ଓଡ଼ିଶା ରାଜନୀତିର ସବୁଠାରୁ ଶକ୍ତିଶାଳୀ ଆଞ୍ଚଳିକ ଦଳ ବିଜୁ ଜନତା ଦଳ ଏବେ ଏକ ଅଭାବନୀୟ ସ୍ଥିତି ଦେଇ ଗତି କରୁଛି। ୨୦୨୪ ନିର୍ବାଚନ ବିପର୍ଯ୍ୟୟ ପରେ ଦଳ ସଜାଡ଼ିବା ପରିବର୍ତ୍ତେ, ଅନ୍ତଃକନ୍ଦଳ ଓ ବିରୋଧାଭାସର ଚିତ୍ର ଏବେ ସ୍ପଷ୍ଟ ହେବାରେ ଲାଗିଛି। ରାଜ୍ୟସଭା ନିର୍ବାଚନର ଫଳାଫଳ ପରେ ଦଳରେ ଯେଉଁ ‘ସାଇଡ୍ ଇଫେକ୍ଟ’ ଦେଖିବାକୁ ମିଳିଛି, ତାହା ବିଜେଡିର ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଶନିବାର ସନ୍ଧ୍ୟାରେ ଦଳୀୟ ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୬ ଜଣ ବିଧାୟକଙ୍କୁ ନିଲମ୍ବନ କରାଯିବା ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। କିନ୍ତୁ ଏହି ନିଷ୍ପତ୍ତି ପଛରେ ଥିବା ନେତାମାନଙ୍କର ‘ଯୋଗ୍ୟତା’କୁ ନେଇ ଏବେ ଦଳ ଭିତରେ ଓ ବାହାରେ ଝଡ଼ ସୃଷ୍ଟି ହୋଇଛି।
ବିଜେଡିର ଏହି ନିଲମ୍ବନ ପ୍ରକ୍ରିୟାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ ଦିଗ ହେଉଛି— ଯେଉଁ ନେତାମାନେ ନିଷ୍ପତ୍ତି ନେଉଛନ୍ତି, ସେମାନେ ନିଜେ ଜନତାଙ୍କ ଦ୍ୱାରା ପ୍ରତ୍ୟାଖ୍ୟାତ। ଶୃଙ୍ଖଳା କମିଟି ବୈଠକରେ ଉପସ୍ଥିତ ଥିଲେ ସଭାପତି ନବୀନ ପଟ୍ଟନାୟକ, କମିଟି ମୁଖ୍ୟ ଦେବୀ ପ୍ରସାଦ ମିଶ୍ର, ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ଟୁକୁନୀ ସାହୁ ଏବଂ ସୁଦାମ ମାରାଣ୍ଡି। ବିଡ଼ମ୍ବନା ହେଉଛି, ପ୍ରମିଳା ମଲ୍ଲିକଙ୍କୁ ଛାଡ଼ିଦେଲେ ବାକି ସମସ୍ତ ୬ ଜଣ ନେତା ଗତ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛନ୍ତି। ଯେଉଁମାନେ ନିଜ ନିର୍ବାଚନ ମଣ୍ଡଳୀରେ ଦଳକୁ ଜିତାଇ ପାରିଲେ ନାହିଁ, ସେମାନେ ଆଜି ଜିତିଥିବା ବିଧାୟକଙ୍କ ବିରୋଧରେ ଦଣ୍ଡବିଧାନ କରୁଛନ୍ତି। ଏହା କି ପ୍ରକାର ଗଣତନ୍ତ୍ର ବୋଲି ଦଳ ଭିତରେ ଗୁଞ୍ଜରଣ ଆରମ୍ଭ ହେଲାଣି।
ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଜ ଇଚ୍ଛାରେ ଦଳ ଚଳାଉଛନ୍ତି ନା ଭିକେ ପାଣ୍ଡିଆନଙ୍କ ନିର୍ଦ୍ଦେଶରେ, ତାହା ଆଉ ରହସ୍ୟ ହୋଇ ରହିନାହିଁ। ଦୀର୍ଘ ଦୁଇ ଦଶନ୍ଧି ଧରି ଯେଉଁ ଦଳରେ ‘ଶୃଙ୍ଖଳା କମିଟି’ ବା ‘ରାଜନୈତିକ ବ୍ୟାପାର କମିଟି’ (PAC) ର ଚିହ୍ନବର୍ଣ୍ଣ ନଥିଲା, ହଠାତ୍ ନିର୍ବାଚନ ହାରିବା ପରେ ଏହାର ଆବଶ୍ୟକତା କାହିଁକି ପଡ଼ିଲା? ବୋଧହୁଏ, ପାଣ୍ଡିଆନଙ୍କ ରଣନୀତିରେ ଯେତେବେଳେ ଯାହା ଆସେ, ତାହା ନବୀନଙ୍କ ନଜରରେ ପ୍ରତିଫଳିତ ହୁଏ। ଦଳରେ ଗଣତନ୍ତ୍ର ଅଛି ବୋଲି ଦେଖାଇବାକୁ ଯାଇ ଏହି କମିଟିଗୁଡ଼ିକ ଗଠନ କରାଯାଇଛି ସତ, କିନ୍ତୁ ଏହା କେବଳ ପରାଜିତ ନେତାଙ୍କୁ ସୁରକ୍ଷା ଦେବା ଓ ବିଦ୍ରୋହୀ ସ୍ୱରକୁ ଚାପିବା ପାଇଁ ଏକ ମାଧ୍ୟମ ପାଲଟିଛି।
୬ ଜଣ ବିଧାୟକ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀଙ୍କୁ ଭୋଟ୍ ଦେଇ କ୍ରସ୍ ଭୋଟିଂ କରିଥିବା ଅଭିଯୋଗରେ ନିଲମ୍ବିତ ହେଲେ। କିନ୍ତୁ ପ୍ରକୃତ ଶୃଙ୍ଖଳା ଭଙ୍ଗ କରିଥିଲେ କିଏ? ଗତ ନିର୍ବାଚନରେ ଟିକେଟ୍ ବଣ୍ଟନର ସର୍ବେସର୍ବା ଥିବା ପାଣ୍ଡିଆନ କ’ଣ ଶୃଙ୍ଖଳା ଭଙ୍ଗ କରିନାହାନ୍ତି? ୪୦ ଜଣିଆ ତାରକା ପ୍ରଚାରକ ତାଲିକାରୁ ବରିଷ୍ଠ ନେତାଙ୍କୁ ବାଦ୍ ଦେବା ଏବଂ ବିଜେପିକୁ ସୁହାଇଲା ଭଳି ପ୍ରାର୍ଥୀ ଚୟନ କରିବା କ’ଣ ଦଳ ବିରୋଧୀ କାର୍ଯ୍ୟ ନୁହେଁ? ଏହି ପ୍ରଶ୍ନର ଉତ୍ତର ନା ଶୃଙ୍ଖଳା କମିଟି ପାଖରେ ଅଛି, ନା PAC ପାଖରେ।
ଦେବୀ ମିଶ୍ର ଦଳୀୟ ସମ୍ବିଧାନର ଧାରା ଉଦ୍ଧୃତ କରି ବିଧାୟକଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି। ହେଲେ ଜାନୁଆରୀ ୧୫ ତାରିଖରେ ନିଲମ୍ବିତ ହୋଇଥିବା ପାଟକୁରାର ଅରବିନ୍ଦ ମହାପାତ୍ର ଓ ଚମ୍ପୁଆର ସନାତନ ମହାକୁଡ଼ଙ୍କ କ୍ଷେତ୍ରରେ କେଉଁ ନୀତି ଆପଣାଯାଇଥିଲା? ସେତେବେଳେ କ’ଣ ଶୃଙ୍ଖଳା କମିଟିର ବୈଠକ ବସିଥିଲା? ସେତେବେଳେ କ’ଣ ପିଏସିର ଅନୁମୋଦନ ନିଆଯାଇଥିଲା? ସେତେବେଳେ ଫଟୋ ଶୁଟ୍ କରି ଗଣମାଧ୍ୟମକୁ ଦିଆଯାଇନଥିଲା କାହିଁକି? ଏହି ପ୍ରଭେଦ ହିଁ ପ୍ରମାଣ କରୁଛି ଯେ ବିଜେଡିରେ ନିୟମ ସମସ୍ତଙ୍କ ପାଇଁ ସମାନ ନୁହେଁ, ବରଂ ‘ପାୱାର ସେଣ୍ଟର’ର ସୁବିଧା ଅନୁଯାୟୀ ଏହା ବଦଳିଥାଏ।
ଶୃଙ୍ଖଳା କମିଟିର ସଦସ୍ୟମାନେ ସଭାପତିଙ୍କୁ ପୂର୍ବ ନିଲମ୍ବନ ନିଷ୍ପତ୍ତି ବାବଦରେ ପ୍ରଶ୍ନ କରିବାକୁ ସାହସ ଜୁଟାଇ ପାରିନାହାନ୍ତି। ଏପରିକି ପ୍ରାର୍ଥୀ ଚୟନ ବେଳେ ମଧ୍ୟ ପିଏସିର କୌଣସି ଭୂମିକା ନ ଥିଲା। ତେଣୁ ଏହି କମିଟିଗୁଡ଼ିକ କେବଳ ଏକ ‘ସୋ-କେସ୍’ ଭଳି କାମ କରୁଛନ୍ତି। ଦଳ ଭିତରେ ଏବେ ଏହି ଆଲୋଚନା ତୀବ୍ର ହେଉଛି ଯେ, ହାରୁ ନେତାମାନେ ନିଜର ଅସ୍ତିତ୍ୱ ବଞ୍ଚାଇବାକୁ ଯାଇ ଜିତିଥିବା ନେତାଙ୍କୁ ବଳି ପକାଉଛନ୍ତି।
ନବୀନ ପଟ୍ଟନାୟକ କେତେକାଳ ଏହି ‘ନିରୁତା ଫାର୍ସ’କୁ ଚଳାଇ ରଖିବେ? ଜନମତ ଦଳ ବିରୋଧରେ ଯାଇଥିବାବେଳେ, ଦଳ ଭିତରର ଏହି ଏକଛତ୍ରବାଦୀ ନିଷ୍ପତ୍ତି ବିଜେଡିକୁ ଆହୁରି ଦୁର୍ବଳ କରିବ। ପରାଜିତ ନେତାଙ୍କୁ ନେଇ ଶୃଙ୍ଖଳା ରକ୍ଷା କରିବାର ପ୍ରୟାସ ହୁଏତ ସାମୟିକ ଭାବେ ବିଦ୍ରୋହକୁ ଦମନ କରିପାରେ, କିନ୍ତୁ ଆଗାମୀ ଦିନରେ ଏହା ଏକ ବଡ଼ ରାଜନୈତିକ ବିସ୍ଫୋରଣର କାରଣ ସାଜିବା ନିଶ୍ଚିତ।
AlsoRead; https://purvapaksa.com/yogi-in-west-bengal-too/


