ଭାରତରେ ଇଂରେଜମାନଙ୍କ ଆଗମନ ପୂର୍ବେ ଘରେ ନଳରୁ ପାଣି ଆସୁ ନଥିଲା। ପାନୀୟ ଜଳ ପାଇପ୍ ଲାଇନ୍ କଥା କେହି ଚିନ୍ତା ମଧ୍ୟ କରୁ ନଥିଲେ। କିନ୍ତୁ ୧୪୦ ବର୍ଷ ତଳେ ଭାରତର ଗୋଟିଏ ସହରର ବାସିନ୍ଦା ପ୍ରଥମ ଥର ପାଇଁ ପାଇପ୍ ଜରିଆରେ ପାଣି ପାଇଥିଲେ । ତେବେ ସେହି ସହର ବ୍ରିଟିଶ ଭାରତର ରାଜଧାନୀ କଲିକତା ନଥିଲା । ଆଉ ଏହାଠାରୁ ବି ରୋଚକ ଥିଲା ଯେ, ପାଇପ୍ ପାଣିକୁ ଅପବିତ୍ର କହି ବ୍ୟବହାର ନକରିବାକୁ କହିଥିଲେ ସେତେବେଳର ବ୍ରାହ୍ଣଣମାନେ ।
ପ୍ରଥମେ ପାଇପ୍ ପାଣି ପାଇଥିଲା ପୁଣେ
ପୁଣେର ଲୋକମାନେ ଏହା ଉପରେ ଗର୍ବ କରନ୍ତି ଯେ ସେମାନଙ୍କ ସହରରେ ସର୍ବପ୍ରଥମେ ପାଇପଲାଇନ୍ ଓ ନଳ ମାଧ୍ୟମରେ ଲୋକଙ୍କ ଘରକୁ ପାଣି ପହଞ୍ଚିଥିଲା। ସେହି ସମୟରେ ଏହା ଏକ ସ୍ୱପ୍ନ ପରି ଥିଲା। ତେବେ କେଉଁ କାରଣରୁ ଇଂରେଜମାନେ କଲିକତା କିମ୍ବା ବମ୍ବେକୁ ଛାଡ଼ି ପୁଣେକୁ ୧୪୦ ବର୍ଷ ପୂର୍ବେ ନଳ ଜରିଆରେ ପାଣି ଦେବା କଥା ଚିନ୍ତା କରିଥିଲେ?
ଭାରତରେ ପୁଣେ ପ୍ରଥମ ସହର ଥିଲା, ଯେଉଁଠାରେ ନଳରୁ ସଫା ପାଣି ଘରକୁ ପହଞ୍ଚିଥିଲା। ଆଜି ଟ୍ୟାପ୍ ଖୋଲିଦେଲେ ପାଣି ଆସୁଛି କିନ୍ତୁ ୧୪୦ ବର୍ଷ ତଳେ ଏହା ଅକଳ୍ପନୀୟ ଓ କ୍ରାନ୍ତିକାରୀ ପଦକ୍ଷେପ ଥିଲା । ଊନବିଂଶ ଶତାବ୍ଦୀର ଶେଷରେ ଏହା ଏକ କ୍ରାନ୍ତିକାରୀ ପରିବର୍ତ୍ତନ ଥିଲା। ଇଂରେଜମାନଙ୍କ ଆଗମନ ପୂର୍ବେ ପୁଣେର ପାଣି ମୁଖ୍ୟତଃ କୂଅ, ଚୁଆ ଓ ପୋଖରୀରୁ ଆସୁଥିଲା। ବର୍ଷା ସମୟରେ ପାଣି ଖରାପ ବା ପ୍ରଦୂଷିତ ହୋଇଯାଉଥିଲା। ଏହି ମଇଳା ପାଣି ରୋଗ ବ୍ୟାପାଇବାର କାରଣ ହେଉଥିଲା। ସେତେବେଳେ ହଇଜା, ଟାଇଫଏଡ଼ ଓ ଡାଇରିଆ ପରି ରୋଗ ସାଧାରଣ ଥିଲା।
ପୁଣେ କ୍ୟାଣ୍ଟରେ ପ୍ରଦୂଷିତ ପାଣିରୁ ରୋଗ ହେବା ଆରମ୍ଭ ହେଲା
୧୮୧୭ରେ ଯେତେବେଳେ ପୁଣେ ଉପରେ ବ୍ରିଟିଶମାନଙ୍କର ଅଧିକାର ହେଲା ଓ ଏଠାରେ କ୍ୟାଣ୍ଟନମେଣ୍ଟ ତିଆରି ହେଲା, ତେବେ ସମସ୍ୟା ଗମ୍ଭୀର ହୋଇଗଲା। ହଜାର ହଜାର ସୈନିକ ଓ ସେମାନଙ୍କ ପରିବାରକୁ ସଫା ପାଣି ଆବଶ୍ୟକ ଥିଲା। କୂଅ ଓ ପୋଖରୀ ଉପରେ ନିର୍ଭର କରିବା କଷ୍ଟକର ଥିଲା। କ୍ୟାଣ୍ଟ ଅଞ୍ଚଳରେ ରହୁଥିବା ଇଂରେଜ ଅଫିସର, ସୈନିକ ଓ ସେମାନଙ୍କ ପରିବାରରେ ପାଣି ସମ୍ବନ୍ଧୀୟ ରୋଗ ସାଧାରଣ ହୋଇଗଲା। ଏହା ସେମାନଙ୍କୁ ବହୁତ ଅସୁବିଧା କରୁଥିଲା। ୧୯ଶ ଶତାବ୍ଦୀରେ ପୁଣେ ଶିକ୍ଷା, ପ୍ରଶାସନ ଓ ସୈନ୍ୟ କାର୍ଯ୍ୟକଳାପର ଏକ ବଡ଼ କେନ୍ଦ୍ର ହୋଇଗଲା। ଏଠାରେ ଭାରତୀୟ ଉଚ୍ଚବର୍ଗ ଓ ବ୍ରିଟିଶ ଅଫିସର ଉଭୟେ ରହୁଥିଲେ, ଯେଉଁମାନେ ଆଧୁନିକ ସୁବିଧା ଚାହୁଁଥିଲେ। ଏହାପରେ ଚିନ୍ତା କରାଗଲା ଯେ କ୍ୟାଣ୍ଟନମେଣ୍ଟ ପର୍ଯ୍ୟନ୍ତ ସଫା ପାଣି କିପରି ପହଞ୍ଚାଯିବ। ତା’ପରେ ଇଂରେଜମାନେ ଚିନ୍ତା କଲେ ଯେ ପାଇପଲାଇନ୍ ମାଧ୍ୟମରେ ସେଠାକୁ ସଫା ପାଣି ପଠାଯାଇ ପାରିବ, କାରଣ ଇଂରେଜମାନେ ଏହି କାମ ଇଂଲଣ୍ଡରେ ଭଲ ଭାବେ କରିସାରିଥିଲେ।
ଏହା ଅନୁଯାୟୀ ବ୍ରିଟିଶ ଇଂଜିନିୟରମାନେ ୧୮୭୦ରେ ଯୋଜନା କଲେ ଯେ କିପରି ପୁଣେ କ୍ୟାଣ୍ଟନମେଣ୍ଟ ପର୍ଯ୍ୟନ୍ତ ପାଇପଲାଇନ୍ ମାଧ୍ୟମରେ ପାଣି ଆଣିବେ। ଏହାର ପ୍ରଥମ ପର୍ଯ୍ୟାୟରେ ବନ୍ଧ ତିଆରି କରିବା ଥିଲା, ଯେଉଁଠାରେ ପାଣି ସଞ୍ଚୟ କରାଯାଇ ପାରିବ। ତା’ପରେ ପାଇପଲାଇନ୍ ମାଧ୍ୟମରେ ଏହାକୁ ସହର ପର୍ଯ୍ୟନ୍ତ ପହଞ୍ଚାଯିବ। ୧୮୭୩ରେ ମୁଠା ନଦୀରେ ବନ୍ଧ ନିର୍ମାଣ କାମ ଆରମ୍ଭ ହେଲା। ୧୮୭୯ ସୁଦ୍ଧା ଖଡ଼କବାସଲା ଡ୍ୟାମ ପ୍ରସ୍ତୁତ ହୋଇଗଲା। ଏହାକୁ ତିଆରି କରିବାରେ ପ୍ରାୟ ୬ ବର୍ଷ ଲାଗିଥିଲା। ଏହି ବନ୍ଧ ସେହି ସମୟ ପାଇଁ ଇଂଜିନିୟରିଂର ଏକ ଆଶ୍ଚର୍ଯ୍ୟ ଥିଲା। ପଥର ଓ ଚୂନା-ମାଟିରୁ ନିର୍ମିତ ବିଶାଳ କାନ୍ଥ ପାଣିକୁ ରୋକିଥିଲା। ବନ୍ଧର ଖର୍ଚ୍ଚ ପ୍ରାୟ ୫୦ ଲକ୍ଷ ଟଙ୍କା ହୋଇଥିଲା, ଯାହା ସେହି ସମୟ ଅନୁଯାୟୀ ଏକ ବହୁତ ବଡ଼ ରାଶି ଥିଲା।
୨୦ କିଲୋମିଟିର ଦୂରରୁ ଆସିଲା ପାଣି
ବନ୍ଧ ନିର୍ମାଣ ପରେ ପ୍ରକୃତ ଚ୍ୟାଲେଞ୍ଜ ଆରମ୍ଭ ହେଲା ଯେ ପାଣିକୁ ସେଠାରୁ ୨୦ କିଲୋମିଟର ଦୂର ପୁଣେ ସହର ପର୍ଯ୍ୟନ୍ତ କିପରି ପହଞ୍ଚାଯିବ। ଇଂଜିନିୟର କର୍ଣ୍ଣେଲ ଆର.ଏସ୍. କେପଲ ଓ ଜେ.ଏଚ୍.ସି. ଫିଣ୍ଡକ୍ଲେଙ୍କୁ ଏହି କାମ ଦିଆଗଲା। ଏହି ପ୍ରୋଜେକ୍ଟ ଭାରତରେ ପ୍ରଥମ ଥର ପାଇଁ “ଗ୍ରାଭିଟି ବେସ୍ଡ” ପାଇପଲାଇନ୍ ସିଷ୍ଟମର ଉଦାହରଣ ହେଲା। ଅର୍ଥାତ୍ ଉଚ୍ଚତାରୁ ତଳକୁ ପାଣି ନିଜର ଚାପରେ ବହି ଘରକୁ ପହଞ୍ଚୁଥିଲା। ସେହି ସମୟରେ ଭାରତରେ ଏତେ ମଜବୁତ ପାଇପ୍ ତିଆରି ହେଉ ନଥିଲା। ତେଣୁ ଲଣ୍ଡନରୁ ଭାରୀ ଲୁହା ପାଇପ୍ ମଗାଯାଇଥିଲା। ଏହାକୁ ସମୁଦ୍ର ମାର୍ଗରେ ବମ୍ବେ (ମୁମ୍ବାଇ) ଓ ସେଠାରୁ ଗୋରୁଗାଡ଼ି ମାଧ୍ୟମରେ ପୁଣେ ପର୍ଯ୍ୟନ୍ତ ଆଣିବାକୁ ପଡ଼ିଥିଲା।
ପାଇପ୍ ବିଛାଇବା ମୋଟେ ସହଜ ନଥିଲା
ଖଡ଼କବାସଲାରୁ ପୁଣେ ପର୍ଯ୍ୟନ୍ତ ଅଞ୍ଚଳ ଟେଢ଼ା-ମେଢ଼ା ଓ ଉବୁଟୁବୁ ଥିଲା। ସେଠାରେ ପାଇପ୍ ବିଛାଇବା ସହଜ ନଥିଲା। ଅନେକ ସ୍ଥାନରେ ପଥର କାଟିବାକୁ ପଡ଼ିଥିଲା। ଏହି କାମରେ ନିୟୋଜିତ ଶ୍ରମିକମାନେ ଗରମ, ରୋଗ ଓ ଭାରୀ କାମ କାରଣରୁ ବହୁତ ଅସୁବିଧାରେ ପଡ଼ୁଥିଲେ। ସେମାନେ ବାରମ୍ବାର ଅସୁସ୍ଥ ହେଉଥିଲେ। ଅନେକ ଶ୍ରମିକଙ୍କର ମୃତ୍ୟୁ ମଧ୍ୟ ହୋଇଥିଲା। ନିରନ୍ତର ଅସୁବିଧା ସତ୍ତ୍ୱେ ଇଂଜିନିୟରମାନେ ୧୮୮୦ ଦଶକର ଆରମ୍ଭରେ ଏହି କାମ ସମ୍ପୂର୍ଣ୍ଣ କରିଥିଲେ। …ଆଉ ତା’ପରେ ପାଣି ନଳରୁ ଘରକୁ ପହଞ୍ଚିଲା
ଯେତେବେଳେ ପ୍ରଥମ ଥର ପାଇପ୍ ମାଧ୍ୟମରେ ଲୋକଙ୍କ ଘରେ ଓ ସାର୍ବଜନୀନ ନଳକୁ ପାଣି ପହଞ୍ଚିଲା, ସହରରେ ଉତ୍ସାହ ଓ ଆଶ୍ଚର୍ଯ୍ୟ ଉଭୟ ଦେଖାଗଲା। ଧନୀ ଓ ଶିକ୍ଷିତ ପୁଣେବାସୀ ଏହାକୁ ଆଧୁନିକ ସୁବିଧା ମାନି ବହୁତ ଖୁସି ହେଲେ। ସେମାନଙ୍କ ପାଇଁ ଏହା ଇଉରୋପ ପରି ଅନୁଭବ ଥିଲା।
ପରମ୍ପରାବାଦୀ ଓ ବ୍ରାହ୍ମଣମାନଙ୍କ ବିରୋଧ
ଗରିବ ଶ୍ରେଣୀ ଓ ପରମ୍ପରାବାଦୀମାନେ ଏହାର ବିରୋଧ କରିଥିଲେ, କାରଣ ସେମାନଙ୍କ ମଧ୍ୟରେ ପ୍ରାରମ୍ଭରେ ଏହା ପ୍ରତି ଅବିଶ୍ୱାସ ଥିଲା। କେତେକଙ୍କୁ ଭୟ ଥିଲା ଯେ ପାଇପ୍ର ପାଣି ଅପବିତ୍ର, କାରଣ ସେମାନେ ଜାଣି ନଥିଲେ ଯେ ଏହି ପାଣି କେଉଁଠୁ ଆସୁଛି। ଅନେକ ବ୍ରାହ୍ମଣ ପରିବାର ପ୍ରାରମ୍ଭରେ ପାଇପ୍ର ପାଣି ପିଇବାକୁ ମନା କରିଦେଇଥିଲେ। ସେମାନେ ନିଜ କୂଅରୁ ହିଁ ପାଣି ଆଣିବାକୁ ଜୋର ଦେଇଥିଲେ।
ନଳର ପାଣି ପୁଣେର ଗର୍ବର ପ୍ରତୀକ ହେଲା
ଯେତେବେଳେ ଏହି ପାଇପଲାଇନରୁ ପାଣି ଆସିବା ଆରମ୍ଭ ହେଲା, ରୋଗ କମିବାକୁ ଲାଗିଲା। ଏହି ପାଣିର ସୁବିଧା ମଧ୍ୟ ସହଜ ଥିଲା। ଲୋକମାନେ ଏହାକୁ ଗ୍ରହଣ କଲେ। କୁହାଯାଏ ଯେ ୧୮୯୦ ଦଶକ ସୁଦ୍ଧା ପୁଣେରେ ନଳରୁ ପାଣି ଆସିବା ଗର୍ବ ଓ ପ୍ରତିଷ୍ଠାର ପ୍ରତୀକ ହୋଇଗଲା। ସାଧାରଣତଃ ୧୮୮୬ରେ ପୁଣେରେ ଲୋକଙ୍କ ଘରକୁ ପାଇପଲାଇନରେ ପାଣି ପହଞ୍ଚିବା ଆରମ୍ଭ ହେଲା।
ପୁଣେ ଭାରତର ‘ଆଧୁନିକ ପାଣି’ ସୁବିଧା ପ୍ରାପ୍ତ ପ୍ରଥମ ସହର ହେଲା
ପ୍ରାରମ୍ଭରେ ଏହି ସୁବିଧା କେବଳ କ୍ୟାଣ୍ଟନମେଣ୍ଟ, ବ୍ରିଟିଶ ବଙ୍ଗଳା ଓ ମନୋନୀତ ଧନୀ ଭାରତୀୟ ପରିବାରଙ୍କ ପାଇଁ ସୀମିତ ଥିଲା। ପରେ ନଗରପାଳିକା ଧୀରେ ଧୀରେ ସାଧାରଣ ନାଗରିକଙ୍କ ମହଲ୍ଲାରେ ମଧ୍ୟ ନଳ ଲଗାଇଲେ। ଏହି ପରିବର୍ତ୍ତନର ପ୍ରଭାବ ବେଶ୍ ଉତ୍ତମ ରହିଲା। ହାଇଜା ଓ ଟାଇଫଏଡ଼ର ପ୍ରକୋପ କମିବାକୁ ଲାଗିଲା। ଲୋକଙ୍କ ସମୟ ଓ ଶ୍ରମ ବଞ୍ଚିଲା। ଖାସକରି ମହିଳାମାନଙ୍କର, ଯେଉଁମାନେ କୂଅରୁ ପାଣି ଆଣୁଥିଲେ। ପୁଣେକୁ ‘ଭାରତର ପ୍ରଥମ ଆଧୁନିକ ପାଣି ସୁବିଧା ପ୍ରାପ୍ତ ସହର’ ଭାବରେ ପରିଚିତ ହେବାକୁ ଲାଗିଲା।
ତା’ପରେ ଏପରି ପ୍ରୋଜେକ୍ଟ ଅନ୍ୟ ସହରମାନଙ୍କ ପାଇଁ ଆରମ୍ଭ ହେଲା
ଏହାପରେ ମୁମ୍ବାଇ, ମଦ୍ରାସ ଓ କଲିକତାରେ ମଧ୍ୟ ଏପରି ପ୍ରୋଜେକ୍ଟ ଆରମ୍ଭ ହେଲା। ସେଠାରେ ମଧ୍ୟ ନଳ ମାଧ୍ୟମରେ ଘରକୁ ପାଣି ପହଞ୍ଚାଯାଇଥିଲା। କୁହାଯାଏ ଯେ ଯେତେବେଳେ ପ୍ରଥମ ଥର ସହରରେ ସାର୍ବଜନୀନ ନଳ ଖୋଲାଗଲା, ଲୋକମାନେ ଘଣ୍ଟା ଘଣ୍ଟା ଧରି ସେଠାରେ ଠିଆ ହୋଇ ପାଣିର ଧାରକୁ ଦେଖୁଥିଲେ। ଅନେକ ପିଲା ପାଇପ୍ରୁ ନିକଟୁଥିବା ପାଣିକୁ ଦେଖି ତାଳି ମାରିଥିଲେ। ସେହି ସମୟର ସମାଚାରପତ୍ରମାନେ ଏହି ଘଟଣାକୁ “ଭାରତର ଆଧୁନିକତା ଆଡ଼କୁ ପ୍ରଥମ ପାଦ” ବୋଲି ବର୍ଣ୍ଣନା କରିଥିଲେ।
ରୋମାନ ସାମ୍ରାଜ୍ୟରେ ଧନୀଙ୍କ ଘରକୁ ଏହିପରି ପାଣି ପହଞ୍ଚୁଥିଲା
ରୋମାନ ସାମ୍ରାଜ୍ୟ ସମୟରେ ରୋମ ଓ ଅନ୍ୟ ରୋମାନ ସହରମାନଙ୍କରେ ଆକ୍ୱାଡକ୍ଟସ୍ରୁ ପାଣି ଆଣି ପଥର ଓ ସୀସାର ପାଇପ୍ ମାଧ୍ୟମରେ ଧନୀ ଘରେ ଓ ସାର୍ବଜନୀନ ସ୍ନାନାଗାରକୁ ପହଞ୍ଚାଯାଉଥିଲା। ଅନେକ ଘରେ ନଳ ପରି କାଂସ୍ୟର ଫିଟିଂସ୍ ଲାଗିଥିଲା।
ଲଣ୍ଡନରେ ପ୍ରଥମ ଆଧୁନିକ ପାଇପଲାଇନ୍ ସିଷ୍ଟମ ଲାଗିଥିଲା
ଲଣ୍ଡନରେ ୧୬୦୯ରେ ପ୍ରଥମ ଥର ନ୍ୟୁ ରିଭର କମ୍ପାନୀ କାଠ ପାଇପ୍ରୁ ପାଣି ଯୋଗାଣ ଆରମ୍ଭ କରିଥିଲା। ଧନୀ ଘରକୁ ନଳ ଓ ପାଇପ୍ ମାଧ୍ୟମରେ ପାଣି ପହଞ୍ଚୁଥିଲା। ଫିଲାଡେଲଫିଆରେ ୧୮୦୧ରେ ପ୍ରଥମ ଆଧୁନିକ ମ୍ୟୁନିସିପାଲ ଜଳ ଯୋଗାଣ ସିଷ୍ଟମ ତିଆରି ହୋଇଥିଲା। ଯେଉଁଠାରେ ସହରର ନାଗରିକଙ୍କ ପାଇଁ ସଂଗଠିତ ପାଇପଲାଇନ୍ ନେଟୱାର୍କ ତିଆରି ହୋଇଥିଲା। ୧୮୦୦ ଦଶକରେ ନେପୋଲିୟନଙ୍କ ଆଦେଶରେ ପ୍ୟାରିସରେ ମଧ୍ୟ ଆଧୁନିକ ଜଳ ପାଇପଲାଇନ୍ ସିଷ୍ଟମ ତିଆରି ହୋଇଥିଲା।
Also Read https://purvapaksa.com/farmers-used-to-count-the-eggs-laid-by-the-bird-to-forecast-rainfall/
