ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ , ଆସିଛି ରଜ ଲୋ, ଘେନି ନୂଆ ସଜବାଜ’। ଏହା ରାଜ୍ୟର ଏକ ପାରମ୍ପରିକ ପର୍ବ ହୋଇଥିବା ବେଳେ ଏହାକୁ ଚାରିଦିନ ଧରି ପାଳନ କରାଯାଇଏ । ରଜ ସଂକ୍ରାନ୍ତିର ପୂର୍ବଦିନ ପହିଲି ରଜ, ଦ୍ୱିତୀୟ ଦିନ ରଜ ସଂକ୍ରାନ୍ତି, ତୃତୀୟ ଦିନ ଭୂମି ଦହନ ଏବଂ ଚତୁର୍ଥ ତଥା ଅନ୍ତିମ ଦିନ ବସୁମତୀ ସ୍ନାନ ଭାବେ ପାଳନ ହୁଏ । ଏହିଦିନ ଝିଅମାନେ ରଜ ପର୍ବ ପାଇଁ ସଜବାଜ ହୁଅନ୍ତି । ଅନ୍ୟପକ୍ଷରେ ବିଶ୍ୱାସ କରାଯାଏ ଯେ, ରଜ ପର୍ବରେ ଠାକୁରାଣିଙ୍କର ଋତୁସ୍ରାବ ହୋଇଥାଏ । ତେଣୁ ରଜ ୩ ଦିନ ଝିଅମାନେ କାମ କରନ୍ତି ନାହିଁ । ସେହିପରି ପୃଥିବୀ ମାତା ବର୍ଷାର ଆଗମନରେ ରଜସ୍ୱଳା ହୁଏ ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରେ । ଏହି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି ।
ରଜରେ ପୋଡ଼ ପିଠା ଓ ପାନଖିଆ ସହିତ ଝିଅମାନଙ୍କ ରଜ ଦୋଳି ଓ ପୁଚି ଖେଳ ସହ ପୁଅମାନଙ୍କ ଲୁଡୁ , ତାସ୍ , ବାଗୁଡ଼ି ଆଦି ଖେଳି ସହିତ ଏହା ପାଳନ କରାଯାଏ । ଗାଁମାନଙ୍କରେ ଧୁମଧାମ୍ ରେ ପାଳନ କରାଯାଏ ଏହି ପର୍ବ । ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ । ଏହା ତିନିଦିନ ଧରି ପାଳନ କରାଯାଇଥାଏ । ଏହାର ଦ୍ୱିତୀୟ ଦିନରେ ମିଥୁନ ମାସର ଆରମ୍ଭ ଓ ଏହା ପରେ ବର୍ଷା ଋତୁ ଆରମ୍ଭ ହୁଏ । ଏହା ଚାଷର ଆରମ୍ଭକୁ ସୂଚାଇଥାଏ । ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ ।
ରଜରେ ପୋଡ଼ ପିଠା ଓ ପାନ ଖିଆ ସହିତ ଝିଅମାନଙ୍କ ରଜ ଦୋଳି ଖେଳି ଏହି ଦିବସଟି ପାଳନ କରିଥାନ୍ତି । ଆଷାଢ ମାସ ଚତୁର୍ମାସ୍ୟା ବ୍ରତର ପ୍ରଥମ ମାସ । ଏ ଚାରି ମାସ ମୁନି ଋଷି ଓ ସାଧବମାନେ ସେମାନଙ୍କ ପରିଭ୍ରମଣ ତ୍ୟାଗ କରି ଏକସ୍ଥାନରେ ନିବିଷ୍ଟ ହୋଇ ସାଧନା କରିଥା’ନ୍ତି । ଆଷାଢ଼ ମାସରେ ପ୍ରଥମ ବର୍ଷାର ଆଗମନରେ ମେଘ ଓ ମାଟିର ମିଳନ ହୁଏ । କୃଷିପ୍ରଧାନ ଦେଶ ଭାବେ ଖ୍ୟାତି ଲାଭ କରିଥିବା ଆମ ଦେଶରେ ମାଟି ମା’ ବହୁ କିସମର ଫସଲ ଫଳାଇ ଆମରି ହାତରେ ଅଜାଡ଼ି ଦିଏ । ପହିଲି ରଜରେ ଆରମ୍ଭ ହୁଏ ପ୍ରସ୍ତୁତି ପର୍ବ । ତିନିଦିନ ଧରି ଧରଣୀ ମାତାକୁ ବିଶ୍ରାମ ଦିଆଯାଏ, ଯେଉଁଥିପାଇଁ ଭୂ – ଖନନ ବାରଣ କରାଯାଇଥାଏ ।
ମାତୃଜାତି ମଧ୍ୟରେ ଉତ୍ସାହ, ଉନ୍ମାଦନା ଓ ନୂତନ ଶକ୍ତି ଜାଗ୍ରତ କରିବା ପାଇଁ ପାଳନ କରାଯାଇଥାଏ ରଜପର୍ବ । କୁମାରୀମାନେ ରଜପର୍ବର ମଉଜ ଭିତରେ ଜଣେ ନାରୀର ଚଳଣି, ଆଚାରସଂହିତାକୁ ବିଧିଭାବେ ପାଳିଥାଆନ୍ତି ଏବଂ ଭବିଷ୍ୟତରେ ଯେତେବେଳେ ଝିଅଟିଏ ନାରୀଭୂମିକାରେ ଅବତୀର୍ଣ୍ଣ ହୋଇ କର୍ତ୍ତବ୍ୟ ସମ୍ପାଦନ କରେ, ଏହି ଆଚାରସଂହିତା ତାକୁ ସହାୟ ହୋଇଥାଏ । ରଜ ତିନିଦିନ ଧରି ରଜସ୍ୱଳା ନାରୀଭାବେ ଧରଣୀମାତାକୁ କଷ୍ଟ ନ ଦେଇ ଭୂମି କର୍ଷଣ ନ କରି ବିଶ୍ରାମ ଦେଲାଭଳି କଟା, ବଟା ଆଦି ଗୃହକର୍ମ ନ କରି କୁମାରୀମାନେ ବିଶ୍ରାମ କରନ୍ତି ।
ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି । ଅଭିଆଡ଼ି ଝିଅମାନେ ଶାଢ଼ୀ ଆଦି ପିନ୍ଧି ରଜ ଦୋଳି ଖେଳ, ପୁଚି ଖେଳ ଆଦିରେ ସମୟ ଅତିବାହିତ କରିଥାନ୍ତି । ଏହି ଦିନ ଧରିତ୍ରୀ ମାଆକୁ ସମ୍ମାନ ଦେଇ କେହି ଭୂଇଁ ଉପରେ ଖାଲି ପାଦରେ ଚାଲିନଥାନ୍ତି । ପତ୍ର/ଖୋଳପାରେ ତିଆରି କଠଉରେ ଭୂଇଁ ଉପରେ ଚାଲିବାର ବିଧି ରହିଛି । ଏହି ଦିନ ପୋଡ଼ ପିଠା, ଚକୁଳି ପିଠା ଆଦି ଖିଆଯାଇ ଥାଏ । କୁମାରୀମାନେ ଅଧିକାଂଶ ସମୟ ଦୋଳିରେ ଝୁଲନ୍ତି ଏବଂ ଗୁଆ ଖୋଳପା କିମ୍ବା ଚପଲ ପିନ୍ଧି ଚଳପ୍ରଚଳ ହୁଅନ୍ତି ।
ବସୁମତୀ ସ୍ନାନ ହେଉଛି ରଜ ପର୍ବର ଅନ୍ତିମ ଦିବସ । ଏହା ବସୁଧାମାତାଙ୍କ ଶୁଦ୍ଧ ସ୍ନାନ । ବଡ଼ି ସକାଳୁ ଶିଳପୁଆରେ ହଳଦୀ କନା ଗୁଡ଼ାଇ ସିନ୍ଦୂର, କଜଳ ଦେଇ ଧରଣୀ ମାତାଙ୍କ ସ୍ୱରୂକୁ ସଜାଇ ପିଢ଼ା ଉପରେ ସ୍ଥାପନା କରି କଳସ ଆମ୍ବଡ଼ାଳ ରଖି କ୍ଷୀର ଦେଇ ସ୍ନାନ କରାଯାଏ । ମାସିକ ଧର୍ମର ବିଧି ଅନୁଯାୟୀ ଧରଣୀ ମାତା ତିନିଦିନ ବିଶ୍ରାମ ପରେ ସ୍ନାନ କରି ଶୁଦ୍ଧ ପବିତ୍ର ହୋଇଥା’ନ୍ତି । ମାର୍ଗଶୀର ଶେଷ ଗୁରୁବାରଦିନ ବନ୍ଦ ହୋଇଥିବା ମହାଲକ୍ଷ୍ମୀ ପେଡ଼ି ଏହି ଦିନ ଖୋଲାଯାଇଥାଏ । ଏହି ଦିନ ରଜପର୍ବର ଆନନ୍ଦ ଉଲ୍ଲାସ ମଉଳି ଯାଇ ଆଧ୍ୟାତ୍ମିକତା ସ୍ଥାନ ନେଇଥାଏ । ଏହି ବସୁମତୀ ସ୍ନାନ ଦିବସରେ ଧରଣୀ ମାତା ପ୍ରତି ଭକ୍ତିଭାବ ଜାଗ୍ରତ ହୋଇଥାଏ ।
ମୁଦ୍ରିତ ପୁରାତନ ପ୍ରକାଶନଗୁଡ଼ିକ ମଧ୍ୟରୁ ୧୯୪୯ ମସିହାରେ ପ୍ରକାଶିତ ପହିଲି ରଜ ଓ ୧୯୫୨ ମସିହାରେ ପ୍ରକାଶିତ ମାଗୁଣୀ ମହାପାତ୍ରଙ୍କ ରେକର୍ଡ ରଜଦୋଳି ଗୀତ ଅନ୍ୟତମ । ପୂରା ଗୀତର ପ୍ରଥମ ପଙକ୍ତି ଜଣାଶୁଣା: “ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ , ଆସିଛି ରଜ ଲୋ, ଘେନି ନୂଆ ସଜବାଜ ” । ପାନ: ରଜରେ ପାନଖିଆ ଏକ ପୁରୁଣା ଓଡ଼ିଆ ପରମ୍ପରା । ପ୍ରୀତିର ବନ୍ଧନ ହେଉଛି ପାନ । ପ୍ରୀତି, ପ୍ରେମ, ବନ୍ଧୁତାର ଛ’ଲକ୍ଷଣ ଏ ଦେଶରେ ନିର୍ଦ୍ଧାରିତ କରାଯାଇଛି । ଦିଏ, ନିଏ, ଖାଏ, ଖୁଆଏ, ଗୋପନ କଥା କହେ ଓ ପଚାରେ, ଏ ଛ’ଟି ଆନ୍ତରିକତା ଓ ନିବିଡ଼ତାର କଥା । ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଠାକୁର ବଡ଼ଠାକୁର ଜଗନ୍ନାଥ ପ୍ରତିଦିନ ଭୋଜନାନ୍ତେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ କରିବ । ରଜରେ ଝିଅମାନେ ସମସ୍ତଙ୍କୁ ପାନ ଦବାନବା କରିଥାନ୍ତି ।
ଆୟୁର୍ବେଦ ଶାସ୍ତ୍ର ଅନୁସାରେ ପାନ ଜୀର୍ଣ୍ଣକାରକ ଏବଂ କୃମିନାଶକ । ପାନରେ ଦିଆଯାଉଥିବା ଚୂନ ଲୌହଶକ୍ତି ପୂର୍ଣ୍ଣ ଓ ଖଇର ଦାନ୍ତକୁ ମଜଭୁତ କରିଥାଏ । ପାନ ଖାଇଲା ବେଳେ ପତ୍ରରୁ ଶିରା ଛେଦନ କରାଯାଇଥାଏ କାରଣ ପାନଶିରା ହେଉଛି ବୁଦ୍ଧି ବିନାଶିନୀ । ରଜପାନର ଚମକ ଓ ମହକ ସାରାବର୍ଷର ପାନକୁ ବଳିଯାଏ । ରଜପାନରେ ଗୁଆ, ଅଳେଇଚ, ଗୁଜୁରାତି, ଭଜା ଧଣିଆ, ଚାଉଳ ଓ ନଡିଆ ଖଣ୍ଡ, ଚେରି, ଲବଙ୍ଗ, କବାବଚିନି, ଚୁଆ, ପାନ ମହୁରି, ସୁବାସିତ ଜାଫ୍ରାନ କେଶର, ଖଇର ପରି ୧୦ରୁ ୧୨ ପ୍ରକାର ମସଲା ବ୍ୟବହୃତ ହୁଏ । ଏହାକୁ ବିଭିନ୍ନ ଢଙ୍ଗରେ ତ୍ରିଭଙ୍ଗି, ଚଉଭଙ୍ଗି ଆକୃତି ଦେଇ ଉପରେ ଲବଙ୍ଗ ଖୋସି ଅତି ସୁନ୍ଦର ଭାବେ ଥାଳିରେ ସଜାଇ ଦିଆଯାଏ । ସାଧାରଣ ଦିନର ପାନଠାରୁ ରଜପାନର ସ୍ୱାଦ ସ୍ୱତନ୍ତ୍ର । ରଜ ଆସିଲେ ବଜାରରେ ମଧ୍ୟ ପାନର ଦର ବଢିଯାଏ ।
ALSO READ https://purvapaksa.com/opened-a-shop-at-the-age-of-76/
Opened a shop at the age of 76 ।। ୭୬ ବର୍ଷ ବୟସରେ ୮୦ ଟଙ୍କା ରୋଜଗାର