Dolphin: ତିନି ଦିନ ଧରି ଚାଲିଥିବା ଏହି କାର୍ଯ୍ୟର ଆକଳନ ଅନୁଯାୟୀ ରାଜ୍ୟରେ ୧୮୮ଟି ଇରାୱାଡି ଡଲଫିନ, ୪୯୮ଟି ହମ୍ପବ୍ୟାକ୍ ଡଲଫିନ, ୧୬ଟି ବୋତଲ ନାକ ଡଲଫିନ୍ ଓ ୮ଟି ସ୍ପିନର ଡଲଫିନ ରହିଛନ୍ତି।
ରାଜ୍ୟ ବନ୍ୟପ୍ରାଣୀ ଶାଖା ପକ୍ଷରୁ ୨୦୨୪-୨୫ ବର୍ଷର ଡଲଫିନଙ୍କ ବାର୍ଷିକ ଜନସଂଖ୍ୟା ଆକଳନ ଅନୁଯାୟୀ ଓଡ଼ିଶାରେ ଡଲଫିନ୍ ଓ ସ୍ତନ୍ୟପାୟୀ ପ୍ରାଣୀଙ୍କ ସଂଖ୍ୟା ୭୧୦ ବୋଲି ଆକଳନ କରାଯାଇଛି। ଚଳିତ ବର୍ଷ ଜାନୁଆରି ୨୭ରୁ ୨୯ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ତିନି ଦିନିଆ କାର୍ଯ୍ୟର ଆକଳନ ଅନୁଯାୟୀ ରାଜ୍ୟରେ ୧୮୮ଟି ଇରାଓ୍ୱାଡ଼ି ଡଲଫିନ୍, ୪୯୮ଟି ହମ୍ପବ୍ୟାକ୍ ଡଲଫିନ୍, ୧୬ଟି ବୋତଲ-ନାକ ଡଲଫିନ୍ ଓ ୮ଟି ସ୍ପିନର ଡଲଫିନ ରହିଛନ୍ତି।
ଡିଭିଜନ ଭିତ୍ତିରେ ମ୍ୟାନଗ୍ରୋଭ୍ (ବନ୍ୟପ୍ରାଣୀ ଡିଭିଜନ), ରାଜନଗରରେ ସର୍ବାଧିକ ୫୦୫ଟି ଡଲଫିନ୍ ରହିଛନ୍ତି। ଚଳିତ ବର୍ଷ ଡିଭିଜନରେ ୪୭୦ଟି ହମ୍ପବ୍ୟାକ୍ ଡଲଫିନ୍, ୨୨ଟି ଇରାୱାଡି ଡଲଫିନ୍, ୫ଟି ବୋତଲ-ନାକ ଡଲଫିନ୍ ଓ ୮ଟି ସ୍ପିନର ଡଲଫିନ ରେକର୍ଡ କରାଯାଇଛି। ଏସିଆର ସର୍ବବୃହତ ଲୁଣା ପାଣି ରହୁଥିବା ଚିଲିକାରେ ସର୍ବାଧିକ ୧୫୯ଟି ଇରାଓ୍ୱାଡ଼ି ଡଲଫିନ୍ ରେକର୍ଡ କରାଯାଇଛି। ଚଳିତ ବର୍ଷ ଏଠାରେ ୧୫ଟି ହମ୍ପବ୍ୟାକ୍ ଡଲଫିନ ମଧ୍ୟ ରେକର୍ଡ କରାଯାଇଛି।
ଏହାବ୍ୟତୀତ ବ୍ରହ୍ମପୁର ଡିଭିଜନର ସାମୁଦ୍ରିକ ପରିବେଶରେ ୧୩ଟି ହମ୍ପବ୍ୟାକ୍ ଡଲଫିନ ଚିହ୍ନଟ ହୋଇଥିବା ବେଳେ ପୁରୀ (ବନ୍ୟପ୍ରାଣୀ) ଓ ବାଲେଶ୍ୱର (ବନ୍ୟପ୍ରାଣୀ) ଡିଭିଜନରେ ଯଥାକ୍ରମେ ୭ଟି ବୋଟଲ ନାକ ଡଲଫିନ୍ ଓ ୭ଟି ଇରାଓ୍ୱାଡ଼ି ଡଲଫିନ୍ ଗଣନା କରାଯାଇଛି। ଭଦ୍ରକ ବନ୍ୟପ୍ରାଣୀ ଡିଭିଜନରେ ମଧ୍ୟ ୪ଟି ବୋତଲ ନାକ ଡଲଫିନ୍ ରେକର୍ଡ କରାଯାଇଛି।
୨୦୨୩-୨୪ରେ ରାଜ୍ୟରେ ମୋଟ ଡଲଫିନ୍ ସଂଖ୍ୟା ୭୪୩, ୨୦୨୨-୨୩ରେ ୭୩୩ ଓ ୨୦୨୧-୨୨ରେ ୭୨୬ ଥିଲା। ସୂତ୍ରରୁ ପ୍ରକାଶ ଯେ ଚଳିତ ବର୍ଷ ସଂଖ୍ୟାରେ ସାମାନ୍ୟ ହ୍ରାସ ଘଟିଛି, ଏହାର ମୁଖ୍ୟ କାରଣ ହେଉଛି ୩୪ଟି କମ୍ ହମ୍ପବ୍ୟାକ୍ ଡଲଫିନ୍ ଏବଂ ୧୧ଟି କମ୍ ବୋଟଲ-ନାକ ଡଲଫିନ୍ ଦେଖିବାକୁ ମିଳିଛି। ଏହାବ୍ୟତୀତ ଚଳିତ ବର୍ଷ ଡଲଫିନ୍ ଓ ସିଟେସିଆନ୍ ଗଣନା ଅଭ୍ୟାସରେ କୌଣସି ଫିନଲେସ୍ ପୋର୍ପୋଇଜ୍ ଦେଖିବାକୁ ମିଳିନଥିଲା। ୨୦୨୩-୨୪ ଆକଳନରେ ଏମାନଙ୍କ ସଂଖ୍ୟା ଗୋଟିଏ ଓ ୨୦୨୧-୨୨ରେ ୩ ଥିଲା।
ତେବେ ଗତ ୪ ବର୍ଷ ଧରି ରାଜ୍ୟରେ ଡଲଫିନ୍ ସଂଖ୍ୟା ପ୍ରାୟ ୭୨୦ରୁ ୭୫୦ ମଧ୍ୟରେ ବୃଦ୍ଧି ପାଉଥିବାରୁ ସେମାନଙ୍କ ସଂଖ୍ୟା ସ୍ଥିର ରହିଛି ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ଇରାୱାଡି ଡଲଫିନ ସଂଖ୍ୟା ଗତବର୍ଷ ୧୮୧ଥିବା ବେଳେ ଚଳିତ ବର୍ଷ ଏହା ୧୮୮କୁ ବୃଦ୍ଧି ପାଇଛି ବୋଲି ସେମାନେ କହିଛନ୍ତି, ଏହି ସଂଖ୍ୟା ରାଜ୍ୟରେ ସୁସ୍ଥ ସାମୁଦ୍ରିକ ପରିବେଶର ସଙ୍କେତ ମଧ୍ୟ। ଜଣେ ବରିଷ୍ଠ ବନ୍ୟପ୍ରାଣୀ ଅଧିକାରୀ କହିଛନ୍ତି, ରାଜ୍ୟରେ ଏହି ପ୍ରଜାତିର ନିରନ୍ତର ଅଭିବୃଦ୍ଧି କୁ ସୁରକ୍ଷିତ ରଖିବା ପାଇଁ ଆମର ସଂରକ୍ଷଣ ପ୍ରୟାସ ଜାରି ରହିବ।
Previous article:https://purvapaksa.com/direct-flights-from-bhubaneswar-to-abu-dhabi-to-start-in-june/
