ତାରିଖ ଥିଲା ୧୭ ଜୁଲାଇ ୨୦୨୩। ଦେଶର ରାଜନୀତିରେ ସେହି ଦିନଟିକୁ “ଐତିହାସିକ” ବୋଲି ପରିଚୟ ଦିଆଯାଇଥିଲା। ଦୀର୍ଘଦିନ ଧରି ଛିଣ୍ଡିଯାଇଥିବା, ପରସ୍ପର ସନ୍ଦେହରେ ଥିବା ବିରୋଧୀ ଦଳମାନେ ଗୋଟିଏ ମଞ୍ଚରେ ଆସି ଘୋଷଣା କରିଥିଲେ—ସେମାନେ ଏବେ ଏକ ସାଧାରଣ ଶତ୍ରୁଙ୍କ ବିରୋଧରେ ଏକତ୍ରିତ ହେବେ। ସେହି ମଞ୍ଚର ନାମ ଦିଆଗଲା—ଇଣ୍ଡିଆ ମେଣ୍ଟ । ନାମଟିରେ ଥିଲା ଏକ ପ୍ରତୀକାତ୍ମକ ରାଜନୀତି—ଶାସକ ଦଳର “ରାଷ୍ଟ୍ରବାଦ” ନାରାକୁ ଚ୍ୟାଲେଞ୍ଜ କରି “ଇଣ୍ଡିଆ”କୁ ବିରୋଧର ପରିଚୟ କରିବାର ଚେଷ୍ଟା।
ସେତେବେଳେ ମଞ୍ଚରୁ କୁହାଯାଇଥିଲା—“ଏହା କେବଳ ଏକ ମେଣ୍ଟ ନୁହେଁ, ଏହା ଗଣତନ୍ତ୍ରକୁ ବଞ୍ଚାଇବାର ଆନ୍ଦୋଳନ।” କିନ୍ତୁ ଦୁଇ ବର୍ଷ ପରେ ପ୍ରଶ୍ନ ହେଉଛି—ସେହି ଆନ୍ଦୋଳନ ଏବେ କେଉଁଠି? ଏକତାର ସେହି ଉତ୍ସାହ କାହିଁକି ରହିଲା ନାହିଁ? ଏବଂ ସବୁଠାରୁ ମୁଖ୍ୟ ପ୍ରଶ୍ନ—ଏହି ମେଣ୍ଟର ଅବସାନର ଦାୟୀ କିଏ?
ଏହି ଆଲୋଚନାରେ ଆମେ ଇଣ୍ଡି ମେଣ୍ଟର ଉଦୟ, ତାହାର ଭିତରୁ ଦୁର୍ବଳତା, ନେତୃତ୍ୱ ସଂକଟ, ଆଞ୍ଚଳିକ ଦଳମାନଙ୍କ ଅସନ୍ତୋଷ, ଏବଂ ଆଗାମୀ ରାଜନୈତିକ ପରିଣାମକୁ ଗଭୀରତାରେ ବିଶ୍ଳେଷଣ କରିବୁ। ଆଜିର ଶୀର୍ଷକ ଇଣ୍ଡି ମେଣ୍ଟକୁ ଭାଙ୍ଗିଦେଲେ ରାହୁଲ? ଆପଣମାନେ ଦେଖୁଥାଆନ୍ତୁ ପୂର୍ବପକ୍ଷ।
ଏକତାର ଉଦୟ: ରାଜନୀତିକ ଆବଶ୍ୟକତା କି ଧାରଣାତ୍ମକ ସମ୍ମିଳନ?
୨୦୨୩ରେ ଦେଶର ରାଜନୀତିକ ପରିଦୃଶ୍ୟ ସ୍ପଷ୍ଟ ଥିଲା—ଶାସକ ଦଳର ଭାରି ପ୍ରଭାବ ଓ ଦୂର୍ବଳ ବିରୋଧୀ ଦଳ। ୨୦୧୪ ଓ ୨୦୧୯ର ଦୁଇଟି ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ବିଜୟ ବିରୋଧୀ ଶିବିରକୁ ମନୋବୃତ୍ତିଗତ ଭାବରେ ଦୁର୍ବଳ କରିଦେଇଥିଲା। ଏକାକୀ ଲଢ଼େଇରେ କୌଣସି ଦଳ ଶାସକ ଦଳକୁ ପ୍ରତିରୋଧ କରିପାରୁନଥିଲା।
ଏହି ପରିସ୍ଥିତିରେ ବିହାର ମୁଖ୍ୟମନ୍ତ୍ରୀ Nନୀତିଶ କୁମାର ବିରୋଧୀ ଏକତାର ଧାରଣାକୁ ଆଗକୁ ଆଣିଥିଲେ। ପଟନାରେ ପ୍ରଥମ ବୈଠକ, ପରେ ବେଙ୍ଗାଲୁରୁରେ ନାମ ଘୋଷଣା—ଏଭଳି ଭାବରେ ଗଠିତ ହେଲା ଇଣ୍ଡିଆ। ଏହାର କେନ୍ଦ୍ରବିନ୍ଦୁରେ ଥିଲା କଂଗ୍ରେସ ଓ ତାଙ୍କର ନେତା ରାହୁଲ ଗାନ୍ଧୀ।
ସେତେବେଳେ ଏକ ପ୍ରତୀକାତ୍ମକ ସନ୍ଦେଶ ଦିଆଯାଇଥିଲା—“ବିରୋଧୀମାନେ ଏବେ ଭାଗ ଭାଗ ହେବେ ନାହିଁ, ସେମାନେ ଏକ।” କିନ୍ତୁ ଗୋଟିଏ ପ୍ରଶ୍ନ ଆରମ୍ଭରୁ ଥିଲା—ଏହା ବିରୋଧୀଙ୍କ ଏକତା, ନା କେବଳ ନିର୍ବାଚନୀ ଗଣିତ?

ପ୍ରଥମ ଆଘାତ: ନିତିଶଙ୍କ ପ୍ରସ୍ଥାନ
ଇଣ୍ଡି ମେଣ୍ଟର ଭିତ୍ତି ତାହାର ଆଦର୍ଶ ଓ ଭରସା। କିନ୍ତୁ ଇଣ୍ଡିଆ ଗଠନ ପରେ କେବଳ କିଛି ମାସ ମଧ୍ୟରେ ମୁଖ୍ୟ ଆର୍କିଟେକ୍ଟ ନିଜେ ପଛକୁ ହଟିଗଲେ। ୬ ମାସ ମଧ୍ୟରେ ଜେଡିୟୁ ନେତା ନିତିଶ କୁମାର ବିଜେପି ସହ ମେଣ୍ଟ କଲେ।
ଏହା କେବଳ ମେଣ୍ଟ ଅଦଳବଦଳ ନ ଥିଲା। ଏହା ଥିଲା ଏକ ରାଜନୀତିକ ସନ୍ଦେଶ—କଂଗ୍ରେସ ନେତୃତ୍ୱରେ ଦୀର୍ଘସ୍ଥାୟୀ ଏକତାରେ ଭରସା କମ୍। ନିତିଶଙ୍କ ପ୍ରସ୍ଥାନରେ ଇଣ୍ଡି ମେଣ୍ଟର ମୂଳ ଭିତ୍ତି ହଲିଗଲା।
ଏଠାରେ ପ୍ରଶ୍ନ ଉଠିଲା—କଂଗ୍ରେସ କ’ଣ ସହଯୋଗୀମାନଙ୍କୁ ସମାନ ସ୍ଥାନ ଦେଇପାରିଲା? ନା ନେତୃତ୍ୱର ଆକାଂକ୍ଷା ସମନ୍ୱୟକୁ ଆଛାଦିତ କରିଦେଲା?

୨୦୨୪ ଲୋକସଭା: ସଫଳତା କି ଅସ୍ଥାୟୀ ଉତ୍ସାହ?
୨୦୨୪ ଲୋକସଭା ନିର୍ବାଚନ ଇଣ୍ଡିଆ ମେଣ୍ଟ ପାଇଁ ଏକ ପରୀକ୍ଷା ଥିଲା। କଂଗ୍ରେସ ୯୯ ଆସନ ଜିତିଲା—୨୦୧୪ ଓ ୨୦୧୯ ଠାରୁ ଭଲ ଫଳାଫଳ କଲା। ଏହାକୁ କଂଗ୍ରେସ ପୁନରୁଦ୍ଧାରର ସଙ୍କେତ ବୋଲି ପ୍ରଚାର କରାଗଲା। କିନ୍ତୁ ସଂଖ୍ୟାର ଭିତରେ ଥିଲା ଭିନ୍ନ ଚିତ୍ର।
ପଶ୍ଚିମବଙ୍ଗରେ କଂଗ୍ରେସ ସହ ଶାସକ ତୃଣମୂଳ କଂଗ୍ରେସ ନିର୍ବାଚନୀ ମେଣ୍ଟ କଲା ନାହିଁ। କେରଳରେ ସିପିଏମ ଓ କଂଗ୍ରେସ ପ୍ରତିଦ୍ୱନ୍ଦୀ ହେଲା। ଦିଲ୍ଲୀରେ ଆମ ଆଦମୀ ପାର୍ଟି ସହ ଗଠବନ୍ଧନ ସୀମିତ ଥିଲା।
ଅର୍ଥାତ୍, ଇଣ୍ଡିଆ ମେଣ୍ଟ ଏକ ଜାତୀୟ ନାମ ଥିଲା, କିନ୍ତୁ ରାଜ୍ୟ ରାଜ୍ୟରେ ସମୀକରଣ ଅଲଗା। ମାନସିକ ଏକତା ଗଢ଼ିଉଠିନଥିଲା।
ନେତୃତ୍ୱ ସଂକଟ: ଅଭିଯୋଗ ରାହୁଲଙ୍କ ଉପରେ କାହିଁକି?
ଇଣ୍ଡି ମେଣ୍ଟର ଭାଙ୍ଗିବା ପଛରେ ସବୁଠାରୁ ଅଧିକ ଯେଉଁ ନାମ ଆସୁଛି—ସେ ହେଉଛନ୍ତି ରାହୁଲ ଗାନ୍ଧୀ। ବିରୋଧୀ ଦଳମାନଙ୍କ ଅଭିଯୋଗ—
• ମେଣ୍ଟକୁ “କଂଗ୍ରେସ କେନ୍ଦ୍ରିକ” ଭାବେ ଦେଖାଗଲା
• ଆସନ ବଣ୍ଟନରେ ବୁଝାମଣା କମ୍
• ଆଞ୍ଚଳିକ ଦଳଙ୍କୁ ସମ୍ମାନ ଦେବାରେ କୁଣ୍ଠାବୋଧ
• ନିଷ୍ପତ୍ତିରେ ପରାମର୍ଶ ଅଭାବ
ଏହି ଅଭିଯୋଗ ସଠିକ କି ନୁହେଁ, ତାହା ଆଲୋଚନା ସାଧ୍ୟ। କିନ୍ତୁ ରାଜନୀତିରେ ଧାରଣା ମହତ୍ତ୍ୱପୂର୍ଣ୍ଣ। ଯଦି ସହଯୋଗୀମାନେ ମନେ କରନ୍ତି ଯେ ସେମାନେ ସମାନ ଭାଗୀଦାର ନୁହନ୍ତି, ତେବେ ମେଣ୍ଟ ଦୀର୍ଘସ୍ଥାୟୀ ହେବା କଠିନ।
ଜମ୍ମୁ–କାଶ୍ମୀର: ଭରସାର ଅଭାବ
ସମ୍ପ୍ରତି ଜମ୍ମୁ–କାଶ୍ମୀରର ନ୍ୟାସନାଲ କନଫୱରେନ୍ସ ଇଣ୍ଡି ମେଣ୍ଟଠାରୁ ଦୂରତା ବଢ଼ାଇବାର ସଙ୍କେତ ଦେଲା। କାଶ୍ମୀର ପରି ସମ୍ବେଦନଶୀଳ ରାଜ୍ୟରେ ବିରୋଧୀ ଏକତାର ଅଭାବ ଜାତୀୟ ମନୋବୃତ୍ତିରେ ପ୍ରଭାବ ପକାଏ। ଏହା ଦେଖାଇଦେଲା—ଇଣ୍ଡିଆ ବ୍ଳକ କେବଳ ନିର୍ବାଚନୀ ସମୟର ଗଠନ ଥିଲା।
ଦିଲ୍ଲୀ, ବିହାର, ମହାରାଷ୍ଟ୍ର: ଆଗାମୀ ପରୀକ୍ଷା
୨୦୨୫ର ଦିଲ୍ଲୀ ଓ ବିହାର ନିର୍ବାଚନ, ୨୦୨୬ର ମହାରାଷ୍ଟ୍ର ପୌର ନିର୍ବାଚନ—ଏସବୁ ଇଣ୍ଡି ମେଣ୍ଟର ଅସ୍ତିତ୍ୱକୁ ପ୍ରଶ୍ନରେ ପକାଇଦେଲା। ଦିଲ୍ଲୀରେ ଆପ୍ ଅଲଗା ପଥ ନେଲା। ବିହାରରେ ସମନ୍ୱୟ ଭାଙ୍ଗିଗଲା। ମହାରାଷ୍ଟ୍ରରେ ଶିବସେନା ୟୁବୁଟି ଓ ଏନସିପନି ଶରଦ ପାୱାର ସହ ସମ୍ପର୍କ ଏବେ ବିପଦରେ।
ଏହା ପରେ ପ୍ରଶ୍ନ ସ୍ପଷ୍ଟ—ଇଣ୍ଡିଆ ନାମରେ କ’ଣ ଅବଶିଷ୍ଟ ରହିଲା?

କଂଗ୍ରେସର ଏକାକୀ ରଣନୀତି?
ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ କଂଗ୍ରେସର ଅବିଶ୍ୱାସ ପ୍ରସ୍ତାବରେ ଅନେକ ସହଯୋଗୀ ଦଳ ସହଯୋଗ କରିନାହାନ୍ତି। ଏହା ସ୍ପଷ୍ଟ କରିଦେଲା—କଂଗ୍ରେସ ଏବେ ମଧ୍ୟ ଏକାକୀ ପଡ଼ିଯାଇଛି। ତୃଣମୂଳ କଂଗ୍ରେସ ଏହି ଅବିଶ୍ୱାସୁ ପ୍ରସ୍ତାବ ନୋଟିସରେ ଦସ୍ତଖତ କରିନାହିଁ।
ସଙ୍କେତ ମିଳୁଛି—କଂଗ୍ରେସ ଆଗାମୀ ଦିନରେ ଏକାକୀ ଲଢ଼ିବାର ପ୍ରସ୍ତୁତି ନେଉଛି। କର୍ମୀଙ୍କୁ “ସବୁଜ ସଙ୍କେତ” ମିଳିଛି ବୋଲି କୁହାଯାଉଛି। କିନ୍ତୁ ପ୍ରଶ୍ନ—ଏକାକୀ କଂଗ୍ରେସ ବିଜେପିକୁ ମୁକାବିଲା କରିପାରିବ ତ?
ଏକ ଐତିହାସିକ ସୁଯୋଗର ଅନ୍ତ?
ଇଣ୍ଡି ମେଣ୍ଟ କେବଳ ଭାଙ୍ଗିଲା ନୁହେଁ—ଏହା ଧୀରେ ଧୀରେ ଭାଙ୍ଗିଗଲା। ନେତୃତ୍ୱ ସଂକଟ, ଅହଂକାର, ଆଞ୍ଚଳିକ ଦଳଙ୍କୁ ସମ୍ମାନ ନ ଦେବା, ଏବଂ ରଣନୀତିକ ସମନ୍ୱୟର ଅଭାବ—ଏସବୁ ମିଶି ଏକ ଐତିହାସିକ ସୁଯୋଗକୁ ଅସ୍ଥିର କରିଦେଲା।
ଆଜିର ପ୍ରଶ୍ନ – ରାହୁଲ ଗାନ୍ଧୀ ବିରୋଧୀକୁ ଏକତ୍ର କରୁଛନ୍ତି, ନା ବିରୋଧୀଙ୍କୁ ଭାଙ୍ଗୁଛନ୍ତି?
ଉତ୍ତର ଆଗାମୀ ନିର୍ବାଚନ ଦେବ। କିନ୍ତୁ ଏହା ସ୍ପଷ୍ଟ—ଇଣ୍ଡି ମେଣ୍ଟ ଏବେ ପୂର୍ବବତ୍ ରହିନାହିଁ। ରାଜନୀତିରେ ଏକତା କେବଳ ଘୋଷଣାରେ ନୁହେଁ, ଭରସା ଓ ସମନ୍ୱୟରେ ଟିକେ। ଏହି ଶିକ୍ଷା ଶାୟଦ ଭାରତୀୟ ବିରୋଧୀ ରାଜନୀତି ପାଇଁ ସବୁଠାରୁ ବଡ଼ ପାଠ।
ଇଣ୍ଡି ମେଣ୍ଟ—ଏକ ସ୍ୱପ୍ନ ଥିଲା।
ସେହି ସ୍ୱପ୍ନ କି ଶେଷ?
ନା ଏହା ପୁଣି ନୂତନ ରୂପରେ ପୁନର୍ଜନ୍ମ ନେବ?
ରାଜନୀତିରେ ଶେଷ ଶବ୍ଦ କେବେ ନ ଥାଏ ।
AlsoRead; https://purvapaksa.com/why-isnt-public-healthcare-improving/

