ ଗୃହୀତ ହେବା ପରେ ୧୯୫୨ରେ ପ୍ରଥମ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେଲା।ବର୍ତ୍ତମାନ ଭଳି ସେତେବେଳେ ବି ଲୋକସଭା ଓ ବିଧାନସଭା ପାଇଁ ଏକାଥରେ ଭୋଟ ଗ୍ରହଣ କରାଯାଇଥିଲା।ସେହି ନିର୍ବାଚନରେ ଅନେକ ମହିଳାଙ୍କ ନାଁ ଭୋଟର ତାଲିକାରେ ନଥିବାରୁ ଘରର ମୂରବୀମାନଙ୍କୁ ଏହା କରିବା ପାଇଁ କୁହାଯାଇଥିଲା।ପ୍ରଥମ ନିର୍ବାଚନ ବେଳେ ଉଭୟ କଂଗ୍ରେସ ଓ ସୋସାଲିଷ୍ଟମାନଂକ ଦବଦବା ରହିଥିଲା।କିନ୍ତୁ ସୋସଲିଷ୍ଟମାନେ ହିଁ ଏଥିରୁ ଅଧିକ ଫାଇଦା ଉଠାଇ ଥିଲେ।ଗୋଟିଏ ଧାରଣା ସେହି ସମୟରେ ଦୃଢ଼ ହୋଇଥିଲା ଯେ ଯଦି ଉଭୟ ଦଳ ଏକାଠି ନିର୍ବାଚନ ଲଢିଥାନ୍ତେ ହୁଏତ କଂଗ୍ରେସ ଲାଭବାନ ହୁଅନ୍ତା।
୧୯୫୨ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଅସୁବିଧା ସୃଷ୍ଟି କରିଥିଲେ ସର୍ବୋଦୟ ନେତା ଓ କର୍ମୀ – ବିଶେଷ କରି ନବବାବୁଙ୍କ ପରିବାର। ଗୋପବନ୍ଧୁ ଚୌଧୁରୀଙ୍କ ପ୍ରେରଣାରେ ପ୍ରଚାର ପତ୍ର ଜରିଆରେ କୌଣସି ଦଳକୁ ସମର୍ଥନ ନଦେବା ପାଇଁ କର୍ମୀଙ୍କୁ କୁହାଗଲା।କଂଗ୍ରେସ ଦଳ ଲୋକଙ୍କ ପାଇଁ କିଛି କରି ପାରିବନାହିଁ ବୋଲି ପ୍ରଚାର କରାଗଲା।ଏହା ଦ୍ୱାରା କଂଗ୍ରେସକୁ ଅଧିକାଂଶ ଆସନରେ ପରାଜୟ ବରଣ କରିବାକୁ ହେଲା।
ସେହି ନିର୍ବାଚନରେ କଂଗ୍ରେସ ପାଇଁ ଆଉ ଏକ ସମସ୍ୟା ଦେଖାଦେଲା ଯେତେବେଳେ ଗଣତନ୍ତ୍ର ପରିଷଦ ମୁଣ୍ଡ ଟେକିଲା।ଜିପିରେ ଅଧିକ ରାଜ ପରିବାରର ଲୋକ ଥିଲେ। ଅବଶ୍ୟ କଂଗ୍ରେସ ବି ରାଜାମାନଙ୍କୁ ହାତ କରିଥିଲା।କିଛି ରାଜା ସ୍ଵାଧୀନ ଭାବରେ ସେହି ନିର୍ବାଚନ ଲଢ଼ିଥିଲେ।

ପ୍ରଥମ ନିର୍ବାଚନରେ ଓଡ଼ିଶାରେ ପ୍ରାୟ ୭୫ ଲକ୍ଷ ଭୋଟର ଥିଲେ। ଗଣତନ୍ତ୍ର ପରିଷଦ ବ୍ୟତୀତ ପଶ୍ଚିମ ଓଡ଼ିଶାରେ ଝାଡଖଣ୍ଡ ପାର୍ଟି ବି ସକ୍ରିୟ ଥିଲା।ହୀରାକୁଦ ଜଳଭଣ୍ଡାର ଓ ବାସଚ୍ୟୁତଙ୍କୁ ଏମାନେ ପ୍ରସଙ୍ଗ କରିଥିଲେ । ଏଥି ନିମନ୍ତେ କୋଶଳ -ଉତ୍କଳ ଗଣତନ୍ତ୍ର -ପରିଷଦ ଗଠନ ହେଲା।ଏପରିକି ବହୁ କଂଗ୍ରେସ ନେତା ବି ହୀରାକୁଦ ଆନ୍ଦୋଳନକୁ ସମର୍ଥନ ଜଣାଇବାକୁ ଅଣ୍ଟା ଭିଡ଼ି ଥିଲେ ଓ ଏକ ପ୍ରକାର ଉପକୂଳ ବିରୋଧୀ ମନୋଭାବ ସେ ଅଞ୍ଚଳର ଲୋକଙ୍କ ଭିତରେ ଭର୍ତ୍ତି କରାଗଲା।ସ୍ଵତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ ବ୍ୟତୀତ ପୋଡୁଚାଷକୁ ନିଷେଧ କରିବା ଫଳରେ ଆଦିବାସୀମାନେ ସରକାରଙ୍କ ବିରୋଧୀ ହୋଇପଡିଲେ।
୧୯୫୨ ନିର୍ବାଚନରେ ଉପକୂଳ ଓଡ଼ିଶାରେ କଂଗ୍ରେସ ଦଳକୁ ଯଦି ସୋସାଲିଷ୍ଟ ଓ କମ୍ୟୁନିଷ୍ଟଙ୍କୁ ସାମ୍ନା କରିବାକୁ ପଡ଼ିଥିଲା, ପଶ୍ଚିମ ଓଡ଼ିଶାରେ ଗଣତନ୍ତ୍ର ପରିଷଦ ଓ ଝାଡ଼ଖଣ୍ଡ ପାର୍ଟିକୁ।
ସେହି ନିର୍ବାଚନରେ ଅନେକ ଦଳ ପ୍ରାର୍ଥୀ ଦେଇଥିଲେ ଯଥା: ସିପିଆଇ , ଫରୱାର୍ଡ ବ୍ଲକ୍ (ମାଓବାଦୀ) ତଥା ଫରୱାର୍ଡ ବ୍ଲକ୍ (ରୁଇକର ଗୋଷ୍ଠୀ), ଆଚାର୍ଯ୍ୟ କୃପାଳିନୀଙ୍କ କିସାନ ମଜଦୂର ପାର୍ଟି ପ୍ରମୁଖ।ଆଉ କିଛି ଛୋଟ ଦଳ ବି ମୁଣ୍ଡ ଟେକିଥିଲେ:ପୁରୁଷାର୍ଥୀ ପଞ୍ଚାୟତ ପିପୂଲ୍ସ୍ ଇଣ୍ଡିପେଣ୍ଡେଣ୍ଟ ପାର୍ଟି, ରାଡ଼ିକଲ ଡେମୋକ୍ରଟିକ୍ ପାର୍ଟି ଇତ୍ୟାଦି।
ଏହି ନିର୍ବାଚନରେ ଯେଉଁ ଦଳିତ ନେତାଙ୍କ ଆବିର୍ଭାବ ଘଟିଥିଲା ସେମାନଙ୍କ ମଧ୍ୟରେ ଥିଲେ : ଲକ୍ଷ୍ମଣ ମଲ୍ଲିକ, ଗୋବିନ୍ଦ ଚନ୍ଦ୍ର ସେଠୀ, କାହ୍ନୁ ମଲ୍ଲିକ, ଲଇଛନ ନାଏକ, ଅରକ୍ଷିତ ନାଏକ ଓ ଅଚ୍ୟୁତ ନାଏକ ପ୍ରମୁଖ। ସ୍ଵାଧୀନତା ପରବର୍ତ୍ତୀ ଦଶନ୍ଧିମାନଙ୍କରେ ଦଳିତ ବର୍ଗଙ୍କୁ ଏକାଠି କରିବା ଓ ସାମାଜିକ ନ୍ୟାୟ ପାଇଁ ଏହି ନେତାମାନେ ଗୁରୁତ୍ଵପୂର୍ଣ୍ଣ ଭୂମିକ ଗ୍ରହଣ କରିଥିଲେ। ସେହିଭଳି କିଛି ଆଦିବାସୀ ନେତା ବି ଉଭା ହେଲେ ଯଥା: ସୋନାରାମ୍ ସୋରେନ, ହରଦେବ ତିରିଆ , ଯାଦବ ମାଝୀ (ମୟୂରଭଞ୍ଜ ଜିଲ୍ଲାରୁ); ଗଙ୍ଗା ମୁଦୁଲି କୋରାପୁଟରୁ, ନୀଳମଣି ସିଂହ ଦଣ୍ଡପାଟ ବଣାଇରୁ, ଟି ସାଙ୍ଗାନା ରାୟଗଡ଼ା- ଫୁଲବାଣୀରୁ।
ଏହିଭଳି ଭାବରେ ଦେଖିବାକୁ ଗଲେ ୧୯୫୨ ନିର୍ବାଚନରେ ଓଡ଼ିଶାରେ ଗଣତାନ୍ତ୍ରିକ ପଦ୍ଧତିର ଭିତ୍ତିପ୍ରସ୍ତର ହେଲା ଓ ସବୁ ଦୃଷ୍ଟିରୁ ଏହା ଏକ ଶୁଭାରମ୍ଭ ଥିଲା। ଅଶିକ୍ଷିତ, ଦଳିତ ଓ ନିଃସ୍ଵ ଲୋକେ ଏକ ନୂଆ ସୂର୍ଯ୍ୟୋଦୟ ଦେଖିଲେ । ଭାଗିଦାରୀ ଗଣତନ୍ତ୍ରର ବୀଜ ବପନ ହେବା ସହିତ ଯେଉଁ ନେତାମାନେ ଆଗକୁ ବଢ଼ିବାରେ ଲୋକଙ୍କୁ ସହଯୋଗ କଲେ ସେମାନେ ଆଜି ଯାଏଁ ବି ସ୍ମରଣରେ ରହିଛନ୍ତି ।
ଓଡ଼ିଶାର ପ୍ରଥମ ବିଧାନସଭା ନିର୍ବାଚନର ପ୍ରାର୍ଥୀଙ୍କ ପାଖରେ ଭୋଟ ଲଢ଼ିବା ପାଇଁ ସମ୍ବଳ ନଥିଲା।କିଛି ପ୍ରାର୍ଥୀ ତ ଖର୍ଚ୍ଚ ପାଇଁ ପୈତୃକ ସମ୍ପତ୍ତି ବିକ୍ରି କରିଦେଇ ଥିଲେ।ପାର୍ଟି ଅଫିସ ଖୋଲିବାକୁ ଲୋକେ ଗାଁ ଗହଳିରେ ଘର ଭଡ଼ା ଦେଉନଥିଲେ କି କର୍ମୀ ବି ଯଥେଷ୍ଟ ନଥିଲେ।ଆଉ କେତେକ ଘଟଣା ବି ଘଟିଥିଲା। ସାରଳା ମନ୍ଦିରରେ ଦଳିତମାନଙ୍କୁ ନେଇ ପଶିବା ଫଳରେ ଉଚ୍ଚ ବର୍ଗଙ୍କ ଗହଣରେ ନିଶାମଣି ଖୁଣ୍ଟିଆ ଅପ୍ରିୟ ହୋଇ ପଡ଼ିଥିଲେ।ଜମିଦାରୀ ଉଚ୍ଛେଦ ଓ ଚାଷୀଙ୍କୁ ଜମି ଦିଆଯାଉ ବୋଲି ସୋସଲିଷ୍ଟମାନେ ଯେଉଁ ଦାବି କଲେ ଜମି ରବର ନୁହେଁ ଯେ ତାଙ୍କୁ ଟାଣି ବଢ଼େଇ ଦିଆଯିବ କଂଗ୍ରେସ ନେତା ଏଭଳି ତାତ୍ସଲ୍ୟ କରିବା ଶୁଣାଯାଇଥିଲା।

ଏହି ନିର୍ବାଚନରେ ବହୁ ରଥୀ ମହାରଥୀ ବିଧାନସଭାକୁ ନିର୍ବାଚିତ ହୋଇଥିଲେ: ଗିରିଶ ରାୟ, ପ୍ରସନ୍ନ କୁମାର ଦାସ, ନିଶାମଣି ଖୁଣ୍ଟିଆ, ଗୋକୁଳାନନ୍ଦ ପ୍ରହରାଜ, ଫକୀର ଦାସ, ବନମାଳୀ ମହାରଣା, ମକରଧ୍ବଜ ପ୍ରଧାନ, ବିଜୟ ଚନ୍ଦ୍ର ଦାସ, ବୈଷ୍ଣବ ଚରଣ ପଟ୍ଟନାୟକ, ମଦନ ଦେହୁରୀ, ହରିହର ଦାସ, ଗଙ୍ଗାଧର ପାଇକରାୟ, ଜଗନ୍ନାଥ ମିଶ୍ର, ଗୋବିନ୍ଦ ପ୍ରଧାନ ପ୍ରମୁଖ।ଖୋର୍ଦ୍ଧାରୁ ପ୍ରାଣନାଥ ପଟ୍ଟନାୟକ ଜିତି ପାରିନଥିଲେ କାରଣ ତାଙ୍କୁ ଋଷୀୟ ଏଜେଣ୍ଟ ବୋଲି ଚିତ୍ରିତ କରାଗଲା।ମାଧବ ରାଉତରାୟ ତାଙ୍କୁ ହରାଇଥିଲେ।
ଆହୁରି ମଧ୍ୟ,ଏହି ନିର୍ବାଚନରେ ପ୍ରଥମ ଥର ପାଇଁ ଦୁଇ ଜଣ ମହିଳା ବିଧାୟିକା ହୋଇଥିଲେ: ନୟାଗଡ଼ରୁ ରାଣୀ ବସନ୍ତ ମଞ୍ଜରୀ ଦେବୀ ଓ ଆଳି ରାଜ ପରିବାରର କୁମାରୀ ରାମରାଜ – ପଟ୍ଟାମୁଣ୍ଡାଇରୁ। ସଦାଶିବ ତ୍ରିପାଠୀ, ପବିତ୍ର ମୋହନ ପ୍ରଧାନ, ମହେଶ୍ଚନ୍ଦ୍ର ସୁବାହୁ ସିଂହ , ଅନୁପ ସିଂଦେଓ, ଚୈତନ୍ୟ ପ୍ରସାଦ ମାଝୀ, ବିଜୟ କୁମାର ପାଣି, ନନ୍ଦ କିଶୋର ଦାସ (ସୋରୋ), ନୀଳମଣି ରାଉତରାୟ, ସୁରେନ୍ଦ୍ର ନାଥ ପଟ୍ଟନାୟକ (ସାଲେପୁର), ଶାନ୍ତନୁ କୁମାର ଦାସ (ଯାଜପୁର),ରାଜକୃଷ୍ଣ ବୋଷ ( କିଶନନଗର),ବୀରେନ ମିତ୍ର କଟକ, ରାଧାନାଥ ରଥ ଆଠଗଡ଼ ସତ୍ୟପ୍ରିୟ ମହାନ୍ତି ଭୁବନେଶ୍ୱର ପ୍ରମୁଖ ବି ନିର୍ବାଚିତ ହୋଇଥିଲେ।
ନବକୃଷ୍ଣ ଚୌଧୁରୀ ସମାଜବାଦୀ ନେତା କୁଳମଣି ପ୍ରଧାନଙ୍କୁ ହରାଇ ବଡ଼ଚଣାରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।ତାଙ୍କ ରାଜନୀତିକୁ ଫେରିବା ଘଟଣାକୁ ବିରୋଧ କରି ସବୁ ସୋସାଲିଷ୍ଟ କର୍ମୀ ବଡ଼ଚଣା ଯାଇ ନବବାବୁଙ୍କୁ ହରାଇବା ପାଇଁ ପ୍ରଚାର କଲେ।

ପୁରୀ ଜିଲ୍ଲାରୁ ଗୋଦାବରୀଶ ମିଶ୍ର ଓ ନୀଳକଣ୍ଠ ଦାସ ତଥା ବାଲିକୁଦାରୁ ପ୍ରାଣକୃଷ୍ଣ ପରିଜା ବିଧାନସଭାକୁ ଆସିଥିଲେ।ଏହି ନିର୍ବାଚନରେ ଇଲେକ୍ଟ୍ରୋନିକ ମାଇକର ବ୍ୟବହାର ନଥିଲା।ପ୍ରଚାର ପାଇଁ ହାତ ମାଇକ ବ୍ୟବହାର ହେଉଥିଲା। ପ୍ରାର୍ଥୀଙ୍କ ପ୍ରଚାର ପାଇଁ ବିଜୁ ପଟ୍ଟନାୟକ ଚାରି ଚକିଆ ଲ୍ୟାଣ୍ଡ ରୋଭର ଯୋଗାଇ ଦେଇଥିଲେ।ଏହାକୁ ଦେଖିବା ପାଇଁ ଲୋକେ ଗାଡ଼ି ଚାରିପଟ ଜମା ହେଉଥିଲେ।
ପ୍ରଥମ ଲୋକସଭାକୁ ଯେଉଁମାନେ ନିର୍ବାଚିତ ହୋଇଥିଲେ ସେମାନଙ୍କ ମଧ୍ୟରେ ଥିଲେ ଆର ଏନ ସିଂହଦେଓ, ସାରଙ୍ଗଧର ଦାସ, ଭୁବନାନନ୍ଦ ଦାସ, ନିତ୍ୟାନନ୍ଦ କାନୁନଗୋ, ହରେକୃଷ୍ଣ ମହତାବ, ଲୋକନାଥ ମିଶ୍ର ଓ ଉମା ଚରଣ ପଟ୍ଟନାୟକ (ସ୍ଵାଧୀନ) । ଏଣେ ଛଅ ଜଣ ବିଧାୟକ ଅଭାବ ହେବାରୁ ସ୍ଵାଧୀନ ବିଜେତାଙ୍କୁ ଦଳରେ ମିଶାଗଲା ଓ ନବକୃଷ୍ଣ ଚୌଧୁରୀ ପ୍ରଥମ କଂଗ୍ରେସ ମୁଖ୍ୟମନ୍ତ୍ରୀ ଭାବରେ ୧୯୫୨ ଫେବୃଆରୀ ମାସରେ ଦାୟିତ୍ଵ ଗ୍ରହଣ କଲେ।
also read https://purvapaksa.com/receives-a-significant-gift-from-putin/


