Eggs Health Benefits: ଶୀତଦିନେ ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ଶରୀର ଗରମ ରହିବା ସହ ଅନେକ ରୋଗରୁ ମୁକ୍ତି ମିଳିଥାଏ। ଅଣ୍ଡା ପ୍ରୋଟିନର ଏକ ଉତ୍ତମ ଉତ୍ସ ଏବଂ ମାଂସପେଶୀ ବୃଦ୍ଧିକୁ ବଢ଼ାଇଥାଏ । ଅଣ୍ଡା ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ହୋଇଥାଏ ।
ପ୍ରତିଦିନ ଅଣ୍ଡା ଖାଆନ୍ତୁ। ଏହି କଥା ଆପଣ ନିଶ୍ଚୟ ଶୁଣିଥିବେ । ପ୍ରତିଦିନ ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ବୋଲି ବିଶ୍ୱାସ ରହିଛି। ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମଧ୍ୟ ଅଣ୍ଡାକୁ ଶରୀର ପାଇଁ ଲାଭଦାୟକ ବୋଲି ବିବେଚନା କରନ୍ତି । ବିଶେଷ କରି ଶୀତଦିନେ ଅଣ୍ଡା ଖାଇବା ଅଧିକ ଲାଭଦାୟକ ବୋଲି ବିବେଚନା କରାଯାଏ, କାରଣ ଏହା ଶରୀରକୁ ଉଷ୍ମତା ପ୍ରଦାନ କରିଥାଏ। ଶୀତ ଋତୁ ଅନେକ ଦୃଷ୍ଟିରୁ ଚ୍ୟାଲେଞ୍ଜିଂ ହୋଇପାରେ, କିନ୍ତୁ ଯଦି ଆପଣ ନିଜ ଖାଦ୍ୟରେ ଅଣ୍ଡାକୁ ସାମିଲ କରନ୍ତି, ତେବେ ଏହା ଥଣ୍ଡାର ପ୍ରକୋପକୁ ଏଡାଇବାରେ ସାହାଯ୍ୟ କରିଥାଏ । ଅଣ୍ଡାରେ ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଓ ଫ୍ୟାଟି ଏସିଡ୍ ଭଳି ସମସ୍ତ ପୋଷକ ତତ୍ତ୍ୱ ରହିଥାଏ।
ୱେବ୍ ଏମଡି ରିପୋର୍ଟ ଅନୁଯାୟୀ, ଶୀତ ଋତୁରେ ସଂକ୍ରମଣ ଏବଂ ଥଣ୍ଡା ଓ କାଶ ଭଳି ସମସ୍ୟା ଅଧିକ ଦେଖାଯାଏ । ଅଣ୍ଡାରେ ଭିଟାମିନ ଡି ଏବଂ ବି୧୨ ଭଳି ଗୁରୁତ୍ୱପୂର୍ଣ୍ଣ ପୋଷକ ତତ୍ତ୍ୱ ରହିଥାଏ, ଯାହା ଶରୀରର ରୋଗ ସହ ଲଢ଼ିବାର କ୍ଷମତାବଢ଼ାଇଥାଏ। ଅଣ୍ଡାରେ ଭିଟାମିନ ଡି ସହିତ ଜିଙ୍କ, ସେଲେନିୟମ ଓ ଆଣ୍ଟିଅକ୍ସିଡାଣ୍ଟ ରହିଥାଏ, ଯାହା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଶରୀରକୁ ମଜବୁତ କରିଥାଏ । ଦୈନିକ ଗୋଟିଏ କିମ୍ବା ଦୁଇଟି ଅଣ୍ଡା ଖାଇବା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ସକ୍ରିୟ ରହିବା ସହ ଶରୀର ଥଣ୍ଡା ଓ କାଶରୁ ମୁକ୍ତ ରହିଥାଏ।
ଅଣ୍ଡାକୁ ପ୍ରୋଟିନର ଏକ ଉତ୍ତମ ଉତ୍ସ ଭାବରେ ବିବେଚନା କରାଯାଏ ଏବଂ ଏହାର ସେବନ ମାଂସପେଶୀ ପାଇଁ ବହୁତ ଲାଭଦାୟକ ଅଟେ | ଅଣ୍ଡାରେ ପ୍ରୋଟିନ ବ୍ୟତୀତ କ୍ୟାଲସିୟମ ମଧ୍ୟ ଭଲ ମାତ୍ରାରେ ରହିଥାଏ, ଯାହା ହାଡ ଓ ମାଂସପେଶୀକୁ ମଜବୁତ କରିଥାଏ । ନିୟମିତ ଅଣ୍ଡା ଖାଇବା ଦ୍ୱାରା ହାଡରେ ନମନୀୟତା ବଜାୟ ରହିବା ସହ ମାଂସପେଶୀର ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ଅଣ୍ଡାରେ ଥିବା ଭିଟାମିନ୍ ଡି ହାଡର ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ, ଯାହା ହାଡ ସମସ୍ୟାର ଆଶଙ୍କାକୁ ହ୍ରାସ କରିଥାଏ । ଅଣ୍ଡା କୁ ହୃଦୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭଦାୟକ ବୋଲି ବିବେଚନା କରାଯାଏ ।
ଶୀତ ଦିନେ ତ୍ୱଚା ଶୁଷ୍କ ହେବା ଏକ ସାଧାରଣ ସମସ୍ୟା । ଅଣ୍ଡାରେ ଭିଟାମିନ୍ ଏ, ଡି ଓ ଇ ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ତ୍ୱଚାକୁ ଆର୍ଦ୍ରତା ପ୍ରଦାନ କରିବା ସହ କୋମଳ ରଖିଥାଏ। ଏହି ଭିଟାମିନ୍ ତ୍ୱଚାକୁ ପୋଷଣ ଦେବା ସହ ଏହାର ପ୍ରାକୃତିକ ଚମକ ବଜାୟ ରଖିଥାଏ। ଅଣ୍ଡା ଖାଇବା ଦ୍ୱାରା ତ୍ୱଚା ଭିତରୁ ହାଇଡ୍ରେଟ୍ ହୋଇଥାଏ, ଯାହା ଶୀତଦିନେ ତ୍ୱଚାରେ ଶୁଷ୍କତା ଏବଂ କୁଞ୍ଚନ ସମସ୍ୟାକୁ ହ୍ରାସ କରିଥାଏ । ଅଣ୍ଡାରେ ପ୍ରଚୁର ମାତ୍ରାରେ ପ୍ରୋଟିନ୍ ରହିଥାଏ, ଯାହା ପେଟକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଭରି ରଖିଥାଏ ଏବଂ ଏହା ଦ୍ୱାରା ଲୋକମାନେ କମ୍ ଖାଦ୍ୟ ଖାଆନ୍ତି । ଅଣ୍ଡାରେ କ୍ୟାଲୋରୀ କମ୍ ଥାଏ ।
ଅନେକ ଗବେଷଣାରୁ ଜଣାପଡିଛି ଯେ ଅଣ୍ଡା ଖାଇବା ଦ୍ୱାରା ମାନସିକ ସ୍ୱାସ୍ଥ୍ୟରେ ଉନ୍ନତି ଆସିଥାଏ । ଅଣ୍ଡାରେ ବି୧୨ ଓ ଫୋଲିକ୍ ଏସିଡ୍ ଭଳି ଉପାଦାନ ରହିଥାଏ, ଯାହା ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ। ଅଣ୍ଡାରେ ଥିବା ପୋଷକ ତତ୍ତ୍ୱ ମାନସିକ ସ୍ୱାସ୍ଥ୍ୟ ବଜାୟ ରଖିବାରେ ସାହାଯ୍ୟ କରିଥାଏ । ଅଣ୍ଡା ଖାଇବା ଦ୍ୱାରା ଚିନ୍ତା ଓ ଅବସାଦରୁ ମୁକ୍ତି ମିଳିଥାଏ। ପ୍ରତିଦିନ ଅଣ୍ଡା ଖାଇବା ଦ୍ୱାରା ମାନସିକ ଥକାପଣ ଦୂର ହୋଇଥାଏ। ନିକଟରେ ହୋଇଥିବା ଏକ ଗବେଷଣାରୁ ଏହା ମଧ୍ୟ ଜଣାପଡିଛି ଯେ ପ୍ରତିଦିନ ଗୋଟିଏ ଅଣ୍ଡା ଖାଇବା ଦ୍ୱାରା ଲୋକଙ୍କ ସ୍ମରଣ ଶକ୍ତି ମଜବୁତ ହେବା ସହ ସେମାନଙ୍କ ମସ୍ତିଷ୍କ ସ୍ୱାସ୍ଥ୍ୟରେ ଉନ୍ନତି ହୋଇଥାଏ ।