ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ରାଜନୀତି ନ କରିବା ପାଇଁ ତାଙ୍କ ବାପା ଅନୁରୋଧ କରିଛନ୍ତି । ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ମଧ୍ୟ ସମାନ ଅନୁରୋଧ କରି କାହାରି ଜୀବନକୁ ନେଇ ବିରୋଧୀ ଦଳ ରାଜନୀତି ନ କରୁ ବୋଲି ପରାମର୍ଶ ଦେଇଛନ୍ତି । ଶନିବାର ଦିନ ନୂଆଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ପୀଡ଼ିତାଙ୍କ ମୃତ୍ୟୁ ଘଟିଥିଲା । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିପାଇଁ ଗଭୀର କ୍ଷୋଭ ପ୍ରକାଶ ମଧ୍ୟ କରିଥିଲେ ।
କିନ୍ତୁ ଶନିବାର ଦିନ ଓଡ଼ିଶା ପୋଲିସର ଏକ ପୋଷ୍ଟ ରାଜନୀତି ପାଇଁ ସମସ୍ତ ବାଟ ଖୋଲି ଦେଇଛି କିମ୍ବା ପ୍ରଶସ୍ତ କରିଛି । ଯେଉଁଦିନ ବଳଙ୍ଗା ପୀଡ଼ିତାଙ୍କର ମୃତ୍ୟୁ ଘଟିଲା, ସେହିଦିନର ପୋଷ୍ଟ । ଏଥିରେ ଲେଖାଅଛି ଯେ ବଳଙ୍ଗା ଘଟଣାରେ ପୀଡ଼ିତା ଝିଅଙ୍କର ମୃତ୍ୟୁ ଖବର ଶୁଣି ଆମେ ଅତ୍ୟନ୍ତ ଦୁଃଖ । ଏହି ଘଟଣାରେ ପୁଲିସ ପକ୍ଷରୁ ତଦନ୍ତ ନିଷ୍ଠାର ସହ କରାଯାଇଛି । ତଦନ୍ତ ଶେଷ ପର୍ଯ୍ୟାୟରେ ପହଞ୍ଚି ସାରିଛି । ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତ ଅନୁଯାୟୀ ଅନ୍ୟ କୌଣସି ବ୍ୟକ୍ତିଙ୍କ ସମ୍ପୃକ୍ତି ନଥିବା ସ୍ପଷ୍ଟ ହୋଇଛି । ଏଣୁ ସମସ୍ତଙ୍କୁ ଅନୁରୋଧ ଏହି ଦୁଃଖଦ ମୁତ୍ୟୁରେ ଏ ସମ୍ବନ୍ଧୀୟ କୌଣସି ସମ୍ବେଦନଶୀଳ ମନ୍ତବ୍ୟ ନ ଦିଅନ୍ତୁ ।
ଯେଉଁ ଦିନ ମୃତ୍ୟୁ ସେହିଦିନ ଏଭଳି ପୋଷ୍ଟର ଆବଶ୍ୟକତା ଥିଲା କି ? ସେହିଦିନ ଏହା ଏକ ଆତ୍ମହତ୍ୟା କଳିତ ଘଟଣା ବୋଲି ପରୋକ୍ଷରେ ଓଡ଼ିଶାବାସୀଙ୍କୁ ସୂଚନା ହେବା ଜଟିଳ ରାଜନୀତି ପାଇଁ ବାଟ ଫିଟାଇଲା ନାହିଁ କି ? ତଦନ୍ତ ଯଦି ଶେଷ ପର୍ଯ୍ୟାୟରେ ପହଞ୍ଚି, ତେବେ ଚୂଡ଼ାନ୍ତ ରିପୋର୍ଟ ପର୍ଯ୍ୟନ୍ତ ଅପେକ୍ଷା ନକରି ଏହି ମାମଲାରେ ଅନ୍ୟ କେହି ସମ୍ପୃକ୍ତ ନାହାନ୍ତି ବୋଲି କେମିତି କହିଲା ପୁଲିସ ? ଘଟଣା ଜୁଲାଇ ୧୯ ତାରିଖର ପୀଡ଼ିତାଙ୍କ
ଦେହରେ ନିଜେ ଲଗାନ୍ତୁ କିମ୍ବା ଅନ୍ୟ କେହି ନିଆଁ ଲାଗିଲା । ତାଙ୍କୁ ଅନ୍ୟ ଜଣେ ଉଦ୍ଧାର କଲେ । ତିନିଜଣ ପୂର୍ବରୁ ତାଙ୍କୁ ଅପହରଣ କରିନେଲେ। କିରାସିନି ଢାଳି ନିଆଁ ଲଗାଇ ଦେଲେ । ସେ କିନ୍ତୁ କାହାକୁ ଚିହ୍ନି ନାହାନ୍ତି ବୋଲି କହିଲେ ? ।
୨୦ ତାରିଖ ଦିନ ଭୁବନେଶ୍ୱର ଏମ୍ସ
ପୀଡ଼ିତାଙ୍କୁ ଏୟାର ଲିଫ୍ଟ କରାଗଲା । ସେ ଭର୍ତ୍ତି ହେଲେ ନୂଆଦିଲ୍ଲୀ ଏମ୍ସରେ । ସେଠାରେ ମଧ୍ୟ ଦୁଇ ଦିନ ପୂର୍ବରୁ ତାଙ୍କର ଜମାନବନ୍ଦୀ ରେକର୍ଡ କରାଯାଇଥିଲା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ । ଏଠି ମଧ୍ୟ ତାଙ୍କ ବୟାଳ ରେକର୍ଡ ହୋଇଥିଲା । କିନ୍ତୁ ଶନିବାର ୨ ତାରିଖ ତାଙ୍କର ମୃତ୍ୟୁ ଘଟିଲା । ଯେହେତୁ ବାଲେଶ୍ୱର ଘଟଣା ପରେ ବଳଙ୍ଗା ଘଟଣା ଘଟିଥିଲା, ସେହେତୁ ସ୍ୱାଭାବିକ ଭାବେ ରାଜନୈତିକ ପ୍ରତିକ୍ରିୟା ପ୍ରକାଶ ପାଇବା କଥା । ତଦନ୍ତ ବାବଦରେ ବାରମ୍ବାର ଧାରଣା ଦିଆଯାଉଥିଲା ଯେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପୁଲିସ ହାତରେ ଲାଗିଛି । ଘଟଣା ସ୍ଥଳରୁ କିଛି ସାମଗ୍ରୀ ପୁଲିସ ଜବତ କରିଥିଲା । ଦୁଇତିନି ଜଣଙ୍କୁ ସନ୍ଦେହରେ ଅଟକ ରଖାଯାଇଥିଲା ।
ପ୍ରଶ୍ନ ହେଉଛି ଯେ ଯଦି ଏହି ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ନୁହଁନ୍ତି, ତେବେ ଯେଉଁକଥା ପୀଡ଼ିତାଙ୍କ ମୃତ୍ୟୁ ଦିନ ପୁଲିସ କହିଲା, ସେହି କଥା ଯଥେଷ୍ଟ ଆଗରୁ କୁହାଯାଇ ପାରିଥାନ୍ତା । ଏବେ ଆତ୍ମହତ୍ୟା କଥାଟି ଉଠିଛି । ତାଙ୍କ ପରିବାର ଏପରିକି ବାପା ମାନସିକ ଅବସାଦ କାରଣରୁ ଝିଅ ଆତ୍ମହତ୍ୟା କରିଛି ବୋଲି କହୁଛନ୍ତି । ତାହା ପୁଣି ମୃତ୍ୟୁ ପରେ । ଏହି ବିବୃତି ଆଗରୁ ଦେଇପାରିଥାନ୍ତେ । ତେବେ କ’ଣ ଏହା ଅନର କିଲିଂ” କି ? ଏଭଳି ସନ୍ଦେହ ଉଠିବା ସ୍ୱାଭାବିକ।
ଏକଥା ସତ ଯେ ରାଜ୍ୟ ସରକାର ଯାହା କରଣୀୟ ତାହା କରିଛନ୍ତି । କିନ୍ତୁ ବାପା ଏବେ ରାଜନୀତି ନକରିବା ପାଇଁ ବିରୋଧୀ ଦଳକୁ ଅନୁରୋଧ କରିଛନ୍ତି । ଏହି କଥା ପ୍ରାରମ୍ଭରୁ ଯଦି କହିଥାନ୍ତେ ଯେ ମାନସିକ ଅବସାଦରୁ ମୋ ଝିଅ ଆତ୍ମହତ୍ୟା ପାଇଁ ନିଜ ଦେହରେ ନିଆଁ ଲଗାଇଛି, ତେବେ ଏତେ ହୋହାଲୁ କାହିଁକି ହୋଇଥାନ୍ତା ? ପୁଲିସକୁ ଏ ସଂକ୍ରାନ୍ତ ବୟାନ ପୂର୍ବରୁ ସେ କେବେ ଦେଇଥିଲେ ? ଯଦି ଦେଇଥଲେ, ପୁଲିସ ଏହା ସମସ୍ତଙ୍କ ସାମ୍ନାକୁ ଆଣି ନଥଲା କାହିଁକି ? ସବୁ କେମିତି ଗୋଳମାଳିଆ ଲାଗୁଛି ।
ପୀଡ଼ିତାଙ୍କ ମୃତ୍ୟୁ ପରେ ଉଭୟ ପୁଲିସ ଏବଂ ତାଙ୍କ ବାପା ସମାନ କଥା କହିବା ଏମିତି ଏକ କାହାଣୀ ଅବତାରଣା କରୁଛି, ଯାହା ପରୀ ମାମଲାରେ ଜାମୁକୋଳି କାହାଣୀଠାରୁ ଅଧିକ ରୋମାଞ୍ଚ ଓ ରହସ୍ୟଭରା । ଏହାଦ୍ୱାରା ଅଧିକ ପ୍ରତିକ୍ରିୟା ସୃଷ୍ଟିକୁ ଏଡ଼ାଇ ଦେଇହେବ ନାହିଁ । ଶାସକ ଦଳ ଭାବେ ମନ୍ତ୍ରୀ ଏବଂ ଭାଜପା ନେତାମାନେ କାହାର ମୃତ୍ୟୁରେ ରାଜନୀତି ନକରିବା ପାଇଁ ବିରୋଧୀ ଦଳକୁ ପରାମର୍ଶ ଦେଇଛନ୍ତି । ପୂର୍ବ ସରକାରଙ୍କ ଅମଳରେ ଇତିଶ୍ରୀଙ୍ଗଠାରୁ ଆରମ୍ଭ କରି ଆଳପୁରର ସ୍ମିତା ପର୍ଯ୍ୟନ୍ତ ଅନେକ ଘଟଣାରେ ଭାରତୀୟ ଜନତା ପାର୍ଟି ରାଜନୀତି କରିନଥିଲା କି ?
ALSO READ https://purvapaksa.com/kenya-cult-leader-paul-mackenzie/
