Congress: ୧୮ରୁ ସଂକଳ୍ପ ପଦଯାତ୍ରା ଆରମ୍ଭ
ଓଡ଼ିଶା ପ୍ରଦେଶ କଂଗ୍ରେସର ନବନିଯୁକ୍ତ ସଭାପତି ଭକ୍ତଚରଣ ଦାସଙ୍କ ‘ମାଷ୍ଟରଷ୍ଟ୍ରୋକ’କୁ ନେଇ ରାଜନୀତିକ ମହଲରେ ହଟଚମଟ ଆରମ୍ଭ ହୋଇଛି । ପିସିସି ସଭାପତି ଭାବେ ନିଯୁକ୍ତି ପାଇବା ପରେ ଭକ୍ତ ଦାସଙ୍କ ଦସ୍ତଖତରେ ଶୁକ୍ରବାର ୫ଧାଡ଼ିର ପ୍ରେସ୍ ରିଲିଜ୍ ଜାରି ହୋଇଛି । ଯାହାକି ରାଜ୍ୟରେ କଂଗ୍ରେସକୁ ପୁଣିଥରେ ସୁଦୃଢ଼ କରିବା ଦିଗରେ ସଞ୍ଜିବନୀ ଭଳି କାର୍ଯ୍ୟ କରିବ ବୋଲି ଆକଳନ କରାଯାଉଛି । ଏହାସହିତ ଭକ୍ତଙ୍କ ଏଭଳି ଆଭିମୁଖ୍ୟ ସୁଦୃଢ଼ ବିରୋଧୀ ଦଳର ଅଭାବକୁ ପୂରଣ କରିବାରେ ସହାୟକ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।
ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଦାସଙ୍କ ଦସ୍ତଖତରେ ପ୍ରେସ୍ ରିଲିଜ୍ ମାଧ୍ୟମରେ ଶ୍ରୀ ଦାସ କଂଗ୍ରେସର ପୁରୁଣା କର୍ମୀ ଓ ନେତାମାନଙ୍କୁ ପୁଣିଥରେ ଦଳରେ ସ୍ୱାଗତ କରିଛନ୍ତି । “ଯେଉଁମାନଙ୍କୁ କୌଣସି ନା କୌଣସି ପରିସ୍ଥିତିରେ ଦଳରୁ ନିଲମ୍ବନ ଓ ବହିଷ୍କାର କରାଯାଇଥିଲା, ତାକୁ ପ୍ରତ୍ୟାହାର କରି ଦିଆଗଲା । ବିଭିନ୍ନ ସମୟରେ କୌଣସି ନାକୌଣସି କାରଣରୁ ଯେଉଁମାନେ କଂଗ୍ରେସ ଛାଡ଼ି ଚାଲି ଯାଇଛନ୍ତି ସେମାନେ ପୁଣିଥରେ କଂଗ୍ରେସକୁ ଫେରି ଆସିବାକୁ ଆମେ ନିବେଦନ କରୁଛୁ । ଯଦି ସେମାନେ କଂଗ୍ରେସ ଦଳର ନୀତି ଓ ଆଦର୍ଶ ପ୍ରତି ଆସ୍ଥା ପ୍ରକଟ କରି ଯୋଗଦାନ କରିବାକୁ ଇଚ୍ଛୁକ, ସେମାନଙ୍କୁ କଂଗ୍ରେସ ଦଳ ତରଫରୁ ସମ୍ମାନର ସହ ସ୍ୱାଗତ କରାଯିବ ।”
ଏହି ଗୋଟିଏ ନିର୍ଦ୍ଦେଶନାମାରେ ଦଳୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ସମସ୍ତ କର୍ମୀ ଓ ନେତାଙ୍କ ଉପରୁ ନିଲମ୍ବନ ଓ ବହିଷ୍କାର ପ୍ରତ୍ୟାହାର କରି କଂଗ୍ରେସର ଲକ୍ଷ ଲକ୍ଷ କର୍ମୀମାନଙ୍କ ମନରେ ସଂଗଠନକୁ ସୁଦୃଢ଼ କରାଇ ନେବା ଦିଗରେ ଆଶା ସଂଚାର କରିବାରେ ସକ୍ଷମ ହୋଇଛନ୍ତି ଭକ୍ତ। ଯାହାର ଫଳ ସ୍ୱରୂପ ବରିଷ୍ଠ ନେତା ସୁରେଶ ରାଉତରାୟ କଂଗ୍ରେସକୁ ଫେରିଛନ୍ତି। ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ଗତ ନିର୍ବାଚନ ସମୟରେ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା। ସେ ଶନିବାର ପୁଅ ସିଦ୍ଧାର୍ଥ ରାଉତରାୟଙ୍କ ସହିତ କଂଗ୍ରେସ ଭବନରେ ପ୍ରବେଶ କରିଥିଲେ। ପ୍ରବେଶ ପୂର୍ବରୁ ସୁର ମୁଣ୍ଡିଆ ମାରିଥିଲେ। ଏପରି କି ଗଣମାଧ୍ୟମ ଆଗରେ ମନ୍ତବ୍ୟ ଦେବା ସମୟରେ ସୁର କାନ୍ଦି ପକାଇଥିଲେ। ନିଲମ୍ବନ ପ୍ରତ୍ୟାହାର ଲାଗି ସେ ପିସିସି ସଭାପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସୁର କହିଛନ୍ତି, ୯ ମାସ ଧରି ସେ ବହୁ ଯନ୍ତ୍ରଣାରେ ଥିଲେ। ଆଜି ନିଜ ମନ୍ଦିରକୁ ଫେରିଛନ୍ତି। ସେଥିପାଇଁ ବହୁ ଖୁସି ଅଛନ୍ତି ବୋଲି ସୁର ଗଣମାଧ୍ୟମ ଆଗରେ କହିଥିଲେ।
ଆସନ୍ତା ୧୮ ତାରିଖରୁ ଆରମ୍ଭ େହବାକୁ ଯାଉଛି କଂଗ୍ରେସର ସଂକଳ୍ପ ପଦଯାତ୍ରା। ଭୁବନେଶ୍ୱର ବିମାନବନ୍ଦରରୁ ଏହି ପଦଯାତ୍ରା ଆରମ୍ଭ ହୋଇ ଲିଙ୍ଗିପୁର ପର୍ଯ୍ୟନ୍ତ ଯିବ। ଏହାପରେ ଲିଙ୍ଗିପୁରରୁ ପିପିଲି ଚନ୍ଦନପୁର ଦେଇ ପୁରୀ ପର୍ଯ୍ୟନ୍ତ ଏହି ପଦଯାତ୍ରା କରାଯିବ। ୨୦ ତାରିଖ ଯାଏଁ ଚାଲିବ କଂଗ୍ରେର ଏହି ସଂକଳ୍ପ ପଦଯାତ୍ରା। ସଫଳ ଓଡ଼ିଶାର ରୂପାୟନ ସହ ଓଡ଼ିଶାର ଉନ୍ନତି କାମନା କରି ଏହି ପଦଯାତ୍ରା କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି। ଏଥିରେ ସାମିଲ ହେବେ ପିସିସି ସଭାପତି ଭକ୍ତଚରଣ ଦାସଙ୍କ ସମେତ ବହୁ କଂଗ୍ରେସ ନେତା ଓ କର୍ମୀ। ପଦଯାତ୍ରାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ନିବେଦନ କରିଛନ୍ତି ପିସିସି ସଭାପତି। ଆସନ୍ତା ୨୦ରେ ପୁରୀରେ ଶ୍ରୀଜଗନ୍ନାଥଙ୍କ ନିକଟରେ ସଂକଳ୍ପ ନେବ ଦଳ। ତେବେ ଏହି ସଂକଳ୍ପ ଯାତ୍ରାରେ ପୂର୍ବରୁ କଂଗ୍ରେସ ଛାଡି ଅନ୍ୟ ଦଳକୁ ଯାଇଥିବା ନେତାମାନଙ୍କୁ ଫେରାଇ ଆଣିବା ପାଇଁ ସବୁପ୍ରକାର ଉଦ୍ୟମ ଜାରି ରହିଛି।
ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଫୁଲ୍ଲ ମାଝୀ, ଭୂପିନ୍ଦର ସିଂହ, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, ସୁରେନ୍ଦ୍ର ସିଂହ ଭୋଇ ଓ ଚିରଞ୍ଜୀବୀ ବିଶ୍ୱାଳ ପ୍ରମୁଖ ନେତାଙ୍କ ସହିତ ଯୋଗାଯୋଗ କରାଯାଉଛି। ସେମାନେ ସମସ୍ତେ ସଂକଳ୍ପ ଯାତ୍ରାରେ ସାମିଲ ହେବାକୁ ଆହ୍ୱନ ଦିଆଯାଇଛି। ସୁନ୍ଦରଗଡ଼ ଜିଲ୍ଲା ତଲସରାରୁ କଂଗ୍ରେସର ତିନି ଥର ବିଧାୟକ ଥିବା ପ୍ରଫୁଲ୍ଲ ମାଝୀ କଂଗ୍ରେସକୁ ଫେରିବା ନେଇ ପୂର୍ବରୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ମୋତେ ବହୁତ ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ବିଜେଡ଼ି ମୋ ସହିତ ବିଶ୍ୱାସଘାତ କରିଛି। ମୁଁ ବିଜେଡ଼ିରେ ହତାଶ ହୋଇଗଲେଣି। ଅନ୍ୟନେତାମାନେ ମଧ୍ୟ କହିଛନ୍ତି ଯେ, ନିର୍ବାଚନ ପରେ ଆମକୁ ବିଜେଡ଼ିରେ ଅଣଦେଖା କରାଯାଉଛି। ସେମାନଙ୍କ ମଧ୍ୟରୁ କେତେକଙ୍କୁ ଟିକେଟ ମିଳିନଥିବା ବେଳେ କେତେକ ନିର୍ବାଚନରେ ପରାଜୟ ବରଣ କରିଛନ୍ତି। ତେଣୁ ସେମାନେ ପୁଣି ନିଜ ଘରକୁ ଫେରିବାକୁ ଅପେକ୍ଷାରେ ଥିବା କଂଗ୍ରେସ କହିଛି।
ସଂକଳ୍ପ ପଦଯାତ୍ରା କମିଟିର ଅଧ୍ୟକ୍ଷ ଥିବା ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ନୂଆ ପିସିସି ସଭାପତି ଭକ୍ତ ଚରଣ ଦାସ ଆସନ୍ତା ୧୮ ତାରିଖରେ ଭୁବନେଶ୍ୱରରୁ ପୁରୀ ୬୦ କିମି ପଦଯାତ୍ରା ଆରମ୍ଭ କରିବେ। ୨୦ ତାରିଖରେ ଏହି ଯାତ୍ରା ପୁରୀରେ ପହଞ୍ଚିବ। ସେଠାରେ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି।
previous article:https://purvapaksa.com/mass-nesting-of-olive-ridley-turtles-begin-in-odishas-rushikulya-river-mouth/